ସିସିବିସିରେ ପରିବହନ ବାଧାପ୍ରାପ୍ତ: ମରାମତି କରିବା ପାଇଁ କଂପାନି କର୍ମଚାରୀମାନଙ୍କୁ ବିରୋଧ, ସୁରକ୍ଷା ଅଧିକାରୀଙ୍କୁ ପଥର ମାଡ଼

ରାଜଗାଙ୍ଗପୁର: ଦୀର୍ଘ ୨୪ଘଣ୍ଟା ଧରି ସିସିବିସିକୁ ବନ୍ଦ କରିବା ପରେ କଂପାନି ଏବଂ ଗ୍ରାମବାସୀମାନଙ୍କ ସହିତ ଆପୋଷ ବୁଝାମଣା ହେବା ପରେ ରାତ୍ର ସମୟରେ ସିଆଲଟୋଲିର ଟିଟି(୪) ନିକଟରେ ବେଲଟକୁ କାଟି ଦେବାରୁ ସିସିବିସିରୁ କଞ୍ଚାମାଲ ପରିବହନ ବନ୍ଦ ହୋଇଯାଇଛି। ମରାମତି କରିବା ପାଇଁ ଆସିଥିବା କଂପାନି କର୍ମଚାରୀମାନଙ୍କୁ ମାରଧର କରିବା ସହିତ କାର୍ଯ୍ୟକରିବାକୁ ବିରୋଧ କରିଛନ୍ତି।ଘଟଣାସ୍ଥଳରେ ସୁରକ୍ଷା ଅଧିକାରୀ ଏବଂ ଅନ୍ୟ ଅଧିକାରୀମାନଙ୍କୁ ପଥର ମାଡ଼ କରିଥବା ଜଣାପଡ଼ିଛି।ଗତକାଲି କୁନୁମୁରୁ ପଞ୍ଚାୟତର ପାହାଡ଼ଟୋଲିର ଗ୍ରାମବାସୀମାନେ ସେମାନଙ୍କର ଦାବି ନେଇ ସିସିବିସିକୁ ବନ୍ଦ କରିଥିଲେ।ପରେ କଂପାନି ଏବଂ ଗ୍ରାମବାସୀମାନଙ୍କ ମଧ୍ୟରେ ବୁଝାମଣା ହେବା ପରେ ସିସିବିସି କାର୍ଯ୍ୟକ୍ଷମ ହୋଇଥିଲା।

ସ୍ଥାନୀୟ ବାସିନ୍ଦାମାନଙ୍କ ସହିତ ବୁଝାମଣା ହେବା ପରେ ସଂଧ୍ୟା ୫ଘଟିକାରେ ସି.ସି.ବି.ସିରୁ କଞ୍ଚାମାଲ ପରିବହନ ହେବା ଆରମ୍ଭ ହୋଇଥିଲା।ମାତ୍ର ୩ଘଣ୍ଟା ପରେ ଟିଟି(୪)ନିକଟରୁ ସିଆଲଟୋଲିର ନିକଟରେ ଜେଲ ଫେରନ୍ତାଙ୍କ ସମେତ ଗ୍ରାମବାସୀମାନେ ରାତ୍ର ସମୟରେ ସିସିବିସିର ବେଲଟକୁ କାଟି ଦେବା ଫଳରେ ସିସିବିସି ବନ୍ଦ ହୋଇପଡ଼ିଥିଲା। ସିସିବିସିକୁ ମରାମତି କରିବା ପାଇଁ ଆସିଥିବା କଂପାନି କର୍ମଚାରୀମାନଙ୍କୁ କାମ କରିବା ପାଇଁ ପ୍ରତିରୋଧ କରିଥିଲେ।

ଖବର ପାଇଁ ଡ଼ାଲମିଆଁ ମାଇନସରୁ ସୁରକ୍ଷା ଅଧିକାରୀ ଏବଂ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ ଜେଲ ଫେରନ୍ତା ଜଣେ ଅଭିଯୁକ୍ତଙ୍କ ସମେତ ଗ୍ରାମବାସୀମାନେ ବିରୋଧ କରିବା ସହିତ ପଥର ମାଡ଼ କରିଥିଲେ।ଘଟଣାସ୍ଥଳରୁ କଂପାନିର କର୍ମଚାରୀ ଏବଂ ଅନ୍ୟଅଧିକାରୀ ମାନେ ପଳାଇ ଯାଇଥିଲେ।ସିସିବିସି ଏବଂ ଖଣିରେ ବିଭିନ୍ନ ଅପରାଧରେ ମାମଲା ଥାନାରେ ରଜୁ କରାଯାଇଥିଲେ ମଧ୍ୟ ପୁଲିସ ସେମାନଙ୍କର ଉପରେ ଆଖିଦୃଶିଆ ପଦକ୍ଷେପ ନେଉନଥିବାରୁ ସେମାନଙ୍କର ମନୋବଳ ବୃଦ୍ଧିପାଉଛି। ଜିଲ୍ଲା ପ୍ରଶାସନ, ସ୍ଥାନୀୟ ରାଜନେତା ଏବଂ ଗ୍ରାମବାସୀ  ମିଳିତ ଭାବେ କଂପାନି ସହିତ ଆଲୋଚନା କରି ଏକ ସ୍ଥାୟୀ ସମାଧାନ କରିବାର ଆବଶ୍ୟକତା ଦେଖା ଦେଇଛି।

ସମ୍ବନ୍ଧିତ ଖବର