କ˚ଗ୍ରେସ ପାପୁଲି

ଏଠାରେ ପ୍ରଶ୍ନ ଉଠିପାରେ ଯେ କ˚ଗ୍ରେସ ଦଳ ସ˚ପ୍ରତି ଅତ୍ୟନ୍ତ ଦୁର୍ବଳ ଓ ପ୍ରଭାବଶୂନ୍ୟ ହୋଇ ଅନେକ ସମୟରେ ତାର ଅସ୍ତିତ୍ବ ବିଲୟ ନେଇ ଆଶଙ୍କା ବିଜଡ଼ିତ ସ˚କେତମାନ ପ୍ରଦାନ କରୁଥିବା ବେଳେ ତା’ ସ˚ପର୍କରେ ବାରମ୍ବାର ଆଲୋଚନାର ଆବଶ୍ୟକତା ବା କ’ଣ ରହିଛି? ଏହାର ଉତ୍ତର ହେଲା ବିଜେପି ବ୍ୟତୀତ ଅଖିଳ ଭାରତୀୟ ଆବେଦନର ଅଧିକାରୀ ଏହି ଏକ ମାତ୍ର (ବିରୋଧୀ) ଦଳ ଅଗତ୍ୟା ମୃତବତ୍‌ ହୋଇ ଶାସକ ଦଳ ଲାଗି ଯେଉଁ ରାଜନୈତିକ ନିରଙ୍କୁଶତା ସୃଷ୍ଟି କରିବାକୁ ଯାଉଛି, ତାହା ଆମ ଗଣତନ୍ତ୍ରର ସ୍ବାସ୍ଥ୍ୟ ସକାଶେ ଅହିତକର ହେବାର ଅନିବାର୍ଯ୍ୟତା ଦୃଷ୍ଟିରୁ ଏଭଳି ଆଲୋଚନାର ଅଧିକ ଆବଶ୍ୟକତା ରହିଛି; ଯହିଁରୁ ହୁଏ’ତ ଦଳର ପୁନର୍ଜୀବନ୍ୟାସ ସକାଶେ କେତେକ ଅନ୍ତର୍ଦୃଷ୍ଟି ଉପଲବ୍‌ଧ ହୋଇପାରେ। ସୁତରା˚, କ˚ଗ୍ରେସ ନେଇ ଆଲୋଚନା କଦାପି ଅପ୍ରାସଙ୍ଗିକ ହୋଇ ନ ପାରେ।

ପ୍ରକାଶ ଥାଉ କି ନିକଟରେ ତେସ୍ତରି ବର୍ଷ ବୟସ୍କ ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ଦ୍ବାରା କ˚ଗ୍ରେସ ପରିତ୍ୟାଗ ଏବ˚ ତାଙ୍କ ଇସ୍ତଫା ପତ୍ରରେ କ˚ଗ୍ରେସର ଉପାଧୢକ୍ଷ ଅଥଚ ଦଳର ବାସ୍ତବ ପରିଚାଳକ ରାହୁଳ ଗାନ୍ଧୀଙ୍କ ରାଜନୈତିକ ଅପରିପକ୍ବତା ଏବ˚ ନେତୃତ୍ବ ନେବାର ଅଦକ୍ଷତାକୁ ନେଇ ତୀବ୍ର ସମାଲୋଚନା ‘ସୋସିଆଲ ମିଡିଆ’ରେ ଅତ୍ୟନ୍ତ ସକ୍ରିୟ ଥିବା କ˚ଗ୍ରେସର ଉଗ୍ର ପଦାତିକ ବାହିନୀକୁ ଏଭଳି କ୍ରୋଧ ଜର୍ଜର କରି ପକାଇଛି ଯେ ସେମାନେ ‘ଜି-୨୩’ ଗୋଷ୍ଠୀ(କ˚ଗ୍ରେସ ନେତୃତ୍ବର ଧାରଣାରେ ବିଦ୍ରୋହୀ ବରିଷ୍ଠ କ˚ଗ୍ରେସ ନେତାଙ୍କ ଦଳ ଯାହାର ଏକ ସଦସ୍ୟ ଥିଲେ ଗୁଲାମ ନବୀ ଆଜାଦ)କୁ ଉପଲକ୍ଷ୍ୟ କରି ଦଳରୁ ଅଯୋଗ୍ୟ ବୟୋଜ୍ୟେଷ୍ଠ ନେତୃବୃନ୍ଦଙ୍କୁ ତଡ଼ି ଦେଇ ଏକ ଉଦ୍ଦାମ ଯୁବ-ପ୍ରାଣ କ˚ଗ୍ରେସ ସୃଷ୍ଟି ଲାଗି ତୀବ୍ର ଆକ୍ରମଣାତ୍ମକ ବାଚନିକ କୋଳାହଳ ପ୍ରାରମ୍ଭ କରି ଦେଇଛନ୍ତି।।

ତହିଁରେ ପ୍ରାୟତଃ ୧୯୬୯ ମସିହାରେ କ˚ଗ୍ରେସ ଦଳ ସମ୍ମୁଖୀନ ହୋଇଥିବା ଏକ ପ୍ରାୟ ସମତୁଲ ସ୍ଥିତିର ଉଲ୍ଲେଖ କରାଯାଉଛି, ଯହିଁରେ ଦେଖିବାକୁ ମିଳିଥିଲା କିଭଳି ‘ସିଣ୍ତିକେଟ୍‌’ ଭାବେ ଅପଖ୍ୟାତ ତତ୍କାଳୀନ କ˚ଗ୍ରେସ ଦଳରେ ଅତ୍ୟନ୍ତ ପ୍ରଭାବୀ ବୟୋଜ୍ୟେଷ୍ଠ ନେତାଙ୍କ ଗୋଷ୍ଠୀକୁ ନିଶ୍ଚିହ୍ନ କରି ନବାଗତା ଯୁବ ନେତ୍ରୀ ଇନ୍ଦିରା ଗାନ୍ଧୀ କ˚ଗ୍ରେସକୁ ଏକ ଉଜ୍ଜ୍ବଳ ଭବିଷ୍ୟତ୍‌ ଆଡ଼କୁ ଘେନି ଯାଇଥିଲେ। କିନ୍ତୁ କହିବା ଅନାବଶ୍ୟକ ଯେ ଏହି ଦୁଇଟି ଘଟଣା ମଧୢରେ ରହିଥିବା କେତେକ ମୌଳିକ ପ୍ରଭେଦକୁ ‘ସୋସିଆଲ ମିଡିଆ’ର ପଦାତିକ ବାହିନୀ ଦେଖି ପାରି ନ ଥାଆନ୍ତି, ଯାହା ଏକ ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଥାଏ।

ପ୍ରଥମ କଥା ହେଲା, ୧୯୬୯ ମସିହା ବେଳକୁ କେନ୍ଦ୍ରରେ କ˚ଗ୍ରେସର ଶାସନ ପ୍ରାୟ ନିରଙ୍କୁଶ ଥିଲା ଏବ˚ ପଣ୍ତିତ ଜଵାହରଲାଲ ନେହରୁଙ୍କ କନ୍ୟା ରୂପେ ଇନ୍ଦିରା ଗାନ୍ଧୀ ଥିଲେ ଅତ୍ୟନ୍ତ ଲୋକପ୍ରିୟ; ଯାହା ବର୍ତ୍ତମାନର କ˚ଗ୍ରେସ ଏବ˚ ତାର ନେତା ରାହୁଳ ଗାନ୍ଧୀଙ୍କ ସକାଶେ ସ˚ପୂର୍ଣ୍ଣ ଅନୁପଲବ୍‌ଧ। ଦ୍ବିତୀୟରେ, ତତ୍କାଳୀନ କ˚ଗ୍ରେସରେ ‘ସିଣ୍ତିକେଟ୍‌’ ଥିଲା ଅତ୍ୟନ୍ତ ପ୍ରଭାବଶାଳୀ, ଯାହା ସାମନ୍ୟ ଅପ୍ରତିଭ ଏବଂ ଲଜ୍ଜାଶୀଳା ଇନ୍ଦିରା ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପଦରେ ଅବସ୍ଥାପିତ କରି ସଖୀ କଣ୍ଢେଇ ରୂପେ ବ୍ୟବହାର କରିବାର ଅଭିସନ୍ଧି ପୋଷଣ କରିଥିଲା; ଅଥଚ ବର୍ତ୍ତମାନର ସ୍ଥିତି ଏହାର ସ˚ପୂର୍ଣ୍ଣ ବିପରୀତ ଏବ˚ ‘ଜି-୨୩’ ପ୍ରଭାବଶାଳୀ ହେବା ତ ଦୂରର କଥା, ତାହା ଏବେ ସୀମାନ୍ତରିତ। ତୃତୀୟରେ, ଇନ୍ଦିରା ଗାନ୍ଧୀଙ୍କ ରାଜନୈତିକ ଅନଭିଜ୍ଞତା ସତ୍ତ୍ବେ ତାଙ୍କ ଚାତୁର୍ଯ୍ୟ ତଥା ଏକ ଜାଗ୍ରତ ରାଜନୈତିକ ଷଷ୍ଠେନ୍ଦ୍ରିୟ ତାଙ୍କୁ ଭାରତୀୟମାନଙ୍କ ନାଡ଼ି ପରଖି ପାରିବାର ସାମର୍ଥ୍ୟ ପ୍ରଦାନ କରିଥିଲା; ଯେଉଁ କାରଣରୁ ବୋଲ ମାନି ନଥିବା ଇନ୍ଦିରାଙ୍କୁ ଶାସ୍ତି ଦେବା ଲାଗି ‘ସିଣ୍ତିକେଟ୍‌’ ପକ୍ଷରୁ ତାଙ୍କ ପ୍ରାଥମିକ ସଦସ୍ୟତା ରଦ୍ଦ କରି ଦିଆଯିବା ସତ୍ତ୍ବେ ସେ ପ୍ରଧାନମନ୍ତ୍ରୀ ପଦ ତ୍ୟାଗ ନ କରି ଅତ୍ୟନ୍ତ ବିଚକ୍ଷଣତାର ସହିତ ନିଜର ସମର୍ଥକମାନଙ୍କୁ ଘେନି ଦଳରେ ବିଭାଜନ ଘଟାଇ ଦେଇଥିଲେ ଏବ˚ ବାମପନ୍ଥୀଙ୍କ ସମେତ ଅନ୍ୟ କେତେକ ଦଳର ସମର୍ଥନ ଠୁଳ କରି ସ˚ସଦରେ ଆସ୍ଥା ଭୋଟ ଜିଣିବାରେ ସଫଳ ହୋଇଥିଲେ। ତା’ ପରେ ତୁରନ୍ତ ଏକ ମଧୢବର୍ତ୍ତୀ କାଳୀନ ନିର୍ବାଚନ ଅନୁଷ୍ଠିତ କରି ନିଜ ଅ˚ଶର କ˚ଗ୍ରେସ ସକାଶେ ଏକ ଚମକପ୍ରଦ ବିଜୟ ମଧ୍ୟ ହାସଲ କରିଥିଲେ।

କହିବା ଅନାବଶ୍ୟକ ଯେ କ˚ଗ୍ରେସ (ଓ) ନାମ ବହନ କରିଥିବା ‘ସିଣ୍ତିକେଟ୍‌’ ଦ୍ବାରା ପରିଚାଳିତ କ˚ଗ୍ରେସର ଅ˚ଶଟି ଅବଲୀଳା କ୍ରମେ ଅସ୍ତିତ୍ବ ହରାଇଥିଲା। ସେହି ଦୃଷ୍ଟିରୁ ବିଚାର କଲେ ପ୍ରଶ୍ନ ଉଠେ ଇନ୍ଦିରାଙ୍କ ନିକଟରେ ଥିବା ରାଜନୈତିକ ଚାତୁର୍ଯ୍ୟ, ନିଷ୍ଠା, ଅକୁଣ୍ଠ ପରିଶ୍ରମ କରିବାର ଆଗ୍ରହ, ଜନପ୍ରିୟତା ଏବ˚ ସାଧାରଣ ଭାରତୀୟଙ୍କ ନାଡ଼ି ପଢ଼ି ପାରିବାର ଦକ୍ଷତା ରାହୁୁଳ ଗାନ୍ଧୀଙ୍କ ନିକଟରେ ଅଛି କି? ଚତୁର୍ଥରେ, ୧୯୬୯ ମସିହାରେ କ˚ଗ୍ରେସ ଥିଲା ଏକ ଶକ୍ତିଶାଳୀ ଏବ˚ ପ୍ରାୟ ନିରଙ୍କୁଶ କ୍ଷମତାର ଅଧିକାରୀ ଶାସକ ଦଳ, ଯହିଁରେ ସ୍ବାଭାବିକ ଭାବେ ଇନ୍ଦିରାଙ୍କୁ ମିଳିଥିଲା ଏକ ଅନୁକୂଳ ସମୟର ଆଶୀର୍ବାଦ, ଯାହା ବର୍ତ୍ତମାନର ବିଧ୍ବସ୍ତପ୍ରାୟ କ˚ଗ୍ରେସ ପାଇଁ ଆଶା କରିବା ବୃଥା। ସ˚ପ୍ରତି କ˚ଗ୍ରେସ ସମ୍ମୁଖରେ ଥିବା ହିମାଳୟତୁଲ୍ୟ ସମସ୍ୟା ଦୃଷ୍ଟିରୁ ‘ଜି-୨୩’କୁ ‘ସିଣ୍ତିକେଟ୍‌’ ତୁଲ୍ୟ ମୂଲ୍ୟହୀନ କରି ଦିଆଯିବା ଯେ ଅଦୂରଦର୍ଶୀ ହେବ, ତାହା କ˚ଗ୍ରେସର ବର୍ତ୍ତମାନର ଯୁବ ପ୍ରାଣ ନେତୃତ୍ବ ହୃଦୟଙ୍ଗମ କରିବା ଆବଶ୍ୟକ। ସେହି କ୍ରମରେ ‘ଜି-୨୩’ ଦ୍ବାରା ପ୍ରଦତ୍ତ ସଂସ୍କାରମୂଳକ ପ୍ରସ୍ତାବଗୁଡ଼ିକୁ ବିଚାର ଲାଗି ଗ୍ରହଣ କରାଯିବା ମଧ୍ୟ ଉଚିତ। ପ୍ରତିକୂଳ ସମୟରେ ମାର୍ଗ-ଦର୍ଶନର ଅନିବାର୍ଯ୍ୟତା ସୃଷ୍ଟି ହୋଇଥାଏ। ଅବଶ୍ୟ, କ˚ଗ୍ରେସ ଦଳରେ ଦୀର୍ଘ କାଳ ସ˚ପୃକ୍ତ ରହିବା ସହିତ କେନ୍ଦ୍ରରେ ଗୁରୁତ୍ବପୂର୍ଣ୍ଣ ବିଭାଗରେ ଅନେକ ବର୍ଷ ଧରି ମନ୍ତ୍ରୀ ରହିଥିବା ‘ଜି-୨୩’ର ଅନେକ ନେତା ଯଦିଓ ବ୍ୟକ୍ତିଗତ ଭାବେ ନିଜ ନିଜର ଜନାଧାର ସୃଷ୍ଟି କରିପାରି ନାହାନ୍ତି ଓ ସେହି କାରଣରୁ କ୍ରମେ ନିଜକୁ ଅପା˚କ୍ତେୟ କରି ପକାଇଛନ୍ତି, ତଥାପି ସେମାନଙ୍କ ଅଭିଜ୍ଞ ପରାମର୍ଶ ଦଳ ଲାଗି ଉପଯୋଗୀ ସାବ୍ୟସ୍ତ ହୋଇପାରେ।

କହିବା ଅନାବଶ୍ୟକ ଯେ ୧୯୬୯ ପରେ ଇନ୍ଦିରା ଗାନ୍ଧୀ ତାଙ୍କ ଦ୍ବାରା ସୃଷ୍ଟ ଏବ˚ ତାଙ୍କ ନେତୃତ୍ବାଧୀନ କ˚ଗ୍ରେସର ଅ˚ଶକୁ ତାଙ୍କ ମାଲିକାନା ଅଧୀନସ୍ଥ ବୋଲି ବିଚାର କରିବା ଆରମ୍ଭ କରିଥିଲେ, ଯେଉଁ ଧାରା ଉତ୍ତରାଧିକାରୀ ସୂତ୍ରରେ ତାଙ୍କ ପୌତ୍ର ରାହୁଳ ଗାନ୍ଧୀଙ୍କ ପର୍ଯ୍ୟନ୍ତ ଅବ୍ୟାହତ ରହିଛି। ଏହି ‘ମାଲିକତ୍ବ’ର ମନୋଭାବ ଇନ୍ଦିରାଙ୍କ କନିଷ୍ଠ ପୁତ୍ର ସ˚ଜୟ ଗାନ୍ଧୀଙ୍କୁ କ୍ଷମତା ପ୍ରମତ୍ତ, ଉଗ୍ର ଓ ସ˚ଭ୍ରମହୀନ କରି ପକାଇଥିଲା, ରାଜନୈତିକ ଭାବେ ସ˚ପୂର୍ଣ୍ଣ ଅସ˚ପୃକ୍ତ ରାଜୀବ ଗାନ୍ଧୀଙ୍କୁ ଘଟଣା ଚକ୍ରରେ କ˚ଗ୍ରେସର ଶିଖରରେ ବସାଇ ଥିଲା ଏବ˚ ରାହୁଳ ଗାନ୍ଧୀଙ୍କୁ ତାଙ୍କ ରାଜନୈତିକ ଅପରିପକ୍ବତା ଏବ˚ ନିଷ୍ଠାହୀନତା ସତ୍ତ୍ବେ ଦଳର ସର୍ବମୟ ନାୟକରେ ପରିଣତ କରିଛି। କେବଳ ସେତିକି ନୁହେଁ, ଏହା ଦ୍ବାରା ଦଳ ମଧୢରେ ଆନୁଗତ୍ୟର ଏଭଳି ଏକ ଦୁର୍ବାର ଅଭ୍ୟାସ ସୃଷ୍ଟି ହୋଇଛି ଯେ ଗାନ୍ଧୀ ପରିବାର ବିନା ଦଳ ଯେମିତି ଗୋଟିଏ ପାଦ ଅଗ୍ରଗତି କରିବାକୁ ଅକ୍ଷମ ଏବଂ ସେହି କାରଣରୁ ରାହୁଳଙ୍କ ଏକାଧିପତ୍ୟକୁ ପ୍ରଶ୍ନ କରୁଥିବା ଯେ କୌଣସି ବ୍ୟକ୍ତି (ଜି-୨୩) ଦଳ ଲାଗି ଅସ୍ପୃଶ୍ୟ।

ଏହି ଦୃଷ୍ଟିରୁ ଆସନ୍ତା ଅକ୍‌ଟୋବର ମାସରେ ହେବାକୁ ଥିବା କ˚ଗ୍ରେସ ଅଧୢକ୍ଷ ନିର୍ବାଚନ ପରିପ୍ରେକ୍ଷୀରେ ‘ଜି-୨୩’ର ଆଉ ଜଣେ ସଦସ୍ୟ ମନୀଷ ତିଵାରିଙ୍କ ଦ୍ବାରା ସଦ୍ୟ ପ୍ରଦତ୍ତ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଯେ ଆଗାମୀ କଂଗ୍ରେସ ଅଧୢକ୍ଷ ନିର୍ବାଚନରେ ଭୋଟ ଦେବାକୁ ଯୋଗ୍ୟ ‘ଇଲେକ୍ଟର’ମାନଙ୍କ ତାଲିକା ଦଳର େଵବ୍‌ସାଇଟ୍‌ରେ ପ୍ରକାଶିତ ପାଉ; କେତେ ଦୂର ଦଳ ଦ୍ବାରା ଗ୍ରହଣୀୟ ହେବ, ସେ ନେଇ ଯଥେଷ୍ଟ ସନ୍ଦେହ ରହିଛି। କିନ୍ତୁ ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ତାହା ଦଳୀୟ ନିର୍ବାଚନକୁ ଅଧିକ ସ୍ବଚ୍ଛ କରନ୍ତା।
ସୁତରାଂ, ଏଭଳି ପ୍ରସ୍ତାବକୁ ଗ୍ରହଣ ନ କରିବାର ବିଚାରବିଭ୍ରାଟ ଯଦି ପ୍ରକାଶ ପାଏ, ତେବେ ତାହା ଦୁର୍ଭାଗ୍ୟଜନକ ବୋଲି କହିବାକୁ ହେବ।

କ˚ଗ୍ରେସର ସ୍ଥିତି ନେଇ ଆଲୋଚନା ବେଳେ ଲଘୁ ପରିହାସ ଛଳରେ ଶୁଭିଥାଏ ଯେ ହସ୍ତ ରେଖା ବିଶାରଦମାନେ କ˚ଗ୍ରେସର ନିର୍ବାଚନ ଚିହ୍ନ ହାତ ପାପୁଲିଟିରେ ଭାଗ୍ୟ ରେଖାଟିକୁ ନ ପାଇ ଦଳର ଘୋର ଦୁର୍ଭାଗ୍ୟ ନେଇ ଭବିଷ୍ୟବାଣୀ କରୁଛନ୍ତି। କିନ୍ତୁ ବାସ୍ତବାଦୀମାନେ କହିଥାଆନ୍ତି ଯେ ବିଚକ୍ଷଣତା, ନିଷ୍ଠା, ପରିଶ୍ରମ ଏବ˚ ଦୂରଦର୍ଶିତା ବଳରେ ଭାଗ୍ୟ ରେଖା ନ ଥିବା ସତ୍ତ୍ବେ ସୌଭାଗ୍ୟ ସୃଷ୍ଟି କରାଯାଇପାରେ। କ˚ଗ୍ରେସର ପାପୁଲି ବାସ୍ତବାଦୀମାନଙ୍କ ବିଶ୍ବାସର ଏକ ଉଜ୍ଜ୍ବଳ ନିଦର୍ଶନ ହେଉ; ତାହା ହେଲେ କେବଳ ଦଳ ଲାଗି ନୁହେଁ, ଦେଶ ଲାଗି ମଧୢ ତାହା ମଙ୍ଗଳକାରୀ ହେବ।

ସମ୍ବନ୍ଧିତ ଖବର