ପରିଣତ ବୟସରେ ବହିପଢ଼ା

ପ୍ରଶାନ୍ତ ଚନ୍ଦ୍ର ପଟ୍ଟନାୟକ

ବାଳକ ଓ କିଶୋର ଏପରିକି ତରୁଣ ବୟସରେ ବହି ପଢ଼ିବା ପାଇଁ ଯେଉଁ ଆଗ୍ରହ ଓ ଅଭ୍ୟାସ ଥିଲା, ବୟସ ବଢ଼ିବା ସହିତ ତାହା ମଉଳିଗଲା। ନିଜ ମାତୃଭାଷା ଓଡ଼ିଆ ହେଉ ବା ବଙ୍ଗଳା ବା ଇଂରେଜୀ; ଅନେକ ବହି ଏକା ନିଃଶ୍ବାସରେ ପଢ଼ି ହୋଇ ଯାଉଥିଲା। ଏବେ କିନ୍ତୁ ବୃହତ୍‌ କଳେବରଯୁକ୍ତ ବହି ପଢ଼ିବା ପାଇଁ ଧୈର୍ଯ୍ୟ ରହୁନାହିଁ। କଲେଜରେ ପଢ଼ିବା ବେଳେ ପାଠ ବହି ବ୍ୟତୀତ ଅନ୍ୟ ବହି ପଢ଼ିବା ଲାଗି ଅଧ୍ୟାପକମାନେ ଉପଦେଶ ଦେଉଥିଲେ। ମନେ ଅଛି ସ୍ନାତକ ଶ୍ରେଣୀରେ ପଢ଼ିବା ବେଳେ ଜଣେ ଅଧ୍ୟାପକ ମୋତେ କହିଥିଲେ ଯେ ଲେଖିବାର ଶୈଳୀ ଆହରଣ କରିବା ପାଇଁ ଯେଉଁ ଲେଖକଙ୍କ ବହି ପ୍ରତି ରୁଚି ରହିଛି, ତାଙ୍କର ସବୁ ବହି ପଢ଼ି ପକାଅ। ଇଂରେଜୀ ଔପନ୍ୟାସିକ ଥମାସ୍‌ ହାର୍ଡିଙ୍କ ବହି ଆମ କଲେଜ ପାଠ୍ୟକ୍ରମରେ ନ ଥିଲା, କିନ୍ତୁ ସେହି ଅଧ୍ୟାପକଙ୍କ ପରାମର୍ଶ କ୍ରମେ ମୁଁ ଥମାସ୍‌ ହାର୍ଡିଙ୍କ ସବୁ ବହି ପଢ଼ି ଦେଇଥିଲି।

ପରିଣତ ବୟସରେ ଅନେକ ଲୋକ ଭାବନ୍ତି ଯେ ଉତ୍ତୀର୍ଣ୍ଣ ବୟସରେ ବହି ପଢ଼ି ଲାଭ କ’ଣ? ଏହି ବୟସରେ ଆଧ୍ୟାତ୍ମିକତା ପ୍ରତି ମନ ଢଳୁଥିବାରୁ ଧର୍ମ ଗ୍ରନ୍ଥ ପଢ଼ିବା ପ୍ରତି ଆଗ୍ରହ ସୃଷ୍ଟି ହୁଏ। ଟେବୁଲ ଉପରେ ଗୀତା ଓ ଭାଗବତ, ଉପନିଷଦ୍‌ ଓ ସାଧୁସନ୍ଥଙ୍କ ଜୀବନୀ ପୁସ୍ତକମାନ ରହେ। କିନ୍ତୁ ଜଣେ ଜାପାନୀ ଦାର୍ଶନିକ ବୟସ୍କମାନଙ୍କ ଏହି ଗୁଣକୁ ଉପଲକ୍ଷ୍ୟ କରି କହିଛନ୍ତି ଯେ ବିଭିନ୍ନ ପ୍ରକାର ପୁସ୍ତକ ଅଧ୍ୟୟନ ପ୍ରତି ଏଭଳି ବିତୃଷ୍ଣା ମସ୍ତିଷ୍କକୁ ଶିଥିଳ କରି ଦେଇଥାଏ। ତେଣୁ ବିଭିନ୍ନ ପ୍ରକାର ବହି ପଢ଼ିବାର ଅଭ୍ୟାସକୁ ବଞ୍ଚାଇ ରଖିବା ଉଚିତ। ଅବସର ନେବା ପରେ ଦିନେ ଆଗ୍ରହ ସୃଷ୍ଟି ହେଲା ଯେ କାଳିଦାସ, ମାଘ, ଭବଭୂତି, ବାଲ୍ମିକୀ ଓ ବ୍ୟାସ ଇତ୍ୟାଦିଙ୍କୁ ପଢ଼ିବି। ଜଣେ ଅଧ୍ୟାପକ ବନ୍ଧୁ ଏହା ଜାଣି ମୋ ପାଇଁ କାଳିଦାସଙ୍କ ଓଡ଼ିଆ ଅନୁବାଦ ବହି ଆଣି ଦେଲେ। କାଳିଦାସଙ୍କୁ ପଢ଼ିଲା ବେଳେ ଉପଲବ୍‌ଧି କଲି ଯେ ସତରେ କାଳିଦାସଙ୍କୁ ପଢ଼ି ନ ଥିଲେ ହୁଏ’ତ ଏ ଜୀବନ ଅପୂର୍ଣ୍ଣ ରହିଯାଇଥାଆନ୍ତା। ଆମେମାନେ ସଂସ୍କୃତ ଭାଷା ବୁଝି ପାରନ୍ତି ନାହିଁ ବୋଲି ଅନେକ ଅମର ତଥା ଯୁଗାନ୍ତକାରୀ କ୍ଲାସିକ୍‌ ପାଠ କରିବାର ସୁଖ ଓ ସୌଭାଗ୍ୟରୁ ବଞ୍ଚିତ ହୋଇ ରହିଛୁ। ଆମ ପାଠ୍ୟକ୍ରମ ଏମିତି ଯେ ତାହା ଆମକୁ ସଂସ୍କୃତରେ ସାମନ୍ୟ ଜ୍ଞାନ ଦେଇଥାଏ ବା ଆଦୌ କୌଣସି ଜ୍ଞାନ ଦେଇ ନ ଥାଏ; କିନ୍ତୁ ଇଂରେଜୀରେ ଧୁରନ୍ଧର କରି ପକାଏ। ସୁତରାଂ, ଆମେ ଇଂରେଜୀ ଭାଷାରେ ବିଶ୍ବ ସାହିତ୍ୟ ପଢୁ ବା ବିଭିନ୍ନ କ୍ଲାସିକ୍‌ ପଢ଼ିପାରୁ, କିନ୍ତୁ ଆମ ନିଜ ଦେଶର ଆଦି-ଭାଷାରେ ଲିଖିତ ଅନିର୍ବଚନୀୟ ଶାସ୍ତ୍ରମାନ ପଢ଼ି ପାରୁନା (ପୁଣି ବିଡ଼ମ୍ବନା ହେଲା ବେଦ ବା ଉପନିଷଦ୍‌ ବା ଗୀତାର ଇଂରେଜୀ ତର୍ଜମା ପଢ଼ିବାକୁ ହୁଏ)। ଏବେ ମୁଁ ଭାବୁଛି ଆମ ପିଲାମାନଙ୍କ ଲାଗି ସଂସ୍କୃତ ଶିକ୍ଷା ପ୍ରତି ଆଗ୍ରହ ଜାତ କରାଯିବା ନିହାତି ଜରୁରୀ।

ବୟସ୍କ ଲୋକଙ୍କ ପକ୍ଷରେ ଏକାଦିକ୍ରମେ ଘଣ୍ଟା ଘଣ୍ଟା ଧରି ପଢ଼ିବା ସମ୍ଭବ ହୋଇ ନ ଥାଏ। ସେମାନଙ୍କୁ ଭାଗବତର ବାଣୀକୁ ଶୁଣିବାକୁ ହେବ ଯେ ‘ଅଳପ ଅଳପ ସାଧିବ’। ତେଣୁ ପ୍ରତି ଦିନ ଅଳ୍ପ ଅଳ୍ପ ପଢ଼ିବାର ଅଭ୍ୟାସ ହିଁ ମହତ୍ତ୍ବପୂର୍ଣ୍ଣ। ଆଳସ୍ୟ ଓ ତନ୍ଦ୍ରା ବୟସ୍କମାନଙ୍କ ସକାଶେ ଏକ ବଡ଼ ସମସ୍ୟା। ସମ ବୟସୀ ବନ୍ଧୁମାନେ ଦେଖା ହେଲେ ପଚାରନ୍ତି- ‘ଟାଇମ୍‌ ପାସ୍‌’ ପାଇଁ କ’ଣ କରୁଛ? ଆମମାନଙ୍କ ଭିତରୁ ଅନେକ ‘ଟାଇମ୍‌ ପାସ୍‌’ ପାଇଁ ଟେଲିଭିଜନ୍‌ର ଆଶ୍ରୟୀ। ସେଥିରେ କିଛି ଭୁଲ୍‌ ନାହିଁ, କିନ୍ତୁ ଟେଲିଭିଜନ୍‌ ବି କିଛି ସମୟ ପରେ ବିରକ୍ତି ଜାତ କରେ। ସେତିକି ବେଳେ ଖବରକାଗଜ ପଢ଼ିବାର ଅଭ୍ୟାସ ମନକୁ ପ୍ରଫୁଲ୍ଲ କରିଥାଏ। ତେଣୁ ସେହି ସୂତ୍ରରେ ପ୍ରତିଦିନ କିଛି କିଛି ପୁସ୍ତକ ପଠନର ଅଭ୍ୟାସ ମଧ୍ୟ ପରିଣତ ବୟସରେ ଅଲଗା ପୁଲକ ଜଗାଇପାରେ। ତେଣୁ ଆମ ଭଳି ଅନେକ ଯେଉଁମାନେ ଅତୀତରେ ବହୁତ ବହି ପଢୁଥିଲେ ଓ ପରେ ଜୀବନର ସଂଘର୍ଷରେ ବା ବୃତ୍ତିର ଚାପରେ ପଢ଼ିବାର ଅଭ୍ୟାସରୁ ଦୂରେଇ ଗଲେ; ଏବେ ପୁଣି ବହି ପଢ଼ା ଆରମ୍ଭ କରନ୍ତୁ।

ଶେଷରେ ବହି ପଢୁଥିବା ବ୍ୟକ୍ତି ବା ପୁସ୍ତକପ୍ରେମୀଙ୍କ ଏକ ବାସ୍ତବ ଚିନ୍ତା ଉପରେ ଦୃଷ୍ଟି ପକାଇବା। ତାହା ହେଉଛି ଜୀବନ କାଳ ଭିତରେ କିଣା ଯାଇଥିବା ଅସୁମାରି ବହିଗୁଡ଼ିକର କ’ଣ କରାଯିବ? ସେମାନଙ୍କ ଅନ୍ତେ ବହିଗୁଡ଼ିକ କି ଦଶା ଭୋଗିବେ? ଯେଉଁମାନଙ୍କ ପିଲା ବା ଉତ୍ତରାଧିକାରୀଗଣ ପଠନପ୍ରିୟ ସେମାନେ ଭାଗ୍ୟବାନ। କିନ୍ତୁ ଅଧିକାଂଶ କ୍ଷେତ୍ରରେ ତାହା ଘଟି ନ ଥାଏ। ସେଭଳି ସ୍ଥଳେ ପୁସ୍ତକଗୁଡ଼ିକୁ ସାଇତି ରଖିବାର ଲୋଭ ସମ୍ବରଣ କରି ସମୟ ଥାଉଁ ଥାଉଁ ସେ ସବୁକୁ କୌଣସି ଯୋଗ୍ୟ ପୁସ୍ତକପ୍ରେମୀ ବା କୌଣସି ପାଠାଗାରକୁ ଦେଇ ଦେବା ଉଚିତ। ଅନେକ ଲୋକଙ୍କ ସଯତ୍ନ ସାଇତା ବହି ସେମାନଙ୍କ ଅନ୍ତେ ଠୁଙ୍ଗା ବାଲାଙ୍କୁ ବିକ୍ରି କରି ଦିଆଯାଏ। ସେଭଳି ସ୍ଥଳେ ଠୁଙ୍ଗା ବାଲାଙ୍କ ଠାରୁ ଅବଲୀଳା କ୍ରମେ ବହିଗୁଡ଼ିକ ପୁରୁଣା ବହି ବିକ୍ରି କରୁଥିବା ଦୋକାନରେ ପହଞ୍ଚି ପୁଣି ପୁସ୍ତକପ୍ରେମୀଙ୍କ ହାତକୁ ଫେରି ଯାଇପାରେ। ଫୁଟପାଥରେ ବିକ୍ରି ହେଉଥିବା ଅ‌ନେକ ପୁରୁଣା ବହିରେ ପ୍ରସିଦ୍ଧ ଲେଖକମାନଙ୍କ ଦସ୍ତଖତ ଥାଏ, ଯାହାର ଅର୍ଥ ଏକଦା ସେହି ଲେଖକମାନଙ୍କ ନିଜ ପଢ଼ା ଆଲମାରିର ଥିବା ବହି ଠୁଙ୍ଗା ବାଲା ହାତ ଦେଇ ପୁରୁଣା ବହି ଦୋକାନରେ ପହଞ୍ଚିଛି। ଅନେକ ପୁସ୍ତକପ୍ରେମୀ ଶସ୍ତାରେ ଭଲ ଏପରିକି ବିରଳ ବହି ପାଇବା ଲାଗି ପୁରୁଣା ବହି ଦୋକାନକୁ ଯାଆନ୍ତି, ସେମାନେ ସେହି ପୁସ୍ତକ କିଣନ୍ତି। କିନ୍ତୁ ସବୁ ବହିଙ୍କୁ ଏଭଳି ସୌଭାଗ୍ୟ ଜୁଟି ନ ଥାଏ। କୌଣସି ଠୁଙ୍ଗାବାଲା ହୁଏ’ତ କୌଣସି ବିରଳ ଶାସ୍ତ୍ରର ଅନ୍ତ ଫାଡ଼ି ଠୁଙ୍ଗା ତିଆରି କରି ପକାଉଥିବା ମଧ୍ୟ ସମ୍ଭବ, ଯହିଁରେ ଆମେ ଚିନାବାଦାମ ବା ଝାଲମୁଢ଼ି ଯେ ଖାଉ ନ ଥିବା ତାହା କିଏ କହିବ?
ମୋ: ୯୮୫୩୩୩୫୯୬୨

ସମ୍ବନ୍ଧିତ ଖବର