ଶତ୍ରୁ-ମିତ୍ର

ସ୍ୱାଧୀନ ଭାରତ ଇତିହାସରେ ଭି. ରାମସ୍ୱାମୀ ହେଉଛନ୍ତି ପ୍ରଥମ ସୁପ୍ରିମ୍‌ କୋର୍ଟ ବିଚାରପତି ଯାହାଙ୍କ ବହିଷ୍କାର (ଏବେ ହୁଗୁଳା ଭାବରେ ମହାଅଭିଯୋଗ ବା ‘ଇମ୍ପିଚ୍‌ମେଣ୍ଟ୍‌’ ବୋଲି କୁହାଯାଉଛି, ଯଦି ବା ଏହା କେବଳ ରାଷ୍ଟ୍ରପତିଙ୍କ ପ୍ରତି ସମ୍ବିଧାନରେ ଲାଗୁ ହୋଇଛି) ପାଇଁ ବିଧିବଦ୍ଧ କାର୍ଯ୍ୟାନୁଷ୍ଠାନ କରାଯାଇଥିଲା। ୧୯୯୦ରେ କେତେକ ଗଣମାଧ୍ୟମରେ ପ୍ରକାଶ ପାଇଲା ଯେ ପଞ୍ଜାବ ଓ ହରିଆନା ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ସମୟରେ ଜଷ୍ଟିସ୍‌ ରାମସ୍ୱାମୀ ତାଙ୍କର ସରକାରୀ ବାସଭବନରେ ବିଳାସପୂର୍ଣ୍ଣ ସାଜସଜ୍ଜା କରିବାରେ ବିପୁଳ ଅର୍ଥ ବ୍ୟୟ କରିଥିଲେ। ୧୯୯୧ରେ ସୁପ୍ରିମ୍‌ କୋର୍ଟ ବାର୍‌ ଆସୋସିଏସନ୍‌ ଦ୍ୱାରା ଏକ ସଂକଳ୍ପ ଗୃହୀତ ହେଲା ଯେ ଜଷ୍ଟିସ୍‌ ରାମସ୍ୱାମୀଙ୍କୁ ବହିଷ୍କାର କରାଯାଉ ଏବଂ ସୁପ୍ରିମ୍‌ କୋର୍ଟର ମୁଖ୍ୟ ବିଚାରପତିଙ୍କୁ ଅନୁରୋଧ କରାଗଲା ଯେ ଜଷ୍ଟିସ୍‌ ରାମସ୍ୱାମୀଙ୍କୁ କୌଣସି ଆଇନଗତ କାର୍ଯ୍ୟ ପ୍ରଦାନ କରା ନଯାଉ।

ଭାରତୀୟ ଜନତା ପାର୍ଟି ଏବଂ ବାମ ଦଳ ମାନେ ଜଷ୍ଟିସ୍‌ ରାମସ୍ୱାମୀଙ୍କ ବହିଷ୍କାର ପାଇଁ ପାର୍ଲାମେଣ୍ଟ୍‌ରେ ଏକ ନୋଟିସ୍‌ ଆଗତ କଲେ। ଲୋକସଭାର ତତ୍‌କାଳୀନ ବାଚସ୍ପତି ରବି ରାୟ ଏହାକୁ ଗ୍ରହଣ କରି ପରବର୍ତ୍ତୀ ବିଧିସମ୍ମତ ପଦକ୍ଷେପ ସ୍ୱରୂପ ଏହାର ଅନୁଶୀଳନ ପାଇଁ ଏକ ତିନିଜଣିଆ କମିଟି ଗଠନ କଲେ। ଏହି ଅନୁସନ୍ଧାନ କମିଟିର ସଦସ୍ୟ ଥିଲେ ସୁପ୍ରିମ୍‌ କୋର୍ଟର ବିଚାରପତି ପି ବି ସାଓ୍ଵନ୍ତ, ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ପି ଡି ଦେଶାଇ ଏବଂ ସୁପ୍ରିମ୍‌ କୋର୍ଟର ଅବସରପ୍ରାପ୍ତ ବିଚାରପତି ଓ. ଚିନାପ୍ପା ରେଡ୍ଡୀ। କମିଟି ଅନୁସନ୍ଧାନ କରିବା ପରେ ଜଷ୍ଟିସ୍‌ ରାମସ୍ୱାମୀଙ୍କ ବିରୋଧରେ ଆଗତ ୧୪ଟି ଅଭିଯୋଗ ମଧ୍ୟରୁ ୧୧ଟିରେ ସେ ଦୋଷୀ ବୋଲି ସିଦ୍ଧାନ୍ତରେ ଉପନୀତ ହୋଇଥିଲେ।

ଏହି ପ୍ରସଙ୍ଗରେ ଜଷ୍ଟିସ୍‌ ପି ବି ସାଓ୍ଵନ୍ତ ସେତେବେଳେ ରାମସ୍ୱାମୀଙ୍କ ସମ୍ପର୍କରେ ପ୍ରଦାନ କରିଥିବା ମନ୍ତବ୍ୟ ଏଠାରେ ଉଦ୍ଧାରଯୋଗ୍ୟ। ସେ କହିଥିଲେ, ‘‘(ରାମସ୍ୱାମୀ) ପଦବିର ମନଇଚ୍ଛା ଓ ବ୍ୟାପକ ଦୁରୁପଯୋଗ, ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ଅନବରତ ଭାବରେ କର୍ତ୍ତବ୍ୟ ସମ୍ପାଦନରେ ଅବହେଳା, ସରକାରୀ ତହବିଲରୁ ଅର୍ଥ ଉଦ୍ଦେଶ୍ୟମୂଳକ ଭାବରେ ଏବଂ ଅଭ୍ୟାସଗତ ଭାବରେ ବଦ୍‌ ଖର୍ଚ୍ଚରେ ବ୍ୟୟ କରିବା, ବିଭିନ୍ନ ବାଟରେ ବ୍ୟକ୍ତିଗତ ଉଦ୍ଦେଶ୍ୟରେ ସରକାରୀ ପାଣ୍ଠି ଖର୍ଚ୍ଚ କରିବାର ନୈତିକ ସ୍ଖଳନ ଏବଂ ନୀତି ନିୟମର ବେପରୁଆ ଉଲ୍ଲଂଘନ ପାଇଁ ଏବଂ ଉଚ୍ଚ ନ୍ୟାୟିକ ପଦବିର ସମ୍ମାନ ହାନି କରବା ପାଇଁ ଏବଂ ନ୍ୟାୟିକ ଅନୁଷ୍ଠାନ ତଥା ନ୍ୟାୟ ପ୍ରଦାନ ପ୍ରତି ରହିଥିବା ଜନସାଧାରଣଙ୍କ ବିଶ୍ୱାସ ପ୍ରତି ଆଘାତ ପହଞ୍ଚାଇବା ପାଇଁ ଦୋଷୀ।’’

୧୯୯୩ ମଇ ୧୦ ତାରିଖ ଦିନ ଜଷ୍ଟିସ୍‌ ରାମସ୍ୱାମୀଙ୍କ ବହିଷ୍କାର ପ୍ରସ୍ତାବ ଆଲୋଚନା ଏବଂ ମତଦାନ ପାଇଁ ଲୋକସଭାରେ ସ୍ଥାନୀତ ହେଲା। ସେଦିନ ଗୃହରେ ୪୦୧ ଜଣ ସାଂସଦ ଉପସ୍ଥିତ ଥିଲେ। ସେଠାରେ ସେ ଦିନ କିନ୍ତୁ ଯେଉଁ ନାଟକ ଅଭିନୀତ ହେବା ଦେଖିବାକୁ ମିଳିଲା ତାହା ଦେଶବାସୀଙ୍କୁ ବେଶ୍‌ କିଛି ଦିନ ରୋମାଞ୍ଚିତ କରି ରଖିଥିଲା। ସେଦିନ ସେ ନାଟକର ଯିଏ ଅନ୍ୟତମ ମୁଖ୍ୟ ଚରିତ୍ର ଥିଲେ, ସେ ମଧ୍ୟ ବର୍ତ୍ତମାନ ସୁପ୍ରିମ୍‌ କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର (ସଂଯୋଗ ବଶତଃ, ଜଷ୍ଟିସ୍‌ ରାମସ୍ୱାମୀଙ୍କ ବିରୋଧରେ ଆଗତ ବହିଷ୍କାର ପ୍ରସ୍ତାବ ପ୍ରଥମେ ଗ୍ରହଣ କରିଥିବା ବାଚସ୍ପତି ରବି ରାୟଙ୍କ ପରି ଦୀପକ ମିଶ୍ର ମଧ୍ୟ ହେଉଛନ୍ତି ଜଣେ ଓଡ଼ିଆ)ଙ୍କୁ ବହିଷ୍କାର କରିବା ପାଇଁ ଅଭିନୀତ ହେଉଥିବା ଉଦ୍ଭଟ ନାଟକର ମୁଖ୍ୟ ଚରିତ୍ର- କଂଗ୍ରେସ ନେତା ତଥା ଆଇନଜୀବୀ କପିଳ ଶିବଲ। ସେଦିନ କପିଳ ଶିବଲ କିନ୍ତୁ ଆବିର୍ଭୂତ ହୋଇଥିଲେ ବିପରୀତ ପକ୍ଷରେ- ରାମସ୍ୱାମୀଙ୍କୁ ବହିଷ୍କାର କରିବା ପାଇଁ ନୁହେଁ, ତାଙ୍କର ଓକିଲ ହୋଇ ଲୋକସଭାରେ ତାଙ୍କ ସପକ୍ଷରେ ଯୁକ୍ତି କରି ତାଙ୍କୁ ବହିଷ୍କାରରୁ ରକ୍ଷା କରିବା ପାଇଁ।

ସମ୍ବିଧାନ ଅନୁସାରେ ଗୃହରେ ବହିଷ୍କାର ପ୍ରସ୍ତାବ ପାରିତ ହେବା ପାଇଁ ଉପସ୍ଥିତ ସଦସ୍ୟମାନଙ୍କ ମଧ୍ୟରୁ ଦୁଇ-ତୃତୀୟାଂଶ ସଦସ୍ୟଙ୍କର ଅନୁମୋଦନ ଆବଶ୍ୟକ। ବିରୋଧୀ ଦଳମାନେ ବହିଷ୍କାର ସପକ୍ଷରେ ମତଦାନ କଲେ। ସେମାନଙ୍କର ସଦସ୍ୟ ସଂଖ୍ୟା ଥିଲା ୧୯୬, ଯାହା ୪୦୧ର ଅଧାରୁ ମଧ୍ୟ କମ୍‌। କଂଗ୍ରେସ ସଦସ୍ୟମାନେ ଉପସ୍ଥିତ ଥାଇ ମଧ୍ୟ ମତଦାନ ବର୍ଜନ କଲେ। ଅତଏବ ବହିଷ୍କାର ପ୍ରସ୍ତାବ କାଟ୍‌ ଖାଇଗଲା, ରାମସ୍ୱାମୀ ରକ୍ଷା ପାଇଗଲେ। ଏଠାରେ ଉଲ୍ଲେଖଯୋଗ୍ୟ ରାମସ୍ୱାମୀ କଂଗ୍ରେସ ସରକାର ଦ୍ୱାରା ନିଯୁକ୍ତି ପାଇଥିଲେ ଏବଂ ରାଜୀବ ଗାନ୍ଧୀ ତାଙ୍କୁ ଆତଙ୍କବାଦର ମୁକାବିଲା ପାଇଁ ପଞ୍ଜାବ ହାଇକୋର୍ଟକୁ ମୁଖ୍ୟ ବିଚାରପତି କରି ପଠାଇ ଥିଲେ। ରାମସ୍ୱାମୀଙ୍କ ପୁଅ ମଧ୍ୟ ଥିଲେ ତାମିଲନାଡୁରେ ଜଣେ କଂଗ୍ରେସ ବିଧାୟକ। ତାମିଲନାଡୁ ସାଂସଦମାନେ ମଧ୍ୟ ରାମସ୍ୱାମୀଙ୍କ ସପକ୍ଷରେ ଚାପ ସୃଷ୍ଟି କରିଥିଲେ। ଏଣୁ ଏପରି ଜଣେ ‘ନିଜ ଲୋକ’ଙ୍କୁ ବହିଷ୍କାର କରିବା କଂଗ୍ରେସ ପକ୍ଷରେ ଚିନ୍ତାର ବାହାରେ ଥିଲା। ଅତଏବ ଜଷ୍ଟିସ୍‌ ସାଓ୍ଵନ୍ତଙ୍କ କଠୋର ମନ୍ତବ୍ୟ ପରେ ମଧ୍ୟ ଭି ରାମସ୍ୱାମୀଙ୍କୁ ସୁରକ୍ଷା ପ୍ରଦାନ କରିବାରେ କପିଳ ଶିବଲ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

ବର୍ତ୍ତମାନ ସେଇ କପିଳ ଶିବଲ ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ବିରୋଧରେ କୌଣସି ଠୋସ୍‌ ଅଭିଯୋଗ ନଥିଲେ ମଧ୍ୟ ତାଙ୍କୁ ବହିଷ୍କାର କରିବା ପାଇଁ ଅଣ୍ଟାଭିଡ଼ି ବାହାରିପଡ଼ିବା ଦେଖିଲେ ଶିବଲଙ୍କର ନୈତିକ ନମନୀୟତା ନେଇ ଆଶ୍ଚର୍ଯ୍ୟ ନହୋଇ ରହିହୁଏ ନାହିଁ। ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ସାଧନ ପାଇଁ କଂଗ୍ରେସ ନେତୃତ୍ୱକୁ ଏକ ସମ୍ପୂର୍ଣ୍ଣ ଭ୍ରମାତ୍ମକ ଉପଦେଶ ଦେଇ ଶିବଲ ସେ ଦଳକୁ କିପରି ହଟହଟାରେ ପକାଇଛନ୍ତି ତାହା ଦେଖି ସମସ୍ତ ଦେଶବାସୀ ଆମୋଦିତ ହେଉଛନ୍ତି। ଦେଶର ପ୍ରାୟ ସମସ୍ତ ତୁଙ୍ଗ ଆଇନଜ୍ଞମାନେ ଯେତେବେଳେ ଏକମତ ଯେ ମୁଖ୍ୟ ବିଚାରପତିଙ୍କୁ ଏଭଳି ଅକାରଣେ ବହିଷ୍କାର କରିବା ପାଇଁ ହେଉଥିବା ଉଦ୍ୟମ ସମ୍ପୂର୍ଣ୍ଣ ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ଜାତୀୟ ସ୍ୱାର୍ଥର ପରିପନ୍ଥୀ, କପିଳ ଓ ତାଙ୍କ ସାଥୀମାନେ ନିଜର ଚକ୍ରାନ୍ତ ଦ୍ୱାରା ଏପରି ଅନ୍ଧ ହୋଇ ଯାଇଛନ୍ତି ଯେ ସେମାନେ ଅନେକ ମୌଳିକ ଆଇନଗତ ଆବଶ୍ୟକତା ମଧ୍ୟ ଭୁଲି ଯାଇଛନ୍ତି। ଏକ ଉଦାହରଣ ସ୍ୱରୂପ ମୁଖ୍ୟ ବିଚାରପତିଙ୍କ ବିରୋଧରେ ସେମାନେ ଆଗତ କରିଥିବା ଅଭିଯୋଗମାନ ହେଉଛି ଅଦାଲତ ଅବମାନନା ସହିତ ସମାନ। ଯଦି ସଂସଦରେ ଅଭିଯୋଗ ଗୁଡ଼ିକ ଆଲୋଚନା ପାଇଁ ଗୃହୀତ ହୋଇଥାନ୍ତା, ତେବେ ତାହା ଆଉ ଅଦାଲତ ଅବମାନନା ରୂପେ ପରିଗଣିତ ହୁଅନ୍ତା ନାହିଁ। କିନ୍ତୁ ସେ ପର୍ଯ୍ୟନ୍ତ ଅପେକ୍ଷା ନକରି ଶିବଲ ଓ ତାଙ୍କ ସାଥୀମାନେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଅଭିଯୋଗ ସବୁକୁ ପ୍ରକାଶ କରିଦେବା କେବଳ ଏକ ବିଧି ଉଲ୍ଲଂଘନ ନୁହେଁ, ଏକ ଗୁରୁତର ଅଦାଲତ ଅବମାନନା ମଧ୍ୟ। ଶିବଲ ଆଦିଙ୍କର ଚାଲ୍‌ର ଏକ ନିଶ୍ଚିତ ପରିଣାମ ହେଲା ଦୀପକ ମିଶ୍ରଙ୍କ ଖ୍ୟାତିରେ ବୃଦ୍ଧି ଏବଂ କଂଗ୍ରେସର ପତିଆରାରେ ହ୍ରାସ। ଶିବଲଙ୍କ ପରି ମିତ୍ର ଥିଲେ ରାହୁଲ ଗାନ୍ଧୀଙ୍କର ଶତ୍ରୁର ଆବଶ୍ୟକତା ନାହିଁ।

ସମ୍ବନ୍ଧିତ ଖବର