ଦାଦନ ଯାଇଥିବା ନାବାଳିକା ନିଖୋଜ:ପେଟ ପାଇଁ ପାଠରେ ଡୋରି

ବିକ୍ରି ଅଭିଯୋଗ ଆଣିଲେ ପରିବାର

ରାଉରକେଲା/ବଣାଇଁଗଡ଼: ପେଟ ପାଇଁ ସ୍କୁଲ ପାଠରେ ପଡ଼ିଥିଲା ଡୋରି। ବଡ଼ ବାପା ଝିଅ ସହ ଦାଦନ ଖଟିବାକୁ ବାହାରିଗଲା ଝିଅ। ବାହାର ରାଜ୍ୟକୁ ଯିବା ବେଳେ ବାଟରେ ଏକ କ୍ରସର୍‌ରେ କାମ ମିଳିିଥିଲା। ଅଟକି ଯାଇଥିଲେ ଦୁହେଁ। ଦିନ କେତେ କାମ କରିବା ପରେ ଦିନେ ସେଇଠୁ ନିଖୋଜ ହୋଇଗଲା ଝିଅ । ପରିବାର ଲୋକେ ବହୁ ଖୋଜିଥିଲେ। ହେଲେ ପାଇଲେନି। କ୍ରସର୍‌କୁ ଯାଇ ପତ୍ତା ମାଗିଥିଲେ ବି କେହି ତାଙ୍କ କଥା ଶୁଣି ନଥିଲେ। ଓଲଟା କ୍ରସର୍‌ ମାଲିକ ଧମକଚମକ ଦେଇ ଘୋଇଡ଼ାଇ ଦେଇଥିଲେ। ଏବେ ନାବାଳିକା ଝିଅକୁ ବାହାର ରାଜ୍ୟରେ ବିକି ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର। ଉଦ୍ଧାର ପାଇଁ କରିଛନ୍ତି ଗୁହାରୀ। ନାବାଳିକା ଚାଲାଣର ଏଭଳି କରୁଣ ଅଭିଯୋଗ ଆସିଛି ବଣାଇଁ ଟିକାୟତପାଲି ଥାନା ଭାଲୁପାଣି ଜାମଜୋର୍‌ ଗାଁରୁ। ଆଦିବାସୀ ନାବାଳିକା ଛାତ୍ରୀ ପାଖ ଆଦିବାସୀ ଉଚ୍ଚ ବିଦ୍ୟାଳୟରେ ଅଷ୍ଟମ ପଢ଼ୁଥିଲେ।

ପରିବାରର ଗରିବୀ ପଢ଼ିବାକୁ ସହାୟକ ହେଉ ନଥିଲେ ବି କଲେଜ ମାଡ଼ିବାର ସ୍ୱପ୍ନ ଦେଖୁଥିଲେ ସେ। ମୂଲ ଲାଗିଲେ ଭାତ ମିଳୁଥିବା ପରିବାରରେ ବହୁ ସମୟରେ ଖାଇବାକୁ ମିଳୁ ନଥିଲା। ଶେଷକୁ ପେଟ ତାଙ୍କ ସ୍ୱପ୍ନ ଛଡ଼ାଇ ନେଇଥିଲା। ପାଠରେ ଡୋରି ବାନ୍ଧି ବାହାର ରାଜ୍ୟ ଦାଦନ ଖଟିଯିବାକୁ ବଡ଼ବାପା ଝିଅ ସହ ଗତ ମାସକ ତଳେ ସେ ଘର, ପରିବାର ଛାଡ଼ିଲେ। ଗଲା ବେଳେ ବାଟରେ ଢେଙ୍କାନାଳର ସରଧାପୁର ଠାରେ ଥିବା ଶୁକ୍ଲା କ୍ରସର୍‌ରେ ତାଙ୍କୁ କାମ ମିଳିଥିଲା। ସେଇଠି ଦୁହେଁ କିଛି ଦିନ କାମ କରିବା ପରେ ଦିନେ ବଡ଼ବାପା ଝିଅ କେଉଁ ଆଡ଼େ ଚାଲି ଯାଇଥିଲେ। ଏହା ପରେ ପରେ ନାବାଳିକା ପାଖରେ ଥିବା ପପୁଲାର୍‌ କ୍ରସର୍‌ରେ ନିୟୋଜିତ ହୋଇଥିଲେ।

ଏ ସମ୍ପର୍କରେ ସୂଚନା ପାଇ ବାପାମା ଝିଅକୁ ଖୋଜିବାକୁ ଯାଇ ସେଠାରେ ପହଞ୍ଚିବା ପରେ ଝିଅ ନିଖୋଜ ହୋଇ ଯାଇଥିବା ଜାଣିବାକୁ ପାଇଥିଲେ। ତେବେ ଝିଅକୁ ଫେରାଇ ଦେବାକୁ ବାପାମା ଦାବି କରିବାରୁ କ୍ରସର୍‌ ମାଲିକ କୁଆଡ଼େ ତାଙ୍କୁ ଧମକଚମକ ଓ ମାଡ଼ପିଟ କରି ଘଉଡ଼ାଇ ଦେଇଥିବା ପ୍ରକାଶ ପାଇଛି। ଶେଷକୁ ଅନ୍ୟ ଉପାୟ ନପାଇ ସେମାନେ ସେଠାରୁ ଫେରି ଆଜି ଟିକାୟତପାଲି ଥାନାରେ ଏତଲା ଦେଇଛନ୍ତି। ତାଙ୍କ ଝିଅକୁ ଅନ୍ୟତ୍ର ବିକ୍ରି ଅଥବା ରାଜ୍ୟ ବାହାରକୁ ଚାଲାଣ କରାଯାଇଥିବା ଏତଲାରେ ଦର୍ଶାଯାଇଛି। ସୁନ୍ଦରଗଡ଼ ଜିଲ୍ଲାପାଳ ତୁରନ୍ତ ଦୃଷ୍ଟି ଦେଇ ନାବାଳିକାକୁ ଖୋଜି ଆଣିବାକୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର