ଥମୁନି ଜଳବନ୍ଦୀ ଅଂଚଳବାସୀଙ୍କ ଜନନୀ ଯନ୍ତ୍ରଣା, ପୁଣି ଝୁଡିରେ ବୁହା ହେଲେ ଗର୍ଭବତୀ

ମୃତ ଶିଶୁକନ୍ୟାକୁ ଜନ୍ମ ଦେଲେ ମହିଳା

ତେନ୍ତୁଳିଖୁଣ୍ଟି: ଥମୁନି ଜଳବନ୍ଦୀ ଅଂଚଳବାସୀଙ୍କ ଜନନୀ ଯନ୍ତ୍ରଣା। ଗତକାଲି ଖଟିଆରେ ବୁହାହୋଇ ଜଣେ ଗର୍ଭବତୀ ତେନ୍ତୁଳିଖୁଣ୍ଟି ଡାକ୍ତରଖାନାକୁ ଆସିଥୁବା ବେଳେ ଆଜି ପୁଣି ଜଣେ ଗର୍ଭବତୀ ଝୁଡିରେ ବୁହା ହୋଇଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଏଭଳି ଘଟଣା ଇନ୍ଦ୍ରାବତୀ ଜଳଭଣ୍ଡାର ଅପର ପାର୍ଶ୍ୱରେ ଥିବା ଗାଁ ଭୁରଭୁରି ଟେମରାରେ ଦେଖିବାକୁ ମିଳିଛି। ଜଳଭଣ୍ଡାର ଘାଟ ଠାରୁ ଭୁରଭୁରି ଟେମରା ପର୍ଯ୍ୟନ୍ତ ପ୍ରାୟ ୨ କିଲୋମିଟର ରାସ୍ତା ହୋଇନଥିବା ଯୋଗୁଁ ରୋଗୀ ତଥା ଗର୍ଭବତୀଙ୍କୁ ଖଟିଆ ଓ ଝୁଡିରେ ବୋହି ଆଣିବାକୁ ପଡୁଛି।

ନବରଂଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାର ଅପର ପାର୍ଶ୍ୱରେ ଥିବା କଳାହାଣ୍ଡି ଜିଲ୍ଲା ଥୁଆମୂଳା ରାମପୁର ବ୍ଲକ ଅନ୍ତର୍ଗତ ଭୁରଭୁରି ଟେମରା ଗ୍ରାମର ସୁବର୍ଣ୍ଣ ମୁଦୁଲି (୩୫)ଙ୍କ ଆଜି ପୂର୍ବାହ୍ନରେ ପ୍ରସବ ବେଦନା ଆରମ୍ଭ ହୋଇଥିଲା। ତେବେ ଆଶା କର୍ମୀଙ୍କ ଜରିଆରେ ଜଳଭଣ୍ଡାର ମଧ୍ୟରେ ଚାଲୁଥୁବା ବୋଟ ଆମ୍ବୁଲାନ୍ସକୁ ଖବର ଦିଆ ଯାଇଥିଲା। ବୋଟ ଆମ୍ବୁଲାନ୍ସଟି ଜଳଭଣ୍ଡାର ତେନ୍ତୁଳିଗୁମ୍ମା ଘାଟରେ ଆସି ଅପେକ୍ଷା କରିଥିଲା। ଭୁରଭୁରି ଟେମରା ଗ୍ରାମରୁ ଜଳଭଣ୍ଡାର ଘାଟ ପର୍ଯ୍ୟନ୍ତ ଦୀର୍ଘ ୨ କିଲୋମିଟର ରାସ୍ତା ନଥିବାରୁ ପରିବାର ତଥା ଗ୍ରାମବାସୀଙ୍କ ସହଯୋଗରେ ଏକ ଝୁଡିରେ ବୋହି ଗର୍ଭବତୀଙ୍କୁ ଆଣିବାକୁ ପଡିଥିଲା। ସେଠାରୁ ବୋଟ ଆମ୍ବୁଲାନ୍ସ ଯୋଗେ ଗର୍ଭବତୀଙ୍କୁ ଜଳଭଣ୍ଡାର ପାର କରେଇ ପୋଡାଗଡ଼ ଘାଟ ପର୍ଯ୍ୟନ୍ତ ଅଣାଯାଇଥିଲା। ପୋଡାଗଡ଼ ଘାଟରେ ପୂର୍ବରୁ ଅପେକ୍ଷା କରିଥୁବା ୧୦୮ ଆମ୍ବୁଲାନ୍ସ ଯୋଗେ ତେନ୍ତୁଳିଖୁଣ୍ଟି ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତେବେ ଆଜି ଦିନ ୨ଟା ୧୦ରେ ଗର୍ଭବତୀ ମହିଳା ଜଣଙ୍କ ଏକ ମୃତ ଶିଶୁକନ୍ୟାକୁ ଜନ୍ମ ଦେଇଥିବା ଡାକ୍ତର ସଚ୍ଚିକାନ୍ତ ଲେଙ୍କା ପ୍ରକାଶ କରିଛନ୍ତି। ବର୍ତ୍ତମାନ ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ୱାଭାବିକ ଥୁବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ, ସୁବର୍ଣ୍ଣ ମୁଦୁଲିଙ୍କ ଏହା ତୃତୀୟ ସନ୍ତାନ ବୋଲି ଜଣା ପଡିଛି।

ପ୍ରକାଶ ଥାଉକି ଜଳ ଭଣ୍ଡାର ଅପର ପାର୍ଶ୍ୱରେ ଥିବା କଳାହାଣ୍ଡି ଜିଲ୍ଲା ଥୁଆମୂଳା ରାମପୁର ବ୍ଲକ ଅନ୍ତର୍ଗତ ପଡ଼େପଦର ଓ ନାଗି ପଂଚାୟତର ଭିତରଡୁଙ୍ଗା, ଉପର ଡୁଙ୍ଗା, ଟେମରା, ଭୁରଭୁରି ଟେମରା, ଲିଟିମସ୍କା ଭଳି ପ୍ରାୟ ଆଠ ଦଶ ଖଣ୍ଡ ଗ୍ରାମବାସୀ ତେନ୍ତୁଳିଖୁଣ୍ଟି ଡାକ୍ତରଖାନା ଉପରେ ନିର୍ଭର କରୁଛନ୍ତି। ସେମାନଙ୍କ ପାଇଁ ଜଳ ଭଣ୍ଡାର ମଧ୍ୟରେ ବୋଟ ଆମ୍ବୁଲାନ୍ସ ବ୍ୟବସ୍ଥା ହୋଇଛି। ହେଲେ ଜଳଭଣ୍ଡାର ଘାଟରୁ ଉକ୍ତ ଗ୍ରାମଗୁଡିକୁ ଯିବା ପାଇଁ ଗମନାଗମନର ସୁବିଧା ଅଦ୍ୟାବଧି ହୋଇ ପାରିନି। ଫଳରେ ସେଠାକାର ଅଧିବାସୀ ଡାକ୍ତରଖାନା ଆସିବାକୁ ହେଲେ ପ୍ରାୟ ଦୁଇ କିଲୋମିଟର ପାହାଡିଆ ରାସ୍ତା ଦେଇ ଖଟିଆ ଓ ଝୁଡି କରି ରୋଗୀ ତଥା ଗର୍ଭବତୀଙ୍କୁ ଆଣୁଥୁବା ଦେଖୁବାକୁ ମିଳିଛି। ଜଳ ଭଣ୍ଡାର ଘାଟରୁ ସମ୍ପୃକ୍ତ ଗ୍ରାମ ପର୍ଯ୍ୟନ୍ତ ପ୍ରାୟ ଦୁଇ କିଲୋମିଟର ରାସ୍ତା ନିର୍ମାଣ କରାଗଲେ ଜନନୀ ଯନ୍ତ୍ରଣା ଦୂର ହେବ ବୋଲି ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର