ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ମୁକାବିଲା ପାଇଁ ଟେବୁଲ୍ ଟପ୍ ଅଭ୍ୟାସ

ଖୋର୍ଦ୍ଧା: ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଆଜି ଜିଲ୍ଲାସ୍ତରୀୟ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଏକ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଭଳି ପ୍ରାଶାସନିକ ଅଧିକାରୀ ଓ ବିଭିନ୍ନ ବିଭାଗର କର୍ମଚାରୀଙ୍କ ମଧ୍ୟରେ ସୂଚନାର ଆଦାନପ୍ରଦାନ ଓ ସମନ୍ୱୟ ରକ୍ଷା କରାଯିବ ସେନେଇ ଏକ ପ୍ରାକ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଶ୍ରୀ ପାଢ଼ୀ କହିଥିଲେ ଯେ ଏନେଇ ରାଜ୍ୟ ବିପର୍ଯ୍ୟୟ ପ୍ରଶାସନ କର୍ତ୍ତୃପକ୍ଷ ପ୍ରତିବର୍ଷ ଜୁନ୍ ୧୯ ତାରିଖରେ ସମସ୍ତ ଜିଲ୍ଲା, ବ୍ଲକ ଓ ୫୧ଟି ବାତ୍ୟା ଆଶ୍ରୟସ୍ଥଳୀ ଓ ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକରେ ମକ୍‌ଡ଼୍ରିଲ ଆୟୋଜନ କରିଥାଏ। ଏହି ପରିପ୍ରେକ୍ଷୀରେ ତୃଣମୂଳସ୍ତରରୁ ତଥ୍ୟ ସଂଗ୍ରହ, ବିଭାଗ ମଧ୍ୟରେ ତଥ୍ୟର ଆଦାନପ୍ରଦାନ ଓ ବିପର୍ଯ୍ୟୟ ମୁକାବିଲା ପାଇଁ ସମନ୍ୱୟ ରକ୍ଷା କରି କିଭଳି ବିପର୍ଯ୍ୟୟର ପ୍ରଭାବକୁ ହ୍ରାସ କରାଯିବ ସେନେଇ ଏକ ପ୍ରାକ୍ ଅଭ୍ୟାସ ଆଜି ଅନୁଷ୍ଠିତ ହୋଇଥିଲା।

ଆଜିର କାର୍ଯ୍ୟକ୍ରମରେ ଉପସ୍ଥିତ ବିଭିନ୍ନ ବିଭଗର ଅଧିକାରୀମାନେ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ନିଜ ନିଜ ସ୍ତରରେ କଣ ସମ୍ବଳ ରହିଛି ଓ ସମନ୍ୱୟ ରକ୍ଷା କରି କିଭଳି ସହାୟତା କରାଯିବ ସେନେଇ ସୂଚନା ଦେଇଥିଲେ। ଏହି ବୈଠକରେ ଅନ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ସହ ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଉପଜିଲ୍ଲାପାଳ ଆଇ ଶିବାଜୀ ଗୌରବ, ଉପଜିଲ୍ଲାପାଳ ଭୁବନେଶ୍ୱର ଦେବବ୍ରତ ସାହୁ, ଜିଲ୍ଲା ଆପଦକାଳୀନ ଅଧିକାରୀ, ଓଏସ୍ଡିଏମର ଡିଜିଏମ୍ ସୁନିତା ଜେନା, ଓଏସ୍ଡିଏମର ଅଧିକାରୀ ଜେନିଫର କିଶାନ୍ ଏବଂ ଓଏସ୍ଡିଏମର ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର