ସ୍ବାଧୀନ ପ୍ରାର୍ଥୀ ଉଠାଇଲେ ସ୍ବର: ସ୍ବଚ୍ଛ ମତଦାନ ପାଇଁ ଇଭିଏମରେ ଭିଭିପାଟ କାହିଁ !

ସୁନ୍ଦରଗଡ଼: ସୁନ୍ଦରଗଡ଼ ପୌର ନିର୍ବାଚନରେ ଅଧ୍ୟକ୍ଷା ଭାବେ ପ୍ରତିଦ୍ବନ୍ଦ୍ବିତା କରୁଥିବା ବିଜେପି ବିଦ୍ରୋହୀ ସ୍ବାଧୀନ ପ୍ରାର୍ଥୀ ନିନିମା ପଟେଲ ନିଜ ନିଆରା ନିର୍ବାଚନୀ ପ୍ରଚାରକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ନିର୍ବାଚନୀ ଖର୍ଚ୍ଚ ତୁଲାଇବାକୁ ସକ୍ଷମ ନଥିବା କାରଣରୁ ବିଜେପି ତାଙ୍କୁ ଟିକଟ ଦେଇ ନଥିବା ଅଭିଯୋଗ କରୁଥିବା ନିନିମା ଗାମୁଛା ପାତି ଲୋକଙ୍କୁ ଭୋଟ୍ ସହ ନୋଟ୍ ମାଗି ଏ ଲଢ଼େଇ ପୁଞ୍ଜିପତି ବନାମ ସାଧାରଣଜନତାଙ୍କ ବୋଲି ଲୋକଙ୍କୁ ବୁଝାଇବାକୁ ଚେଷ୍ଟା ଚଲାଇଛନ୍ତି।

ଏହା ମଧ୍ୟରେ ମତଦାନ ଇଭିଏମ ମାଧ୍ୟମରେ ହେବାକୁ ଥିବା ବେଳେ ନିର୍ବାଚନ କମିସନଙ୍କ ବ୍ୟବସ୍ଥା ମୁତାବକ ସୁନ୍ଦରଗଡ଼କୁ ଭିଭିପାଟ (ଭୋଟର ଭେରିଫାଏଡ୍ ପେପର ଅଡିଟ୍ ଟ୍ରାଏଲ୍ ) ମେସିନ୍ ଯୋଗାଇ ନ ଦିଆଯିବାକୁ ନେଇ ପ୍ରାର୍ଥୀ ନିନିମା ପ୍ରଶ୍ନ ଉଠାଇଛନ୍ତି। ଏହା ସହ ଇଭିଏମ୍ ସହ ଭିଭିପାଟ ସଂଯୋଗ କରିବାକୁ ସେ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଛନ୍ତି। ଇଭିଏମ ମାଧ୍ୟମରେ ହେଉଥିବା ମତଦାନକୁ ଅଧିକ ସ୍ବଚ୍ଛ ଓ ବିଶ୍ବସନୀୟ କରିବା ପାଇଁ ନିର୍ବାଚନ କମିସନ ଏଥିରେ ଭିଭିପାଟ୍ ସଂଯୋଗ କରିଛନ୍ତି। ଏଥିରେ ଭୋଟରଙ୍କ ଭୋଟ୍ କେଉଁ ପ୍ରାର୍ଥୀ ବା ଚିହ୍ନରେ ପଡ଼ିଲା ଜାଣିବା ପାଇଁ ବ୍ୟବସ୍ଥା ରହିଛି। ଏସ୍ଥିତିରେ ୧୯ଟି ୱାର୍ଡର ୩୮ଟି ବୁଥରେ କାଉନସିଲର ଓ ଅଧ୍ୟକ୍ଷାଙ୍କ ପାଇଁ ହେବାକୁ ଥିବା ମତଦାନ ନିମନ୍ତେ ୭୬ଟି ଇଭିଏମ୍ ପହଞ୍ଚିଥିବା ବେଳେ ସେଥିରେ ଭିଭିପାଟ୍ ନଥିବା ଅଭିଯୋଗ ହୋଇଛି। ତେଣୁ ବିନା ଭିଭିପାଟରେ ଭୋଟର ନିଜ ମତଦାନକୁ ନେଇ ସନ୍ଦେହରେ ଥିବା ବେଳେ ସ୍ବଚ୍ଛ ମତଦାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବ ବୋଲି ନିନିମା ପ୍ରକାଶ କରିବା ସହ ନିର୍ବାଚନ କମିସନ ତୁରନ୍ତ ଭିଭିପାଟ ଯୋଗାଇବାକୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର