ଆମ ଭିତରେ ଏତେ ଦେଶ ଆସିଲା କେମିତି, ବାପୁ!

ଜୟନ୍ତ ମହାପାତ୍ର

ପଚାଶ ବର୍ଷ ତଳର କଥା। ନୂଆ ନୂଆ ଲେଖୁଥିଲି କବିତା। ଆଉ ଲେଖିବାଟା କେମିତି ମତେ ଗୋଟିଏ ନିର୍ଦ୍ଦୟ ନିରବତା ଭିତରେ ପଶିଯିବା ପରି ମନେ ହୁଏ। ସେତିକିବେଳେ ମୁଁ ଗୋଟିଏ ଛୋଟ, ସାଦାସିଧା କବିତା ଲେଖିଥିଲି ଯାହାର ନାଁ ଥିଲା ‘ଗାନ୍ଧୀ’। ଏଇ କବିତାଟି ମୋର ପ୍ରଥମ ଇ˚ରେଜୀ କବିତା ସ˚କଳନରେ ଅନ୍ତର୍ଭୁକ୍ତ ହେଇଥିଲା। କବିତା କ’ଣ, କେମିତି ଲେଖାଯାଏ, ମୋ ପାଇଁ ପୂରାପୂରି ଅଜଣା ଥିଲା; କାରଣ କବିତା ପ୍ରତି ମୋର ଟିକେ ବି ଆଗ୍ରହ ନଥିଲା, ଅଜଣା ରାସ୍ତାଟି ପରି। କେବେ କବିତା ପଢ଼ିବାକୁ ଇଚ୍ଛା କରୁନଥିଲି, ପଦାର୍ଥ ବିଜ୍ଞାନର ଛାତ୍ର ଥିିଲି, ଆଉ ତା’ ସୀମା ଭିତରେ କ’ଣ କବିତା ବଞ୍ଚିପାରେ? ଯାହା କିଛି କବିତା ପଢ଼ିଥିଲି ସ୍କୁଲ୍‌ରେ, କୋଉଠି କେଜାଣି ଭଙ୍ଗା ଶାମୁକା ପରି ବଢ଼ୁଥିବା ବୟସର ବାଲିରେ ପଡ଼ିରହିଲା, ଆଉ ସେଥିରେ ଅତୀତର ଭାବପ୍ରବଣ ସ୍ମୃତି ବି କିଛି ନଥିଲା।
ଗାନ୍ଧୀଜୀଙ୍କ ଉପରେ ମୋ କବିତାଟି ଏଇପରି ଥିଲା:
‘‘ତାଙ୍କ ରକ୍ତର ଶିରାକୁ ଚିରିଲୁ ଆମେ
ରକ୍ତ ବହିଯିବା ପାଇଁ
ତାଙ୍କ ପକ୍ଷରେ ବୋଧେ ଆମେ ସମସ୍ତେ
ଘୃଣା କରୁ ତାଙ୍କୁ ଆମେ
ଏ କଥାଟିକୁ ଜାଣିନୁ ଆମେ।’’

ଏଇ ଧାଡ଼ିଗୁଡ଼ିକ ମୋ ମନରୁ ଆପେ ଆପେ ବାହାରିଗଲା।

ଆଜି, ବୟାନବେ ବର୍ଷରେ ସେଇ ପୁରୁଣା କବିତାକୁ ପୁଣି ପଢ଼ିଲି। ଆଉ ମତେ ଲାଗିଲା ଏଇଟି କବିତା ନୁହଁ, ଜୀବନର ବିଶୃଙ୍ଖଳା ଭିତରେ ଏକ ଅବୁଝା ସ୍ବପ୍ନ। କବିତା କ’ଣ କେବଳ ବାସ୍ତବତା ସାଙ୍ଗେ ଛୋଟ ଛୋଟ ଭୁଲ ବୁଝାମଣାରୁ ଜନ୍ମ ନିଏ? କବିତା ତ ‘‘ବାକ୍‌’’- ଧ୍ବନି, ସ୍ତବ୍‌ଧ ହାତଟିଏ ଯାହା ଲମ୍ବିଥାଏ, ଲମ୍ବିଯାଏ ପୂରା ଏକା। ଏତିକି ମୁଁ ଜାଣେ। ଆଉ କିଛି ଜାଣେନି ମୁଁ।

‘ଗାନ୍ଧୀ’ କବିତାରେ ଯେତେବେଳେ ଲେଖିଲି ଯେ ‘‘ଘୃଣା କରୁ ତାଙ୍କୁ ଆମେ’’, କ’ଣ ନିଜେ ବୁଝିଥିଲି ଯେ ମୁଁ କ’ଣ କହିବାକୁ ଚାହୁଁଥିଲି? କ’ଣ ସତରେ ମୁଁ ଗାନ୍ଧୀଜୀଙ୍କୁ ଘୃଣା କରୁଥିଲି ବୋଲି ସେମିତି ଲେଖିପାରିଲି? ଯେ କୌଣସି ପରିସ୍ଥିତିରେ ଥିଲେ ବି ‘ଘୃଣା’ କରିବାର ପ୍ରଶ୍ନ ଉଠୁନଥିଲା। ତା’ହେଲେ କ’ଣ ପାଇଁ? କ’ଣ ଗୋଟିଏ ପ୍ରକାରର ନ୍ୟାୟସଙ୍ଗତ କ୍ରୋଧ (ଅଯୌକ୍ତିକ?) ଠେଲି ଦେଇଥିଲା ମତେ ସେ ଧାଡ଼ିଟି ଲେଖିବାକୁ? ନା, ଏଇ ଆମରି ଦୁନିଆରେ କୌଣସି ନ୍ୟାୟ ବା ଉପଯୁକ୍ତତା ନଥିଲା ବୋଲି କ’ଣ ମୁଁ ନିଜକୁ ଭର୍ତ୍ସନା କରୁଥିଲି?

ମତେ ଊଣେଇଶ ବର୍ଷ ପୂରିବ ପୂରିବ ହେଉଥିଲା ଯେତେବେଳେ ତାଙ୍କ କଥା ପ୍ରଥମେ ଶୁଣିବାକୁ ପାଇଲି। କଅଁଳ କଥା, ମନ୍ଦାର କଢ଼ରୁ ଧୀରେ ଧୀରେ ଯେମିତି ଫୁଲଟି ଫୁଟେ:

‘ମୈ ଟୋ ଖୁସୁରୁପୁର‌୍‌ ଗୟା ଠା…’, ସାହେବମାନଙ୍କ ଉଚ୍ଚାରଣ।

ତାଙ୍କ ଚାରିପାଖେ ସେଇ ଜଣାଶୁଣା ଆମ ଦେଶର ଗୋଧୂଳି, ସେଇ ସମାନ ଦୁଃଖଭରା, ଛିଣ୍ତା ଛିଣ୍ତା ଆଲୁଅ ଯାହା ତାଙ୍କ ଜୀବନ ନେଲା ଚାରି ମାସ ପରେ। ମୁଁ ପାଟନା ବିଶ୍ବବିଦ୍ୟାଳୟରେ ଷଷ୍ଠ ବାର୍ଷିକ ପଦାର୍ଥ ବିଜ୍ଞାନର ଛାତ୍ର ସେତେବେଳେ। ଗୋଲ୍‌ଘର‌୍‌କୁ ଲାଗିଥିବା ମୈଦାନ୍‌ରେ ଲୋକଙ୍କ ଭିଡ଼, ଖୁସି ଖୁସି ମୁହଁରେ ସମସ୍ତେ, କାରଣ ସେଇ କେତେ ଦିନ ପୂର୍ବରୁ, ଅଗଷ୍ଟ ପନ୍ଦରରେ ଭାରତ ସ୍ବାଧୀନତା ପାଇଥିଲା।

ସୂର୍ଯ୍ୟ ବୁଡ଼ିନଥାଏ। ଗଙ୍ଗା ପାଣିର ହାତେ ଉପରେ ରକ୍ତବିନ୍ଦୁଟି। ମହେନ୍ଦ୍ର ଘାଟରୁ, ଆମ ଛାତ୍ରଙ୍କ ମେସ୍‌ରୁ, ମୁଁ ପୂରା ଚାରି ମାଇଲ୍‌ ଚାଲି ଚାଲି ଆସିଥିଲି ମୈଦାନ୍‌କୁ। ଦୁଇଟି ଋତୁ ଭିତରେ, ସେ ସମୟରେ, ସେ ପବନରେ, ଗୋଟିଏ ଅସ୍ପଷ୍ଟ ରହସ୍ୟ କେମିତି ଖେଳିଯାଉଥିଲା, ଶିଶିର ଆଉ ଶୀତର ମଝିରେ।

ଆଉ ସେତିକି ବେଳେ, ଦୁଇ ଝିଆରୀଙ୍କ କାନ୍ଧରେ ହାତ ରଖି, ଗାନ୍ଧୀଜୀ ଧୀର ଚାଲିରେ ଆସିଲେ ତିଆରି ହେଇଥିବା ଷ୍ଟେଜ୍‌ ପାଖକୁ। ପତଳା ଦେହ ମୋର ଥିବା ହେତୁ ଲୋକଙ୍କୁ ଆଡ଼େଇ ଦେଇ ଆଗକୁ ଆଗକୁ ଯାଇ ପାରିଲି, ଷ୍ଟେଜ୍‌ର ପାଖାପାଖି।

ଗାନ୍ଧୀଜୀ: ମହାତ୍ମା, ରକ୍ତ ମା˚ସର ଦେହରେ। ପିଲା ଦିନରୁ ଯୋଉ ଅସାଧାରଣ ମଣିଷଙ୍କୁ ମୁଁ ଶ୍ରଦ୍ଧା ଆଉ ସମ୍ମାନ କରି ଆସୁଥିଲି, ବାପା ମାଆଙ୍କ ଠାରୁ ବେଶି ବୋଧହୁଏ; ସେଇ ମୁହୂର୍ତ୍ତରେ ମୋର ସାମନାରେ, ପୂରାପୂରି ପାଖରେ! ମନେ ପଡ଼ିଲା ମୋର ସେ ଯେବେ ପ୍ରଥମେ ଓଡ଼ିଶା ଆସିଥିଲେ: ମାର୍ଚ୍ଚ ୨୩, ୧୯୨୧। ଜନ୍ମ ହେଇନଥିଲା ମୋର।

କିନ୍ତୁ ସେ ବର୍ଷ ତ ଥିଲା ସ୍ବାଧୀନତାର ବର୍ଷ। କେତେ ଐତିହାସିକ, ମୋ ପାଇଁ। କେତେ ଭାଗ୍ୟବାନ ଥିଲି ମୁଁ, କହି ହେଉଥିଲି ନିଜକୁ, ଯେ ୧୯୪୭ରେ ବଞ୍ଚି ରହି ଦେଖିଲି ମୋ ଭାରତବର୍ଷକୁ ନାରଙ୍ଗୀ, ଧଳା ଓ ସବୁଜ ରଙ୍ଗର ରିବନ୍‌ରେ ଗୁଡ଼ା ହେଇ ପବନରେ ଉଡ଼ିବାର। ଗର୍ବ କେଜାଣି କୋଉଠୁ ଆସି ଖେଳିଯାଉଥିଲା ମୋ ମୁହଁରେ: କେତେ ଗର୍ବିତ ଥିଲି ନୂଆ ଇଣ୍ତିଆର ଜଣେ ନାଗରିକ ଥିଲି ବୋଲି!

ମୋ ପାଖ ଦେଇ ଚାଲି ଚାଲି ଗଲେ ଗାନ୍ଧୀଜୀ। ଦେହ ତାଙ୍କର ସାମନାକୁ ଟିକେ ଝୁଙ୍କି ପଡ଼ିଥିଲା। ଦେହରେ ସବୁଦିନ ପରି ଧୋତି ଚଦର। କିନ୍ତୁ ଚାଲି ତାଙ୍କର ସ˚ଜତ, କ୍ଳାନ୍ତ ପରି ମନେ ହେଉଥିଲା। ଏତେ ପାଖରେ ମୁଁ ଥିଲି ଯେ ହାତ ବଢ଼େଇ ଛୁଇଁପାରିଥାନ୍ତି ତାଙ୍କୁ ସେ ମୁହୂର୍ତ୍ତରେ। ପାଟନା ସହରକୁ ସେ ଏଇ ତିନି ଚାରି ଦିନ ହେବ ଆସିଥାନ୍ତି, ବିହାରର ଦଙ୍ଗାପୀଡ଼ିତ ଅଞ୍ଚଳରେ ଶାନ୍ତି ପ୍ରଚାର କରିବା ପରେ ପରେ। ଏହା ପୂର୍ବରୁ ସେ ପୂର୍ବ ବେଙ୍ଗଲ୍‌ରେ, ନୂଆଖାଲିରେ, ଅନେକ ଦିନ ଧରି କାର୍ଯ୍ୟବ୍ୟସ୍ତ ପଦଯାତ୍ରା ଶେଷ କରିଥାନ୍ତି। ଏତେ କଠିନ ପରିଶ୍ରମ ପରେ ତାଙ୍କ ଦେହ ଓ ମନର କେତେ କ୍ଷତି ହେଇଥିବ, ଭାବି ହେଉନଥିଲା। ତେବେ ସୁଦ୍ଧା ସେ ପାଟନାରେ ପହଞ୍ଚି ପ୍ରାର୍ଥନା ସଭା ଆରମ୍ଭ କଲେ। ତାଙ୍କ ଶିରାମୟ ମୁହଁରେ ନିଃସନ୍ଦେହ କ୍ଳାନ୍ତି ଫୁଟିଉଠୁଥିଲା।

ଗଙ୍ଗା ପରି, ଯାହାର କୂଳରେ ମୋର ପାଟନା-ଦିନଗୁଡ଼ିକ ଗୋଟିଏ ଗୋଟିଏ ହେଇ ଯାଉଥିଲା, ଯୋଉ ଗଙ୍ଗା ମୋ ଚଞ୍ଚଳ ମନରେ ସ୍ଥିରତା ଆଣିପାରିଥିଲା- ସେଇ ସ୍ଥିରତାକୁ ଗାନ୍ଧୀଜୀ ଅନେକ, ବିଭିନ୍ନ ମାର୍ଗରେ ଏଇ ମୋର ଅର୍ଥହୀନ ଜୀବନକୁ ସ୍ବପ୍ନ ଦେଖିବାର ସୁଯୋଗ ଦେଇପାରିଲେ। ଉପରକୁ ଅନେଇଲି ମୁଁ। ଆକାଶ ସ୍ବଚ୍ଛ ଥିଲା। ମେଘମୁକ୍ତ। ତୃପ୍ତ। ସନ୍ଧ୍ୟା ତାରାର ଆଭାସ ମୋ ଆଖିରେ। ଆଉ ଗାନ୍ଧୀଜୀଙ୍କର ଆଖିରେ କରୁଣାର ସ୍ବୀକାର। ନିରବତା ପରି କିଛି ତାଙ୍କ ଆଖିରୁ ବାହାରି ଆସି ଭାସିଗଲା ପବନରେ। ସେ ନିରବତା ବୋଧେ ଶୁଣିପାରିଲି ମୁଁ, ସ୍ବପ୍ନ ପାଲଟିଗଲି, ଲାଗିଲା ମତେ ଯେମିତି କିଏ ଟାଣି ନେଉଚି ଅଜଣା ପଥମାନଙ୍କରେ ଯେତେ ପର୍ଯ୍ୟନ୍ତ ଏଇ କୋମଳ ବୁଢ଼ାଟି ହେଇଯାଇ ନାଇଁ କି˚ବଦନ୍ତି, ଆଉ ପର ପିଢ଼ି ପାଇଁ ଗୋଟିଏ ସ୍ମରଣୀୟ ମିଥ୍‌।

ମୋ ଅର୍ଥହୀନ ଜୀବନରେ ସେମିତି ଗାନ୍ଧୀଜୀଙ୍କ ପ୍ରାର୍ଥନା ସଭାକୁ ଯିବାକୁ ବୋଧେ ଚାରି ଥର ସୁଯୋଗ ପାଇଥିଲି, ଯୋଉଠି ଗାନ୍ଧୀଙ୍କୁ ଦେଖିଲି, ଶୁଣିପାରିଲି। ହେଲେ ପରୀକ୍ଷା ପାଖେଇ ଆସୁଥିଲା, ଆଉ ପଢ଼ାପଢ଼ିରେ ବହୁତ ହେଳା କରିଥିଲି। ପ୍ରାୟ ଚାରି ମାସ ପରେ, ଜାନୁଆରି ୩୦ର ସନ୍ଧ୍ୟାରେ, ନୂଆବର୍ଷର ଆରମ୍ଭରେ, ଦିଲ୍ଲୀରେ ଏମିତି ଗୋଟିଏ ପ୍ରାର୍ଥନା ସଭାରେ, ଗାନ୍ଧୀଙ୍କୁ ଗୁଳି କରି ହତ୍ୟା କରାଗଲା।

ପାଟନା ବିଶ୍ବବିଦ୍ୟାଳୟର ସିନେଟ୍‌ ହାଉସ୍‌ ସାମନା ରାସ୍ତାରେ ସେ ଦିନ ଅପରାହ୍‌ଣରେ ବୁଲୁଥିଲି, ରହି ରହି, ଫୁଟପାଥ୍‌ରେ ଖୋଲାରେ ପଡ଼ିଥିବା ବହି ଦେଖି। ଆଉ ସେତିକିବେଳେ, ଟିକେ ଦୂରରେ, ଗହଳିରେ, କିଛି ଲୋକ ଉତ୍ତେଜିତ ଭାବରେ କଥା କହି ଚାଲିଥିଲେ। ଆଗ୍ରହ ହେଲା ଜାଣିବାକୁ। ପାଖକୁ ଯାଇ ଖଣ୍ତ ଖଣ୍ତ କଥା ଶୁଣିଲି: ‘‘ଏଇ ଅଧଘଣ୍ଟା ହେବ ପ୍ରାର୍ଥନା ସଭାରେ,’’ …. ‘‘ଗୁଳି କରି,’’ ….‘‘କ’ଣ ମୁସଲମାନ୍‌ ଲୋକଟି ମାରିଲା ଗାନ୍ଧୀଙ୍କୁ?’’

ସମୟ, କି ଯାହା କିଛି, ମତେ ଟାଣି ନେଉଥିଲା ଆଗକୁ ଆଗକୁ, ବା କୋଉଠିକୁ କେଜାଣି, ବା କୋଉଠିକି ବି ନୁହଁ, ହଠାତ୍‌ ନ ଥିଲା ପରି ମନେ ହେଲା, ବେଲୁନ ଗୋଟିଏରୁ ପବନ ଚାଲିଗଲା ପରି। ଏକ ପ୍ରକାରର ଅବିଶ୍ବାସ ମୋ ମୁହଁରେ ଅସଭ୍ୟ ମୁଖାଟିଏ ପାଲଟି ରହିଗଲା।

ଶୁଣିଥିଲି, ଯୋଉ କଥାକୁ ଭୟ କରିବ, ପାଇବ। କ’ଣ ସତରେ? ଅସ୍ଥିରତା ଭିତରେ ମେସ୍‌କୁ ଫେରି ଦେଖିଲି, ସବୁ ବନ୍ଦ। ରୋଷେଇ ଘର ବନ୍ଦ। ମହେନ୍ଦ୍ର ଘାଟର ଦୁଆର ସବୁ ବନ୍ଦ। ଚାରିଆଡ଼େ ଅନ୍ଧାର, କିନ୍ତୁ ସବୁଦିନିଆ ଜଣାଶୁଣା ଅନ୍ଧାର ନ ଥିଲା। ଯେ ଯାହାର ରୁମ୍‌ରେ, ମେସ୍‌ରେ। ସେ ସନ୍ଧ୍ୟାଟି କେମିତି ନିଜ ସାଙ୍ଗେ ଫୁସୁରୁ ଫୁସୁରୁ ହେଉଥିଲା ପରି ଲାଗିଲା। ମୋ ଛୋଟ ରୁମ୍‌ରେ ପହଞ୍ଚି, ଲଣ୍ଠନ ଲଗେଇ, ବସିପଡ଼ିଲି। ଭାବିବା ଶକ୍ତି ନଥିଲା ମୋର। ଏ ଦୁଃଖଦ ଘଟଣାର ଉତ୍ତର କିଛି ବି ଖୋଜୁନଥିଲି।

ସେଦିନ ସକାଳେ, କ୍ଲାସ୍‌ ଯିବା ପୂର୍ବରୁ, ଶେଷ ମିଲ୍‌ ଖାଇଥିଲି ମେସ୍‌ରେ। ସନ୍ଧ୍ୟା ସାତଟା ବାଜିଯାଇଥିଲା। ଚିନ୍ତା ପଶିଗଲା ମୋ ମନରେ ଯେ ଆହୁରି ବାର ତେର ଘଣ୍ଟା ଅପେକ୍ଷା କରିବାକୁ ହେବ ମତେ ପାଖ ଲ’ କଲେଜ କ୍ୟାଣ୍ଟିନ୍‌ ଖୋଲିଲା ବେଳକୁ, ସକାଳ ଆଠଟାରେ।

ପାଟନା ସହର ଖାଁ ଖାଁ, ମୋ ପେଟ ଖାଁ ଖାଁ। ରୁମ୍‌ରେ, ଖାଲି ପାଣି, ସୁରେଇରେ।

ଭୋକରେ ରାତିଟି କଟିଗଲା। ରେଡ଼ିଓ ବି ନଥିଲା ମେସ୍‌ରେ କାହାର, ଖବର ଟିକେ ଜାଣିବାକୁ। ମୋର ଅନୁଭବ କରିବାର ଶକ୍ତି ଯେମିତି ସବୁ ଗଡ଼ିଗଲା ପରି ଲାଗିଲା।

ଗାନ୍ଧୀଜୀଙ୍କ ଆଦର୍ଶକୁ ମୋ ଅସ୍ଥିର ଜୀବନରୁ ଦେଖିବା କଷ୍ଟକର ହେଉଥିଲା। ପଦାର୍ଥ ବିଜ୍ଞାନରୁ କେତେ ଭିନ୍ନ ଥିଲା ତାଙ୍କ ଜୀବନର ନିୟମ! ଯଦିବା ସେବେ ମୁଁ ‘‘ଚରଖା’’ ବା ‘‘ସର୍ବୋଦୟ’’ର ଗଭୀରତମ ଅର୍ଥ ବୁଝିନଥିଲି, ଗାନ୍ଧୀଙ୍କୁ ଦେଖିବା ଦିନରୁ ଆଉ ଗୋଟିଏ ଦୁନିଆ ଦେଖିପାରିଲି, ଯୋଉ ଦୁନିଆରେ ଅନ୍ୟ କଥା ଭର୍ତ୍ତି ଥିଲା, ଯୋଉ ଦୁନିଆକୁ ମୋ ଆଖିରେ ନୁହେଁ, ମୋ ଚିନ୍ତାରେ ଦେଖିବା ସକ୍ଷମ ହେଲା।

କେବେ କେବେ। ଏକା ଏକା ମୋର ନିରବ କୋଠରିରେ, ଯେବେ ମୋ ନିଜର ଅର୍ଥହୀନ କବିତା ମୋ ଇଚ୍ଛା ବିରୁଦ୍ଧରେ ମତେ ଠେଲିଦିଏ ନିଃସଙ୍ଗତାର ଲମ୍ବିଥିବା ଦୂରତାକୁ, ତାଙ୍କରି କଥା ମୋ ମନ ଭିତରକୁ ଆଣେ ମୁଁ: ତାଙ୍କର ଅପୂର୍ବ ସାହସିକତା, ଆଉ ଅତୁଳନୀୟ ବିଶ୍ବାସ ତାଙ୍କ ଆଦର୍ଶରେ ଯାହା ନେଇଯାଇପାରିଥିଲା ତାଙ୍କୁ ଲଣ୍ତନ୍‌ର ବିଖ୍ୟାତ ଡାଉନି˚ ଷ୍ଟ୍ରିଟ୍‌ର ଦଶ ନମ୍ବର ଘରକୁ, କେବଳ ଛୋଟ ଧୋତି ଆଉ ଚଦର ଖଣ୍ତେରେ।

ତାଙ୍କୁ ପ୍ରଶ˚ସା କରିବା ମୋର ଇଚ୍ଛା ନୁହଁ। ତେବେ, ତାଙ୍କ ନିଃସ୍ବାର୍ଥପରତା ଅତୁଳନୀୟ। ଯଦି କହିବି ତାଙ୍କ ଆଦର୍ଶର ପ୍ରଭାବ ମୋ କବିତା ସବୁ ପଛରେ, ଭୁଲ୍‌ ହେବ ନାଇଁ। ଏଇ କିଛିଦିନ ତଳେ, ଗୋଟିଏ ବିଷାଦମୟ ମୁହୂର୍ତ୍ତରେ, ଆମ ଦେଶର ସ୍ବାଧୀନତା ଉପରେ କବିତା ଲେଖିଲାବେଳେ, ତାଙ୍କର ଉପସ୍ଥିତି ଅନୁଭବ କଲି ମୋ ଭିତରେ, ପ୍ରାର୍ଥନାର ଏକ ଆବୃତ୍ତି ପରି। ଆଉ ସେ କବିତାରେ, ଖୋଲାଖୋଲି କହିଲି ତାଙ୍କୁ:
‘‘ଦେଶ, ଏଇ ଆମର ଦେଶ
ଆମ ଭିତରେ ଏତେ ଦେଶ ଆସିଲା କେମିତି, ବାପୁ!’’
ଯେତେ ଉପରକୁ ଯାଇଚନ୍ତି ସେ,
ଆମେ ଯୋଉମାନେ ଉଡ଼ି ପାରୁନୁ, କେତେ ସାନ ଆମେ ଦିିଶୁଥାଉ ତାଙ୍କୁ?
(ଏକ ଦୀର୍ଘ ରଚନାର ସଂପାଦିତ ଅଂଶ)

ତିନିକୋଣିଆ ବଗିଚା, କଟକ

ସମ୍ବନ୍ଧିତ ଖବର