ସମ୍ଭୋଗର ସୁଯୋଗ?

ୱିଲିଅମ୍ ସେକ୍‌ସପିଅର୍ ଇଂଲାଣ୍ଡ୍ ଓ ଇଂରେଜୀ ଭାଷାର କବି ଓ ନାଟ୍ୟକାର ହୋଇଥିଲେ ହେଁ ତାଙ୍କର ରଚନାବଳୀ ସମଗ୍ର ମାନବ ଜାତିର ପରିସ୍ଥିତି ଓ ପ୍ରବୃତ୍ତିର ପ୍ରତିନିଧିତ୍ବ କରିଥାଏ। ପୁରୁଷର କାମାତୁରତା ହେଉଛି ତା’ର ଶକ୍ତିଶାଳୀ ପ୍ରବୃତ୍ତିମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ। ଏହି ପ୍ରବୃତ୍ତି ଚରିତାର୍ଥ କରିବାର ଅଦମ୍ୟ ନିଶା ପୁରୁଷକୁ ସଙ୍ଗମ ପୂର୍ବରୁ ପଶୁ ତୁଲ୍ୟ ହିତାହିତ ଜ୍ଞାନଶୂନ୍ୟ କରିଦିଏ; ଯଦିବା ପର ମୁହୂର୍ତ୍ତରେ ସେ ସୃଷ୍ଟି କରିଥିବା ନର୍କ ପାଇଁ ଅନୁତାପ କରିଥାଏ। ଏହି କଠୋର ସତ୍ୟ ବହନ କରୁଥିବା ସେକ୍‌ସପିଅର୍‌ଙ୍କ ପ୍ରସିଦ୍ଧ କବିତା ‘ସନେଟ୍ ୧୨୯’ର ଶେଷ ଦୁଇ ପଦ ହେଉଛି ଏହି ପରି: ‘‘ଅଲ୍ ଦିସ୍ ଦି ୱର୍ଲ‌୍ଡ ୱେଲ୍ ନୋଅଜ୍; ୟେଟ୍ ନନ୍ ନୋଅଜ୍ ୱେଲ୍/ଟୁ ସନ୍ ଦି ହେଭେନ୍ ଦ୍ୟାଟ୍ ଲିଡ୍‌ସ ମେନ୍ ଟୁ ଦିସ୍ ହେଲ୍।’’(‘‘ସାରା ଦୁନିଆ ଏହା ଭଲ ରୂପେ ଜାଣେ; ତେବେ କେହି ବି ଏତେ ଭଲ ରୂପେ ଜାଣେନା/ ଯାହା ତାକୁ ପୁରୁଷମାନଙ୍କୁ ନର୍କକୁ ବାଟ କଢ଼ାଇ ନେଉଥିବା ସ୍ବର୍ଗ ଠାରୁ ଦୂରେଇ ଦେଇ ପାରିବ।’’)।

ପ୍ରକୃତି ବା ବିବର୍ତ୍ତନ ପୁରୁଷ ଠାରେ ଏହି ପ୍ରବୃତ୍ତି ଖଞ୍ଜିବାର ଉଦ୍ଦେଶ୍ୟ ଅବଶ୍ୟ କାହାରିକୁ ଅଜଣା ନୁହେଁ- ପୃଥିବୀ ପୃଷ୍ଠରେ ପ୍ରଜନନ ମାଧ୍ୟମରେ ମନୁଷ୍ୟ ନିଜର ସଂଖ୍ୟା ବୃଦ୍ଧି କରି ତିଷ୍ଠି ରହିବା। ପ୍ରଜନନ ପ୍ରକ୍ରିୟାକୁ ସୁଗମ ଓ ସୁସଂହତ କରିବା ପାଇଁ ମାନବ ସମାଜ ବିବାହ ନାମକ ଅନୁଷ୍ଠାନର ଉଦ୍ଭାବନ କରିଛି। କିନ୍ତୁ ଏକ ସମସ୍ୟା ସୃଷ୍ଟି ହୁଏ ଯେତେବେଳେ ପୁରୁଷ ଏହାକୁ ତା’ର ସେକ୍‌ସପିଅର୍‌ ବର୍ଣ୍ଣିତ ପାଶବିକ କାମାତୁରତା ଚରିତାର୍ଥ କରିବା ପାଇଁ ସାମାଜିକ ଅନୁମୋଦନପ୍ରାପ୍ତ ଏକ ଅନୁଷ୍ଠାନ ରୂପେ ବିଚାର କରିଥାଏ। ଅନେକ ସମୟରେ ଏପରି ହୋଇଥାଏ, ବିବାହ ବନ୍ଧନରେ ଆବଦ୍ଧ ହୋଇ ସନ୍ତାନ ସୃଷ୍ଟିରେ ସହଯୋଗ କରୁଥିଲେ ହେଁ, ପୁରୁଷର ପାଶବିକ ଲାଳସା ପୂରଣ ପାଇଁ ନାରୀର ସହଯୋଗ, ସହମତି ନ ଥାଏ।

ରହସ୍ୟରେ ନିଜକୁ ସେକ୍‌ସପିଅର୍‌ଙ୍କର ଏକମାତ୍ର ଉତ୍ତରାଧିକାରୀ ରୂପେ ଦାବି କରୁଥିବା ନାଟ୍ୟକାର ବର୍ଣ୍ଣା‌ଡ୍ ଶ’ ତାଙ୍କର ନାଟକ ‘‘ଇନ୍ ଗୁଡ୍ କିଙ୍ଗ୍ ଚାର୍ଲ‌୍ସ’ସ୍ ଗୋଲ୍‌ଡନ୍ ଡେଜ୍’’ରେ ଏହି ସଂଘାତର ଏକ ଅପ୍ରତ୍ୟାଶିତ ସମାଧାନ ଉପସ୍ଥାପନ କରିଥିଲେ। ଇଂଲାଣ୍ଡ୍‌ର ରାଜା ତଥା ଶ’ଙ୍କ ନାଟକର ନାୟକ ଦ୍ବିତୀୟ ଚାର୍ଲ‌୍ସ ଜଣେ ଲମ୍ପଟ ରୂପେ କୁଖ୍ୟାତ ଥିଲେ ଏବଂ ତାଙ୍କର ଏକାଧିକ ପ୍ରେମିକା-ଶଯ୍ୟାସଙ୍ଗିନୀ ଥିଲେ। ଐତିହାସିକମାନେ ସାଧାରଣତଃ ଚାର୍ଲ‌୍ସଙ୍କର ପତ୍ନୀ ରାଣୀ କ୍ୟାଥରିନ୍ ବ୍ରାଗାଞ୍ଜାଙ୍କୁ ଜଣେ ଗୌଣ ଚରିତ୍ର ରୂପେ ପ୍ରଦର୍ଶିତ କରିଥା’ନ୍ତି ଓ ତାଙ୍କର ପ୍ରେମିକାମାନଙ୍କୁ (ଯେମିତି ବାର୍‌ବରା ଭିଲିଅର୍ସ କିମ୍ବା ନେଲ୍ ଗ୍ରିନ୍ ଆଦି) ବହୁ ଅଧିକ ଗୁରୁତ୍ବ ପ୍ରଦାନ କରିଥା’ନ୍ତି। ଶ’ କିନ୍ତୁ ଏହାକୁ ଏକ ସମ୍ପୂର୍ଣ୍ଣ ଭ୍ରମାତ୍ମକ ଦୃଷ୍ଟିଭଙ୍ଗୀ ରୂପେ ପ୍ରଦର୍ଶିତ କରିଛନ୍ତି।

ସେ କହିଛନ୍ତି ଯେ ବିବର୍ତ୍ତନର ଉଦ୍ଦେଶ୍ୟ ସାଧନ ନିମିତ୍ତ ବିବାହ ଏପରି ଏକ ଅନୁଷ୍ଠାନ ରୂପେ ଆବିର୍ଭୂତ ହୋଇଛି, ଯାହା ମାଧ୍ୟମରେ ‘‘ଗୋଟିଏ ସପ୍ତାହର ପରସ୍ପର ସାନ୍ନିଧ୍ୟକୁ ମଧ୍ୟ ସହନ କରି ପାରୁ ନ ଥିବା ଏକ ଦମ୍ପତି ଚମତ୍କାର ସନ୍ତାନମାନଙ୍କୁ ଜନ୍ମ ଦେଇ ପାରିବେ।’’ ରାଣୀ କ୍ୟାଥରିନ୍ ଓ ରାଜା ଚାର୍ଲ‌୍ସଙ୍କ ମଧ୍ୟରେ ସମ୍ପର୍କ ଏହିପରି ସନ୍ତାନ ସୃଷ୍ଟି ଉପରେ ପ୍ରତିଷ୍ଠିତ ଥିବା ବେଳେ, ବାର୍‌ବରା ଭିଲିଅର୍ସ ଓ ତାଙ୍କର ପ୍ରେମିକ ଚାର୍ଲ‌୍ସଙ୍କ ମଧ୍ୟରେ ସମ୍ପର୍କ ଥିଲା ଦୈହିକ ସ‌େମ୍ଭାଗ ଉପରେ ପ୍ରତିଷ୍ଠିତ। ଶ’ଙ୍କ ବିଚାରରେ ଏ ଉଭୟ ସମ୍ପର୍କକୁ ଗୋଟିଏ ମାପକାଠିରେ ତଉଲିବା ହେଉଛି ଐତିହାସିକମାନଙ୍କର ଏକ ବିଚାର ବିଭ୍ରାଟ।

କିନ୍ତୁ ସମସ୍ୟା ହେଲା ସପ୍ତଦଶ ଶତାବ୍ଦୀର ଏହି ବ୍ରିଟିସ୍ ରାଜାଙ୍କ ପକ୍ଷରେ ବିବାହ ଓ ସମ୍ଭୋଗ ମଧ୍ୟରେ ଏପରି ଶ’ ବର୍ଣ୍ଣିତ ବିଭାଜକ ଟାଣିବା ଯେଉଁଭଳି ସ୍ବାଭାବିକ ଓ ସହଜ ଥିଲା, ସାମ୍ପ୍ରତିକ ପୃଥିବୀର ଅଧିକାଂଶ ସମାଜରେ ସାଧାରଣ ଦମ୍ପତିମାନଙ୍କ କଥା ଛାଡ଼, ଆଜିର ସେଇ ବ୍ରିଟିସ୍ ରାଜ ପରିବାର ପାଇଁ ମଧ୍ୟ ତାହା ସେଇଭଳି ଅସ୍ବାଭାବିକ ତଥା ଅସମ୍ଭବ ପରିକଳ୍ପନାରେ ପରିଣତ ହୋଇଛି। ଆଜିର ପୁରୁଷମାନଙ୍କ ପାଇଁ ତେଣୁ ବିବାହ ଉଭୟ ପ୍ରଜନନ ଓ ସମ୍ଭୋଗର ସମ୍ଭାବନା ଧରି ଉପସ୍ଥିତ ହୋଇଥାଏ। ଆଜିକାଲି କିନ୍ତୁ କୃତ୍ରିମ ଉପାୟ ପ୍ରୟୋଗ ମାଧ୍ୟମରେ ପ୍ରଜନନ ନିୟନ୍ତ୍ରଣ କରି ପୁରୁଷ ବହୁ ସନ୍ତାନ ଭରଣ ପୋଷଣ ଦାୟିତ୍ବରୁ ଅବ୍ୟାହତି ପାଇ ପାରୁଥିବା ବେଳେ ବିବାହକୁ ବସ୍ତୁତଃ ଏକ ଅସୀମ ସ‌େମ୍ଭାଗର ସୁଯୋଗ ବୋଲି ବିଚାର କରିବା ବିରଳ ନୁହେଁ।

ନାରୀର ଇଚ୍ଛା ଓ ସହମତି ବିରୋଧରେ ପୁରୁଷ ଯଦି ଏହି ସୁଯୋଗର ସଦ୍‌ବ୍ୟବହାର ସ୍ବରୂପ ବଳ ପ୍ରୟୋଗ କରି ଶାରୀରିକ ସମ୍ପର୍କ ସ୍ଥାପନ କରେ, ତାହା ନାରୀ ପାଇଁ ସେକ୍‌ସପିଅର୍‌ ବର୍ଣ୍ଣନା କରିଥିବା ଭଳି ଏକ ଯନ୍ତ୍ରଣା ଜର୍ଜରିତ ନର୍କ ସୃଷ୍ଟି କରିଥାଏ। ବିବାହକୁ ଆଳ କରି ପୁରୁଷର ଏତାଦୃଶ ଆଚରଣ ଆଇନ ଦୃଷ୍ଟିରେ ଏକ ଅପରାଧ ରୂପେ ବିବେଚିତ ହେବା ଉଚିତ ନା ନୁହେଁ? ଦିଲ୍ଲୀ ହାଇକୋର୍ଟ ଗତ ସପ୍ତାହରେ ପୁରୁଷର ଏପରି ଦେହବଳିଆ ସମ୍ଭୋଗକୁ ବୈବାହିକ ଧର୍ଷଣ ନାମକ ଅପରାଧ ରୂପେ ବିଚାର କରାଯିବା ପାଇଁ ଆଗତ ହୋଇଥିବା କେତେଗୁଡ଼ିଏ ଆବେଦନର ଶୁଣାଣି କରିଥିଲେ। ଏହାର ଅଧିକ ଅନୁଶୀଳନ କରିବା ପୂର୍ବରୁ ଏଠାରେ ଉ‌ଲ୍ଲେଖ କରିବା ସମୀଚୀନ ହେବ ଯେ ସାରା ପୃଥିବୀରେ କେବଳ ଭାରତ ସମେତ ପ୍ରାୟ ମାତ୍ର ତିରିଶଟି ଦେଶକୁ ବାଦ୍ ଦେଲେ ବାକି ପ୍ରାୟ ୧୬୦ଟିରୁ ଅଧିକ ଦେଶରେ ପତ୍ନୀ ପ୍ରତି ପତିର ଏଭଳି ବଳାତ୍କାର ଆଇନ ଦୃଷ୍ଟିରେ ଅପରାଧ ରୂପେ ବିବେଚିତ ହୋଇଥାଏ।

ଏହି ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ ପ୍ରତି ଭାରତରେ ପାରମ୍ପରିକ ଆଭିମୁଖ୍ୟ ପୁରୁଷକୈନ୍ଦ୍ରିକ ହୋଇ ଆସିଥିବା ବେଳେ, ରାଷ୍ଟ୍ରୀୟ ଆଭିମୁଖ୍ୟ ଦ୍ବିଧା ବିଭକ୍ତ ହୋଇଥିବା ଦେଖା ଯାଇଛି। ୨୦୦୦ ସାଲରେ ଲ’ କମିସନ୍ ବୈବାହିକ ଧର୍ଷଣକୁ ଏକ ଅପରାଧ ରୂପେ ବିବେଚନା କରାଯିବା ପ୍ରସ୍ତାବର ଘୋର ବିରୋଧ କରିଥିଲା। ବିରୋଧର କାରଣ ସ୍ବରୂପ କମିସନ୍ ସେତେବେଳେ ଯୁକ୍ତି ବାଢ଼ିଥିଲା ଯେ ‘‘ଏହା ବୈବାହିକ ସମ୍ପର୍କରେ ଅତିରିକ୍ତ ହସ୍ତକ୍ଷେପରେ ପରିଣତ ହେବ।’’ କିନ୍ତୁ ଏହାର ଠିକ୍ ବିପରୀତ ଦୃଷ୍ଟିଭଙ୍ଗୀ ଗ୍ରହଣ କରି ୨୦୧୩ରେ ଜଷ୍ଟିସ୍ ଜେ ଏସ୍ ବର୍ମା କମିଟି ବୈବାହିକ ଧର୍ଷଣକୁ ଅପରାଧ ଶ୍ରେଣୀଭୁକ୍ତ କରାଯିବା ପାଇଁ ସୁପାରିସ କରିଥିଲେ। ଦୃଶ୍ୟପଟ ପୁଣି ବଦଳି ଗଲା ଯେତେବେଳେ ଏହାର ଚାରି ବର୍ଷ ପରେ ଏକ ସଂସଦୀୟ ଷ୍ଟାଣ୍ଡିଙ୍ଗ୍ କମିଟି ଏଭଳି ପ୍ରସ୍ତାବର ସମ୍ପୂର୍ଣ୍ଣ ବିରୋଧ କରି ମତାମତ ପ୍ରଦାନ କଲା। କମିଟି ଅନୁସାରେ ଯଦି ବୈବାହିକ ଧର୍ଷଣ ଅପରାଧରେ ପରିଣତ ହୁଏ, ତା’ହେଲେ ‘ପୂରା ପରିବାର ବ୍ୟବସ୍ଥା ଭୀଷଣ ଚାପର ସମ୍ମୁଖୀନ ହେବ।’

ଗତ ସପ୍ତାହରେ ଶୁଣାଣି ସମୟରେ ମତାମତ ଦେବା ଅବସରରେ ଅଦାଲତ ମନ୍ତବ୍ୟ ଦେଇଥିଲେ ଯେ ବୈବାହିକ ସମ୍ପର୍କ ଓ ଅଣ-ବୈବାହିକ ସମ୍ପର୍କ ମଧ୍ୟରେ ଏକ ଗୁଣାତ୍ମକ ଫରକ୍ ରହିଥାଏ। ତାହା ହେଲା, ବୈବାହିକ ସମ୍ପର୍କରେ ନିଜର ପତ୍ନୀ (କିମ୍ବା ପତି)ଙ୍କ ସହିତ ଦାମ୍ପତ୍ୟ ସମ୍ପର୍କ ପ୍ରତିଷ୍ଠା (ଅର୍ଥାତ୍ ସଙ୍ଗମ) କରିବା ପାଇଁ ପତି(କିମ୍ବା ପତ୍ନୀ)ଙ୍କର ଏକ ଯୁକ୍ତିଯୁକ୍ତ ଆଶା ଏବଂ ‘‘କିଛି ଦୂର ପର୍ଯ୍ୟନ୍ତ ଏକ ଆଇନଗତ ଅଧିକାର’’ ଥାଏ। ଅଦାଲତ ପତ୍ନୀଙ୍କର ସହମତିର ଗୁରୁତ୍ବ ମଧ୍ୟ ସ୍ବୀକାର କରିଥିଲେ; କିନ୍ତୁ ଯଦି ଥରଟିଏ ଉଲ୍ଲଂଘନ ପାଇଁ ପତିଙ୍କୁ ଦଶ ବର୍ଷ ପର୍ଯ୍ୟନ୍ତ ଜେଲ୍‌ଦଣ୍ଡ ଭୋଗିବାକୁ ପଡ଼େ, ତେବେ ବିବାହ ଓ ପରିବାର ପାଇଁ ତା’ର ଫଳାଫଳ ନେଇ ଅଦାଲତ ଚିନ୍ତା ପ୍ରକଟ କରିଥିଲେ। ଏହା ବାଦ୍ ରହିଛି ବିଶ୍ବାସଯୋଗ୍ୟ ସାକ୍ଷୀ ପ୍ରମାଣ ଉପଲ୍‌ଧ ହେବା ପଥରେ ଥିବା କଠିନ ପ୍ରତିବନ୍ଧମାନ।

ବୈବାହିକ ଧର୍ଷଣର ଅପରାଧୀକରଣ ନିଶ୍ଚିତ ରୂପେ ବିବାହକୁ ଏକ ବିପଜ୍ଜନକ ‘ମାଇନ୍ ଫିଲ୍‌ଡ’ରେ ପରିଣତ କରିଦେବ; ଏହା ଏକ ବିପଦସଂକୁଳ ଅନୁଷ୍ଠାନ ରୂପେ ବିବେଚିତ ହେବ। କିନ୍ତୁ ଏ ସବୁ ସତ୍ତ୍ବେ ଯାହା ହେଉଛି ସର୍ବାଧିକ ଗୁରୁତ୍ବପୂର୍ଣ୍ଣ, ତାହା ହେଲା: ନାରୀର ନିଜ ଶରୀରର ମାଲିକାଣୀ ହେଉଛି କେବଳ ସେଇ ନାରୀ ଏବଂ ବିବାହ ଅର୍ଥ ନୁହେଁ ସାରା ଜୀବନ ପାଇଁ ତା’ର ଶରୀରର ନିଃସର୍ତ୍ତ ବିକ୍ରୟ। ଯେଉଁ ପୁରୁଷ ନାରୀର ଇଚ୍ଛା ଅନିଚ୍ଛାକୁ ସମ୍ମାନ ଦେବାକୁ ପ୍ରସ୍ତୁତ ନୁହେଁ, ସେ ଭଳି ପୁରୁଷ ବରଂ ଅବିବାହିତ ରହିବା ଉଚିତ। ବିମାନ ଯାତ୍ରା ମଧ୍ୟ ହେଉଛି ବିପଦସଂକୁଳ; ଯିଏ ବିମାନ ଦୁର୍ଘଟଣା ସମ୍ଭାବନା ଯୋଗୁଁ କାତର ହୋଇଥାଏ, ସେ ମୂଳରୁ ବିମାନ ଯାତ୍ରା ନ କରିବା ଉଚିତ।

ସମ୍ବନ୍ଧିତ ଖବର