କଟା ଚାଲିଛି ନଦୀବନ୍ଧ: ମୂଲ୍ୟବାନ ଗଛ, ବିପଦରେ ସୁବର୍ଣ୍ଣପୁର ଗ୍ରାମ

ଡମପଡ଼ା: ବାଙ୍କୀ ତହସିଲ ଅଧୀନ ସାନ୍ତରାପୁର (ସୁବର୍ଣ୍ଣପୁର)ରୁ ବେଆଇନ ଭାବେ ବାଲିଚାଲାଣ ବନ୍ଦ କରିବା ପାଇଁ ଆଜି ଅଞ୍ଚଳବାସୀ ଏକ ଦାବିପତ୍ର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି। ଏ ନେଇ ପଦକ୍ଷେପ ନିଆ ନ ଗଲେ ସ୍ଥାନୀୟ ଲୋକେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି। ପ୍ରକାଶଥାଉ କି, ପ୍ରତିବର୍ଷ ସରକାରଙ୍କ ତରଫରୁ ବାଙ୍କୀ ତହସିଲ ଅଧୀନ ଓସ୍ତିଆ ବାଲିଘାଟ ନିଲାମ କରାଯାଇଥାଏ। ପୂର୍ବରୁ ନିଲାମଧାରୀମାନେ ଓସ୍ତିଆ ବାଲିଘାଟରୁ ବାଲି ଚାଲାଣ କରୁଥିଲେ। କିନ୍ତୁ ଚଳିତବର୍ଷ ସାନ୍ତରାପୁର (ସୁବର୍ଣ୍ଣପୁର) ମୌଜାରୁ ବେଆଇନ ଭାବେ ବାଲି ଚାଲାଣ ନିମନ୍ତେ ବହୁ ଫାଶୀ, କୁରୁମ ଆଦି ମୂଲ୍ୟବାନ ଗଛ କଟାଯିବା ସହିତ ନଦୀବନ୍ଧ କାଟି ବାଲିଘାଟ ପାଇଁ ରାସ୍ତା ଓ ସ୍ଥାୟୀ ବାସଗୃହ ନିର୍ମାଣ କରାଯାଉଥିବା ଅଭିଯୋଗ ହୋଇଛି। ଏଥିଯୋଗୁଁ ବାଙ୍କୀ ବ୍ଲକ୍‌ର ପ୍ରମୁଖ ବନ୍ୟାଞ୍ଚଳ ସୁବର୍ଣ୍ଣପୁର ଗ୍ରାମ ପ୍ରତି ବିପଦ ଦେଖାଦେବାର ଆଶଙ୍କା ପ୍ରକାଶ ପାଇଛି। ମହାନଦୀରେ ବନ୍ୟାଜଳ ଆସିବା ମାତ୍ରକେ ଏହି ଗ୍ରାମ ଜଳବନ୍ଦି ହୋଇଯିବା ସହ ହଜାରହଜାର ଏକର ଜମିରେ ପାଣି ମାଡ଼ିଯାଏ। ବାଲିଘାଟ ପାଇଁ ମହାନଦୀ ବନ୍ଧ କଟାଯିବାରୁ  ଘାଇ ସୃଷ୍ଟି ହେଲେ ସୁବର୍ଣ୍ଣପୁର, ଓସ୍ତିଆ, ଆନନ୍ଦପୁର ଓ ବିଷ୍ଣୁପୁର ମୌଜାର ଚାଷଜମି ବାଲିଚର ହୋଇଯିବ ଏବଂ ଧନଜୀବନ ହାନୀ ହେବ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ସେହିପରି କଟକ ଜିଲ୍ଲାର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଅଂଶୁପାର ସୌନ୍ଦର୍ଯ୍ୟ ପ୍ରତି ଏହା ବିପଦ ସୃଷ୍ଟି କରିବ। ଫଳରେ ଗ୍ରାମବାସୀ ପ୍ରତିବାଦ କରିଥିଲେ ମଧ୍ୟ ବାଲିଘାଟ ନେଇଥିବା ବ୍ୟକ୍ତି ଭ୍ରୁକ୍ଷେପ ନ କରି ବନ୍ଧ କାଟି ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି। ଏଥିଯୋଗୁଁ ଗ୍ରାମର ଗୃହପାଳିତ ପଶୁମାନେ ଚରିବାରୁ ବଞ୍ଚିତ ହେଉଥିଲା ବେଳେ ଦ୍ରୁତ ଗତିରେ ଗାଡ଼ି ଚଳାଚଳ ଯୋଗୁଁ ଜନସାଧାରଣ ଓ ଛାତ୍ରଛାତ୍ରୀଙ୍କ ପ୍ରତି ବିପଦ ଲାଗି ରହୁଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।

ଏଥିସହ ଚୋରାଚାଲାଣ ଲକ୍ଷ୍ୟରେ ପ୍ରସ୍ତାବିତ ସ୍ଥାନରେ ବାଲିଘାଟ ନ କରି ସୁବର୍ଣ୍ଣପୁର (ସାମନ୍ତରାପୁର) ମୌଜାରେ କରାଯାଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ ଆଜି ସୁବର୍ଣ୍ଣପୁର ଗ୍ରାମର ବିଶ୍ୱରଂଜନ ପଣ୍ଡା, ଦେବେନ୍ଦ୍ର ପଟ୍ଟନାୟକ, ପ୍ରଦୀପ କୁମାର ରଣା, ବିଜୟ କୁମାର ଖଟୁଆ, ଟୁକୁନା ଦଳେଇ, ରାଜେଶ ବାରିକଙ୍କ ସମେତ ଶତାଧିକ ବ୍ୟକ୍ତି ବାଙ୍କୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ବେଆଇନ ଭାବେ ନିର୍ମାଣ କରାଯାଉଥିବା ବାଲିଘାଟ ତୁରନ୍ତ ବନ୍ଦ କରାଯିବା ସହିତ ବନ୍ଧ ଓ ଗଛ କାଟୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ୧୫ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସ୍ମାରକପତ୍ରରେ ଉଲ୍ଲେଖ କରିଥିବା ଜଣାଯାଇଛି। ଉକ୍ତ ଦାବିପତ୍ରର ନକଲ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଙ୍ଗଲ ଓ ପରିବେଶ ବିଭାଗ, କଟକ ଜିଲ୍ଲାପାଳ, ବାଙ୍କୀ ଉପଜିଲ୍ଲାପାଳ, ବିଧାୟକ ଓ ଆଠଗଡ଼ ଡିଏଫ୍‌ଓଙ୍କୁ ପ୍ରଦାନ କରାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର