ଚେତନାର ଚିତ୍ରକର

୧୯୫୬ ମସିହା। କଟକ ଆଇନ ମହାବିଦ୍ୟାଳୟ ଛାତ୍ର ସ˚ସଦର ସଭାପତି ଥିବା ଯୁବକଙ୍କୁ ଷ୍ଟେଟ ବ୍ୟାଙ୍କ ଘେରଉ ଅଭିଯୋଗରେ ପୁଲିସ ଗିରଫ କରି ଲାଲବାଗ ଥାନାକୁ ନେଇଗଲେ। ସକାଳୁ କପେ ଚା କେବଳ ସେହି ଛାତ୍ରନେତାଙ୍କୁ ମିଳିଥିଲା, ତାହା ପରେ ଅନ୍ୟ କିଛି ଜଳଖିଆ ନାହିଁ। ଯୁବକ ଜଣକ ଭାବୁ ଥାଆନ୍ତି କେତେ ସମୟ ଏଇ ଥାନାରେ ଏମିତି ବସି ରହିବାକୁ ପଡ଼ିବ କିଏ ଜାଣେ? ମଧୢାହ୍ନ ଭୋଜନ ସମୟ ବେଳକୁ ଲାଲବାଗ ଥାନାର ଅଫିସର ଇନଚାର୍ଜ ଆସି ଏହି ଛାତ୍ରନେତାଙ୍କୁ ତାଙ୍କ ଘରକୁ ଡାକି ନେଲେ। ସେଠି ଟେବୁଲ ଉପରେ ଦିବ୍ୟ ଭୋଜନ ବଢ଼ା ହୋଇ ରହିଥାଏ। ଖାଇ ବସିଲା ପୂର୍ବରୁ କ୍ଷୁଧାର୍ତ୍ତ ଯୁବକ ଜଣକ ପଚାରିଲେ, ‘ଥାନାରେ କ’ଣ ବନ୍ଦୀମାନଙ୍କୁ ଏମିତି ଖାଇବାକୁ ମିଳେ?’ ଅଫିସର ଇନଚାର୍ଜ ପଙ୍ଖା କରି ଦେଉ ଦେଉ କହିଥିଲେ, ‘ଥାନା ଏସବୁ ବ୍ୟବସ୍ଥା କରିନାହିଁ। ମୋ ସ୍ତ୍ରୀ ଆପଣଙ୍କର ଜଣେ ମୁଗ୍‌ଧ ପାଠିକା। ସିଏ ହିଁ ଆପଣଙ୍କ ପାଇଁ ବରାଦ ଦେଇ ଏସବୁ କରିଛନ୍ତି।’ ସେଦିନ ଲାଲବାଗ ଥାନା ଅଫିସରଙ୍କ ସାହିତ୍ୟାନୁରାଗିଣୀ ପତ୍ନୀ ଯେଉଁ ବାଇଶି ବର୍ଷର ଯୁବ କଥାକାରଙ୍କ ପାଇଁ ଆଦରରେ ଏଭଳି ଖାଇବା ବାଢ଼ି ଦେଇଥିଲେ ସିଏ ଥିଲେ ମନୋଜ ଦାସ, ଭାରତୀୟ କଥା ସାହିତ୍ୟର ଆଧୁନିକ ବିଷ୍ଣୁ ଶର୍ମା, କୋଟି କୋଟି ହୃଦୟର ଶ୍ରଦ୍ଧାସିକ୍ତ ଉଚ୍ଚାରଣ, ଆଦ୍ୟ ଯୌବନରୁ ଉଜ୍ଜ୍ବଳ ପ୍ରତିଭାର ପରିଚୟ ଦେଇ ପାରିଥିବା ଅନନ୍ୟ କଥାଶିଳ୍ପୀ ଯିଏ ଚୈତ୍ର ପୂର୍ଣ୍ଣିମାର ଆଲୋକିତ ସନ୍ଧ୍ୟାକୁ ବିଷାଦର କଳା ବଉଦରେ ମ୍ଳାନ କରି ଆମ ଗହଣରୁ ବିଦାୟ ନେଇଛନ୍ତି।

ଭାରତୀୟ ସାହିତ୍ୟର ଶିଖର ପୁରୁଷ ମନୋଜ ଦାସଙ୍କ ବିୟୋଗରେ ବିଶ୍ବ କଥା ସାହିତ୍ୟ ଜଣେ ସମର୍ଥ ସବ୍ୟସାଚୀଙ୍କୁ ହରେଇଛି। ବହୁ ବର୍ଷ ତଳେ ଇଂରାଜୀ ଲେଖକ ରସ୍କିନ୍‌ ବଣ୍ତ କହିଥିଲେ, “ପୃଥିବୀରେ ଆଜି ଅଳ୍ପ କେତେ ଜଣ କଥାକାର ଅଛନ୍ତି ଏବ˚ ମନୋଜ ଦାସ ତାଙ୍କ ଭିତରୁ ଜଣେ।” ମନୋଜଙ୍କ ଗଳ୍ପ ଲେଖିବା ଶୈଳୀରେ ଏଭଳି ଅଦ୍ଭୁତ ସମ୍ମୋହନ ଶକ୍ତି ଥିଲା, ଯାହା ଷାଠିଏ ବର୍ଷର ବୟସ୍କ ମଣିଷରୁ ନେଇ ସାତ ବର୍ଷର ପିଲାକୁ ସୁଦ୍ଧା‌ ଉତ୍କୀର୍ଣ୍ଣ ହୋଇ ଶୁଣିବାକୁ ବାଧୢ କରୁଥିଲା। ତାଙ୍କ କଥା କହିବାର ଶୈଳୀକୁ ସେ ‘କଥା ସରିତ ସାଗର’ ପରମ୍ପରାରୁ ଆହରଣ କରିଥିଲେ, ଯେଉଁଥିରେ ମଣିଷ ଭିନ୍ନ ପଶୁପକ୍ଷୀ, ଗଛଲତା ଏପରିକି ବହୁଥିବା ପବନକୁ ମଧୢ ପାତ୍ରପାତ୍ରୀ ଭାବେ ଅବତୀର୍ଣ୍ଣ କରାଇ ପାରୁଥିଲେ। ମନୋଜ ଦାସ ବେଙ୍ଗ, ଗୁଣ୍ତୁଚି, ମାଙ୍କଡ଼ ଏବ˚ କୁମ୍ଭୀର ମାଧୢମରେ ମଣିଷର ଚେତନ ଓ ଅବଚେତନ ଉଭୟ ଜଗତ୍‌ର ରହସ୍ୟ ଅନାୟାସରେ ଉଦ୍‌ଘାଟନ କରିପାରୁଥିଲେ। ସତେ ଯେପରି ସିଏ ଥିଲେ ଏଭଳି ଜଣେ ତାନ୍ତ୍ରିକ, ଯିଏ ଜଡ଼କୁ ଚେତନା ଶକ୍ତି ଦେବା ସହ ଚଳମାନ ଦର୍ଶକ, ପାଠକ ଏବ˚ ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍‌ଧ କରି ରଖିଦେଉଥିଲେ। ପାଠକ ତାଙ୍କ ଗଳ୍ପ ପଢ଼ି ସାରିବା ପରେ ଯାଇ ଭାବିବାକୁ ଆରମ୍ଭ କରୁଥିଲା ଯେ ମନୋଜଙ୍କ ‘ଆବୁ ପୁରୁଷ’ ଗଳ୍ପର ଆବୁ କେବଳ ଶାରୀରିକ ଦୌର୍ବଲ୍ୟ ନୁହେଁ କି ‘ଆରଣ୍ୟକ’ର ବାର‌୍‌ହା ଜଙ୍ଗଲରେ ନୁହେଁ, ମଣିଷ ଭିତରେ ରହିଥିବା ବିକୃତ ଉଲ୍ଲାସର ବଣ ଭିତରେ ଲୁଚିରହିଅଛି। ସିଏ ମଣିଷର ଚେତନାର ଚିତ୍ରକାର, ତାର ସାମର୍ଥ୍ୟ-ଅସାମର୍ଥ୍ୟ, ସ୍ବପ୍ନ-ସ୍ବପ୍ନଭଙ୍ଗର ଭାଷ୍ୟକାର ଏବ˚ ଉଦ୍‌ଗମୀଷାର ଉଜ୍ଜ୍ବଳ ଉଦ୍‌ଗାତା। ମଣିଷ ମନ ଭିତରର ଏଭଳି କୌଣସି ରହସ୍ୟ ନାହିଁ, ଯାହାକୁ ମନୋଜଙ୍କ ତୀକ୍ଷ୍‌ଣ ଓ ଶାଣିତ ଦୃଷ୍ଟି ଉଦ୍‌ଘାଟନ କରିପାରିନାହିଁ।

ବିଖ୍ୟାତ ଆର.କେ. ନାରାୟଣ ଏବ˚ ଆର.କେ. ଲକ୍ଷ୍ମଣ ଭ୍ରାତା ଯୁଗଳଙ୍କ ପରି ଓଡ଼ିଶାରେ ବଡ଼ଭାଇ ମନ୍ମଥ ଦାସ ଏବ˚ ସାନଭାଇ ମନୋଜ ଦାସ ଭାରତର ବୌଦ୍ଧିକ ଜଗତ୍‌କୁ ବହୁ ଭାବରେ ସମୃଦ୍ଧ କରିଥିଲେ। ପ୍ରସିଦ୍ଧି, ପ୍ରତିଷ୍ଠା ଏବ˚ ଅବଦାନ ଯୋଗୁଁ ମନୋଜ ଦାସ ନିଜର ସମସାମୟିକଙ୍କ ସହ ଅଗ୍ରଜଙ୍କୁ ମଧୢ ଅତିକ୍ରମ କରିଯାଇଥିଲେ। ବାମପନ୍ଥୀ ଛାତ୍ର ଆନ୍ଦୋଳନ ଭିତରୁ ଆସିଥିବା ଏହି ସାରସ୍ବତ ପୁରୁଷ କିଭଳି ଶ୍ରୀଅରବିନ୍ଦ ଦର୍ଶନର ସମର୍ଥକ ଓ ପ୍ରଚାରକ ହୋଇପଡ଼ିଥିଲେ ତାହା ସେ ନିଜେ ବହୁବାର ନିଜ ବକ୍ତବ୍ୟରେ ଉଲ୍ଲେଖ କରିଛନ୍ତି। ବସ୍ତୁତଃ ଶ୍ରୀଅରବିନ୍ଦଙ୍କ ନିଜ ଜୀବନର ଘଟଣାକ୍ରମ ମଧ୍ୟ ଏହି ପ୍ରକାର ନାଟକୀୟ ପରିବର୍ତ୍ତନ ଦେଇ ଗତି କରିଥିଲା। ଆଜୀବନ ସାଧାରଣ ଜୀବନ ଯାପନ କରୁଥିବା ମନୋଜ ଦାସ ପଣ୍ତିଚେରୀର ଶ୍ରୀଅରବିନ୍ଦ ଆଶ୍ରମକୁ ନିଜର ସାଧନା ପୀଠ ଭାବେ ଗ୍ରହଣ କରିଥିଲେ। ସେ ଏକ ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ ତାଙ୍କ ଭିତରେ ମୁଣ୍ତ ଟେକୁଥିବା ପ୍ରଶ୍ନଗୁଡ଼ିକର ଉତ୍ତର ସେ ଶ୍ରୀଅରବିନ୍ଦ ଦର୍ଶନରୁ ପାଇବାଯୋଗୁଁ ଏହି ଦର୍ଶନ ପ୍ରତି ଆକୃଷ୍ଟ ହୋଇଥିଲେ। ଭାରତୀୟ କଥା ସାହିତ୍ୟର ଏଇ ବିରଳ ବିଷ୍ଣୁଶର୍ମା କେବଳ ସୃଜନ ନୁହେଁ ସଂଗଠନ ଏବଂ ସ˚ପାଦନାରେ ମଧୢ ଉଜ୍ଜ୍ବଳ କୀର୍ତ୍ତିମାନ ପ୍ରତିଷ୍ଠା କରିଥିଲେ। ‘ଦିଗନ୍ତ’ ପତ୍ରିକା ହେଉ କି ମାନ୍ଦ୍ରାଜରୁ ଦୀର୍ଘକାଳ ଧରି ପ୍ରକାଶିତ ‘ଜହ୍ନମାମୁଁ’ ହେଉ କିମ୍ବା ‘ଦ ହେରିଟେଜ’- ଏସବୁ ପତ୍ରିକା ସ˚ପାଦନା ସମୟରେ ମୂଲ୍ୟବୋଧ ସହ ସେ ସାଲିସ କରୁନଥିଲେ। ଏଥିପାଇଁ ‘ହେରିଟେଜ’ ପତ୍ରିକା କର୍ପୋରେଟ୍‌ ହାଉସ୍‌ର ବିଜ୍ଞାପନରୁ ବ˚ଚିତ ହୋଇଥିଲା ଏବ˚ ତାହା ଥିଲା ଏହି ପତ୍ରିକାର ଅକାଳ ତିରୋଧାନର ଅନ୍ୟ ଏକ କାରଣ। ମାତ୍ର ବ୍ୟବସାୟରେ ସଫଳତା ପାଇଁ ମଣିଷର ନିମ୍ନଚେତନାକୁ ଉତ୍ସାହିତ କରିବା ଏକ ଅପକର୍ମ ବୋଲି ସ˚ପାଦକ ମନୋଜ ବିଚାରୁଥିଲେ। ମଣିଷର ନୀଚ ପ୍ରବୃତ୍ତିକୁ ପୁଞ୍ଜି କରି ବ୍ୟବସାୟ ଚଳାଇବା ଘଟଣାକୁ ସେ ମାୟାବାଦ ଭିନ୍ନ ଅନ୍ୟ କିଛି ନୁହେଁ ବୋଲି ସ୍ପଷ୍ଟ ଭାବରେ କହୁଥିଲେ।

ମନୋଜ ଦାସ ନିଜ ସାଧନାର ସ୍ବୀକୃତି ଭାବେ ଭାରତବର୍ଷର ସବୁ ପୁରସ୍କାର ଏବ˚ ସମ୍ମାନ ଲାଭ କରିଥିଲେ। ପଦ୍ମଭୂଷଣ, ପଦ୍ମଶ୍ରୀ, ସରସ୍ବତୀ ସମ୍ମାନ, ସାହିତ୍ୟ ଏକାଡ଼େମୀର ମହତ୍ତର ସଦସ୍ୟ ପଦ, ଅତିବଡ଼ୀ ପୁରସ୍କାର- ଏସବୁ ସମ୍ମାନ ଓ ସମ୍ବର୍ଦ୍ଧନାର ତାଲିକା ଖୁବ୍‌ ଦୀର୍ଘ। ତାଙ୍କର ସୃଜନ ଜଗତ ମଧୢ ସେହିଭଳି ପ୍ରଶସ୍ତ ଓ ବିଚିତ୍ରବର୍ଣ୍ଣା ଥିଲା। ସେ ଏଭଳି ଜଣେ ଭାରତୀୟ ଲେଖକ ଥିଲେ ଯାହାଙ୍କୁ କିଶୋର, ତରୁଣ ଏବ˚ ବୃଦ୍ଧ ପ୍ରତ୍ୟେକ ପିଢ଼ି ସେମାନଙ୍କ ନିଜ ନିଜର ପ୍ରିୟ କଥାକାର ଭାବେ ଗ୍ରହଣ କରିଥିଲେ। ଫକୀରମୋହନ ସେନାପତି ପରବର୍ତ୍ତୀ ଓଡ଼ିଆ କଥା ସାହିତ୍ୟର ସେ ଯେଭଳି ଥିଲେ ସମର୍ଥ ଉତ୍ତରାଧିକାରୀ, ମୁଲକରାଜ ଆନନ୍ଦ, ଆର.କେ. ନାରାୟଣ, ରସ୍କିନ୍‌ ବଣ୍ତଙ୍କ ପରି ଭାରୋପୀୟ (ଇଣ୍ଡୋଆଙ୍ଗ୍ଲିଆନ୍‌) ଲେଖକମାନଙ୍କ ମଧୢରେ ଥିଲେ ସେହିପରି ସମସ୍ପର୍ଦ୍ଧୀ। ସେ ପୁଣି ଥିଲେ କଥକଙ୍କ ଭିତରେ ଦାର୍ଶନିକ ଏବ˚ ଦାର୍ଶନିକଙ୍କ ଭିତରେ କଥକ। ଏଭଳି ଜଣେ କଥକ-ଦାର୍ଶନିକ ଭାରତୀୟ ବୌଦ୍ଧିକ ମଣ୍ତଳରେ ଉଦ୍‌ଭାଷିତ ହେବା ପାଇଁ ବହୁଯୁଗ ଲାଗିଯିବ।

ସାହିତ୍ୟରଚନା ସହ ମନୋଜ ଦାସ ଥିଲେ ଜଣେ ଅଦ୍ଭୁତ ବାଗ୍ମୀ। ତାଙ୍କ ବକ୍ତୃତାର ସମ୍ମୋହନୀ ଶକ୍ତି ଏଭଳି ଥିଲା ଯେ ସେ ଯେଉଁଠାକୁ ଭାଷଣ ଦେବାକୁ ଯାଉଥିଲେ ସେଠାରେ ଭିଡ଼ ଲାଗିଯାଉଥିଲା। ବଡ଼ ବଡ଼ ରାଜନେତା ଏବ˚ ଶିଳ୍ପପତି ସୁଦ୍ଧା ସିଟ୍‌ ନ ପାଇ ପ୍ରେକ୍ଷାଳୟ ଚଟାଣରେ ବସି ମନୋଜ ଦାସଙ୍କ ବକ୍ତୃତା ଶୁଣୁଥିଲେ। ତାଙ୍କ ବକ୍ତୃତାର ଆବେଦନ ବୟସ ଓ ବୃତ୍ତି ନିର୍ବିଶେଷରେ ସଭିଙ୍କୁ ସ୍ପର୍ଶ କରୁଥିଲା, କାରଣ ସକଳ ବିଫଳତା ଓ ବିଡ଼ମ୍ବନା ସତ୍ତ୍ବେ ସେ ସମଗ୍ର ମଣିଷ ସମାଜ ଲାଗି ଏକ ଆଲୋକିତ ଭବିଷ୍ୟତର ସ୍ବପ୍ନ ଦେଖୁଥିଲେ। ଏଭଳି ଜଣେ ବିଦ୍ବାନ ବାଗ୍ମୀ, ସମର୍ଥ ଶବ୍ଦଶିଳ୍ପୀ ଏବ˚ ସାରସ୍ବତ-ସନ୍ନ୍ୟାସୀ ଦିନେ ଓଡ଼ିଶାରେ ଜନ୍ମଗ୍ରହଣ କରିଥିଲେ, ଭବିଷ୍ୟତରେ ଅନେକ ହୁଏତ ତାହା ବିଶ୍ବାସ କରିପାରିବେ ନାହିଁ। କୋଣାର୍କ ମନ୍ଦିର ପରି ମନୋଜ ଦାସ ଥିଲେ ଲୋକପ୍ରିୟତା ଓ କଳା କୁଶଳତାର ଅନନ୍ୟ ବିସ୍ମୟ, ଯିଏ ସବୁଦିନେ ନିଜର ଅନନ୍ୟ ଅବଦାନ ପାଇଁ ଆମର ସାମୂହିକ ସ୍ମୃତିରେ ଦେବୀପ୍ୟମାନ ହୋଇ ରହିଥିବେ।

ସମ୍ବନ୍ଧିତ ଖବର