ଆମର ସବୁ ନେଇଗଲେ ହୋ!

ଚିନ୍ମୟ ଚେତନା - ଚିନ୍ମୟ ହୋତା

ଆମ ଓଡ଼ିଆମାନଙ୍କର ଗୋଟିଏ ପୁରୁଣା କାନ୍ଦଣା- ଅନ୍ୟ ସମସ୍ତେ ଆମର ସବୁ ମାରି ନେଉଛନ୍ତି। ରସଗୋଲାଠାରୁ ଆରମ୍ଭ କରି କବି ଜୟଦେବ ପର୍ଯ୍ୟନ୍ତ ସବୁ କିଛି ଅନ୍ୟମାନେ ହାତେଇ ନେବାର ନାଲିସ ଆମେ ସବୁ ବେଳେ ପ୍ରସ୍ତୁତ କରି ଚାଲିଛୁ। ନିଜର ବୋଲି ଭାବୁଥିବା ସମ୍ପଦଗୁଡ଼ିକର ହାତଛଡ଼ା ହୋଇଯିବାର ଭୟ ଆମକୁ ଏମିତି ଘାରିଛି ଯେ ଆମେ ସେ ଜିନିଷଗୁଡ଼ିକର ‘ଓଡିଆତ୍ୱ’ ସାବ୍ୟସ୍ତ କରିବାର ଯତ୍‌ପରୋନାସ୍ତି ଚେଷ୍ଟା କରୁଛୁ। ଆମ ପଡ଼ୋଶୀ ରାଜ୍ୟ ସରକାରୀ ସ୍ତରରେ ରସଗୋଲା ହାତେଇ ନେବା ପରେ ଏବେ ଛେନାପୋଡ଼ ଉପରେ କାହାର କାଳେ ଆଖି ପଡ଼ିଯିବ, ତେଣୁ ଆମେ ଏହାର ପୁରୁଣା ଯେତେ ସବୁ ସମ୍ଭାବ୍ୟ ଇତିହାସ ଓ ପରମ୍ପରା ଖୋଳତାଡ଼ କରି ସଜେଇ ରଖିଲୁଣି। ଅବଶ୍ୟ ଏହି ‘ଇତିହାସ’ କେତେ ସତ, ଆଉ କେତେ ମନଗଢ଼ା, ତାହା ଆକଳନ କରିବା କଷ୍ଟକର। ସେମିତି ପଖାଳକୁ ମଧ୍ୟ ଆଉ କିଏ ଦାବି କଲା ପୂର୍ବରୁ ଆମେ ୟାର ମାଲିକାନାର ଅକାଟ୍ୟ ପ୍ରମାଣସବୁ ଠୁଳ କଲୁଣି। ୟା’ ପାଇଁ ଦିବସ ଘୋଷଣା ତଥା ରାଜ୍ୟମୁଖ୍ୟଙ୍କର ପଖାଳ ସେବନର ଚିତ୍ର ତୋଳି ଅଭିଲେଖ ପ୍ରସ୍ତୁତ କଲୁଣି।

ଅବଶ୍ୟ ପଖାଳ ପାଇଁ ଆମକୁ ଚିନ୍ତିତ ହେବାର ବିଶେଷ କାରଣ ନାହିଁ, ଯେହେତୁ ଆମର ପୁରୁଣା ଶାସକ ଗୋଷ୍ଠୀର ପ୍ରତିନିଧିମାନେ, ଯଥା ଷୋଡ଼ଶ ଶତାବ୍ଦୀରେ ମୋଗଲ ସମ୍ରାଟ୍‌ ଆକବରଙ୍କ ମନ୍ତ୍ରୀ ଆବୁଲ ଫଜଲ ଓ ଊନବିଂଶ ଶତାବ୍ଦୀରେ ଇଂରେଜ ଅଧିକାରୀ ଆଣ୍ଡ୍ରିଉ ଷ୍ଟର୍ଲିଂ ଉଭୟେ ଉଲ୍ଲେଖ କରିଯାଇଛନ୍ତି ଯେ ପଖାଳ ଓଡ଼ିଆମାନଙ୍କର ପ୍ରିୟ ଖାଦ୍ୟ। ଯଦିଓ ଏ ଦୁହେଁ ଓଡ଼ିଆଙ୍କ ଦୁର୍ବଳତା ଓ ଅପାରଗତା ଦର୍ଶାଇବାର କୌଣସି ସୁଯୋଗ ହାତଛଡ଼ା କରିନାହାନ୍ତି, ତଥାପି ଅଣଓଡ଼ିଆଙ୍କ ମାନପତ୍ରରେ ଆମେ ଅଧିକ ଆସ୍ଥା ରଖୁ ଥିବାରୁ ପଖାଳ ବିଷୟରେ ଆମର ସଂଶୟ ଜାତ ହେବା କଥା ନୁହେଁ।

ଫେରିବା ମୁଖ୍ୟ ପ୍ରସଙ୍ଗକୁ। ଓଡ଼ିଆ ଜାତି ଯଦିଓ ବହୁ କାଳରୁ ଲୁଣ୍ଠନର ଶିକାର ହୋଇଛି ଓ ନିଜର ପ୍ରିୟ ସମ୍ପଦ, ଅଧିକାର ଓ ମର୍ଯ୍ୟାଦା ସବୁ ହରାଇଛି; ହେଲେ ‘ଆମର ସବୁ ନେଇଗଲେ’ ମନୋବୃତ୍ତିଟି କଦାପି ବିଶେଷ ପୁରୁଣା ନୁହେଁ। ଏହାର ଉତ୍‌ଥାନ ବିଗତ ଶତାବ୍ଦୀରେ; ଦେଶ ସ୍ୱାଧୀନତା ପରବର୍ତ୍ତୀ କାଳରେ। ଓଡ଼ିଆ ଜାତି ପୂର୍ବରୁ ବଞ୍ଚିତ ଓ ଲୁଣ୍ଠିତ ହେଉଥିଲେ ହେଁ ସେଥିପାଇଁ ଅଶ୍ରୁପାତ କରି ନିଜର ଜୀବନକୁ ବିଷାଦପୂର୍ଣ୍ଣ କରୁ ନ ଥିଲା। ଓଡ଼ିଆ ପ୍ରାଣର ଆଦ୍ୟ ସ୍ପନ୍ଦନ ଶ୍ରୀଜଗନ୍ନାଥ ଯେ ବାହ୍ୟ ଆକ୍ରମଣକାରୀମାନଙ୍କ ଦ୍ୱାରା କେତେ ନିର୍ଯାତିତ ହୋଇଛନ୍ତି ତା’ର ହିସାବ ନାହିଁ। ତଥାପି ନିର୍ଦ୍ଦୟ ଲୁଣ୍ଠନକାରୀର ଖଣ୍ଡା ଚୋଟ ତଳେ ଥାଇ ମଧ୍ୟ ଓଡ଼ିଆ ‘ନେଇଗଲେ, ନେଇଗଲେ’ ବୋଲି ଚିତ୍କାର ନ କରି ବିଭିନ୍ନ ଉପାୟରେ ତା’ର ଆରାଧ୍ୟ ଦେବତାକୁ ଏହି ତୁହାକୁ ତୁହା ଆକ୍ରମଣରୁ ରକ୍ଷା କରି ପାରିଛି। ଲୁଣ୍ଠନର ବିଭୀଷିକା ଭିତରେ ଜଗନ୍ନାଥ ଧର୍ମର ଅନ୍ତଃସଲୀଳା ଫଲ୍‌ଗୁ ଧାରାଟିକୁ ଅବରୁଦ୍ଧ ହେବାକୁ ଦେଇ ନ ଥିବାରୁ ଆମର ସେହି ‘ଦୁର୍ବଳ’ ଓଡ଼ିଆ ପୂର୍ବଜମାନେ ଚିର ନମସ୍ୟ ହୋଇ ରହିବେ। ଜଗନ୍ନାଥ ମନ୍ଦିର ଓ ଅନ୍ୟାନ୍ୟ ମନ୍ଦିରଗୁଡ଼ିକର ପ୍ରଭୂତ କ୍ଷତି ସାଧିତ ହୋଇଛି, ଶ୍ରୀଜଗନ୍ନାଥ ବର୍ଷ ବର୍ଷ ଧରି ପାତାଳି ହୋଇଛନ୍ତି, ହେଲେ ଜଗନ୍ନାଥ ଧର୍ମର ଭାବନା ଆଜି ଯାଏଁ ଅବିଚ୍ଛିନ୍ନ ଭାବରେ ଝଙ୍କୃତ ହୋଇଚାଲିଛି।

ଦିନେ ଓଡ଼ିଆ ଭାଷା ବି ଭାଷା ଲୁଣ୍ଠନକାରୀଙ୍କ ଦ୍ୱାରା ବିପର୍ଯ୍ୟସ୍ତ ହୋଇଥିଲା ଓ ମୁମୂର୍ଷୁ ଅବସ୍ଥାରେ ପହଞ୍ଚି ଯାଇଥିଲା। ସେତେବେଳେ ମଧ୍ୟ ଚକ୍ରାନ୍ତକାରୀ ଓ ଶାସକଙ୍କ ମିଳିତ ଅଭିସନ୍ଧିକୁ ପ୍ରତିହତ କରି କିଛି ତଥାକଥିତ ‘ଦୁର୍ବଳ’ ଓଡ଼ିଆ ଆମ ଭାଷାଟିର ଅସ୍ତିତ୍ୱ ରକ୍ଷା କରି ପାରିଥିଲେ। ଯେଉଁ ଭାଷା ଦିନେ କୋକେଇରେ ବୁହା ହେବା ଅବସ୍ଥାକୁ ଆସି ଯାଇଥିଲା, ତାହା ପୁଣି ସୁସ୍ଥ ସବଳ ହୋଇ ଓଡ଼ିଶାକୁ ଦେଶର ପ୍ରଥମ ଭାଷାଭିତ୍ତିକ ପ୍ରଦେଶ ହିସାବରେ ଗଢ଼ି ତୋଳିବାରେ ସହାୟକ ହୋଇଥିଲା। ଭାଷା ସଂଗ୍ରାମ ଲଢ଼ୁଥିବା ଓଡ଼ିଆ ଯୋଦ୍ଧାମାନେ ‘ନେଇଗଲେ, ନେଇଗଲେ’ ବୋଲି ରୋଦନ ନ କରି କଣ୍ଟାକୁ କଣ୍ଟାରେ କାଢ଼ିବା ନୀତି ପ୍ରୟୋଗ କରି ଭାଷା ରକ୍ଷା କରିପାରିଥିଲେ। ଉପର ଦୁଇଟି ଦୃଷ୍ଟାନ୍ତ ଦର୍ଶାନ୍ତି ଯେ ନିଜର ସମ୍ବଳ ଓ ସମ୍ମାନ ରକ୍ଷା କରିବା ପାଇଁ ଯେଉଁ ଜିନିଷଟି ପ୍ରଥମେ ଦରକାର, ତାହା ହେଲା ମନୋବଳ; ବାହୁବଳ କଥା ତା’ ପରେ।

ପୃଥିବୀରେ ଏମିତି କୌଣସି ଜାତି ବା ଦେଶ ହୁଏ’ତ ନାହିଁ ଯିଏ କେବେ ନା କେବେ ବାହାର ଶକ୍ତି ଦ୍ୱାରା ନିଜସ୍ୱ କିଛି ନ ହରାଇଛି! ଇହୁଦୀମାନେ ନିଜର ରାଜ୍ୟ ହରାଇ ପୃଥିବୀର ବିଭିନ୍ନ ଦେଶରେ ବିକ୍ଷିପ୍ତ ହୋଇ ପଡ଼ିବା ପରେ ମଧ୍ୟ ଆଜି ମଧ୍ୟ-ପ୍ରାଚ୍ୟ ଭଳି ଏକ ବିପଦପୂର୍ଣ୍ଣ ଅଞ୍ଚଳରେ ନିଜର ଆସ୍ଥାନ ଜମାଇ ପାରିଛନ୍ତି। ଇସ୍ରାଏଲ୍‌ର ଆବିର୍ଭାବ ଓ ଏକ ଉନ୍ନତ ଦେଶ ହିସାବରେ ଏହାର ଉତ୍‌ଥାନ ପଛରେ ରହିଛି ସେହି ମାନସିକ ବଳ।

ସେପରି ଦୃଢ଼ତାର ଅଭାବରୁ ଆଜି ଓଡ଼ିଶାରେ ଖାଲି ରସଗୋଲା ଚାଲିଗଲା, ମହାନଦୀ ପାଣି ଛତିଶଗଡ଼ ରୋକିଦେଲା ଓ ଓଡ଼ିଶାର ବାଲି ବଙ୍ଗଳା ବୋହି ନେଲା, କବି ଜୟଦେବଙ୍କୁ କିଏ ଛଡ଼େଇ ନେଲା, ଓଡ଼ିଆ ଭାଷାକୁ ଅନ୍ୟ ଭାଷା ବିକୃତ କଲା ଇତ୍ୟାଦିର କଳରବ। ଅନ୍ୟମାନେ କ’ଣ ନେଇଗଲେ ତା’ର ତର୍ଜମା କରିବାରେ ଆମେ ଯେତିକି ତତ୍ପର, କ’ଣ କରି ଆମେ ଏ ସବୁକୁ ରୋକି ପାରିବୁ, ତାହା ଚିନ୍ତା କରିବା ନେଇ ଆମେ ସେତିକି ଉଦାସୀନ।

ପ୍ରଥିତଯଶା ଲେଖକ ସୁରେନ୍ଦ୍ର ମହାନ୍ତି ଅନେକ ବର୍ଷ ତଳେ ଓଡ଼ିଆ ବିଚ୍ଛିନ୍ନାଞ୍ଚଳ ଆନ୍ଧ୍ରର ସୋମପେଟା ଠାରେ ସମୁଦ୍ର କୂଳରେ ଆଠ-ଦଶ ବର୍ଷର ଝିଅମାନେ ‘କୁଆଁର ପୁନେଇ ଜହ୍ନ ଲୋ’ ଗାଉଥିବା ଶୁଣି ବିମୋହିତ ଓ ଚକିତ ହୋଇଥିଲେ। ଏ ଅନୁଭବରୁ ସଂସ୍କୃତି ଯେ ଏକ ଚିର ପ୍ରବାହିତ ଧାରା, ଯାହା ମରେ ନାହିଁ ବୋଲି ଲେଖକଙ୍କର ହୃଦ୍‌ବୋଧ ହୋଇଥିବା ବେଳେ ସେଠାକାର ଜଣେ ବୃଦ୍ଧଙ୍କର ପ୍ରଶ୍ନ, ‘ଆମ ପିଠିରେ ଯେତେବେଳେ ବିଧା ପଡୁଛି ଆହା କରିବାକୁ ତମେ କଟକରୁ ଆସିବ ନା?’ ତାଙ୍କ ମନକୁ ଉଦ୍‌ବେଳିତ କରି ପକାଇଥିଲା (‘ଉଦ୍ୟାନଖଣ୍ଡରେ ଗୋଟିଏ ସକାଳ’-‘ଶେଷ ସ୍ତମ୍ଭ’)। ଆଜି ଏତେ ବର୍ଷ ପରେ ହୁଏ’ତ ସେଠିକାର କୁନି ଝିଅମାନେ କୁଆଁର ପୁନେଇ ଗୀତ ଭୁଲି ଯାଇଥିବେ; ହେଲେ ଆମେ ବା ଆମ ସରକାର ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ସଂସ୍କୃତି ସୁରକ୍ଷା ଦିଗରେ କିଛି ଆଖିଦୃଶିଆ ପଦକ୍ଷେପ ନ ନେଇ ‘ନେଇଗଲେ, ନେଇଗଲେ’ର ଚିତ୍କାରରେ ମଗ୍ନ ରହିଛୁ।

ମୋ: ୯୪୩୭୦୮୯୬୫୫

ସମ୍ବନ୍ଧିତ ଖବର