ବିକଳ୍ପ ବିଶ୍ବ: ଚିକିତ୍ସକଙ୍କ ପାଇଁ ‘ଚରକ ଶପଥ’

ଭଗବାନପ୍ରକାଶ

ପୃଥିବୀର ବିଭିନ୍ନ ଦେଶରେ ମେଡିକାଲ କଲେଜମାନଙ୍କରେ ଅଧୢୟନରତ ଛାତ୍ରଛାତ୍ରୀମାନେ ପାଠପଢ଼ା ସାରି ଚିକିତ୍ସକ ହେବା ପୂର୍ବରୁ ଏକ ଶପଥ ନେଇଥା’ନ୍ତି। ଏଥିପାଇଁ ଆୟୋଜିତ ଉତ୍ସବକୁ କୁହାଯାଏ ‘ହ୍ବାଇଟ୍‌ କୋଟ୍‌ ସେରିମନି’। ଏହି ସମାରୋହରେ ଭାବୀ ଚିକିତ୍ସକମାନେ ପ୍ରଥମ କରି ଧଳା ରଙ୍ଗର କୋଟ୍‌ ପିନ୍ଧନ୍ତି। ତା’ପରେ ଏହାକୁ କେବଳ ଚିକିତ୍ସା ସମୟରେ ପିନ୍ଧାଯାଏ। ସହକାରୀ ଓ ନର୍ସ ବା ପରିଚାରିକାମାନେ ବି ଧଳା ୟୁନିଫର୍ମ ପିନ୍ଧିଥା’ନ୍ତି। ଶୁଭ୍ର ରଙ୍ଗ ସ୍ବଚ୍ଛତା, ପବିତ୍ରତା, ଶାନ୍ତି ଓ କରୁଣାର ପ୍ରତୀକ ବୋଲି ବିଚାର କରାଯାଏ। ଏବେ ଡାକ୍ତରମାନଙ୍କ ପାଇଁ ଏହା ଏକ ପୋଷାକ ପରିଚୟ। ଯେମିତି ଓକିଲମାନଙ୍କ ପାଇଁ କଳା କୋଟ୍‌। ଧଳା କୋଟ୍‌ ରୋଗୀଙ୍କ ମନରେ ଡାକ୍ତରଙ୍କ ପ୍ରତି ଆସ୍ଥା, ବିଶ୍ବାସ ଓ ସମ୍ମାନ ସୃଷ୍ଟି କରିଥାଏ। ରୋଗୀ ଜାଣିପାରେ ତା’ ଚିକିତ୍ସା ଦାୟିତ୍ବ ଜଣେ ପ୍ରକୃତ ଯୋଗ୍ୟ ଚିକିତ୍ସକ ନେଉଛନ୍ତି। ଶତାଧିକ ବର୍ଷ ପୁରୁଣା ଧଳା କୋଟ୍‌ ଉତ୍ସବରେ ଭାବୀ ଚିକିତ୍ସକମାନେ ଏକ ଶପଥ ବା ‘ଓଥ୍‌’ ନେଇଥା’ନ୍ତି। ଏହି ଶପଥ ପାଠକୁ କୁହାଯାଏ ‘ହିପୋକ୍ରେଟିକ୍‌ ଓଥ୍‌’। ହିପୋକ୍ରେଟିସ୍‌ଙ୍କୁ ଆଧୁନିକ ପାଶ୍ଚାତ୍ୟ ଚିକିତ୍ସା ପଦ୍ଧତିର ପିତାମହ ବୋଲି କୁହାଯାଏ। ଏହି ପଦ୍ଧତି ‘ଜୀବାଣୁ ବାଦ’ ଉପରେ ପ୍ରତିଷ୍ଠିତ। ପରେ ଏହାକୁ କୁହାଗଲା ଏଲୋପାଥି। ଗ୍ରୀକ୍‌ ଭାଷାରେ ଏଲୋ ଅର୍ଥ ଅଲଗା ବା ‘ଡିଫରେଣ୍ଟ୍‌’। ଖ୍ରୀଷ୍ଟପୂର୍ବ ୪୬୦ ମସିହାରେ ଗ୍ରୀସ୍‌ ଦେଶରେ ଜନ୍ମିତ ହିପୋକ୍ରେଟିସ୍‌ ପ୍ରାଚୀନ ଗ୍ରୀକ୍‌ ମେଡିସିନ୍‌ର ପ୍ରାଣ ପ୍ରତିଷ୍ଠାତା। ସେ ଚିକିତ୍ସା ବିଜ୍ଞାନର ପ୍ରଥମ ବ୍ୟକ୍ତି ଯିଏ କହୁଥିଲେ ଯେ ବିଭିନ୍ନ ପ୍ରାକୃତିକ କାରଣରୁ ଶରୀର ରୋଗଗ୍ରସ୍ତ ହୋଇଥାଏ, ଈଶ୍ବରଙ୍କ ଅଭିଶାପରୁ ନୁହେଁ। ସେ ବିଶ୍ବାସ କରୁଥିଲେ ଯେ ରୋଗର ଉପଚାର ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କର ଶରୀରରେ ଅନ୍ତର୍ନିହିତ ଶକ୍ତି ରହିଚି। ଏହାର ବହୁ ଆଗରୁ ପ୍ରାଚୀନ ଭାରତର ଆୟୁର୍ବିଜ୍ଞାନୀମାନେ କହୁଥିଲେ ଯେ ପ୍ରକୃତି, ପରିବେଶ, ପଥ୍ୟ ଓ ପ˚ଚ ମହାଭୂତ ସହାୟତାରେ ମଣିଷର ଶରୀର ଓ ମନର ସଫଳ ଚିକିତ୍ସା କରାଯାଇପାରିବ। ମହର୍ଷି ଚରକ କହୁଥିଲେ ଖାଦ୍ୟ ହିଁ ଔଷଧ ଏବ˚ ଔଷଧ ହିଁ ଖାଦ୍ୟ। ପ୍ରାକୃତିକ ଉପାୟରେ ସୁସ୍ଥ ଓ ଦୀର୍ଘ ଜୀବନ ପାଇଁ ସେ ଆହାରକୁ ତିନି ଭାଗରେ ବିଭକ୍ତ କରିଛନ୍ତି। ଯଥା- ହିତ ଭୁକ୍‌, ମିତ ଭୁକ୍‌ ଓ ରିତ ଭୁକ୍‌। ଅର୍ଥାତ୍‌ ଶରୀର ପାଇଁ ହିତକର ଖାଦ୍ୟ ଖାଇବ, ଅଳ୍ପ ପରିମାଣ (ମିତାହାର) ଖାଇବ, ରିତଭୁକ୍‌ ଅର୍ଥାତ୍‌ ଶରୀର ଶ୍ରମ ଓ ନ୍ୟାୟୋଚିତ ପନ୍ଥାରେ ଅର୍ଜିତ ଅର୍ଥ ଦ୍ବାରା ଖାଦ୍ୟ ସ˚ଗ୍ରହ କରିବ। ସେମିତି ଚରକ ତିନି ପ୍ରକାର ସ୍ନାନର ଆବଶ୍ୟକତା ବିଷୟରେ କହିଛନ୍ତି: ଜଳ ସ୍ନାନ, ବାୟୁ ସ୍ନାନ ଓ ସୂର୍ଯ୍ୟ ସ୍ନାନ।

ଏହି ପରିପ୍ରେକ୍ଷୀରେ ଏବେ ରାଷ୍ଟ୍ରୀୟ ଆୟୁର୍ବିଜ୍ଞାନ ଆୟୋଗ ଏକ ନୂଆ ନିଷ୍ପତ୍ତି ନେଇଛନ୍ତି ବୋଲି ଖବର ପ୍ରକାଶିତ ହୋଇଛି। ତା’ ଅନୁସାରେ ଏଣିକି ହିପୋକ୍ରେଟିକ୍‌ ଓଥ୍‌କୁ ‘ଚରକ ଶପଥ’ ବୋଲି କୁହାଯିବ। କେତେକ ଦେଶରେ ଦୀକ୍ଷାନ୍ତ ସମାରୋହରେ ଧଳା କୋଟ୍‌ ପିନ୍ଧି ଭାବୀ ଚିକିତ୍ସକମାନେ ଯେଉଁ ଶପଥ ନିଅନ୍ତି, ତାହା ଲାଟିନ୍‌ ଭାଷାରେ ଲିଖିତ, ଯାହାର ସାରା˚ଶ ହେଲା ‘ଈଶ୍ବରଙ୍କ ନାମରେ ଶପଥ କରି କହୁଚି ଏପରି କୌଣସି କାର୍ଯ୍ୟ କରିବି ନାହିଁ, ଯାହା ଦ୍ବାରା ରୋଗୀଙ୍କର ଅନିଷ୍ଟ ହେବ। ରୋଗୀଙ୍କର ଇଚ୍ଛା ଓ ଅଧିକାରକୁ ସମ୍ମାନ ଦେବି। ତାଙ୍କ ସ˚ପର୍କିତ ଗୋପନୀୟ ତଥ୍ୟ ପ୍ରକାଶ କରିବି ନାହିଁ। ମେଡିକାଲ ଚିକିତ୍ସା ପ୍ରଫେସନାଲ୍‌ ଭାବରେ ସବୁ ନୈତିକ ଦିଗକୁ ଧୢାନରେ ରଖିବି। ଉଚ୍ଚମାନର ସ୍ବାସ୍ଥ୍ୟ ସେବା ପାଇଁ ନିଜକୁ ସଦା ସର୍ବଦା ସୁସ୍ଥ ରଖିବି। ଜାତି, ଧର୍ମ, ଲିଙ୍ଗ, ବର୍ଣ୍ଣ, ବୟସ ନିର୍ବିଶେଷରେ ନିରପେକ୍ଷ ସେବା ଯୋଗାଇ ଦେବି। ରୋଗୀଙ୍କର ସ୍ବାସ୍ଥ୍ୟ ସେବା ଓ ସୁରକ୍ଷା ମୋର ପ୍ରଥମ ଓ ଶେଷ ପ୍ରାଥମିକତା ରହିବ’ ଇତ୍ୟାଦି। ୨୦୧୭ ବିଶ୍ବ ମେଡିକାଲ ସ˚ଘ ସମ୍ମିଳନୀରେ ଏହି ଶପଥକୁ ପୁନର୍ବାର ସ˚ଶୋଧନ କରାଯାଇଛି। ସେମିତି ମହର୍ଷି ଚରକ ମଧୢ ସ୍ବରଚିତ ଆୟୁର୍ବିଜ୍ଞାନ ଗ୍ରନ୍ଥମାନଙ୍କରେ ଚିକିତ୍ସକଙ୍କ ନୈତିକତା, ଆଚାର, ବ୍ୟବହାର ସ˚ପର୍କରେ ମତାମତ ରଖିଛନ୍ତି। ଚରକ (ଖ୍ରୀଷ୍ଟପୂର୍ବ ୩୦୦) ଭାବୀ ଚିକିତ୍ସକମାନଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ ସେମାନେ କାୟ ମନୋବାକ୍ୟରେ ରୋଗୀଙ୍କ ସ୍ବାସ୍ଥ୍ୟ ରକ୍ଷା ପାଇଁ କାମ କରିବେ। ସେମାନେ ଠକିବେ ନାହିଁ, ଶୋଷଣ କରିବେ ନାହିଁ। ସ୍ବୟ˚ ମଦ୍ୟ ପାନ କରିବେ ନାହିଁ। କୁସଙ୍ଗରେ ପଡ଼ି ଅନୁଚିତ କାମ କରିବେ ନାହିଁ। ମଧୁର ଓ ଭଦ୍ର ଭାଷାରେ କଥା ହେବେ। ନିଜ ଜ୍ଞାନକୁ ଯୁଗୋପଯୋଗୀ କରିବା ପାଇଁ ସର୍ବଦା ଅଧୢୟନ ଓ ଉଦ୍ୟମ କରିବେ। ଯେତେବେଳେ ରୋଗୀଙ୍କ ଘରକୁ ଯିବେ ସେତେବେଳେ ତାଙ୍କର ପୂରା ଧୢାନ ରୋଗୀଙ୍କ ଉପରେ ରହିବ। ଘରେ ଚର୍ଚ୍ଚିତ ବିଷୟ କାହା ଆଗରେ ପ୍ରକାଶ କରିବେ ନାହିଁ। କାରଣ ଏହା ଦ୍ବାରା ରୋଗୀଙ୍କର ଅନିଷ୍ଟ ଘଟିପାରେ। ନିଜ ପେସାରେ ଥିବା ଅନ୍ୟ ଚିକିତ୍ସକଙ୍କୁ ସମ୍ମାନ କରିବେ। ମାରାତ୍ମକ ଔଷଧ ପ୍ରୟୋଗ କରିବେ ନାହିଁ ବା ତାକୁ ଲେଖିବେ ନାହିଁ ଇତ୍ୟାଦି।

ଚରକ ଏହି ଶପଥକୁ ନିଜ ଉପରେ ପ୍ରୟୋଗ କରି କହିଛନ୍ତି:
‘ନତ୍ବହମ୍‌ କାମୟେ ରାଜ୍ୟମ୍‌, ନ ସ୍ବର୍ଗମ୍‌ ନାପୁନର୍ଭବମ୍‌- କାମୟେ ଦୁଃଖ ତପ୍ତାନାମ୍‌ ପ୍ରାଣୀନାମ୍‌ ଆର୍ତ୍ତିନାଶନମ୍‌।’ ଅର୍ଥାତ୍‌, ମୁଁ ରାଜପଦ ଚାହେ ନାହିଁ। ମୁଁ ସ୍ବର୍ଗ ପ୍ରାପ୍ତିି ଓ ମୁକ୍ତି ଚାହେ ନାହିଁ। ଦୁଃଖ, କଷ୍ଟରେ ଘାଣ୍ଟି ହେଉଥିବା ରୋଗୀମାନଙ୍କର ଯନ୍ତ୍ରଣା ଲାଘବ କରିବା ମୋ ଜୀବନର ଏକମାତ୍ର ଇଚ୍ଛା ଓ ଲକ୍ଷ୍ୟ। ଚରକ ସ˚ହିତାରେ ମହର୍ଷି ପୁଣି ଈଶ୍ବରଙ୍କୁ ପ୍ରାର୍ଥନା କରି କହୁଛନ୍ତି: ହେ ପ୍ରଭୁ, ପ୍ରାତଃ କାଳରେ ଶଯ୍ୟା ତ୍ୟାଗ ପର ଠାରୁ ରାତ୍ରି ଶଯ୍ୟା ଗ୍ରହଣ ପର୍ଯ୍ୟନ୍ତ ପ୍ରାଣୀଙ୍କ ଦୁଃଖ କଷ୍ଟ ନିବାରଣ କାର୍ଯ୍ୟରେ ମୋ ଜୀବନ କଟିଯାଉ। ଆଉ ପାଦେ ଆଗେଇ ଯାଇ ଓଡ଼ିଆ କବି ଭୀମଭୋଇ ଲେଖିଲେ- ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ୍‌ ଉଦ୍ଧାର ହେଉ।’ ରାମାୟଣରେ ଅଛି ଯେ ରାବଣର ରାଜବୈଦ୍ୟ ସୁଷେଣ ଶତ୍ରୁ ଲକ୍ଷ୍ମଣଙ୍କ ଜୀବନ ରକ୍ଷା ପାଇଁ ସୁଦୂର ହିମାଳୟରୁ ଅଣା ଯାଇଥିବା ମୃତ ସ˚ଜୀବନୀ ବୁଟିରୁ ଔଷଧ ପ୍ରସ୍ତୁତ କରି ତାଙ୍କ ପ୍ରାଣ ରକ୍ଷା କରିଥିଲେ।

ଆମେରିକାନ୍‌ ଇଣ୍ତୋଲଜିଷ୍ଟ୍‌ ବା ଭାରତ ବିଶେଷଜ୍ଞ ପ୍ରଫେସର େଵଣ୍ତି ଡୋନିଜର ଏ ସ˚ପର୍କରେ ଏକ ଉପାଖ୍ୟାନ ଉଦ୍ଧାର କରିଛନ୍ତି। ଜଣେ ରାଜା ଥରେ ତାଙ୍କ ରାଜ୍ୟର ବରିଷ୍ଠ ଓ ବିଦ୍ବାନ ବୈଦ୍ୟମାନଙ୍କୁ ରାଜସଭାକୁ ଶାସ୍ତ୍ରାର୍ଥ ବା ‌ବୌଦ୍ଧିକ ଚର୍ଚ୍ଚା ପାଇଁ ନିମନ୍ତ୍ରଣ କଲେ। ମୁଖ୍ୟ ପ୍ରଶ୍ନ ଥିଲା- ‘ରୋଗ’ କାହିଁକି ହୁଏ ଓ ତା’ର ମୁଖ୍ୟ ଓ ମୂଳ କାରଣ କ’ଣ? ଭାରତୀୟ ଚିକିତ୍ସା ଶାସ୍ତ୍ରରେ ଧୁରୀଣ ବୈଦ୍ୟ ଋଷିମାନେ ଜଣ ଜଣ କରି ଯେଉଁ ଉତ୍ତର ଦେଇଥିଲେ ତା’ର ସାରା˚ଶ ଏହିପରି। ଜଣେ କହିଲେ ପରମାତ୍ମାରୁ ଜୀବାତ୍ମାର ଜନ୍ମ। ତେଣୁ ରୋଗର କାରଣ ଆତ୍ମା। ଦ୍ବିତୀୟ ଜଣକ କହିଲେ ମୂଳ କାରଣ ହେଲା ବିଚଳିତ, ବିବ୍ରତ, ବ୍ୟଥିତ ମନ। ତୃତୀୟ ଜଣକ କହିଲେ ସବୁ ରୋଗର କାରଣ ହେଲା ପ˚ଚ ମହାଭୂତ- ମାଟି, ପାଣି, ପବନ, ଆଲୋକ, ଆକାଶ ତତ୍ତ୍ବ ମଧୢରେ ସମନ୍ବୟର ଅଭାବ। ଆଉ ଜଣେ କହିଲେ ସୁଷମ ଖାଦ୍ୟର ଅଭାବ ଏବ˚ ସତ୍ତ୍ବ, ରଜ, ତମ; ଏହି ତ୍ରି-ଗୁଣ ମଧୢରେ ରଜ ଓ ତମୋ ଗୁଣର ପ୍ରାଧାନ୍ୟ ଇତ୍ୟାଦି। କିନ୍ତୁ ଶେଷରେ ବିଜ୍ଞ, ପ୍ରାଜ୍ଞ, ଚିକିତ୍ସଜ୍ଞଙ୍କ ମଧୢରେ ମୃତ୍ୟୁର ପ୍ରକୃତ କାରଣ ସ˚ପର୍କରେ ସହମତି ହୋଇ ନ ପାରି ଚର୍ଚ୍ଚା ଶେଷ ହେଲା। ନାନା ମୁନି, ନାନା ମତ। ଏବ˚ ଚିକିତ୍ସାର ନାନା ପ୍ରକାର, ପ୍ରକ୍ରିୟା, ପ୍ରୟୋଗ। ସେହିପରି ହିପୋକ୍ରେଟିକ୍‌ ଶପଥ ସବୁ ଦେଶରେ ଏକା ପରି ନୁହେଁ।

ଏହି କାରଣରୁ କେତେକ ଭାରତୀୟ ଚିକିତ୍ସା ବିଜ୍ଞାନୀ କହନ୍ତି- ଆମ ଦେଶରେ ଯେତେବେଳେ ଚିକିତ୍ସା ବିଜ୍ଞାନର ଏକ ସମୃଦ୍ଧ ପର˚ପରା ଅଛି, ଆମେ ବିଦେଶୀ ଗ୍ରୀକ୍‌ ପ୍ରଥାକୁ କାହିଁକି ଅନ୍ଧାନୁକରଣ କରିବା! ଚାଇନାରେ ମାଓଙ୍କ ନେତୃତ୍ବରେ ସାମ୍ୟବାଦୀ ସରକାର ଗଠନ ପରେ ଚାଇନିଜ୍‌ ମେଡିସିନ୍‌ ଓ ଚିକିତ୍ସା ଦର୍ଶନକୁ ପ୍ରାଥମିକତା ଦିଆଯାଇଥିଲା। ସେଠାରେ ଡାକ୍ତରମାନେ ହିପୋକ୍ରେଟିକ୍‌ ଶପଥ ନିଅନ୍ତି ନାହିଁ। କିନ୍ତୁ ଚିକିତ୍ସକଙ୍କ ପାଇଁ ଏକ ଆଦର୍ଶ ଆଚାର ସ˚ହିତା ରହିଚି। ‘ଚରକ ଶପଥ’ ନିଷ୍ପତ୍ତି ଏହାରି ଦ୍ବାରା ପ୍ରଭାବିତ।
ଆଜିକୁ ଅଢ଼େଇ ହଜାର ବର୍ଷ ପୂର୍ବେ ଆୟୁର୍ବେଦର ଜନକ ମହର୍ଷି ଚରକ ପୃଥିବୀର ପ୍ରଥମ ଆୟୁର୍ବିଜ୍ଞାନ ଶାସ୍ତ୍ର ଚରକ ସ˚ହିତା ରଚନା କରିଥିଲେ। ଚରକର ଅର୍ଥ ହେଲା ପାଦରେ ଚାଲି ଚାଲି ରୋଗ ଚିକିତ୍ସା କରୁଥିବା ଡାକ୍ତର। ଚାଇନାରେ ମାଓ ଏମାନଙ୍କୁ କହୁଥିଲେ ‘ବେଆର୍‌ ଫୁଟ୍‌ ଡକ୍ଟର୍‌ସ୍‌’ ବା ‘ଖାଲି ପାଦର ବୈଦ୍ୟ’। ଆୟୁର୍ବେଦର ଅନ୍ୟ ନାମ ଜୀବନ ବିଜ୍ଞାନ। ଏହା ଏକ ପ୍ରତିଷେଧକ କୈନ୍ଦ୍ରିକ ଓ ପ୍ରତିକ୍ରିୟା ଶୂନ୍ୟ ଚିକିତ୍ସା ପଦ୍ଧତି। ଏହା ଚିକିତ୍ସା ପାଇଁ ଆବଶ୍ୟକ ଅଧିକା˚ଶ ଦ୍ରବ୍ୟ ଉଦ୍ଭିଦ ଜଗତ୍‌ରୁ ସ˚ଗ୍ରହ କରିଥାଏ। ତେଣୁ ଶାକାହାରୀ ପ୍ରଥମ ପସନ୍ଦ। ଚରକଙ୍କ ମତରେ ତ୍ରିଦୋଷ- ବାତ, ପିତ୍ତ, କଫ ସନ୍ତୁଳିତ ରହିଲେ ଶରୀର ସୁସ୍ଥ ରହେ। ଆନାଟମି ବା ଶରୀର ଗଠନ ଉପରେ ଚରକ ନୂଆ ଆଲୋକପାତ କରିଥିଲେ ଏବ˚ ଶରୀରରେ ଥିବା ୩୬୦ ହାଡ଼ର ତାଲିକା ଦେଇଥିଲେ। ସେହିପରି ମସ୍ତିଷ୍କ, ହୃତ୍‌ପିଣ୍ତ, ଲିଭର, ପାଚନ ପ୍ରକ୍ରିୟା, ରକ୍ତ ସ˚ଚାଳନ ଓ ଅଙ୍ଗ ପ୍ରତ୍ୟଙ୍ଗ ସମ୍ପର୍କରେ ମୂଲ୍ୟବାନ ତଥ୍ୟ ଆବିଷ୍କାର କରିଥିଲେ। ସେ କହୁଥିଲେ ଯେଉଁ ଚିକିତ୍ସକ ଅଭିଜ୍ଞତା, ଗବେଷଣା ଓ ଜ୍ଞାନର ଆଲୋକ ବର୍ତ୍ତିକା ଧରି ରୋଗୀର ଶରୀରରେ ପ୍ରବେଶ କରିପାରିବେ ନାହିଁ, ସେ ଚିକିତ୍ସା କରିବା ପାଇଁ ଅଯୋଗ୍ୟ। ଚରକ ଶପଥ ସେହି ପ୍ରକ୍ରିୟାର ପ୍ରଥମ ପାହାଚ।
ମୋ-୯୯୩୭୦୨୭୦୧୭
[email protected]

ସମ୍ବନ୍ଧିତ ଖବର