କୁକୁଡା ଚିଆଁ ଉତ୍ପାଦନ କେନ୍ଦ୍ର ଏବେ କୋମାରେ

ଉଦଘାଟନ ହେବା ଠାରୁ କାମରେ ଆସିନାହିଁ, ଲକ୍ଷାଧିକ ଟଙ୍କା ପାଣିରେ ପଡିଲା

ରାୟଗଡା: ସରକାର କା ମାଲ ଦରିଆ ମେ ଡାଲ ସଦୃଶ୍ୟ ଜିଲ୍ଲା ସଦର ମହକୁମାରେ ରହିଥିବା ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟ ତରଫରୁ ନିର୍ମାଣ ହୋଇଥିବା କୁକୁଡ ଚିଆଁ ଉତ୍ପାଦନ କେନ୍ଦ୍ର ଏବେ ଏକ ପ୍ରକାର କୋମରେ ଚାଲି ଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଉଦଘାଟନ ହେବା ପର ଠାରୁ ଏହା କାମରେ ଆସୁନାହିଁ। ଜିଲ୍ଲାପାଳଙ୍କ ସମେତ କିଛି ଉଚ୍ଚ ପଦାଧିକାରୀଙ୍କୁ ନେଇ ଏହି କୁକୁଡା ଚିଆଁ ଉତ୍ପାଦନ କେନ୍ଦ୍ର ଗତ ଛଅ ସାତ ବର୍ଷ ତଳେ ଉଦଘାଟନ ହୋଇଥିଲା।ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ମେସିନ ବସିଲା। ଏଥିପାଇଁ ଜେନେରେଟର ଆସିଲା, ଏସି ଲାଗିଲା। କୁକୁଡା ଚିଆଁ ଉତ୍ପାଦନ କରିବା ପାଇଁ ଦୁଇଟି ମେସିନ ଲାଗିଥିଲା। ଗୋଟିଏ ଗୋଟିଏ ମେସିନର ଦାମ ୫ ଲକ୍ଷରୁ ଉର୍ଦ୍ଧ୍ବ ହେବ।ଗୋଟିଏ ମେସିନରେ ଅଣ୍ଡାକୁ ୧୮ ଦିନ ରଖା ଯାଇଥାଏ। ଆଉ ଏକ ମେସନରେ କୁକୁଡା ଚିଆଁକୁ ୩ ଦିନ ପରେ ଉତ୍ପାଦନ କରା ଯାଇଥାଏ। ତେବେ ଏହି କୁକୁଡା ଚିଆଁ କେନ୍ଦ୍ର ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମା ସହ ଉପଖଣ୍ଡ ଗୁଡିକରେ ନିର୍ମାଣ କରା ଯାଇଥିଲା। ଏହାର ଲକ୍ଷ୍ୟ ଥିଲା ଚାଷୀଙ୍କୁ କମ ଦରରେ କୁକୁଡା ଚିଆଁ ଯୋଗାଇ ଦେବା ସହ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା। ରାୟଗଡା ଜିଲ୍ଲାର ରାୟଗଡା ଏବଂ ଗୁଣପୁର ଠାରେ ଏହି କେନ୍ଦ୍ର ସ୍ଥାପନ କରାଯାଇଥିଲ। ରାୟଗଡା ସହରରେ ରହିଥିବା କୁକୁଡା ଚିଆଁ ଉତ୍ପାଦନ କେନ୍ଦ୍ର ଏବେ ଜଙ୍ଗଲରେ ପରିଣତ ହୋଇଛି।ଏହି କେନ୍ଦ୍ରରେ ଏବେ ସାପ ଘର କରିଛନ୍ତି। ଉଦଘାଟନ ହେବା ପର ଠାରୁ ଏହା କାମରେ ନ ଲାଗିବା, କେଉଁ କାରଣକୁ ଦର୍ଶାଉଛି। ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସରକାର ଏଠାରେ କୁକୁଡା ଚିଆଁ ଉତ୍ପାଦନ କରିବା ନେଇ କେନ୍ଦ୍ର ଖୋଲିଲେ।କିନ୍ତୁ ଏହାକୁ କାମରେ ନଲଗାଇ ତାକୁ ଖତ କରି ଦେଲେ। କେନ୍ଦ୍ରଟି ଚାଲୁ ନଥିବା ଜାଣିବା ପରେ ଦୁର୍ବୃତ୍ତ ମାନେ ଏଠାରେ ଥିବା ଲକ୍ଷାଧିକ ଟଙ୍କାର ଜେନେରେଟରକୁ ଚୋରି କରି ନେଇଗଲେ। ଏନେଇ ବିଭାଗ ଏକ ଚୋରି ଏତଲା ଦେଇ ଚୁପ ବସିଛି। କେନ୍ଦ୍ରଟି ଚାଲିଥିଲେ ଏହି କେନ୍ଦ୍ରରେ ବହୁ ଲୋକ କାମ କରି ପାରିଥାନ୍ତେ। କୋଠା ଘରଟି ଏବେ ଭୁଷୁଡିବାକୁ ବସିଲାଣି।

ଏହି କେନ୍ଦ୍ରରେ କୃତ୍ରିମ ଜଙ୍ଗଲ ସୃଷ୍ଟି ହୋଇ ଥିବାରୁ ଲୋକେ ଏଠାକୁ ଯିବାକୁ ଭୟ କରୁଛନ୍ତି। ସେହିପରି ଗୁଣୁପୁର ଠାରେ ମଧ୍ୟ ରହିଥିବା ଏହି କେନ୍ଦ୍ରଟି କିଛି ଦିନ ଚାଲିଲା ପରେ ବନ୍ଦ ହୋଇ ପଡିଛି। ନା ବିଭାଗ ଏହାର ମରାମତି କରୁଛି ନା ସରକାର ଏନେଇ ବିଭାଗକୁ କେନ୍ଦ୍ର ଚଲାଇବା ନେଇ ନିର୍ଦେଶ ଦେଉଛି। ଦୁଇଟି ଯାକ କେନ୍ଦ୍ର ଏବେ ଅଚଳ ହୋଇ ପଡିଥିବାରୁ ଅସାମାଜିକ ବ୍ୟକ୍ତିଙ୍କ ଅଡ୍ଡାସ୍ଥଳୀ ମଧ୍ୟ ପାଲଟିଛି। ସ୍ଥାନୀୟ ଚାଷୀଙ୍କ କହିବା ଅନୁଯାୟୀ ଏହା ଆରମ୍ଭ ହୋଇଥିଲେ ଆମେ ରୋଜଗାରକ୍ଷମ ହୋଇ ପାରିଥାନ୍ତୁ। ଆରମ୍ଭ ହେବା ଦିନ ଠାରୁ ଏହା ବନ୍ଦ ହୋଇ ପଡିଥିବା ସ୍ଥାନୀୟ ଚାଷୀ ପ୍ରକାଶ କରିଥିଲେ। ତେବେ ଏନେଇ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ପଚାରିବାରୁ ସେ ଏହି କେନ୍ଦ୍ରଟି ବନ୍ଦ ହୋଇ ପଡିଥିବା ସ୍ବୀକାର କରିବା ସହ ଏହାକୁ ପୁନଃ ଚାଲୁ କରିବା ପାଇଁ ଯୋଜନା କରୁଥିବା କହିଥିଲେ। ପିପି ମୋଡରେ ଏହାକୁ ଚାଲୁ କରିବା ପାଇଁ ସେ ବହୁ ଥର ଚେଷ୍ଟା କରିଥିଲେ, କିନ୍ତୁ କେହି ଆବେଦନ ନକରିବାକୁ ଏହା ଏଭଳି ପଡି ରହିଛି। ତେବେ ଏହାକୁ ମିଶନ ଶକ୍ତିର ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ମଧ୍ୟ ପ୍ରଦାନ କରାଯାଇଥିଲେ ସେମାନେ ରୋଜଗାରକ୍ଷମ ହେବା ସହ କେନ୍ଦ୍ରଟି ମଧ୍ୟ ଚାଲୁ ରହିଥାନ୍ତା। ଏବେ କେନ୍ଦ୍ରରେ ରହିଥିବା ମେସିନଗୁଡିକ ଜଙ୍କ ଖାଇଯିବା ସହ ଅକାମୀ ହୋଇ ପଡି ରହିଛି। ଏହାକୁ ମରାମତି କରିବା ପାଇଁ ଆହୁରି ଲକ୍ଷାଧିକ ଟଙ୍କା ଦରକାର। ତେବେ ଇଂଜିନିୟର ଆସି ଏହାକୁ ମରାମତି କରିବା ଅପେକ୍ଷା ପୁନଃ ନୂତନ ମେସିନ ଖରିଦ କରିବାକୁ ପଡିବ ବୋଲି କୁହାଯାଇଛି। ତେବେ ଏହି କେନ୍ଦ୍ରଟିକୁ ତୁରନ୍ତ ଚାଲୁ କରି ସ୍ଥାନୀୟ ଚାଷୀଙ୍କୁ ରୋଜଗାରକ୍ଷମ କରାଯାଉ ବୋଲି ଦାବି ହୋଇଛି।

ସମ୍ବନ୍ଧିତ ଖବର