‘ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ୨୦୩୦’ ଉପରେ ରାଜ୍ୟ ସରକାରଙ୍କ ଗୁରୁତ୍ବ

ସଫଳତା ପାଇଁ କ୍ଷେତ୍ର ଅଧିକାରୀଙ୍କ ଜିଲ୍ଲାସ୍ତରୀୟ କର୍ମଶାଳା ସୁନ୍ଦରଗଡରୁ ଆରମ୍ଭ

ସୁନ୍ଦରଗଡ଼: ମିଳିତ ଜାତିସଂଘ ପକ୍ଷରୁ ପ୍ରସ୍ତୁତ ‘ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ୨୦୩୦’ର ଓଡ଼ିଶାରେ ସଫଳ ରୂପାୟନ ଲାଗି ରାଜ୍ୟ ସରକାର ଗୁରୁତ୍ବ ଦେଇଛନ୍ତି। ଯୋଜନା ଏବଂ ସଂଯୋଜନ ବିଭାଗ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାର କ୍ଷେତ୍ରସ୍ତରୀୟ ଅଧିକାରୀଙ୍କୁ ନେଇ ସୁନ୍ଦରଗଡରୁ ଆରମ୍ଭ ହୋଇଥିବା ଦୁଇଦିନିଆ ସ୍ୱତନ୍ତ୍ର କର୍ମଶାଳା ବୁଧବାର ସରିଛି।

ଜନସମୁଦାୟ ପାଇଁ ଦୀର୍ଘସ୍ଥାୟୀ ଆର୍ଥିକ, ସାମାଜିକ ଓ ପାରିବେଶିକ ବିକାଶକୁ ସୁନିଶ୍ଚିତ କରିବା ପାଇଁ ମିଳିତ ଜାତିସଂଘ ପକ୍ଷରୁ ୨୦୧୫ରେ ୧୭ ପ୍ରମୁଖ ଲକ୍ଷ୍ୟକୁ ‘ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ’ ବା ଏସଡିଜି ଭାବେ ଚିହ୍ନଟ କରାଯାଇଛି। ସେହି ଲକ୍ଷ୍ୟଗୁଡ଼ିକୁ ୨୦୩୦ ସୁଦ୍ଧା ହାସଲ କରିବା ଲାଗି ରାଜ୍ୟ ସରକାର ଆବଶ୍ୟକ ଖସଡ଼ା ଓ ପଦକ୍ଷେପ ନେଉଛନ୍ତି।

ସୁନ୍ଦରଗଡ଼ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରଠାରେ ଏହି କର୍ମଶାଳା ମଙ୍ଗଳବାର ଆରମ୍ଭ ହୋଇଥିଲା। ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ଗାଭାଲି ପରାଗ ହର୍ଷଦ ଏହାର ଉଦଘାଟନ କରିଥିଲେ। ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାକୁ ତୃଣମୂଳସ୍ତରରେ ଲୋକଙ୍କ ପାଖରେ ପହଞ୍ଚାଇବା ସହ ସେଗୁଡ଼ିକର ସଫଳ କାର୍ଯ୍ୟକାରିତା ଉପରେ ବିଶେଷ ଧ୍ୟାନ ଦେବାକୁ ଜିଲ୍ଲାପାଳ ଉପସ୍ଥିତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ ଯୋଜନା ଓ ସଂଯୋଜନ ବିଭାଗର ଯୁଗ୍ମ ସଚିବ ମନୀଷ ଅଗ୍ରୱାଲ। ସେ କହିଥିଲେ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବାକୁ ହେଲେ ପ୍ରଥମେ ସ୍ଥାନୀୟ ଅଞ୍ଚଳରେ ରହିଥିବା ବିଭିନ୍ନ ସମସ୍ୟାର ଚିହ୍ନଟ କରି ଏହାର ଆଶୁ ସମାଧାନ କରିବାକୁ ପଡ଼ିବ। ସେହିପରି ସ୍ଥାନୀୟ ସମ୍ବଳର ଉଚିତ ଉପଯୋଗ ହୋଇପାରିଲେ ଏହା ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିପାରିବ।

ସୁନ୍ଦରଗଡ଼ ଜିଲ୍ଲା ଏସଡିଜିର ନୋଡାଲ ଅଧିକାରୀ ତଥା ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭୈରବ ସିଂ ପଟେଲ ଉପସ୍ଥିତ ଥିଲେ। ଏଥିରେ ଜିଲ୍ଲାର ୧୫ ବିଭାଗର ସରକାରୀ ଅଧିକାରୀ ତଥା ସ୍ୱେଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତା ଭାଗ ନେଇଥିଲେ।

ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ପାଇଁ ମିଳିତ ଜାତିସଂଘ ପକ୍ଷରୁ ନିର୍ଦ୍ଧାରିତ କରାଯାଇଥିବା ପ୍ରମୁଖ ୧୭ଟି ଲକ୍ଷ୍ୟ କିପରି ହାସଲ ହୋଇପାରିବ ସେ ବିଷୟରେ ଅଧିକାରୀମାନଙ୍କୁ ବିଶେଷ ପ୍ରଶିକ୍ଷଣ ଦିଆଯାଇଥିଲା। ଆଗାମୀ ଦିନରେ ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାରେ ପର୍ଯ୍ୟାୟକ୍ରମେ ଏହି କାର୍ଯ୍ୟକ୍ରମ କରାଯିବ ବୋଲି ଶ୍ରୀ ଅଗ୍ରୱାଲ ସୂଚନା ଦେଇଛନ୍ତି।

‘ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ୨୦୩୦’ ଏଜେଣ୍ଡାରେ ରହିଛି ରାଜ୍ୟରୁ ଦାରିଦ୍ର୍ୟ ସମ୍ପୂର୍ଣ୍ଣ ଦୂରୀକରଣ, ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରି କ୍ଷୁଧାମୁକ୍ତ ରାଜ୍ୟ ଗଠନ କରିବା, ସମସ୍ତଙ୍କ ପାଇଁ ପୋଷଣଯୁକ୍ତ ଖାଦ୍ୟ ଉପଲବ୍ଧ କରାଇବା, ଗୁଣାତ୍ମକ ଶିକ୍ଷା ସହ ଲୋକଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇଦେବା, ମହିଳା ସଶକ୍ତିକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା, ଲିଙ୍ଗଗତ ଅସମାନତା ଦୂର କରିବା, ସମସ୍ତଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ସୁନିଶ୍ଚିତ କରିବା ସହ ପରିମଳ ପରିଚାଳନା ଉପରେ ଗୁରୁତ୍ୱ ଦେବା।

ସେହିପରି ଲୋକଙ୍କ ସୁବିଧା ପାଇଁ ଆଗାମୀ ଦିନରେ ନିରନ୍ତର ଅକ୍ଷୟ ଶକ୍ତି ସେବା ଉପଲବ୍ଧ କରିବା, ଭିତ୍ତିଭୂମି ନିର୍ମାଣ ସହ ଦୀର୍ଘସ୍ଥାୟୀ ଶିଳ୍ପାୟନକୁ ପ୍ରୋତ୍ସାହନ ଦେବା, ଜଳବାୟୁ ପରିବର୍ତ୍ତନ ଏବଂ ଏହାର ପ୍ରଭାବର ମୁକାବିଲା ପାଇଁ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ତଥା ସ୍ଥାନୀୟ ସମ୍ବଳର ଉଚିତ ବ୍ୟବହାର କରିବା ଉପରେ କର୍ମଶାଳାରେ ଗୁରୁତ୍ୱ ଦିଆଯାଇଛି।

ଏହି କାର୍ଯ୍ୟକ୍ରମକୁ ଯୋଜନା ଓ ସଂଯୋଜନ ବିଭାଗର ସାମର୍ଥ୍ୟ ବୃଦ୍ଧି ବିଶେଷଜ୍ଞ ସରୋଜ କୁମାର ଦାଶ ପରିଚାଳନା କରିଥିଲେ। ଏଥିରେ ରାଜ୍ୟ ଏସଡିଜି ସେଲର ସହକାରୀ ନିର୍ଦ୍ଦେଶିକା ଡକ୍ଟର ଉପାସନା ମହାପାତ୍ର, ସାମାଜିକ କ୍ଷେତ୍ର ବିଶେଷଜ୍ଞ (ପିଏମୟୁ, ଏସଡିଜି) ଡକ୍ଟର ରମେଶ ଚେଲାନ, ପରିବେଶ ବିଶେଷଜ୍ଞ ଜନ୍ମେଜୟ ମିଶ୍ର, ଜିଲ୍ଲା ଯୋଜନା ଓ ସଂଯୋଜନ ବିଭାଗର ଉପନିର୍ଦ୍ଦେଶକ ଡକ୍ଟର ବିଜ୍ଞାନାନନ୍ଦ ମହାନ୍ତି ପ୍ରମୁଖ ତାଲିମଦାତା ଭାବେ ଯୋଗ ଦେଇଥିଲେ।

ଏଥିରେ ଭାଗ ନେଇଥିବା ସରକାରୀ ଅଧିକାରୀ ଏବଂ ତାଲିମଦାତାମାନେ ସ୍ଥାନୀୟ କ୍ଷେତ୍ର ପରିଦର୍ଶନରେ ଯାଇଥିଲେ। ସୁନ୍ଦରଗଡ଼ ସଦର ବ୍ଲକର କିରେଇ ଏବଂ ଟାଙ୍ଗରପାଲି ବ୍ଲକର ମହୁଲପାଲି ପଞ୍ଚାୟତ ପରିଦର୍ଶନ କରି ସେମାନେ ସ୍ଥାନୀୟ ପଞ୍ଚାୟତ ପ୍ରତିନିଧି, ମିଶନଶକ୍ତିର ମା’, ଯୁବକ ଏବଂ ଚାଷୀମାନଙ୍କୁ ଭେଟି ସେମାନଙ୍କ ଦକ୍ଷତା ଓ ଜୀବିକା ଆଦି ବିଷୟରେ ପଚାରି ବୁଝିଥିଲେ। ସେଠାରୁ ଫେରି ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନା ଓ କାର୍ଯ୍ୟକ୍ରମର ଉପଯୋଗ କରି କିଭଳି ଲୋକଙ୍କ ପାଇଁ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ପୂରଣ କରାଯାଇପାରିବ ସେ ଦିଗରେ କର୍ମଶାଳାରେ ଅଧିକ ଆଲୋଚନା କରାଯାଇଥିଲା।

 

 

 

 

 

 

 

 

ସମ୍ବନ୍ଧିତ ଖବର