ମୁକାଗୁଡାରେ ଉତ୍କଟ ଜଳ ସମସ୍ୟା, ୨୦୦ ଲୋକଙ୍କୁ ଗୋଟିଏ ନଳକୂପ

ମାଥିଲି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକର ନାୟକଗୁଡା ପଞ୍ଚାୟତର ମୁକାଗୁଡା ଗ୍ରାମରେ ଉତ୍କଟ ଜଳ ସମସ୍ୟା ଦେଖିବାକୁ ମିଳିଛି। ଲୋକେ ପାଣି ପାଇଁ ଏକ ପ୍ରକାର ପ୍ରତିଯୋଗିତା କରୁଥିବା ଲକ୍ଷ୍ୟ କରାଯାଇଛି। ଏହି ଗ୍ରାମରେ ପ୍ରାୟ ୪୦ ଘର ରହିଥିବା ବେଳେ ୨୦୦ରୁ ଉର୍ଦ୍ଧ୍ବ ବସବାସ କରନ୍ତି। ଏମାନଙ୍କ ପିଇବା ପାଣିର ଏକ ମାତ୍ର ଉତ୍ସ ହେଉଛି ଗୋଟିଏ ମାତ୍ର ନଳକୂପ। ଏହି ନଳକୂପରୁ ଆଇରନ ପାଣି ବାହାରୁ ଥିବାରୁ ଏହାକୁ ପିଇବା ଏକ ପ୍ରକାର ମୃତ୍ୟୁକୁ ନିମନ୍ତ୍ରଣ କରିବା ଭଳି ହୋଇଛି। ତେବେ ଲୋକଙ୍କ ପାଖରେ ଆଉ କୌଣସି ସାଧନ ନଥିବାରୁ ଲୋକେ ବାଧ୍ୟ ହୋଇ ଏହି ନଳକୂପର ପାଣିକୁ ପିଇବା ସହ ଅନ୍ୟ କାମ କରୁଛନ୍ତି। ତେବେ ଏତେ ଲୋକଙ୍କ ପାଇଁ ଗୋଟିଏ ନଳକୂପ ରହିଥିବାରୁ ଲୋକେ ପାଣି ପାଇଁ ପ୍ରତିଦିନ ପ୍ରତିଯୋଗିତା କରୁଥିବା ଦେଖିବାକୁ ମିଳିଛି। ଲୋକମାନଙ୍କ ମଧ୍ୟରେ ପାଣି ପାଇଁ ଗଣ୍ଡଗୋଳ ମଧ୍ୟ ହେଉଥିବା ଲକ୍ଷ୍ୟ କରାଯାଇଛି।

ତେବେ ଏହା ଦିନେ କିମ୍ବା ଦୁଇ ଦିନର ନୁହେଁ ବରଂ ପ୍ରତିଦିନ ଏଭଳି ସ୍ଥିତି ଉପୁଜୁଛି। ବାରମ୍ବାର ପ୍ରଶାସନ ନିକଟରେ ଗ୍ରାମବାସୀ ଆହୁରି ନଳକୂପ ବସାଇବା ପାଇଁ ଦାବି କରିଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ୨୦୦ ଲୋକଙ୍କ ପାଇଁ ମାତ୍ର ଗୋଟିଏ ନଳକୂପ ରହିଥିବାରୁ ସମସ୍ୟା ଦିନକୁ ଦିନ ବଢୁଛି। ଏବେ ଜିଲ୍ଲାରେ ଗ୍ରୀଷ୍ଣ ପ୍ରବାହ ଉତ୍କଟ ରହିଥିବା ଯୋଗୁଁ ଲୋକେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି। ତୁରନ୍ତ ଏଠାରେ ନଳକୂପ ନିର୍ମାଣ କରାନଗଲେ ଆଗମୀ ଦିନରେ ସମସ୍ୟା ଆହୁରି ବଢିବ ସିନା କମିବ ନାହିଁ।

ସମ୍ବନ୍ଧିତ ଖବର