ପାଇକସାହି: ଅନୁଗୁଳ ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ ଗୁରୁବାର କଦଳୀବେଣୀ ଜଙ୍ଗଲରେ ଅତର୍କିତ ଭାବେ ଚଢ଼ାଉ କରି ୪୫୦ ଗଞ୍ଜେଇ ଗଛ ନଷ୍ଟ କରିଛନ୍ତି। ଏଥି ସହିତ ଟିମ ୧୮ ଲିଟର ଦେଶୀ ମଦ ଜବତ କରି ଘଟଣା ସହିତ ସଂପୃକ୍ତ ୨ ଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପୁରୁଣାକୋଟ ଥାନା ଅନ୍ତର୍ଗତ କଳଦୀବେଣୀ ଗାଁର ସୁଦର୍ଶନ ପ୍ରଧାନ ଓ ଜରପଡ଼ା ଥାନା ଅନ୍ତର୍ଗତ ଅନନ୍ତପୁର ଗାଁର ଭରତ ବେହେରା।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ କଦଳୀବେଣୀ ଜଙ୍ଗଲରେ ବ୍ୟାପକ ଗଞ୍ଜେଇ ଚାଷ କରାଯାଇଥିବା ନେଇ ଅନୁଗୁଳ ଅବକାରୀ ବିଭାଗର ଅଧିକାରୀମାନଙ୍କୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ସେହିପରି ଅବକାରୀ ବିଭାଗ କଳଦୀବେଣୀ ଓ ଅନନ୍ତପୁର ଗାଁରେ ଦେଶୀ ମଦ ବିକ୍ରି ହେଉଥିବା ଜାଣିବାକୁ ପାଇଥିଲା।
ତେବେ ଅତିରିକ୍ତ ଅଧୀକ୍ଷକ କ୍ରିଷ୍ଣା ନାଏକଙ୍କ ନେତୃତ୍ୱରେ ଅବକାରୀ କାର୍ଯ୍ୟାଳୟର ୯ ଜଣିଆ ଟିମ୍ ଆଜି ପୂର୍ବାହ୍ନରେ କଦଳୀବେଣୀ ଜଙ୍ଗଲରେ ପହଞ୍ଚି ଅଢ଼େଇ ଏକର ଜମିରେ କରାଯାଇଥିବା ଗଞ୍ଜେଇ ଚାଷ ନଷ୍ଟ କରିଥିଲେ। ଟିମ୍ ୪୫୦ ଗଞ୍ଜେଇ ଗଛ ନଷ୍ଟ କରିଥିଲା। ନଷ୍ଟ କରାଯାଇଥିବା ଗଞ୍ଜେଇ ଗଛର ମୂଲ୍ୟ ୨ ଲକ୍ଷ ୧୫ ହଜାର ଟଙ୍କା ହେବ ବୋଲି କୁହାଯାଉଛି।
ଅବକାରୀ ବିଭାଗର କର୍ମଚାରୀମାନେ ଗଞ୍ଜେଇ ଗଛ ନଷ୍ଟ କରି ସାରି ଫେରୁଥିବା ବେଳେ କଦଳୀବେଣୀ ଓ ଅନନ୍ତପୁର ଗାଁରେ ବେଆଇନ ଭାବେ ମହୁଲରୁ ପ୍ରସ୍ତୁତ ଦେଶୀ ମଦ ବିକ୍ରି ହେଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଅବକାରୀ ବିଭାଗ ସୁଦର୍ଶନ ପ୍ରଧାନଙ୍କ ଠାରୁ ୧୦ ଲିଟର ଓ ଭରତଙ୍କ ଠାରୁ ୮ ଲିଟର ଦେଶୀ ମଦ ଜବତ କରିଛି। ଚଢ଼ାଉ ସମୟରେ ମୋବାଇଲ ସ୍କ୍ଵାର୍ଡ ଇନ୍ସପେକ୍ଟର ଦିଲୀପ କୁମାର ବେହେରା, କରୁଣାକର ତିରବଣୀ, ଅନନ୍ତ ରାଉତରାୟ ପ୍ରମୁଖ ସାମିଲ ଥିଲେ।