କୋଭିଡ୍‌ ମୃତ୍ୟୁ କେଉଁ ଦେଶରେ କେତେ ଅଧିକ?

ଦର୍ପଣ

ପୃଥିବୀର ବିଭିନ୍ନ ଦେଶ ଦେଇଥିବା କୋଭିଡ୍ ମୃତ୍ୟୁ ସଂଖ୍ୟା ଠାରୁ ଅଢ଼େଇ ଗୁଣ ଅଧିକ ଲୋକ ମହାମାରୀରେ ପ୍ରାଣ ହରାଇଛନ୍ତି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(‘ହୁ’) ପ୍ରକାଶ କରିଛି। ୨୦୨୦ ମସିହା ଜାନୁଆରି ପହିଲାରୁ ୨୦୨୧ ଡିସେମ୍ବର ୩୧ ମଧ୍ୟରେ ପୃଥିବୀରେ ପ୍ରାୟ ଦେଢ଼ କୋଟି ଲୋକ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ମହାମାରୀ ଜନିତ କାରଣରୁ ପ୍ରାଣ ହରାଇଥିବା କଥା ‘ହୁ’ ତଥ୍ୟ ଦର୍ଶାଉଛି। ଏହି ଦୁଇ ବର୍ଷର କାଳଖଣ୍ଡରେ ବିଭିନ୍ନ ଦେଶର ସରକାର ମାତ୍ର ୫୪ ଲକ୍ଷ ମୃତ୍ୟୁ ଘଟିଥିବାର ତଥ୍ୟ ପ୍ରଦାନ କରିଥିଲେ।

‘ହୁ’ର ହିସାବରେ ଏହି ଅଧିକ ମୃତ୍ୟୁ ସଂଖ୍ୟାର ୬୮ ପ୍ରତିଶତ ପାଇଁ ମାତ୍ର ଦଶଟି ଦେଶକୁ ଦାୟୀ କରାଯାଇଛି। ସେଗୁଡ଼ିକ ହେଉଛନ୍ତି ଇଜିପ୍‌ଟ, ତୁର୍କୀ, ଭାରତ, ଯୁକ୍ତରାଷ୍ଟ୍ର ଆମେରିକା, ବ୍ରାଜିଲ, ଇଣ୍ଡୋନେସିଆ, ମେକ୍‌ସିକୋ, ପେରୁ, ରୁଷିଆ ଓ ଦକ୍ଷିଣ ଆଫ୍ରିକା। ଜନସଂଖ୍ୟା ହାର ଦୃଷ୍ଟିରୁ ଦେଖିଲେ ପେରୁ ଆଧିକାରିକ ଭାବେ ଯେତିକି ମୃତ୍ୟୁ ଦର୍ଶାଇଥିଲା, ‘ହୁ’ର ତଥ୍ୟରେ ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ହାରାହାରି ୪୩୭ ଅଧିକ ମୃତ୍ୟୁ ହୋଇଥିବା କଥା କୁହାଯାଇଛି। ସେହିପରି ପ୍ରତି ଏକ ଲକ୍ଷ ଲୋକରେ ରୁଷିଆରେ ୨୬୭, ମେକ୍‌ସିକୋରେ ୨୪୨, ଦକ୍ଷିଣ ଆଫ୍ରିକାରେ ୨୦୦, ଇଣ୍ଡୋନେସିଆରେ ୧୮୭, ଭାରତରେ ୧୭୧, ବ୍ରାଜିଲରେ ୧୬୦, ତୁର୍କୀରେ ୧୫୬, ଯୁକ୍ତରାଷ୍ଟ୍ର ଆମେରିକାରେ ୧୪୦, ଇଜିପ୍ଟରେ ୧୨୨ଟି ଅଧିକ ମୃତ୍ୟୁ ଘଟିଥିଲା ବୋଲି ‘ହୁ’ ପକ୍ଷରୁ ଆକଳନ କରାଯାଇଛି। ସଂଖ୍ୟା ଦୃଷ୍ଟିରୁ ଭାରତରେ ସର୍ବାଧିକ ୪୭ ଲକ୍ଷ ଅତିରିକ୍ତ ମୃତ୍ୟୁ ଘଟିଥିବା କଥା ‘ହୁ’ କହିଛି। ସେହି କ୍ରମରେ ସରକାରମାନଙ୍କ ଦ୍ବାରା ପ୍ରଦତ୍ତ ହିସାବ ଠାରୁ ରୁଷିଆରେ ପ୍ରାୟ ୧୧ ଲକ୍ଷ, ଇଣ୍ଡୋନେସିଆରେ ୧୦ ଲକ୍ଷ, ଯୁକ୍ତରାଷ୍ଟ୍ର ଆମେରିକାରେ ୯ ଲକ୍ଷ, ବ୍ରାଜିଲରେ ୭ ଲକ୍ଷ ଓ ମେକ୍ସିକୋରେ ୬ ଲକ୍ଷ ଅଧିକ ଲୋକ ମରିଛନ୍ତି ବୋଲି ସେଥିରେ କୁହାଯାଇଛି।

ତେବେ, ଇଣ୍ଡୋନେସିଆ, ପାକିସ୍ତାନ, ଭାରତ ଭଳି ଦେଶ ‘ହୁ’ର ମୃତ୍ୟୁ ସଂଖ୍ୟାକୁ ନେଇ ପ୍ରତିବାଦ ଜଣାଇଛନ୍ତି। ବ୍ରିଟେନ୍ ଭଳି ଦେଶ କ୍ଷେତ୍ରରେ ‘ହୁ’ର ବିଶ୍ଳେଷଣ ସରକାରୀ ସଂଖ୍ୟା ସହିତ ମେଳ ଖାଉଥିବା ‘ହୁ’ ଅଧିକାରୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର