ପ୍ରେମ ଓ ଭୟ

୧୯୬୦ରେ ମୁକ୍ତି ଲାଭ କରିଥିବା  ସେ ସମୟର ଅତ୍ୟନ୍ତ ଲୋକପ୍ରିୟ ହିନ୍ଦୀ ଚଳଚ୍ଚିତ୍ର ମୁଗଲ-ଇ-ଆଜମର ସୁପର ହିଟ୍‌ ଗୀତ ‘ପ୍ୟାର କିୟା ତୋ ଡରନା କ୍ୟା’ରେ ପ୍ରେମ ଓ ଭୟ ଭିତରେ ନିହିତ ଥିବା ଯେଉଁ ସ˚ପର୍କକୁ ଉପଲକ୍ଷ୍ୟ  କରାଯାଇଛି, ତାହା ଉଜାଗର ହୋଇଥାଏ ସେହି ସିନେମାର ଶେଷ ଦୃଶ୍ୟରେ, ଯେତେବେଳେ ମୋଗଲ ସମ୍ରାଟ ଆକବରଙ୍କ ଆଦେଶରେ ରାଜକୁମାର ସଲିମ(ଜାହାଙ୍ଗୀର)ଙ୍କ ପ୍ରେୟସୀ ଅନାରକଲିଙ୍କୁ ଗୋଟିଏ କାନ୍ଥରେ ଜୀବନ୍ତ କବର ଦେଇ ଦିଆଯାଏ। ପରିପୂର୍ଣ୍ଣତା ଲାଭ କରିପାରି ନ ଥିବା ଏହି ଅମର ପ୍ରେମକାହାଣୀର ନାୟିକାଙ୍କ ଦଶାକୁ ଯଦି ଆଜିକା ଭାଷାରେ ବର୍ଣ୍ଣନା କରାଯାଏ, ତେବେ ତାକୁ ‘ଅନର‌୍‌ କିଲି˚’ (ମର୍ଯ୍ୟାଦା ଲାଗି ହତ୍ୟା) ବୋଲି କୁହାଯିବ। ତେବେ, ଏ ବିଷୟକୁ ଏଠାରେ ଉଠାଯିବାର ପରିପ୍ରେକ୍ଷୀ  ହେଉଛି ସଦ୍ୟ ପ୍ରକାଶିତ ‘ଜାତୀୟ ଅପରାଧ ପଞ୍ଜୀକରଣ ବ୍ୟୁ‌େରା’ ବା  (ଏନ୍‌ସିଆର୍‌ବି)ରେ ପ୍ରଦତ୍ତ ପରିସ˚ଖ୍ୟାନ;  ଯାହା ଦର୍ଶାଉଛି ଯେ ଆମ ଦେଶରେ ବିଭିନ୍ନ କାରଣରୁ ହେଉଥିବା ହତ୍ୟାକାଣ୍ତକୁ ବିଚାରକୁ ନେଲେ ପ୍ରେମ ଜନିତ ହତ୍ୟାକାଣ୍ଡ ହାରରେ ଅଭିବୃଦ୍ଧି ହୋଇଛି ସର୍ବାଧିକ।  ପୁଣି ଆମ ଦେଶରେ ହତ୍ୟା ଅପରାଧର ସ˚ଖ୍ୟାରେ କ୍ରମଶଃ ହ୍ରାସ ପରିଲକ୍ଷିତ ହେଉଥିବା ବେଳେ ପ୍ରେମଜନିତ ହତ୍ୟାକାଣ୍ତର ସ˚ଖ୍ୟାରେ ଲଗାତାର ବୃଦ୍ଧି ଘଟିବାରେ ଲାଗିଛି, ଯହିଁରେ ଏକ ପ୍ରମୁଖ ଭାଗ ଅକ୍ତିଆର କରିଛି ‘ଅନର‌୍‌ କିଲି˚’।

୨୦୧୫ରେ ‘ଇଣ୍ଡିଆ ଟୁଡେ’ ପତ୍ରିକାରେ ପ୍ରକାଶିତ ଏକ ନିବନ୍ଧରେ କୁହାଯାଇଥିଲା ଯେ ୨୦୦୧ରୁ ୨୦୧୫ ମଧୢରେ ପ୍ରେମ କାରଣରୁ  ଯେତିକି ସ˚ଖ୍ୟକ ଲୋକ ନିହତ ହୋଇଛନ୍ତି, ତାହା ଆମ ଦେଶରେ ଆତଙ୍କବାଦ କାରଣରୁ ହତାହତ  ହୋଇଥିବା ଲୋକଙ୍କ ସ˚ଖ୍ୟାଠାରୁ ମଧୢ ଅଧିକ। ଏଥିରେ ଏହା ମଧ୍ୟ କୁହାଯାଇଥିଲା ଯେ  ପ୍ରେମ ସଂଦର୍ଭରେ ଭାରତ ହେଉଛି ଏକ ବିପଜ୍ଜନକ ସ୍ଥାନ। ସଦ୍ୟ ପ୍ରକାଶିତ ‘ଏନ୍‌ସିଆର୍‌ବି’ର ତଥ୍ୟ ଏହାକୁ କେବଳ ସାବ୍ୟସ୍ତ କରିଛି ଯାହା। ଏହି ତଥ୍ୟ ଅନୁସାରେ ଯଦିଓ ହତ୍ୟା ଅପରାଧ ପ୍ରସଙ୍ଗରେ ୨୦୦୧ର ସ˚ଖ୍ୟା(୩୬,୨୦୨) ତୁଳନାରେ ୨୦୧୭ର ସ˚ଖ୍ୟା(୨୮, ୬୫୩) ୨୧% କମ୍‌ ଏବ˚ ବ୍ୟକ୍ତିଗତ ଆକ୍ରୋଶ ଓ ସ˚ପତ୍ତି ବିବାଦ ହେତୁ (ହତ୍ୟା ଅପରାଧର ଦୁଇ ବଡ଼ କାରଣ) ହତ୍ୟାକାଣ୍ତରେ ଯଥାକ୍ରମେ ୪.୩% ଓ ୧୨% ହ୍ରାସ ଘଟିଛି,  ପ୍ରେମ କାରଣରୁ ହୋଇଥିବା ହତ୍ୟାକାଣ୍ତରେ ବୃଦ୍ଧି ହୋଇଛି ୨୮%।  ଏହା ସହିତ ଯଦି ପ୍ରେମ ଜନିତ ଆତ୍ମହତ୍ୟାକୁ ସାମିଲ କରାଯାଏ, ତେବେ ଚିତ୍ରଟି ଯେ ଆହୁରି କରୁଣ ଦିଶିବ, ଏଥିରେ ସନ୍ଦେହ ନାହିଁ।

୧୯୭୧ ମସିହାରେ, ‘ଏନ୍‌ସିଆର୍‌ବି’ ଜରିଆରେ ଅପରାଧ ସ˚ଦର୍ଭରେ ସର୍ବେକ୍ଷଣମୂଳକ ପରିସଂଖ୍ୟାନ ପ୍ରସ୍ତୁତିର  ପ୍ରକ୍ରିୟା ଆରମ୍ଭ ହେବା ପରଠାରୁ ଯାହା ସ୍ପଷ୍ଟ ଭାବେ ପରିଦୃଶ୍ୟ ହେବାରେ ଲାଗିଛି ତାହା ହେଲା  ପ୍ରେମଜନିତ ହତ୍ୟାକାଣ୍ତର କ୍ରମବର୍ଦ୍ଧମାନ ଧାରା। ଏବ˚ ଏ ପରିପ୍ରେକ୍ଷୀରେ ଯାହା ସବୁଠାରୁ ଅଧିକ ମର୍ମନ୍ତୁଦ, ତାହା ହେଲା ନିକଟତମ ସ˚ପର୍କୀୟଙ୍କ ଦ୍ବାରା ବା ଆଦେଶରେ ବା ଅନୁମତିରେ ସ˚ଘଟିତ ହେଉଥିବା ‘ଅନର କିଲି˚।’  ଏଥିରେ ଅନ୍ତର୍ନିହିତ ବିଡ଼ମ୍ବନାଟି ହେଉଛି ଏ ସ˚ପର୍କରେ ଖବର ପ୍ରକାଶିତ ହୋଇ ସର୍ବତ୍ର ଚାଞ୍ଚଲ୍ୟ ସୃଷ୍ଟି ହେଉଥିବା ବେଳେ ଏବ˚ ସର୍ବୋଚ୍ଚ ଅଦାଲତ ଏହାକୁ ରୋକିବା ଲାଗି ସରକାରଙ୍କୁ ବାରମ୍ବାର ତାଗିଦ କରୁଥିବା ସତ୍ତ୍ବେ ଏ ଧାରାରେ ବିଶେଷ କିଛି ଅଗ୍ରଗତି କରାଯାଇ ପାରୁନାହିଁ। ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ ୟୁନେସ୍କୋର ଏକ ବୈଠକରେ ଭାରତ ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ବ କରିଥିବା ବର୍ତ୍ତମାନର ବିଜେପି ସା˚ସଦ ଏସ୍‌ଏସ୍‌ ଆଲୁଵାଲିଆ ଭାରତରେ ‘ଅନର‌୍‌ କିଲି˚’ ହେଉଥିବା ବିଷୟ ଅସ୍ବୀକାର କରିଥିଲେ। ସେତେବେଳେ ଅତ୍ୟନ୍ତ ହାସ୍ୟାସ୍ପଦ ଭାବେ ଶାସନକୁ ଆସୁଥିବା ସବୁ ସରକାରଗୁଡ଼ିକର ପକ୍ଷ ଏୟା ଥିଲା ଯେ ଏଭଳି ବର୍ବର କାର୍ଯ୍ୟ କେବଳ ପାକିସ୍ତାନ ଭଳି ଦେଶରେ ହିଁ ସମ୍ଭବ, ଭାରତରେ ନୁହେଁ। ତେବେ, ପରବର୍ତ୍ତୀ କାଳରେ ବିଭିନ୍ନ ସାମାଜିକ ସ˚ଗଠନ ଓ ବିଶେଷ ଭାବେ ନାରୀ ଅଧିକାର ଲାଗି ସ˚ଘର୍ଷ କରୁଥିବା ଅନୁଷ୍ଠାନଗୁଡ଼ିକ ଦ୍ବାରା ବିପୁଳ ଚାପ ପ୍ରୟୋଗ ପରେ ୨୦୦୯, ଜୁଲାଇରେ ପ୍ରଥମ ଥର ଲାଗି ଏକ ଧୢାନ ଆକର୍ଷଣକାରୀ ପ୍ରସ୍ତାବ ମାଧୢମରେ ରାଜ୍ୟସଭାରେ ଏ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ତାପରେ ୨୦୧୦ ମସିହାରେ ପ୍ରଚଳିତ ଭାରତୀୟ ଦଣ୍ତବିଧି ଆଇନରେ ଏ ସ˚କ୍ରାନ୍ତରେ ସ˚ଶୋଧନ ଅଣାଯାଇଥିଲା।  କିନ୍ତୁ, ଦୁଃଖର ବିଷୟ ‘ଅନର କିଲିଂ’ର ସ୍ଥିତି ପ୍ରାୟ ଅପରିବର୍ତ୍ତିତ ରହିଛି।

‘ଅନର କିଲି˚’କୁ କେବଳ ମାତ୍ର ପ୍ରେମଜନିତ ଏକ ଅପରାଧ ରୂପେ ବିବେଚନା କରିବା ଅପରିପକ୍ବତା ହୋଇପାରେ। କାରଣ ଏଭଳି ହତ୍ୟା ପଛରେ ଥିବା ଉଦ୍ଦେଶ୍ୟ ବା ‘ମୋଟିଭ୍‌’ରେ ଜାତିଆଣ ବିଦ୍ବେଷ ଓ ପୁରୁଷ ପ୍ରାଧାନ୍ୟବାଦ ଭଳି  ସାମାଜିକ ବିକୃତିକୁ ଦେଖିହୁଏ।  ‘ଅନ୍ତର-ଜାତୀୟ ବିବାହ’ ବା ଅନ୍ୟ ଜାତିରେ ବିବାହ ପରିପ୍ରେକ୍ଷୀରେ ବି.ଆର. ଆମ୍ବେଦକରଙ୍କ ବକ୍ତବ୍ୟ ଏଠାରେ ପ୍ରଣିଧାନଯୋଗ୍ୟ। ସେ କହିଥିଲେ ଯେ ରାଜନୈତିକ ନେତୃତ୍ବ ତୁଳନାରେ ସାମାଜିକ ନେତୃତ୍ବ ନେବା ଲାଗି ଅଧିକ ସାହସ ଲୋଡ଼ା। ରାଜନୈତିକ ମତାଦର୍ଶ ତୁଳନାରେ  ସାମାଜିକ ମତାଦର୍ଶ  ବିରୋଧରେ ସ୍ବର ଉତ୍ତୋଳନ କରିବା ଅଧିକ କଷ୍ଟସାଧୢ। ‘ଅନର କିଲି˚’ ସନ୍ଦର୍ଭରେ ଏହା ବାରମ୍ବାର ପ୍ରମାଣିତ ହେବାରେ ଲାଗିଛି। ଉଦାହରଣ ସ୍ବରୂପ, ଉତ୍ତରପ୍ରଦେଶ ଓ ହରିୟାଣାରେ ଉଚ୍ଚଜାତିର ପ୍ରତିନିଧିମୂଳକ କୁଖ୍ୟାତ ‘ଖାପ’ ପଞ୍ଚାୟତ  ଦ୍ବାରା ଜାତି ଦୃଷ୍ଟିରୁ ଅସାମ୍ୟ ବିବାହ ବିରୋଧରେ ବାରମ୍ବାର ଚରମ ଦଣ୍ତବିଧାନ  କରାଯାଉଥିଲେ ହେଁ  ତା ବିରୋଧରେ ସେ ଅଞ୍ଚଳର ଅମିତ ଶକ୍ତିଶାଳୀ ସା˚ସଦ ବା ବିଧାୟକମାନେ ତୁଣ୍ତ ଖୋଲନ୍ତି ନାହିଁ। ପରିବାର ଓ ସମାଜର ଆଜ୍ଞାରେ ଏଭଳି ହତ୍ୟାକାଣ୍ତ ଘଟୁଥିବାରୁ ଅନେକ ସମୟରେ ଏ ସ˚କ୍ରାନ୍ତ ଅସ˚ଖ୍ୟ ଅଭିଯୋଗ  ପୁଲିସ ଥାନାରେ ମଧୢ ପହଞ୍ଚେ ନାହିଁ। ତେଣୁ, ଯଦି କୌଣସି ଉପାୟରେ ଏ ସମସ୍ତ ସ˚ଖ୍ୟାକୁ ଏକତ୍ର କରାଯାଇପାରନ୍ତା, ତେବେ ‘ଏନ୍‌ସିଆର୍‌ବି’ ଦ୍ବାରା ସ˚କଳିତ ଏ ପରିସ˚ଖ୍ୟାନ ମଧୢ ନିରୀହ ଦିଶନ୍ତା।

‘ଏନ୍‌ସିଆର୍‌ବି’ର ତଥ୍ୟକୁ ପୁଣି ଫେରିଲେ ଦେଖିବା ଯେ ସ˚ଖ୍ୟା ଦୃଷ୍ଟିରୁ ପ୍ରେମ କାରଣରୁ ହତ୍ୟାରେ ଉତ୍ତରପ୍ରଦେଶ(୩୯୫) ହେଉଛି ଏକ ନମ୍ବର ରାଜ୍ୟ। ଏଭଳି ଅପରାଧ ସବୁଠାରୁ କମ୍‌ ସ˚ଖ୍ୟାରେ ଘଟିଛି କେରଳ(୬)ରେ।  ତେଣୁ  ପ୍ରେମ ପ୍ରସ୍ଫୁଟିତ ହେବାଲାଗି କେରଳ ହେଉଛି ସର୍ବୋତ୍ତମ ସ୍ଥାନ। ଯଦି ସ˚ଘଟିତ ହେଉଥିବା ସମୁଦାୟ ହତ୍ୟାକାଣ୍ତ ଭିତରେ ପ୍ରେମ ଜନିତ ହତ୍ୟାକାଣ୍ତର ଅନୁପାତକୁ ବିଚାରକୁ ନେବା ତେବେ ସର୍ବାଗ୍ରେ ରହିବ ଆନ୍ଧ୍ରପ୍ରଦେଶ। ଆନ୍ଧ୍ରପ୍ରଦେଶରେ ଅନ୍ୟାନ୍ୟ କାରଣ ତୁଳନାରେ ପ୍ରେମ କାରଣରୁ ସର୍ବାଧିକ ହତ୍ୟାକାଣ୍ତ ହୋଇଥାଏ। ଆମ ରାଜ୍ୟ ଓଡ଼ିଶାରେ ଯେଉଁ କାରଣରୁ ହତ୍ୟା ଅପରାଧମାନ ଘଟିଥାଏ, ତା ଭିତରେ ପ୍ରେମ ଜନିତ କାରଣର ସ୍ଥାନ ଚତୁର୍ଥ। ସୁତରା˚, ଆମ ରାଜ୍ୟ ପ୍ରେମ ଦୃଷ୍ଟିଭଙ୍ଗୀରୁ ଅପେକ୍ଷାକୃତ ଅଧିକ ସହିଷ୍ଣୁ ବୋଲି ବିଚାର କରାଯାଇପା‌େର।

ସମ୍ବନ୍ଧିତ ଖବର