ଭାରତୀୟ ବାୟୁ ସେନା ପାଇଁ କିଣା ଯାଉଥିବା ଫ୍ରାନ୍ସ ନିର୍ମିତ ୩୬ଟି ରାଫେଲ ଯୁଦ୍ଧ ବିମାନ ମଧୢରୁ ଗୋଟିଏ ବି ଭାରତ ମାଟିରେ ଅବତରଣ କରି ନାହିଁ। ଅଥଚ, ଏହି ଅତ୍ୟାଧୁନିକ ଲଢ଼ୁଆ ଜେଟ୍ ଖର୍ଦି କାରବାରରେ ଅନିୟମିତତା ଓ ଦୁର୍ନୀତିର ସୁରାକ୍ ଦେଇ ଲଗାତାର ସାମ୍ନାକୁ ଆସୁଥିବା ଗୋଟିଏ ପରେ ଗୋଟିଏ ଛିଦ୍ରରୁ ବାହାରୁଥିବା ସନ୍ଦେହର ଧୂଆଁରେ ଷାଠିଏ ହଜାର କୋଟି ଟଙ୍କାର ରାଫେଲ୍ କାରବାର ଅଧିକରୁ ଅଧିକ ସନ୍ଦିଗ୍ଧ ହୋଇପଡୁଛି। ଏହି କ୍ରମରେ ସଦ୍ୟ ସାମ୍ନାକୁ ଆସିଥିବା ଛିଦ୍ରଟି ରାଫେଲ୍ ରହସ୍ୟକୁ କେବଳ ଅଧିକ ଘନୀଭୂତ କରୁ ନାହିଁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସିଧାସଳଖ ସନ୍ଦେହର କେନ୍ଦ୍ରକୁ ଟାଣି ଆଣିଛି; ଯାହା ସାନି ଆକ୍ରମଣ ପାଇଁ ବିରୋଧୀକୁ ନୂଆ ଅସ୍ତ୍ର ଯୋଗାଇଛି। ଫଳରେ ଏ ପ୍ରସଙ୍ଗରେ ଶାସକ ଓ ବିରୋଧୀଙ୍କ ମଧୢରେ ଲଢେ଼ଇର ଏକ ନୂଆ ପର୍ଯ୍ୟାୟ ଆରମ୍ଭ ହୋଇ ବିବାଦ ନୂଆ ମୋଡ଼ ନେଇଛି।
ରାଫେଲ୍ ବିବାଦର ନିଆଁରେ ଘିଅ ଢାଳିଥିବା ସଦ୍ୟ ଛିଦ୍ରଟି ହେଲା- ଯୁଦ୍ଧ ବିମାନ କିଣା ନେଇ କଥାବାର୍ତ୍ତା ଓ ମୂଲଚାଲ ପ୍ରକ୍ରିୟାରେ ପ୍ରଧାନମନ୍ତ୍ରୀଙ୍କ ଦପ୍ତର (ପିଏମ୍ଓ)ର ପ୍ରତ୍ୟକ୍ଷ ସ˚ପୃକ୍ତି। କୌଣସି ପ୍ରତିରକ୍ଷା କାରବାରରେ ପିଏମ୍ଓର ପ୍ରତ୍ୟକ୍ଷ ସ˚ପୃକ୍ତି ବିରଳ କୁହାଯାଉଛି। ଗୋଟିଏ ଜାତୀୟ ସମ୍ବାଦପତ୍ରରେ ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ ଦଲିଲକୁ ଉଦ୍ଧାର କରି ପ୍ରକାଶ ପାଇଛି ଯେ, ରାଫେଲ୍ ଖର୍ଦି ନେଇ ପ୍ରଧାନମନ୍ତ୍ରୀଙ୍କ ଦପ୍ତର ସମାନ୍ତରାଳ କଥାବାର୍ତ୍ତା ଚଳାଇଥିଲେ। ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ବାରା ମନୋନୀତ ସ୍ବତନ୍ତ୍ର ଭାରତୀୟ ପ୍ରତିନିଧି ଦଳ ଫ୍ରାନ୍ସ ସରକାର ଓ ରାଫେଲ ନିର୍ମାତା ‘ଡାସଲଟ’ ସହ କଥାବାର୍ତ୍ତା ଚଳାଇଥିବା ବେଳେ ସମାନ୍ତରାଳ ଭାବେ ସେପଟେ ପ୍ରଧାନମନ୍ତ୍ରୀଙ୍କ ଦପ୍ତରର ଜଣେ ଅଧିକାରୀ ଏବ˚ ଫ୍ରାନ୍ସ ରାଷ୍ଟ୍ରପତିଙ୍କ କୂଟନୈତିକ ପ୍ରତିନିଧିଙ୍କ ମଧୢରେ ବି କଥାବାର୍ତ୍ତା ଚାଲିଥିଲା। ପିଏମ୍ଓ ପକ୍ଷରୁ ଏ ଧରଣର ସମାନ୍ତରାଳ କଥାବାର୍ତ୍ତା ଉପରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଆପତ୍ତି ମଧୢ ଉଠାଇଥିଲେ। ସମାନ୍ତରାଳ କଥାବାର୍ତ୍ତା ଦ୍ବାରା ସ୍ବତନ୍ତ୍ର ପ୍ରତିନିଧି ଦଳଙ୍କ ଗୁରୁତ୍ବ କମିବ ଓ ମୂଲଚାଲରେ ଭାରତର ପକ୍ଷ ଦୁର୍ବଳ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଥିଲା।
ରାଫେଲ୍ କଥାବାର୍ତ୍ତାରେ ପିଏମ୍ଓର ପ୍ରତ୍ୟକ୍ଷ ସ˚ପୃକ୍ତି ବିଷୟ ପଦାକୁ ଆସିବା ପରେ ଖର୍ଦି କାରବାର ଉପରେ ସନ୍ଦେହର ବାଦଲ ସୃଷ୍ଟି କରି ପୂର୍ବରୁ ଉଠିଥିବା ଅନେକ ପ୍ରଶ୍ନ ସହ ଆହୁରି କେତେକ ପ୍ରଶ୍ନ ଯୋଡ଼ି ହୋଇଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ବାରା ମନୋନୀତ ସ୍ବତନ୍ତ୍ର ପ୍ରତିନିଧି ଦଳ କଥାବାର୍ତ୍ତା ଚଳାଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଦପ୍ତର ଏଥିରେ କାହିଁକି ହସ୍ତକ୍ଷେପ କଲେ? ଯଦି ପ୍ରଧାନମନ୍ତ୍ରୀଙ୍କ କୌଣସି ସୂଚନା ଆବଶ୍ୟକ ଥିଲା କିମ୍ବା ଅନ୍ୟ କୌଣସି କାରଣରୁ କଥାବାର୍ତ୍ତାର ଅଗ୍ରଗତି ଜାଣିବାର ଆଗ୍ରହ ଥିଲା, ତେବେ ପ୍ରତିରକ୍ଷା ମନ୍ତ୍ରଣାଳୟ ସହ ଯୋଗାଯୋଗ କଲେ ନାହିଁ କାହିଁକି? ସ୍ବତନ୍ତ୍ର ପ୍ରତିନିଧି ଦଳଙ୍କୁ କାହିଁକି ଏଡ଼ାଇଗଲେ? ଏ ହସ୍ତକ୍ଷେପ ପଛରେ ଉଦ୍ଦେଶ୍ୟ କଣ? ପ୍ରଶ୍ନଗୁଡ଼ିକ ଉପରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସ୍ପଷ୍ଟୀକରଣ ହେଲା- ପ୍ରଧାନମନ୍ତ୍ରୀଙ୍କ ଦପ୍ତର ରାଫେଲ କଥାବାର୍ତ୍ତାରେ ଅଗ୍ରଗତି ସମ୍ପର୍କରେ ଅବଗତ ହେବାକୁ ଚାହୁଁଥିଲେ। ଏହାକୁ ହସ୍ତକ୍ଷେପ କିମ୍ବା ସମାନ୍ତରାଳ କଥାବାର୍ତ୍ତା ବୋଲି କୁହାଯାଇ ପାରିବ ନାହିଁ। ସୀତାରମଣ ତାଙ୍କ ଯୁକ୍ତି ସପକ୍ଷରେ କହିଛନ୍ତି ଯେ, ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କୁ ଏ ବିଷୟ (ପିଏମ୍ଓ ଦ୍ବାରା କଥାବାର୍ତ୍ତା) ସମ୍ପର୍କରେ ଅବଗତ କରାଯାଇଥିଲା। ପାରିକର ଏହାକୁ ବିରୋଧ କରିନଥିଲେ କି କୌଣସି ପ୍ରତିକୂଳ ଟିପ୍ପଣୀ ସୁଦ୍ଧା ଦେଇ ନଥିଲେ। ପିଏମ୍ଓ ଦ୍ବାରା ସମାନ୍ତରାଳ କଥାବାର୍ତ୍ତା ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟର ଅଧିକାରମାନଙ୍କ ପ୍ରତିବାଦ ଓ ଆଶଙ୍କାକୁ ମନ୍ତ୍ରୀ ପାରିକର ଅଯଥା ମାତ୍ରାତିରିକ୍ତ ପ୍ରତିକ୍ରିୟା (ଓଭର୍ ରିଏକ୍ସନ୍) କହିି ପ୍ରସଙ୍ଗକୁ ହାଲୁକା ଭାବେ ନେଇଥିଲେ। ତେବେ ସୀତାରମଣଙ୍କ ଯୁକ୍ତି ଅତ୍ୟନ୍ତ ଦୁର୍ବଳ ଓ ମୂଳ ପ୍ରସଙ୍ଗକୁ ଏଡ଼ାଇ ଯିବା ଲାଗି ଏକ ଅପଚେଷ୍ଟା ମନେ ହୁଏ।
ଏଠାରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଆଭିମୁଖ୍ୟ ଗୁରୁତ୍ବପୂର୍ଣ୍ଣ ନୁହେଁ, ଗୁରୁତ୍ବପୂର୍ଣ୍ଣ ହେଉଛି ରାଫେଲ୍ ନେଇ କଥାବାର୍ତ୍ତା ପାଇଁ ମନୋନୀତ ସ୍ବତନ୍ତ୍ର ଟିମ୍କୁ ଏଡ଼ାଇ ପିଏମ୍ଓ ଦ୍ବାରା ସିଧାସଳଖ କଥାବାର୍ତ୍ତାର କ’ଣ ଆବଶ୍ୟକତା ଥିଲା? ଏହାର ଉତ୍ତର ଦରକାର। ପୁଣି ପିଏମ୍ଓ ଯଦି କେବଳ କଥାବାର୍ତ୍ତାର ଅଗ୍ରଗତି ସମ୍ପର୍କରେ ଜାଣିବାକୁ ଆଗ୍ରହୀ ଥିଲେ, ତେବେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହାର ବିରୋଧ କରାଗଲା କାହିଁକି? ପ୍ରତିରକ୍ଷା ମନ୍ତ୍ରୀ ପିଏମ୍ଓ କଥାବାର୍ତ୍ତାର ଅଗ୍ରଗତି ବିଷୟରେ ଜାଣିବାକୁ ଚାହୁଁଥିଲେ ବୋଲି ନିର୍ମଳା ସୀତାରମଣ ମହୋଦୟା ଯାହା କହୁଛନ୍ତି, ତାହା ଅନ୍ୟ ଅର୍ଥରେ ସମାନ୍ତରାଳ କଥାବାର୍ତ୍ତା ବୋଲି ବିଚାର କରାଯିବ ନାହିଁ କାହିଁକି? ଯଦି ପିଏମ୍ଓ ଦ୍ବାରା କଥାବାର୍ତ୍ତାରେ କୌଣସି ସମସ୍ୟା ନଥିଲା, ତେବେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ଲାଗି ମନ୍ତ୍ରୀ ପାରିକର ବିଭାଗୀୟ ସଚିବଙ୍କୁ ପରାମର୍ଶ ଦେଉଥିଲେ କାହିଁକି? ସୀତାରମଣଙ୍କ ଉତ୍ତର ଆହୁରି ଅନେକ ପ୍ରଶ୍ନ ପାଇଁ ଅବକାଶ ସୃଷ୍ଟି କରୁଛି ସିନା ସନ୍ଦେହକୁୁ ଦୂର କରି ପାରୁନାହିଁ। ପୁଣି ଚଳିତ ଏନ୍ଡିଏ ମନ୍ତ୍ରିମଣ୍ତଳର ଚରିତ୍ର ଯାହା, ସେଥିରେ ପିଏମ୍ଓ ଦ୍ବାରା ହସ୍ତକ୍ଷେପକୁ ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ପାରିକର ବିରୋଧ ପରିବର୍ତ୍ତେ ବରଦାସ୍ତ କରି ନିଜ ମନ୍ତ୍ରଣାଳୟର ବାବୁମାନଙ୍କୁ ‘ଶାନ୍ତ’ ରହିବା ଲାଗି ପରାମର୍ଶ ଦେବା ଆଦୌ ଅସ୍ବାଭାବିକ ମନେ ହେଉ ନାହିଁ। ଅବଶ୍ୟ, ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ପାରିକର ରାଫେଲ ଖର୍ଦି ପାଇଁ ସ୍ବାକ୍ଷରିତ ବୁଝାମଣା ସହ ସମ୍ପୂର୍ଣ୍ଣ ଏକମତ ନଥିବା କାହାକୁ ଅଛପା ନୁହେଁ।
ଦ୍ବିତୀୟ ପ୍ରଶ୍ନ ରାଫେଲ ଖର୍ଦି ପ୍ରକ୍ରିୟା ନେଇ ମାନ୍ୟବର ସୁପ୍ରିମ୍ କୋର୍ଟଙ୍କଠାରେ ସରକାରଙ୍କ ପକ୍ଷରୁ ଯେଉଁ ବିବରଣୀ ରଖାଗଲା, ସେଥିରେ କଥାବାର୍ତ୍ତାରେ ପିଏମ୍ଓର ସ˚ପୃକ୍ତି ବିଷୟ କାହିଁକି ଉଲ୍ଲେଖ କରାଗଲା ନାହିଁ? ରାଫେଲ୍ ଖର୍ଦି କାରବାର ନେଇ ସମୁଦାୟ ପ୍ରକ୍ରିୟା ଉଚ୍ଚତମ ଅଦାଲତ ଜାଣିବାକୁ ଚାହିଁଥିଲେ। ଏବେ ସରକାର ସ୍ବୀକାର କରିଛନ୍ତି ଯେ, କଥାବାର୍ତ୍ତା ପ୍ରକ୍ରିୟାରେ ପିଏମ୍ଓର ମଧୢ ସମ୍ପୃକ୍ତି ଥିଲା। ଅଥଚ ପୂର୍ବରୁ ଏ ବିଷୟ ଅଦାଲତଙ୍କୁ ନ ଜଣାଇବା ସ୍ବତଃ ସନ୍ଦେହ ପାଇଁ ଅବକାଶ ସୃଷ୍ଟି କରୁଛି। କଥାବାର୍ତ୍ତା ପ୍ରକ୍ରିୟାରେ ପିଏମ୍ଓର ସମ୍ପୃକ୍ତି ବିଷୟ ପଦାକୁ ଆସିବା ପୂର୍ବରୁ ଜାତୀୟ ନିରାପତ୍ତା ପରାମର୍ଶଦାତା (ଏନ୍ଏସ୍ଏ) ଅଜିତ ଡୋଭାଲ୍ଙ୍କ ରାଫେଲ ବୁଝାମଣାର ଚିଠା ପ୍ରସ୍ତୁତିରେ ସକ୍ରିୟ ଭୂମିକା ବିଷୟ ମଧୢ ଜଣା ପଡ଼ିଥିଲା। ପ୍ରତିରକ୍ଷା ସାମଗ୍ରୀ ଖର୍ଦ୍ଦି ସଂକ୍ରାନ୍ତ ନୀତି ୨୦୧୩ ଅନୁଯାୟୀ ପ୍ରତିରକ୍ଷା କାରବାରରେ ଏନ୍ଏସ୍ଏଙ୍କ କୌଣସି ଭୂମିକା ନାହିଁ। ସେ ରାେଫେଲ ଖର୍ଦ୍ଦି ନେଇ ଗଠିତ କମିଟି କିମ୍ବା ସ୍ବତନ୍ତ୍ର ଦଳର ସଦସ୍ୟ ନ ଥିଲେ। ତଥାପି କଥାବାର୍ତ୍ତାରେ ତାଙ୍କ ଭୂମିକା ଆସିଲା କେମିତି? ଅଫ୍ସେଟ୍ ସହଯୋଗୀ ଭାବେ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ସମ୍ପୂର୍ଣ୍ଣ ଅନଭିଜ୍ଞ ଓ ଋଣଗ୍ରସ୍ତ ଅନୀଲ ଅମ୍ବାନୀ ଗ୍ରୁପ୍ର ଗୋଟିଏ କମ୍ପାନିର ନିଯୁକ୍ତି ନେଇ ପ୍ରଧାନମନ୍ତ୍ରୀଙ୍କ ଆଡ଼କୁ ପୂର୍ବରୁ ଅଙ୍ଗୁଳି ଉଠିଥିଲା। ଏବେ କଥାବାର୍ତ୍ତା ପ୍ରକ୍ରିୟାରେ ପିଏମ୍ଓ ଓ ଏନ୍ଏସ୍ଏ ଡୋଭାଲଙ୍କ ସ˚ପୃକ୍ତି ନେଇ ଅଭିଯୋଗ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କ ଭୂମିକା ସନ୍ଦେହର ବଳୟ ମଧ୍ୟକୁ ଆହୁରି ଅଧିକ ଠେଲି ହୋଇଯାଉଛି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଶାସକ ବିଜେପି ପକ୍ଷରୁ ଚାଲିଥିବା ବୟାନବାଜିରୁ ବିରୋଧୀଙ୍କ ପ୍ରଶ୍ନଗୁଡ଼ିକର ଉତ୍ତର ମିଳୁନାହିଁ। ରାଫେଲ୍ ନେଇ ରାଜନୈତିକ ବିବାଦ, ଶାସକ-ବିରୋଧୀ ଆରୋପ-ପ୍ରତ୍ୟାରୋପ ନିର୍ବିଶେଷରେ ସନ୍ଦେହ ମୋଚନ ଲାଗି ଦେଶବାସୀ ଶାସନର ସର୍ବୋଚ୍ଚ କର୍ତ୍ତା ପ୍ରଧାନମନ୍ତ୍ରୀଙ୍କଠାରୁ ଏ ପ୍ରସଙ୍ଗରେ ସ୍ପଷ୍ଟ ଉତ୍ତର ଆଶା କରନ୍ତି। ରାଫେଲ୍ ଯୁଦ୍ଧ ବିମାନ ଖର୍ଦିକୁ କେନ୍ଦ୍ର କରି ବିବାଦର ଝଡ଼ ଆଉ ଅଧିକ ଦିନ ଲାଗି ରହିବା ଦେଶର ସୁରକ୍ଷା ତଥା ବିଶ୍ବରେ ଭାରତର ମର୍ଯ୍ୟାଦା ଦୃଷ୍ଟିରୁ ଆଦୌ ଶୁଭଙ୍କର ନୁହେଁ।