ଅଜ୍ଞାନ ଗୁରୁ

ଭାରତର ‘ନେସନାଲ୍‌ କାଉନ୍‌ସିଲ୍‌ ଅଫ୍‌ ଏଜୁକେସନାଲ୍‌ ରିସର୍ଚ୍ଚ ଆଣ୍ଡ ଟ୍ରେନିଙ୍ଗ୍‌’ (‘ଏନ୍‌ସିଇଆର୍‌ଟି’) ଦଶମ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ବିଜ୍ଞାନ ପାଠ୍ୟପୁସ୍ତକରୁ ଡାର୍‌ୱିନ୍‌ଙ୍କ ବିବର୍ତ୍ତନବାଦକୁ ବହିର୍ଭୂତ କରିବା ପାଇଁ ନେଇଥିବା ନିଷ୍ପତ୍ତି ଅତ୍ୟନ୍ତ ରହସ୍ୟଜନକ କହିଲେ ଭୁଲ୍‌ ହେବ ନାହିଁ। ଏହା ଯଦି କାହାକୁ ଏଠାରେ ଆମେରିକାର ପବ୍ଲିକ୍‌ ସ୍କୁଲ୍‌ମାନଙ୍କରେ ବିବର୍ତ୍ତନବାଦ ସମ୍ବନ୍ଧରେ ଶିକ୍ଷାଦାନକୁ କେନ୍ଦ୍ର କରି ସେଠାରେ ଦୀର୍ଘ କାଳ ଧରି ଚାଲି ଆସିଥିବା ବିବାଦର ଏକ ପ୍ରତିଧ୍ବନି ଭଳି ମନେ ହେଉଥାଏ, ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। କିନ୍ତୁ ‘ଏନ୍‌ସିଇଆର୍‌ଟି’ର ନିଷ୍ପତ୍ତିକୁ ରହସ୍ୟଜନକ ବୋଲି କହିବାର କାରଣ ହେଲା, ଆମେରିକାରେ ଏଭଳି ବିବାଦର ଆବିର୍ଭାବ ଘଟିବା ସ୍ବାଭାବିକ ହୋଇଥିବା ବେଳେ ଭାରତରେ ତାହା ସମ୍ପୂର୍ଣ୍ଣ ଅସ୍ବାଭାବିକ ମନେ ହୋଇଥାଏ।

କେବଳ ଆମେରିକା ନୁହେଁ, ସମଗ୍ର ପାଶ୍ଚାତ୍ୟ ଜଗତ ଓ ମଧ୍ୟପ୍ରାଚ୍ୟରେ ଯେଉଁ ଗୋଷ୍ଠୀମାନେ ବିବର୍ତ୍ତନବାଦକୁ ବିରୋଧ କରିଥାନ୍ତି, ସେମାନେ ଏହାଦ୍ବାରା ସେମାନଙ୍କର ଧର୍ମଗ୍ରନ୍ଥମାନଙ୍କରେ ଯେଉଁ ସୃଷ୍ଟି ତତ୍ତ୍ବ ବର୍ଣ୍ଣନା କରାଯାଇଛି, ତାହାର ସୁରକ୍ଷା ନିମିତ୍ତ ଏହି ବିରୋଧକୁ ନିଜର କର୍ତ୍ତବ୍ୟ ରୂପେ ବିଚାର କରିଥାନ୍ତି। ଭାରତୀୟ ଧର୍ମ ଓ ସଂସ୍କୃତିରେ କିନ୍ତୁ ଏଭଳି କୌଣସି କର୍ତ୍ତବ୍ୟ ପାଳନ ନିମିତ୍ତ ନିର୍ଦ୍ଦେଶ ନାହିଁ କିମ୍ବା ପରମ୍ପରା ନାହିଁ। ପାଶ୍ଚାତ୍ୟ ଓ ମଧ୍ୟପ୍ରାଚୀୟ ସୃଷ୍ଟି ତତ୍ତ୍ବ ଏବଂ ଡାର୍‌ୱିନୀୟ ସୃଷ୍ଟି ତତ୍ତ୍ବ ମଧ୍ୟରେ ସଂଘାତ ହେଉଛି ଏକ ମୌଳିକ ‌ଶ୍ରେଣୀର। ଏକେଶ୍ବରବାଦର ସର୍ବଶକ୍ତିମାନ ଈଶ୍ବର ହେଉଛନ୍ତି ସଚରାଚର ବିଶ୍ବର ସୃଷ୍ଟିକର୍ତ୍ତା ବୋଲି ବିଶ୍ବାସ କରାଯାଇଥାଏ, ଅର୍ଥାତ୍‌ ଏକ ବୃହତ୍ତର ଶକ୍ତି ତାଙ୍କଠାରୁ କ୍ଷୁଦ୍ରତର ବସ୍ତୁମାନଙ୍କୁ ସୃଷ୍ଟି କରିଥାନ୍ତି; ଏକ ଅକଳ୍ପନୀୟ ଭାବରେ ଜଟିଳ ସତ୍ତା ତାଙ୍କ ତୁଳନାରେ ଅତ୍ୟନ୍ତ ସରଳ ସତ୍ତାମାନଙ୍କୁ ସୃଷ୍ଟି କରିଥାନ୍ତି।

ଡାର୍‌ୱିନ୍‌ଙ୍କ ବିବର୍ତ୍ତନ ତତ୍ତ୍ବ ଅନୁସାରେ କିନ୍ତୁ ଆମିବା ଭଳି ସରଳତମ ଜୀବନର ବିବର୍ତ୍ତନ ଘଟି ଘଟି ମନୁଷ୍ୟ ପରି ଏକ ଅତ୍ୟନ୍ତ ଜଟିଳ ପ୍ରାଣୀ ଶେଷରେ ସୃଷ୍ଟି ହୋଇଥାଏ; ଅର୍ଥାତ୍‌ ଏକ ଅତ୍ୟନ୍ତ ସରଳ ସତ୍ତା ତା’ ତୁଳନାରେ ବହୁଗୁଣ ଜଟିଳ ସତ୍ତାମାନଙ୍କୁ ସୃଷ୍ଟି କରିଥାଏ, ଯାହା ପାରମ୍ପରିକ ଧର୍ମବିଶ୍ବାସ ଅନୁସାରେ ସମ୍ପୂର୍ଣ୍ଣ ଅ‌େଯୗକ୍ତିକ ମନେ ହୋଇଥାଏ: ଈଶ୍ବର ମନୁଷ୍ୟକୁ ସୃଷ୍ଟି କରିବା ପରିବର୍ତ୍ତେ ମନୁଷ୍ୟ ଈଶ୍ବରଙ୍କୁ ସୃଷ୍ଟି କଲା ଭଳି। ଖ୍ୟାତନାମା ଆମେରିକୀୟ ଦାର୍ଶନିକ ଡାନିଏଲ୍‌ ଡେନେଟ୍‌ ବିବର୍ତ୍ତନବାଦ ସୃଷ୍ଟିର ପାରମ୍ପରିକ ଧର୍ମ ନିର୍ଦ୍ଦେଶିତ କାର୍ଯ୍ୟ-କାରଣ ସମ୍ପର୍କରେ ଘଟାଇଥିବା ଏହି ଓଲଟପାଲଟକୁ ଅତ୍ୟନ୍ତ ପ୍ରାଞ୍ଜଳ ତଥା ପ୍ରଭାବଶାଳୀ ଢଙ୍ଗରେ ନିମ୍ନମତେ ଉପସ୍ଥାପନ କରିଛନ୍ତି। ‘‘ତୁମେ କେବେହେଲେ ଏକ ଘୋଡ଼ା ଟାପୁରେ ଲାଗିଥିବା ଲୁହାର ନାଲ କମାରକୁ ତିଆରି କରିବା ଦେଖିବ ନାହିଁ (କମାର ନାଲକୁ ତିଆରି କରିଥାଏ)। ତୁମେ କେବେହେଲେ ଏକ ହାଣ୍ଡି କୁମ୍ଭାରକୁ ତିଆରି କରିବା ଦେଖିବ ନାହିଁ (କୁମ୍ଭାର ହାଣ୍ଡିକୁ ତିଆରି କରିଥାଏ)।’’ ପାରମ୍ପରିକ ଧର୍ମ ଧାରଣା ଅନୁସାରେ କମାର ବା କୁମ୍ଭାର ହେଉଛନ୍ତି ଅତ୍ୟନ୍ତ ଜଟିଳ ସତ୍ତାଧାରୀ ଈଶ୍ବରଙ୍କ ଭଳି ଏବଂ ନାଲ ବା ହାଣ୍ଡି ହେଉଛନ୍ତି ତାଙ୍କ ଦ୍ବାରା ସୃଷ୍ଟ ସରଳ ସତ୍ତା ବିଶିଷ୍ଟ ପ୍ରାଣୀମାନଙ୍କ ଭଳି। ଡାର୍‌ୱିନ୍‌ଙ୍କ ବିବର୍ତ୍ତନ ପ୍ରକ୍ରିୟା କିନ୍ତୁ ଏହାର ବିପରୀତ ହୋଇଥାଏ, ସତେ ଯେମିତି ନାଲ ସୃଷ୍ଟି କରିଥାଏ କମାରକୁ କିମ୍ବା ହାଣ୍ଡି ସୃଷ୍ଟି କରିଥାଏ କୁମ୍ଭାରକୁ।

ଡାର୍‌ୱିନ୍‌ ଯେତେବେଳେ ୧୮୩୧ ଡିସେମ୍ବରରେ ‘ଏଚ୍‌ଏମ୍‌ଏସ୍‌ ବିଗ୍‌ଲ’ ଜାହାଜରେ ତାଙ୍କର ପାଞ୍ଚ ବର୍ଷ ବ୍ୟାପୀ ଆବିଷ୍କାର ଓ ‌ଗବେଷଣା ଅଭିଯାନ ରୂପକ ଜଳଯାତ୍ରା ଆରମ୍ଭ କରି ଇଂଲାଣ୍ଡ ଛାଡ଼ିଲେ, ସେତେବେଳେ ସେ ଥିଲେ ଜଣେ ରକ୍ଷଣଶୀଳ ଖ୍ରୀଷ୍ଟିଆନ୍‌, ଯିଏ ଉପରୋକ୍ତ ପାରମ୍ପରିକ ସୃଷ୍ଟି ତତ୍ତ୍ବରେ ଦୃଢ଼ ଭାବରେ ବିଶ୍ବାସ କରୁଥିଲେ। କିନ୍ତୁ ସେ ତାଙ୍କର ଅନୁସନ୍ଧାନର ଫଳ ସ୍ବରୂପ ‘ପ୍ରାକୃତିକ ଚୟନ’ ଦ୍ବାରା ପରିଚାଳିତ ବିବର୍ତ୍ତନ ପ୍ରକ୍ରିୟା ସମ୍ବନ୍ଧରେ ଯେତେ ଅଧିକ ଅଧିକ ପ୍ରମ‌ାଣ ସଂଗ୍ରହ କରିବାରେ ଲାଗିଲେ, ତାଙ୍କର ଈଶ୍ବର ବିଶ୍ବାସ ସେତେ ଦୁର୍ବଳ ହେବାକୁ ଲାଗିଲା। ତଥାପି ସେ ବେଳେ‌ ବେଳେ ତ୍ରୟୋଦଶ ଶତାବ୍ଦୀର ଖ୍ରୀଷ୍ଟିଆନ୍‌ ଦାର୍ଶନିକ ଥମାସ୍‌ ଆକ୍ବିନାସ କହିଥିବା ଭଳି ଈଶ୍ବର ହେଉଛନ୍ତି ସମସ୍ତ କାର୍ଯ୍ୟର ସର୍ବପ୍ରଥମ କାରଣ ବୋଲି ବିଶ୍ବାସ କରି ସେଇ ଈଶ୍ବର ହିଁ ‘ପ୍ରାକୃତିକ ଚୟନ’ ନିୟମର ସୃଷ୍ଟି କରିଛନ୍ତି ବୋଲି ଗ୍ରହଣ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ‌ପର ମୁହୂର୍ତ୍ତରେ ସେ ସଚେତନ ହୋଇପଡୁଥିଲେ ଯେ ଯେଉଁ ମନୁଷ୍ୟର ମସ୍ତିଷ୍କ ନିମ୍ନତମ ପ୍ରାଣୀର ମସ୍ତିଷ୍କରୁ ବିବର୍ତ୍ତନ ମାଧ୍ୟମରେ ସୃଷ୍ଟି ହୋଇଛି, ସେପରି ମସ୍ତିଷ୍କରୁ ଉତ୍ପନ୍ନ ଏପରି ଏକ ମହନୀୟ ପରିକଳ୍ପନା ବିଶ୍ବାସଯୋଗ୍ୟ ହୋଇପାରିବ ନାହିଁ। ଶେଷରେ ଡାର୍‌ୱିନ୍‌ ନିଜର ଆବିଷ୍କାର ଦ୍ବାରା ପ୍ରଭାବିତ ହୋଇ ଈଶ୍ବର ବିଶ୍ବାସ ହରାଇ ବସିଥିଲେ। ଏଣୁ ଆମେରିକା ଭଳି ଦେଶରେ ‌ରକ୍ଷଣଶୀଳ ଧର୍ମବିଶ୍ବାସୀମାନେ ଡାର୍‌ୱିନ୍‌ଙ୍କ ତତ୍ତ୍ବକୁ ବିରୋଧ କରିବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।

କିନ୍ତୁ ଭାରତୀୟମାନଙ୍କର ଧର୍ମ ବିଶ୍ବାସ ଯାହା ହୋଇଥାଉ ନା କାହିଁକି, ସେମାନେ କେବେ ହେଲେ କେବଳ ବିବର୍ତ୍ତନବାଦ ନୁହେଁ, କୌଣସି ବିଜ୍ଞାନ ସମ୍ମତ ତତ୍ତ୍ବକୁ ବିରୋଧ କରିବାର ଆବଶ୍ୟକତା ଅନୁଭବ କରିନାହାନ୍ତି। ବରଂ କେହି କେହି ପ୍ରଦର୍ଶନ କରିବାକୁ ଚେଷ୍ଟା କରିବା ଦେଖାଯାଇଥାଏ ଯେ ଡାର୍‌ୱିନ୍‌ଙ୍କ ବିବର୍ତ୍ତନ ତତ୍ତ୍ବ ହିନ୍ଦୁ ଧର୍ମର ଦଶାବତାର ତତ୍ତ୍ବ ସହିତ ସମ୍ପୂର୍ଣ୍ଣ ରୂପେ ଖାପ ଖାଇ ଯାଇଥାଏ। ଏହି ପୃଷ୍ଠଭୂମିରେ ତେଣୁ ଦଶମ ଶ୍ରେଣୀର ବିଜ୍ଞାନ ପାଠ୍ୟ ପୁସ୍ତକରୁ ବିବର୍ତ୍ତନବାଦକୁ ସମ୍ପୂର୍ଣ୍ଣ ରୂପେ ବାଦ୍‌ ଦେବା ପାଇଁ ‘ଏନ୍‌ସିଇଆର୍‌ଟି’ ନେଇଥିବା ନିଷ୍ପତ୍ତି ପଛରେ ରହିଥିବା କାରଣ କିମ୍ବା ବାଧ୍ୟବାଧକତା କ’ଣ, ତାହା ଆଦୌ ବୁଝାପଡ଼େ ନାହିଁ।

ଅବଶ୍ୟ ‘ଏନ୍‌ସିଇଆର୍‌ଟି’ ନିଜ ସପକ୍ଷରେ ଏକ ଯୁକ୍ତି ଉପସ୍ଥାପନ କରିପାରେ ଯେ ଦଶମ ଶ୍ରେଣୀର ପାଠରୁ ବିବର୍ତ୍ତନବାଦକୁ କାଢ଼ି ଦିଆଯାଇଥି‌େଲ ହେଁ ଦ୍ବାଦଶ ଶ୍ରେଣୀର ପାଠ୍ୟକ୍ରମରେ ବିବର୍ତ୍ତନବାଦ ଓ ଜେନେଟିକ୍‌ସ ଅନ୍ତର୍ଭୁକ୍ତ ଅଛି। ଏହା କିନ୍ତୁ ଏକ ଦୁର୍ବଳ ଯୁକ୍ତି। କାରଣ, ଯେଉଁ ବହୁଳ ସଂଖ୍ୟକ ଛାତ୍ରଛାତ୍ରୀମାନେ ଦ୍ବାଦଶ ଶ୍ରେଣୀରେ ଜୈବ ବିଜ୍ଞାନ (‘ବାୟୋଲୋଜି’) ପରିତ୍ୟାଗ କରିଥାନ୍ତି, ସେମାନେ ଆଉ କେବେ ହେଲେ ବିବର୍ତ୍ତନବାଦ ଭଳି ବିଜ୍ଞାନର ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ନିୟମ ସହିତ ପରିଚିତ ହେବାର ସୁଯୋଗ ପାଇବେ ନାହିଁ। ଚିନ୍ତାର କାରଣ ହେଲା, ‘ପ୍ରାକୃତିକ ଚୟନ’ ସମ୍ବନ୍ଧରେ ସମ୍ୟକ୍‌ ଧାରଣା କେବଳ ଜୈବ ବିଜ୍ଞାନର ଛାତ୍ରଛାତ୍ରୀମାନଙ୍କ ପାଇଁ ଯେ ଆବଶ୍ୟକ, ତାହା ନୁହେଁ, ଜୀବନର ଅନେକ କ୍ଷେତ୍ରରେ – କୃଷି ଉତ୍ପାଦନରେ ବୃଦ୍ଧି ଠାରୁ ମହାମାରୀର ମୁକାବିଲା ପର୍ଯ୍ୟନ୍ତ – ‘ପ୍ରାକୃତିକ ଚୟନ’ ନିୟମର ଭୂମିକା ସମ୍ବନ୍ଧରେ ଏକ ବ୍ୟାପକ ସଚେତନତାର ଯେ ଆବଶ୍ୟକତା ରହିଛି, ତାହା କେହି ଅସ୍ବୀକାର କରିପାରିବେ ନାହିଁ। ଭାରତୀୟ ଅର୍ଥନୀତିର ଭବିଷ୍ୟତରେ ଅଭିବୃଦ୍ଧି ନିମିତ୍ତ ଯେଉଁ କେତେକ କ୍ଷେତ୍ରକୁ ନେତୃସ୍ଥାନ ପ୍ରଦାନ କରାଯାଇଛି, ସେଥିରେ ଅନ୍ତର୍ଭୁକ୍ତ ଅଛି ‘ଜିନୋମିକ୍‌ସ’ ଓ ‘ସିନ୍ଥେଟିକ୍‌ ବାୟୋଲୋଜି’ ଆଦି, ଯାହା ‘ପ୍ରାକୃତିକ ଚୟନ’ ସହିତ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ। ମୂଳରୁ ଛାତ୍ରଛାତ୍ରୀମାନଙ୍କୁ ଏହାର ଅଧ୍ୟୟନରୁ ବଞ୍ଚିତ କରିବା ସେମାନଙ୍କର ଏ କ୍ଷେତ୍ରମାନଙ୍କ ପ୍ରତି ଆଗ୍ରହ ସୃଷ୍ଟି ପଥରେ ପ୍ରତିବନ୍ଧ ସୃଷ୍ଟି କରିବା ସହ ସମାନ। ଅଗଣିତ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତରେ ଏକ ଉତ୍ତମ, ବିଜ୍ଞାନଭିତ୍ତିକ କ୍ୟାରିଅର୍‌ ଚୟନରୁ ବଞ୍ଚିତ କରିବା ହେଉଛି ଜାତୀୟ ସ୍ବାର୍ଥର ପରିପନ୍ଥୀ।

ଏକ ବହୁ ଚର୍ଚ୍ଚିତ ବିଡ଼ମ୍ବନା ହେଉଛି ଏହା ଯେ ଭାରତ ଏବେ ନିଜକୁ ବିଶ୍ବଗୁରୁ ରୂପେ ଦେଖିବାକୁ ଆରମ୍ଭ କରିଛି। ଏକ ଅସମ୍ପୂର୍ଣ୍ଣ ବିଜ୍ଞାନ ଜ୍ଞାନ ଏଭଳି ଆତ୍ମଘୋଷିତ ଗୁରୁଙ୍କୁ କେବଳ ଲୋକହସା କରାଇବା ସାର ହେବ ସିନା!

ସମ୍ବନ୍ଧିତ ଖବର