ଛାଡ଼ିବୁ ତ ପାଇବୁ

କଥାଟିଏ - ଯାଯାବର

ଜଣେ ଯୁବକର ମନରେ ଆସିଲା ଯେ ସେ ପରମାତ୍ମାଙ୍କୁ ଲାଭ କରିବ। ସେ ଏମିତି ଭାବୁଥିବା ବେଳେ ଦିନେ ଗୁରୁ ନାନକ ଆସିଲେ ସେ ରହୁଥିବା ଗାଁକୁ। ଯୁବକ ତାଙ୍କୁ ପଚାରିଲା ଯେ ସେ ଈଶ୍ବରଙ୍କୁ ପାଇବ କେମିତି? ଈଶ୍ବରଙ୍କ ସାନ୍ନିଧ୍ୟ ଲାଭ କରିବା ହେଉଛି ତା’ର ଏକମାତ୍ର ଇଚ୍ଛା।

ନାନକ କହିଲେ- ତୁମକୁ ଈଶ୍ବର ମିଳିବେ କେମିତି? ତୁମେ ତ ଅହଂକାର ଛାଡ଼ିନାହଁ। ମନରେ ଲେଶମାତ୍ର ଅହଂକାର ରହିଲେ ପରମେଶ୍ବର ମିଳନ୍ତି ନାହିଁ।
ଯୁବକ ବିସ୍ମିତ ହୋଇ କହିଲା- ଆଜ୍ଞା, ଆଉ ଟିକିଏ ବୂଝାଇ ଦେ‌େବ କି?

ନାନକ କହିଲେ- ଶୁଣ ବାବୁ, ପରମେଶ୍ବରଙ୍କୁ ପାଇବାର ଇଚ୍ଛା ହିଁ ଏକ ଅହଂକାର। ଧନ ଲାଭ କରିବାର ଇଚ୍ଛା, ଯଶ ଲାଭ କରିବାର ଇଚ୍ଛା ଭଳି ଏହା ଆଉ ଗୋଟିଏ ଇଚ୍ଛା। ଧନ ଲାଭ କରିବାର ଇଚ୍ଛା ପୂରଣ ହୋଇଗଲେ ବ୍ୟକ୍ତି ଜଣକ ଯେମିତି ଗର୍ବ ଅନୁଭବ କରେ, ସେମିତି ତୁମ ଇଚ୍ଛା ପୂରଣ ହୋଇଗଲେ ତୁମେ ବି ଗର୍ବିତ ହେବ। ତେଣୁ ଏ ସବୁ ଇଚ୍ଛା ଭିତରେ କିଛି ପ୍ରଭେଦ ନାହିଁ। ତେବେ ଗୋଟିଏ ପ୍ରଭେଦ ହେଲା ଅହଂକାର ଥିଲେ ବି ଧନ ଓ ଯଶ ଆଦି ମିଳି ଯାଇପାରେ, କିନ୍ତୁ ପରମେଶ୍ବର ମିଳନ୍ତି ନାହିଁ।
ଯୁବକ କହିଲା- ତେବେ ମୋତେ କ’ଣ କରିବାକୁ ହେବ?

ନାନକ କହିଲେ- ପାଇବାର ଇଚ୍ଛାକୁ ଛାଡ଼ିବାକୁ ହେବ। ଯେତେ ଛାଡ଼ିବୁ ସେତେ ପାଇବୁ। ଯେମିତି ଦେହରେ ପୋଷାକ ଆବୃତ କରି ରଖିଲେ ମଳୟ ବହୁଥିଲେ ବି ଶରୀରକୁ ଛୁଇଁ ପାରେ ନାହିଁ, ସେମିତି ପରମେଶ୍ବର ଚତୁର୍ଦ୍ଦିଗରେ ଘୋଟି ରହିଥିଲେ ବି ନିର୍ବସ୍ତ୍ର ନ ହେଲା ପର୍ଯ୍ୟନ୍ତ ତାଙ୍କ ସ୍ପର୍ଶ ମିଳିପାରେ ନାହିଁ।

ସମ୍ବନ୍ଧିତ ଖବର