ଦରିଦ୍ର କୃଷକ

୧୯୪୮ ମସିହାରୁ (ସ୍ବାଧୀନତା ପରବର୍ତ୍ତୀ କାଳ) ଆରମ୍ଭ କରି ୨୦୨୦ ମସିହା ପର୍ଯ୍ୟନ୍ତ ସମୟ ଖଣ୍ତ ମଧୢରେ ଦେଶର ବିଭିନ୍ନ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଲିଖିତ ‘କୃଷକର ଆତ୍ମକାହାଣୀ’ ଶୀର୍ଷକ ପ୍ରବନ୍ଧରେ ଯଦି କୌଣସି ଗୋଟିଏ ବାକ୍ୟ ଅପରିବର୍ତ୍ତିତ ରହି ଆସିଛି, ତାହା ହେଲା ପ୍ରବନ୍ଧର ପ୍ରାରମ୍ଭିକ ବାକ୍ୟ ଯାହା କହିଥାଏ- ‘ମୁଁ ଜଣେ ଦରିଦ୍ର କୃଷକ।’ ଯଦିଓ ଇତିମଧୢରେ, କୃଷିକୁ ଅଗ୍ରାଧିକାର ଦିଆଯିବାର ପ୍ରତିଶ୍ରୁତି ବହନ କରିଥିବା ୧୨ଟି ପଞ୍ଚବାର୍ଷିକ ଯୋଜନା ଏବ˚ ସତୁରିରୁ ଅଧିକ ୟୁନିଅନ ବଜେଟ୍‌ ଓ ବିଭିନ୍ନ କାର୍ଯ୍ୟକ୍ରମ ଦ୍ବାରା ଭାରତ ଖାଦ୍ୟାନ୍ନରେ ଏକ ବଳକା ରାଷ୍ଟ୍ର ହୋଇପାରିଛି, କୃଷି କ୍ଷେତ୍ରରେ ବିପୁଳ ପ୍ରାବିଧିକ ବିକାଶ ଘଟିଛି, କିନ୍ତୁ କୃଷକ ପୂର୍ବବତ୍‌ ଦରିଦ୍ର ହୋଇ ରହିଛି। ଏହି ସ˚ଦର୍ଭରେ ଏକ ତୁଳନାତ୍ମକ ଆକଳନ ଆଧାରରେ କୁହାଯାଇପାରେ ଯେ ସ˚ପ୍ରତି କୃଷି ଅର୍ଥନୀତି-ଭିତ୍ତିିକ ଗ୍ରାମାଞ୍ଚଳରେ ଆର୍ଥିକ ସ˚ପନ୍ନତା ପୂର୍ବ ତୁଳନାରେ ଅଧିକ ଦୃଶ୍ୟମାନ ହୋଇଛି, କିନ୍ତୁ ପ୍ରକୃତ କଥା ହେଲା ତହିଁରେ କୃଷି ଲବ୍‌ଧ ଉପାର୍ଜନର ଅବଦାନ ଅତ୍ୟନ୍ତ କମ୍‌। ଏହି ସମୟ ଖଣ୍ତ ଭିତରେ ଉଦ୍ୟୋଗ ବା ସେବା କ୍ଷେତ୍ରରେ ବିଶାଳ ଅଭିବୃଦ୍ଧି ସାଧିତ ହୋଇଥିବା ସ୍ଥଳେ କୃଷି କ୍ଷେତ୍ରରେ ଅଭିବୃଦ୍ଧିର ହାର ମାତ୍ର ୪ ପ୍ରତିଶତ। ରାଷ୍ଟ୍ରର ମୋଟ ଜାତୀୟ ଆୟ ବା ‘ଜିଡିପି’ରେ ମାତ୍ର ୧୫% ଯୋଗଦାନ କରୁଥିବା କୃଷି କ୍ଷେତ୍ର ଉପରେ ଏବେ ସୁଦ୍ଧା ରାଷ୍ଟ୍ରର ଏକ ଅତ୍ୟନ୍ତ ବୃହତ୍‌ ବର୍ଗ ନିର୍ଭରଶୀଳ ହୋଇ ରହିଛନ୍ତି। ସୁତରା˚, ବରାବର ପ୍ରଶ୍ନ ଉଠିଥାଏ ଯେ କୃଷକମାନଙ୍କୁ କ’ଣ ଦାରିଦ୍ର୍ୟ କବଳରୁ ମୁକ୍ତ କରିବାର ଲକ୍ଷ୍ୟ କେବେ ହେଲେ ବାସ୍ତବାୟିତ ହେବନାହିଁ? ଏ ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ଦ୍ବାରା ସଦ୍ୟ ପ୍ରତିଶ୍ରୁତ ‘ଷ୍ଟିମ୍ୟୁଲସ୍‌ ପ୍ୟାକେଜ’ରେ କୃଷକଙ୍କ ସକାଶେ ରହିଥିବା ପ୍ରାବଧାନ ଏକ ସ˚କ୍ଷିପ୍ତ ଆଲୋଚନାର ସୁଯୋଗ ସୃଷ୍ଟି କରିଛି।

କହିବା ବାହୁଲ୍ୟ ଯେ ଆମ ଦେଶରେ ସର୍ବାଧିକ ବିପଦ (ରିସ୍‌କ)ର ଆଶଙ୍କା ବହନ କରିଥିବା ଏବ˚ ସର୍ବନିମ୍ନ ଲାଭର ଆଶା ରଖିଥିବା ତଥା ମାତ୍ରାଧିକ ନିୟନ୍ତ୍ରଣ ବ୍ୟବସ୍ଥା ମଧୢରେ କାର୍ଯ୍ୟ କରୁଥିବା ଉଦ୍ୟୋଗଟି ହେଉଛି ‘କୃଷି’। କାରଣ ଆମ କୃଷି କ୍ଷେତ୍ର ଉଭୟ ମାନବ ଏବ˚ ଦୈବୀକୃତ ବିପତ୍ତି ଦ୍ବାରା ନିରନ୍ତର ଜର୍ଜରିତ ହୋଇ ରହି ଆସିଛି। ସେହି କାରଣରୁ କୃଷି କ୍ଷେତ୍ରରୁ ଭାରତୀୟ ମାନବ ସମ୍ବଳର ଏକ ବୃହତ୍‌ ଭାଗ ଅପସରି ଯିବାରେ ଲାଗିଛନ୍ତି। କିନ୍ତୁ ଏହା ସତ୍ତ୍ବେ ପ୍ରାୟ ଅର୍ଧେକ ଭାରତୀୟ ଏବେ ମଧୢ କୃଷିରେ ନିୟୋଜିତ। ଏହି ପରିପ୍ରେକ୍ଷୀରେ ଅନେକଙ୍କ ଲାଗି ଏକ ଦୁର୍ବୋଧୢ ପ୍ରହେଳିକାରେ ପରିଣତ ହୋଇଥିବା ଭଳି ସ˚ପ୍ରତି ପରିଦୃଷ୍ଟ ହେଉଥିବା ସ୍ଥିତିଟି ହେଉଛି ଏହା ଯେ ଭାରତର ଶସ୍ୟ ଗୋଦାମ ଉଛୁଳୁ ଥିଲେ ମଧୢ ବା ବିଭିନ୍ନ କୃଷିଜ ଉତ୍ପାଦନରେ ଭାରତ ପୃଥିବୀରେ ଏକ ଅଗ୍ରଣୀ ରାଷ୍ଟ୍ରରେ ପରିଣତ ହୋଇଥିଲେ ମଧୢ ଅଥବା ପୃଥିବୀର ସର୍ବାଧିକ ଟ୍ରାକ୍ଟର ନିର୍ମାଣ (ପୃଥିବୀର ପ୍ରାୟ ୩୦%) ଭାରତରେ ହେଉଥିଲେ ମଧୢ ଭାରତୀୟ କୃଷକଙ୍କ ଆର୍ଥିକ ସ୍ଥିତି ପ୍ରାୟତଃ ଅପରିବର୍ତ୍ତିତ ହୋଇ ରହିଛି। ଏହାର ବହୁବିଧ କାରଣ ଭିତରୁ ଯାହା ପ୍ରମୁଖ, ତାହା ହେଲା କୃଷିଜାତ ଦ୍ରବ୍ୟର ବିପଣନରେ କୃଷକମାନଙ୍କର ଦାବି ବା ଇଚ୍ଛାର ଅନୁପସ୍ଥିତି। ପରିଶ୍ରମ ଏବ˚ ପୁ˚ଜିର ବିନିଯୋଗ ସତ୍ତ୍ବେ ସେମାନେ ନିଜ ଉତ୍ପାଦର ବିପଣନରେ ଏକ ମୁକ୍ତ ହସ୍ତ ଲାଭ କରିବାରୁ ବଞ୍ଚିତ ହେଉଥିବା କାରଣରୁ ଏଭଳି ପ୍ରଶ୍ନ ମଧୢ ଉଠିବାରେ ଲାଗିଛି ଯେ କୃଷକମାନଙ୍କୁ ପ୍ରକୃତ ଅର୍ଥରେ ଉଦ୍ୟୋଗୀ ବୋଲି କୁହାଯାଇ ପାରିବ ତ?

କୃଷିଜାତ ସାମଗ୍ରୀ ବିପଣନ ଆଇନ ଅନୁସାରେ ଭାରତୀୟ କୃଷକଙ୍କ ହିତରେ ଗଠିତ ‘ଏଗ୍ରିକଲ୍‌ଚର ପ୍ରଡ୍ୟୁସ୍‌ ମାର୍କେଟିଙ୍ଗ କମିଟି’ ବା ‘ଏପିଏମ୍‌ସି’ଗୁଡ଼ିକ (ଦେଶରେ ସେମାନଙ୍କ ସ˚ଖ୍ୟା ଛଅ ହଜାରରୁ ଅଧିକ) ଇତିି ମଧୢରେ ଏକଚାଟିଆ ଆଧିପତ୍ୟ କାରଣରୁ ସେମାନଙ୍କ ଚରିତ୍ର ବଦଳାଇ ସାରିଛନ୍ତି ଏବ˚ ଦଲାଲମାନଙ୍କ ହାତ ବାରସୀ ସାଜି ଏ ଗୁଡ଼ିକ କୃଷକଙ୍କ ହିତ କମ୍‌ ବର˚ ସେମାନଙ୍କ ଶୋଷଣର କାରଣ ପାଲଟି ସାରିଛନ୍ତି। ସୁତରା˚, ଖାଉଟି ବଜାରରେ କୃଷିଜାତ ସାମଗ୍ରୀର ଦର ବୃଦ୍ଧି ହେଲେ ମଧୢ କୃଷକ ତାର ହିତାଧିକାରୀ ହୋଇ ପାରେନାହିଁ (କାରଣ ଭଣ୍ତାରଣର ସୁବିଧା ଅଭାବରୁ କୃଷକ ସର୍ବଦା ତାର ଉତ୍ପାଦ ଶସ୍ତାରେ ବିକ୍ରି କରିବାକୁ ବାଧୢ ହୋଇଥାଏ) କି ‘ବ˚ପର‌୍‌’ ଅମଳ ସତ୍ତ୍ବେ ଭଣ୍ତାରଣ ଓ ବିପଣନର ଅକ୍ଷମତା ତାକୁ ଅଭାବୀ ବିକ୍ରି କରିବାକୁ ବାଧୢ କରିଥାଏ। ସେଥିଲାଗି ହାଡ଼ଭଙ୍ଗା ପରିଶ୍ରମର ଉପଜ ପନିପରିବା ବା ଫଳ ଆଦିକୁ ବିଲରେ ଶଢ଼ିବାକୁ ଛାଡ଼ି ଦେବା ଭଳି କରୁଣ ଚିତ୍ର ଆମ ଦେଶରେ ଏକ ନିୟମିତ ବ୍ୟାପାରରେ ପରିଣତ ହେଲାଣି। ଏଭଳି ଏକ ଯନ୍ତାରୁ କୃଷକଙ୍କୁ ମୁକ୍ତ କରିବାରେ ହିଁ ନିହିତ ଅଛି ସେମାନଙ୍କ ଆୟ ବୃଦ୍ଧି ଲାଗି ଉପାୟ।

ଏହି ପରିପ୍ରେକ୍ଷୀରେ ସଦ୍ୟ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଦତ୍ତ ‘ଷ୍ଟିମ୍ୟୁଲସ୍‌’ ପ୍ୟାକେଜରେ କୃଷକମାନଙ୍କ ସକାଶେ ପ୍ରତିଶ୍ରୁତ ପ୍ରମୁଖ ତିନିଟି ପଦକ୍ଷେପ ବିଶେଷ ରୂପେ ପ୍ରଣିଧାନଯୋଗ୍ୟ। ଏହି ତିନିଟି ସ˚ସ୍କାର ହେଲା, ‘ଏସେନ୍‌ସିଆଲ୍‌ କମୋଡିଟି ଆକ୍‌ଟ’ ବା ‘ଅତ୍ୟାବଶ୍ୟକ ସାମଗ୍ରୀ ଆଇନ’ରେ ସ˚ଶୋଧନ, ‘କଣ୍ଟ୍ରାକ୍‌ଟ ଫାର୍ମି˚ ଆକ୍‌ଟ’ ବା ‘ଚୁକ୍ତି-ଭିତ୍ତିକ କୃଷି ଆଇନ’ ପ୍ରଣୟନ ଏବ˚ ଅନ୍ତଃ-ରାଜ୍ୟ କୃଷି ଉତ୍ପାଦର ଅବାଧ ଚଳାଚଳ ଲାଗି ଆଉ ଏକ ଆଇନର ପ୍ରାବଧାନ। ପ୍ରଥମ ବ୍ୟବସ୍ଥାନୁସାରେ ଅତ୍ୟାବଶ୍ୟକ ତାଲିକାରେ ଅନ୍ତର୍ଭୁକ୍ତ କୃଷିଜାତ ଦ୍ରବ୍ୟର ସ˚ଖ୍ୟା ହ୍ରାସ କରାଯିବ ଏବ˚ କେବଳ ଜରୁରୀକାଳୀନ ସ୍ଥିତିରେ ହିଁ ଏହାକୁ ଲାଗୁ କରାଯିବ। ପ୍ରକାଶ ଥାଉ କି ଗଲା ଶତାବ୍ଦୀର ସପ୍ତମ ଦଶକରେ ଦେଶର ଖାଦ୍ୟାଭାବ ଜନିତ ପରିସ୍ଥିତିର ସୁଯୋଗ ନେଇ ଉପଦ୍ରବ ସୃଷ୍ଟିକାରୀ ଲାଭଖୋର ମହଜୁଦକାରୀ ଓ କଳାବଜାରୀଙ୍କୁ ଜବତ କରିବା ସକାଶେ ‘ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ’ ପ୍ରଣୟନ କରାଯାଇଥିଲା, ଯାହା ଅତ୍ୟାବଶ୍ୟକ ଭାବେ ତାଲିକାଭୁକ୍ତ କୃଷିଜାତ ଦ୍ରବ୍ୟଗୁଡ଼ିକୁ ଏକ ଧାର୍ଯ୍ୟ ସୀମାରୁ ଅଧିକ ମହଜୁଦ ରଖିବାକୁ ଦଣ୍ତନୀୟ ଅପରାଧରେ ପରିଣତ କରିଥିଲା। ସ˚ପ୍ରତି ଭାରତ ଭଳି ଖାଦ୍ୟ ଶସ୍ୟର ଏକ ବଳକା ରାଷ୍ଟ୍ରରେ ଏଭଳି ଏକ ଆଇନ ବସ୍ତୁତଃ ତାର ପ୍ରାସଙ୍ଗିକତା ହରାଇଛି କହିଲେ ଚଳେ। ଏହି ଆଇନରେ ସ˚ଶୋଧନ ବ୍ୟବସାୟୀମାନଙ୍କୁ ଅଧିକ କୃଷିଜାତ ଦ୍ରବ୍ୟ କ୍ରୟ କରି ଗୋଦାମରେ ରଖିବାକୁ ସାହସ ଦେବ, ଯାହାର ଲାଭ ଚାଷୀଙ୍କୁ ମିଳିବାର ସମ୍ଭାବନା ରହିଛି। ସେହିଭଳି ଚୁକ୍ତିଭିତ୍ତିକ କୃଷି ଆଇନ କାର୍ଯ୍ୟକାରୀ ହେଲେ ବିଶାଳ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ବା ବିଭିନ୍ନ କୃଷିଜରେ କାରବାର କରୁଥିବା ଅତିକାୟ ରିଟେଲି˚ ଉଦ୍ୟୋଗ କୃଷି କ୍ଷେତ୍ରରେ ପ୍ରବେଶ କରି ବିପୁଳ ପୁ˚ଜି ବିନିଯୋଗ କରିବେ। ସେଇ ଆଧାରରେ ଅଧିକ ଶୀତଳ ଭଣ୍ତାର ସ୍ଥାପିତ ହୋଇପାରିବ ବା ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ କ୍ଷେତ୍ର ଅଧିକ ପ୍ରଶସ୍ତ ହେବ। ସେହିପରି ଅବାଧ ଅନ୍ତର୍ରାଜ୍ୟ କୃଷିଜ ଚଳାଚଳ କୃଷକମାନଙ୍କ ଲାଗି ଏକ ବିଶାଳ ବଜାର ଉପଲବ୍‌ଧ କରାଇବ। ଯଦିଓ ଏ ସବୁ କିଛି ଆଶା ସ˚ଚାର କରିଛି, ତେବେ, ସବୁଠାରୁ ବଡ଼ କଥା ହେଉଛି ଏ ସବୁର ସଫଳ କାର୍ଯ୍ୟକାରିତା।

ଏ ପରିପ୍ରେକ୍ଷୀରେ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ‘ସର୍ବନିମ୍ନ ସହାୟକ ମୂଲ୍ୟ’ ସହିତ ଅସ˚ଖ୍ୟ ଭାରତୀୟ କୃଷକ ଧାନ ବା ଗହମ ଉତ୍ପାଦନ କରିବାର ଚକ୍ରରୁ ମୁକୁଳି ନ ପାରିବାର ସ˚ପର୍କ ଉପରେ ମଧୢ ଦୃଷ୍ଟି ନିକ୍ଷେପ କରାଯାଇପାରେ। ଯଦିଓ ସ˚ପ୍ରତି ବିଭିନ୍ନ କିସମର ଅର୍ଥକରୀ ଫସଲ ଅମଳର ସୁଯୋଗ ଉପଲବ୍‌ଧ ଏବ˚ ଧାନ ବା ଗହମରୁ ଆୟ କ୍ରମଶଃ ହ୍ରାସ ପାଉଥିବା ଅନିବାର୍ଯ୍ୟ ହୋଇ ପଡ଼ିଛି, ତଥାପି ‘ସର୍ବନିମ୍ନ ସହାୟକ ମୂଲ୍ୟ’ ଭଳି ଏକ ବ୍ୟବସ୍ଥା ଦ୍ବାରା ସୃଷ୍ଟ ‘ଆଶ୍ବସ୍ତି ପ୍ରଦାୟୀ’ ମାନସିକ କ୍ଷେତ୍ରରେ ବନ୍ଦୀ ଅସ˚ଖ୍ୟ ଚାଷୀ ଧାନ ବା ଗହମ ଚାଷର ଚକ୍ରରୁ ବାହାରି କୃଷି କ୍ଷେତ୍ରର ଏକ ପ୍ରଶସ୍ତ ଦିଗ୍‌ବଳୟର ଅନୁସନ୍ଧାନ କରିବାକୁ ଅନିଚ୍ଛୁକ। ଏହା ମଧୢ ସେମାନଙ୍କ ଦାରିଦ୍ର୍ୟର ଏକ ପ୍ରମୁଖ କାରଣ ହୋଇ ରହିପାରେ।

ସମ୍ବନ୍ଧିତ ଖବର