ବାଲିଅନ୍ତାରେ ମତଦାନ ୮୦ ପ୍ରତିଶତ

ବାଲିଅନ୍ତା : ପଞ୍ଚାୟତ ନିବାଚନର ୫ମ ପର୍ଯ୍ୟାୟ ମତଦାନ ଅବସରରେ ଆଜି ଖୋର୍ଧା ଜିଲ୍ଲା ବାଲିଅନ୍ତା ବ୍ଲକରେ ନିର୍ବାଚନ ଶେ‌ଷ ହୋଇଛି। ଏହି ବ୍ଲକର ୧୬ଟି ପଞ୍ଚାୟତରେ ମୋଟ ୨୨୪ ବୁଥରେ ମୋଟ ୮୦ ପ୍ରତିଶତରୁ ମତଦାନ ହୋଇଛି ବୋଲି ବିଡିଓ ନାରାୟଣ ଚନ୍ଦ୍ର ନାୟକ କହିଛନ୍ତି। ଭୋଟ ଗ୍ରହଣ ଅନେକ ସ୍ଥାନରେ ଶାନ୍ତିଶୃଙ୍ଖଳା ସହ ସଂପର୍ଣ୍ଣ ହୋଇଥିବା ବେଳେ ଆଉ କିଛି ବୁଥରେ କଥା କଟିକଟି, ପାଟିତୁଣ୍ଡ ଏବଂ ଗଣ୍ଡଗୋଳ ଭଳି ଅପ୍ରୀତିକର ପରିସ୍ଥିତି ମଧ୍ୟରେ ଶେ‌ଷ ହୋଇଛି। ଭିଙ୍ଗାରପୁର ଉଚ୍ଚ ପ୍ରାଥମିକ ବିଦ୍ୟାୟରେ ଭୋଟ କେନ୍ଦ୍ର ପରିଚାଳନାରେ ଅନିୟମିତତା ଅଭିଯୋଗ କରି ଏଜେଣ୍ଟ ଏବଂ ପ୍ରିଜାଇଣ୍ଡିଂ ଅଫିସରଙ୍କ ମଧ୍ୟରେ କଥା କଟାକଟିରୁ ଘଟଣା ଉଗ୍ରରୂପ ନେଇଥିଲା। ସ୍ଥାନୀୟ ଲୋକ ଭୋଟ କେନ୍ଦ୍ର ଦୀର୍ଘ ସମୟ ଧରି ଘେରିବା ସହ ଭୋଟ ବାକ୍ସ ଷ୍ଟ୍ରଙ୍ଗରୁମକୁ ଯିବାକୁ ଛ‌ାଡ଼ିନଥିଲେ। ଏନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା।

ସ୍ଥାନୀୟ ଲୋକ କେନ୍ଦ୍ର ନିକଟରେ ଧାରଣାରେ ବସି ରହିଥିଲେ। ଖବର ପାଇ ବାଲିଅନ୍ତା ଥାନା ଅଧିକାରୀ , ବାଲିଅନ୍ତା ତହସିଲଦାର , ଭାରପ୍ରାପ୍ତ ଏସିପି ଏବଂ ଉପ ଜିଲ୍ଲାପାଳ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ସେହିପରି ଆଉ କେଉଁଠି ଭୋଟର ତାଲିକାରେ ନାଁ ନଥିବାରୁ ଅସନ୍ତୋଷ ଦେଖାଦେଇଥିଲା। ସେହିପରି ପୁଣି ଆଉ କିଛି ବୁଥରେ ଦଳୀୟ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଚିହ୍ନ ଥିବା ଚିରିକୁଟି ଭୋଟରଙ୍କୁ ବଣ୍ଟାଯିବା ନେଇ ଗଣ୍ଡଗୋଳ ହୋଇଥିଲା। ଘନ ଘନ ପୁଲିସ ପାଟ୍ରୋଲିଂ କରିବା ସତ୍ତ୍ବେ ଉପରୋକ୍ତ ବୁଥରେ ନିର୍ବାଚନୀ ହିଂସା ଦେଖା ଦେଇଥିଲା। ଏକାଧିକ ସ୍ଥାନରେ ଉତ୍ତେଜନା ସୃଷ୍ଟି ହେବାରୁ ପରିସ୍ଥିତି ନିୟନ୍ତ୍ରଣ କରିବା ନେଇ ପୁଲିସକୁ ନାକେଦମ  ହେବାକୁ ପଡ଼ିଥିଲା।

ସମ୍ବନ୍ଧିତ ଖବର