ନରେନ୍ଦ୍ର ମୋଦୀଙ୍କ ପ୍ରଧାନମନ୍ତ୍ରିତ୍ବ ସମୟରେ ଭାରତ ଉଭୟ କାତାର୍ ଓ ଅନ୍ୟାନ୍ୟ ଉପସାଗରୀୟ ଆରବ ଦେଶମାନଙ୍କ ସହିତ ଓ ସେମାନଙ୍କର ପ୍ରତିପକ୍ଷ ଇସ୍ରାଏଲ୍ ସହିତ ଉତ୍ତମ ସଂପର୍କ ପ୍ରତିଷ୍ଠା କରିପାରିଛି। ବର୍ତ୍ତମାନ ଇସ୍ରାଏଲ୍-ହମାସ୍ ଯୁଦ୍ଧରେ ଶାନ୍ତି ପ୍ରତିଷ୍ଠା ପାଇଁ ହେଉଥିବା ଉଦ୍ୟମରେ କାତାର୍ ହିଁ ମଧ୍ୟସ୍ଥି ଭୂମିକା ନିର୍ବାହ କରୁଛି, କାରଣ କାତାର୍ ମଧ୍ୟ ହେଉଛି ହମାସ୍‌ର ଶୀର୍ଷ ନେତୃବର୍ଗଙ୍କର ଆଶ୍ରୟସ୍ଥଳୀ। ଏହି ସମୟରେ ଏକ ଘରୋଇ ସଂସ୍ଥା ଦ୍ବାରା ନିଯୁକ୍ତ କେତେକ ପୂର୍ବତନ ଭାରତୀୟ ସାମରିକ ଅଧିକାରୀଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗ ଭାରତକୁ କୂଟନୈତିକ ଦୃଷ୍ଟିରୁ ଘୋର୍ ଅଡୁଆରେ ପକାଇ ଦେଇଛି।

Advertisment

ଅବଶେଷରେ ଉପସାଗରୀୟ ଏକଛତ୍ର ଶାସନାଧୀନ ଦେଶ କାତାର୍‌ର କାରାଗାରରେ ପ୍ରାଣଦଣ୍ଡ ପାଇଁ ଅପେକ୍ଷା କରିଥିବା ଆଠ ଜଣ ଅବସରପ୍ରାପ୍ତ ଭାରତୀୟ ନୌସେନାଧିକାରୀ ସେଇ ଚରମ ଦଣ୍ଡ ପାଇବାରୁ ବର୍ତ୍ତି ଯାଇଛନ୍ତି। ସେ ଦେଶର ଏକ ଅପିଲ୍ ଅଦାଲତ ସେମାନଙ୍କର ମୃତ୍ୟୁଦଣ୍ଡକୁ କୋହଳ କରିଦେଇ ସେ ଅଭିଯୁକ୍ତମାନଙ୍କ ସହିତ ସେମାନଙ୍କର ପରିବାରବର୍ଗ, ଭାରତ ସରକାର ଓ ଏହି ଘଟଣାକୁ ଅନୁସରଣ କରୁଥିବା ଭାରତର ଜନସାଧାରଣଙ୍କ ପାଇଁ ବହୁ ଅପେକ୍ଷିତ ଆଶ୍ବସ୍ତି ଆଣି ଦେଇଛି।
ତେବେ ଏହା ମଧ୍ୟ ମନେରଖିବା କଥା ଯେ ସେମାନଙ୍କର ମୃତ୍ୟୁଦଣ୍ଡ କୋହଳ କରାଯାଇଥିଲେ ହେଁ ଏହି ଆଠ ଜଣ ଅଭିଯୁକ୍ତଙ୍କୁ ଅଦାଲତ ଦୋଷମୁକ୍ତ କରି ଖଲାସ କରିଦେଇ ନାହିଁ। ମୃତ୍ୟୁଦଣ୍ଡ ପରିବର୍ତ୍ତେ ସେମାନଙ୍କୁ ଏବେ କାରାଦଣ୍ଡ ଭୋଗ କରିବାକୁ ହେବ, ଯାହାର ଅବଧି ସମ୍ବନ୍ଧରେ ଏ ପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳି ନ ଥିଲେ ହେଁ ବ୍ୟକ୍ତିବିଶେଷରେ ଏହା ତିନି ବର୍ଷରୁ ୨୫ ବର୍ଷ ଯାଏ ହୋଇପାରେ ବୋଲି ଶୁଣାଶୁଣିରୁ ଜଣାପଡୁଛି। ସଂପୃକ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ହୋଇଥିବା ଅପରାଧର ଗୁରୁତ୍ବ ଅନୁସାରେ କାରାଦଣ୍ଡର ଅବଧିରେ ତାରତମ୍ୟ ନିର୍ଣ୍ଣିତ ହୋଇଛି।
ଅବଶ୍ୟ କାତାର୍ ସୂତ୍ରରୁ କିମ୍ବା ଭାରତ ସରକାରଙ୍କ ସୂତ୍ରରୁ କିମ୍ବା ଅଭିଯୁକ୍ତମାନଙ୍କ ପରିବାର ସୂତ୍ରରୁ ସେମାନଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗର ବିଷୟବସ୍ତୁ ସମ୍ବନ୍ଧରେ ନିର୍ଦ୍ଦିଷ୍ଟ ଭାବରେ କିଛି ହେଲେ ପ୍ରକାଶ ପାଇ ନାହିଁ; କେବଳ ସେମାନେ ଗୁପ୍ତଚର କାର୍ଯ୍ୟରେ ଜଡ଼ିତ ଥିଲେ ବୋଲି କୁହାଯାଉଛି। କିନ୍ତୁ ଗଣମାଧ୍ୟମରେ ପ୍ରକାଶ ପାଉଥିବା କଳ୍ପନାଜଳ୍ପନା ଅନୁସାରେ ଏହି ପୂର୍ବତନ ଭାରତୀୟ ନୌସେନାଧିକାରୀମାନେ ସେଠାରେ ଇସ୍ରାଏଲ୍ ପାଇଁ ଗୁପ୍ତଚର କାର୍ଯ୍ୟ କରୁଥିଲେ ବୋଲି ସେମାନଙ୍କ ବିରୋଧରେ ଅଭିଯୋଗ ହୋଇଛି। ସେମାନେ କାତାର୍ ରାଜଧାନୀ ଦୋହା ଠାରେ ‘ଆଲ୍ ଦାହରା ଗ୍ଲୋବାଲ୍ ଟେକ୍‌ନୋଲୋଜିଜ୍’ ନାମକ ଏକ ଘରୋଇ କଂପାନିରେ କାର୍ଯ୍ୟରତ ଥିବା ବେଳେ ଇସ୍ରାଏଲ୍‌କୁ ଗୁପ୍ତ ତଥ୍ୟ ହସ୍ତାନ୍ତର କରିଥି‌େଲ ବୋଲି ଅନୁମାନ କରାଯାଉଛି। ୨୦୨୨ ଅଗଷ୍ଟରେ ଏହି ଅଭିଯୁକ୍ତମାନଙ୍କୁ ସେଠାରେ ଗିରଫ କରାଯାଇଥିଲା ଓ ପରେ ୨୦୨୩ ଅକ୍‌ଟୋବରରେ ‘କୋର୍ଟ ଅଫ୍ ଫାଷ୍ଟ୍ ଇନ୍‌ଷ୍ଟାନ୍‌ସ’ ନାମକ କାତାର୍‌ର ଏକ ତଳ କୋର୍ଟ ସେମାନଙ୍କର ବିଚାର କରି ସେମାନଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲା। ବର୍ତ୍ତମାନ ‘କୋର୍ଟ ଅଫ୍ ଅପିଲ୍’ ତଳ କୋର୍ଟର ସେଇ ଦଣ୍ଡାଦେଶରେ ପରିବର୍ତ୍ତନ ଘଟାଇ ମୃତ୍ୟୁଦଣ୍ଡକୁ କୋହଳ କରିଦେଇଛି।
ଏହା ଅବଶ୍ୟ ଜଣାଶୁଣା ଯେ ଏକ ସିଧାସଳଖ ନ୍ୟାୟିକ ପ୍ରକ୍ରିୟାରେ ସେମାନଙ୍କର ଦଣ୍ଡରେ ଏପରି ପରିବର୍ତ୍ତନ ଘଟି ନାହିଁ। ସେଠାକାର ଅଦାଲତକୁ ଏପରି ନିଷ୍ପତ୍ତି ଗ୍ରହଣ କରିବାକୁ ଯାହା ପ୍ରଭାବିତ କରିଛି, ତାହା ହେଉଛି ଏଥିପାଇଁ କାତାର୍ ଉପରେ ଭାରତ ସରକାର ପ୍ରୟୋଗ କରି ଚାଲିଥିବା କୂଟନୈତିକ ଚାପ। ଏହାର ଏକ ଶୀର୍ଷ ଉଦାହରଣ ସ୍ବରୂପ ମାତ୍ର କେତେ ସପ୍ତାହ ତଳେ ନଭେମ୍ବର ଶେଷ ଆଡ଼କୁ ଦୁବାଇରେ ଅନୁଷ୍ଠିତ ଜାତିସଂଘ ଜଳବାୟୁ ସମ୍ମିଳନୀ ‘କପ୍-୨୮’ରେ ଯୋଗଦେବା ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାତାର୍‌ର ଏମିର୍ ଶେଖ୍ ତାମିମ୍ ବିନ୍ ହମାଦ୍ ଆଲ୍ ଥାନିଙ୍କୁ ଭେଟି ଯେଉଁ ଅ‌ାଲୋଚନା କରିଥିଲେ, ସେଥିରେ ନିଃସନ୍ଦେହରେ ଏହି ପ୍ରସଙ୍ଗ ଅନ୍ତର୍ଭୁକ୍ତ ଥିଲା। କାରଣ, ଯଦିବା ଉଭୟ ପକ୍ଷ ଆଲୋଚନାର କୌଣସି ଟିକିନିଖି ବିବରଣୀ ପ୍ରକାଶ କରି ନାହାନ୍ତି, ଭାରତର ବୈଦେଶିକ ମନ୍ତ୍ରଣାଳୟ ତରଫରୁ ଏ ସଂପର୍କରେ ପ୍ରଦାନ କରାଯାଇଥିବା ସୂଚନାରେ କୁହାଯାଇଥିଲା ଯେ କାତାର୍‌ରେ ବସବାସ କରୁଥିବା ଭାରତୀୟ ସମୁଦାୟର ମଙ୍ଗଳ ସାଧନ ଥିଲା ମୋଦୀ ଓ ଏମିର୍‌ଙ୍କ ମଧ୍ୟରେ ଆଲୋଚନାର ବିଷୟବସ୍ତୁ।
ପ୍ରାଣଦଣ୍ଡରୁ ରକ୍ଷା ପାଇଥିବା ଏହି ଭାରତୀୟ ବନ୍ଦୀମାନେ ସେମାନଙ୍କର କାରାଦଣ୍ଡରୁ ଛାଡ଼ ପାଇବା ପାଇଁ କିମ୍ବା ଦଣ୍ଡ କୋହଳ କରିବା ପାଇଁ ସେମାନଙ୍କ ସମ୍ମୁଖରେ ବର୍ତ୍ତମାନ ଗୋଟିଏ ଆଇନଗତ ବାଟ ଖୋଲା ଅଛି- ସେମାନେ ସେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ, ‘କୋର୍ଟ ଅଫ୍ କାସେସନ୍’ରେ ଏଥିପାଇଁ ପ୍ରାର୍ଥନା କରି ଅପିଲ୍ କରିପାରିବେ। ଭାରତ ସରକାର ଯେ ଏହି ବନ୍ଦୀମାନଙ୍କୁ ସାହାଯ୍ୟ କରିବା ନିମିତ୍ତ ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି, ତାହାର ଅନ୍ୟ ଏକ ପ୍ରମାଣ ସ୍ବରୂପ ସେଠାକାର ଅଦାଲତରେ ଏମାନଙ୍କର ମାମଲା ଲଢ଼ିବା ପାଇଁ ଭାରତ ସରକାର ଓକିଲ ନିଯୁକ୍ତ କରିବା ସହିତ ତଜ୍ଜନିତ ସମସ୍ତ ଖର୍ଚ୍ଚ ମଧ୍ୟ ବହନ କରିଛନ୍ତି। କେତେକ ମହଲରେ ଆଶା କରାଯାଉଛି ଯେ ଯଦିବା ଅଭିଯୁକ୍ତମାନେ କାରାଦଣ୍ଡରୁ ଛାଡ଼ ନ ପାଆନ୍ତି, ସେମାନେ ସେମାନଙ୍କର ବାକି କାରାବାସ ଭାରତର କୌଣସି କାରାଗାରରେ ଭୋଗ କରିବା ପାଇଁ ବ୍ୟବସ୍ଥା କରାଯାଇପାରେ। ଏପରି ଆଶା କରିବାର କାରଣ ହେଉଛି ୨୦୧୪ରେ ଭାରତ ଓ କାତାର୍ ମଧ୍ୟରେ ସ୍ବାକ୍ଷରିତ ହୋଇଥିବା ଏକ ବନ୍ଦୀ ସ୍ଥାନାନ୍ତର ଚୁକ୍ତି। କିନ୍ତୁ ଏହା ବୋଧହୁଏ ସମ୍ଭବ ନ ହୋଇପାରେ, କାରଣ ସେଇ ଚୁକ୍ତିଟି ଏ ପର୍ଯ୍ୟନ୍ତ କା‌ତାର୍ ସରକାରଙ୍କର ସ୍ବୀକୃତି ଲାଭ କରି ନାହିଁ ବୋଲି ଏକ ସୂଚନା ପ୍ରକାଶ ପାଇଛି।
ଏହି ଆଠ ଜଣ ବନ୍ଦୀମାନଙ୍କୁ ବିଦେଶରେ ସୁରକ୍ଷା ପ୍ରଦାନ ନିମିତ୍ତ ଭାରତ ସରକାର ‌ଯତ୍ପରୋନାସ୍ତି ଚେଷ୍ଟା ଚଳାଇଥିଲେ ହେଁ, ଏହା ମଧ୍ୟ କାହାରି ଦୃଷ୍ଟି ଏଡ଼ାଇ ନ ଥିବ ଯେ ସରକାର ଅତ୍ୟନ୍ତ ସନ୍ତର୍ପଣର ସହିତ ଏଥିରେ ପ୍ରତିଟି ପଦକ୍ଷେପ ନେଉଛନ୍ତି। ଭାରତ ସରକାର ଏ ପର୍ଯ୍ୟନ୍ତ କେବେ ହେଲେ ଏହି ଅଭିଯୁକ୍ତମାନେ ନିର୍ଦ୍ଦୋଷ ଓ ସେମାନଙ୍କ ବିରୋଧରେ କରାଯାଇଥିବା ଅଭିଯୋଗ ଭିତ୍ତିହୀନ ବୋଲି ଦାବି କରି ନାହାନ୍ତି। ଅପରପକ୍ଷେ ପାକିସ୍ତାନରେ ବନ୍ଦୀ ଥିବା କୁଲ୍‌ଭୂଷଣ ଯାଦବଙ୍କ ମାମଲାରେ ଭାରତ ସରକାର ଯେଉଁଭଳି ତଥ୍ୟ ପ୍ରମାଣ ସହିତ ତାଙ୍କୁ ନିର୍ଦ୍ଦୋଷ ଘୋଷଣା କରି ପାକିସ୍ତାନ ଓ ‘ଆଇଏସ୍‌ଆଇ’ର ମୂଳ ଉଦ୍ଦେଶ୍ୟକୁ ପଦାରେ ପକାଇ ଦେଇଛନ୍ତି, କାତାର୍ ଘଟଣାରେ ସରକାର ଅନୁସରଣ କରୁଥିବା ରଣକୌଶଳ ହେଉଛି ତା’ଠାରୁ ସଂପୂର୍ଣ୍ଣ ଭିନ୍ନ- ସେଇଟି ସଶବ୍ଦ ‌େହାଇଥିବା ବେଳେ ଏଇଟି ହେଉଛି ନିଃଶବ୍ଦ।
ଅଭିଯୁକ୍ତମାନେ ସଂପୂର୍ଣ୍ଣ ରୂପେ ଛାଡ଼ ପାଇ କାତାର୍ କାରାଗାରରୁ ମୁକୁଳିବାର ଅନ୍ୟ ଏକ ଉପାୟ ବା ସମ୍ଭାବନା ହେଉଛି ସେ ଦେଶର ଏମିର୍ ସେମାନଙ୍କୁ ରାଜକ୍ଷମା ପ୍ରଦାନ କରିବା। କିନ୍ତୁ ଏହା ବାସ୍ତବତାରେ ପରିଣତ ହେବା ପାଇଁ ଭାରତକୁ କାତାର୍ ଉପରେ ଅାହୁରି ଅଧିକ କୂଟନୈତିକ ଚାପ ପ୍ର‌ୟୋଗ କରିବାକୁ ପଡ଼ିବ। ନରେନ୍ଦ୍ର ମୋଦୀଙ୍କ ପ୍ରଧାନମନ୍ତ୍ରିତ୍ବ ସମୟରେ ଭାରତ ଉଭୟ କାତାର୍ ଓ ଅନ୍ୟାନ୍ୟ ଉପସାଗରୀୟ ଆରବ ଦେଶମାନଙ୍କ ସହିତ ଓ ସେମାନଙ୍କର ପ୍ରତିପକ୍ଷ ଇସ୍ରାଏଲ୍ ସହିତ ଉତ୍ତମ ସଂପର୍କ ପ୍ରତିଷ୍ଠା କରିପାରିଛି। ବର୍ତ୍ତମାନ ଇସ୍ରାଏଲ୍-ହମାସ୍ ଯୁଦ୍ଧରେ ଶାନ୍ତି ପ୍ରତିଷ୍ଠା ପାଇଁ ହେଉଥିବା ଉଦ୍ୟମରେ କାତାର୍ ହିଁ ମଧ୍ୟସ୍ଥି ଭୂମିକା ନିର୍ବାହ କରୁଛି, କାରଣ କାତାର୍ ମଧ୍ୟ ହେଉଛି ହମାସ୍‌ର ଶୀର୍ଷ ନେତୃବର୍ଗଙ୍କର ଆଶ୍ରୟସ୍ଥଳୀ। ଏହି ସମୟରେ ଏକ ଘରୋଇ ସଂସ୍ଥା ଦ୍ବାରା ନିଯୁକ୍ତ କେତେକ ପୂର୍ବତନ ଭାରତୀୟ ସାମରିକ ଅଧିକାରୀଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗ ଭାରତକୁ କୂଟନୈତିକ ଦୃଷ୍ଟିରୁ ଘୋର୍ ଅଡୁଆରେ ପକାଇ ଦେଇଛି।
ସାମରିକ ଅଧିକାରୀମାନେ ଅପେକ୍ଷାକୃତ ସଅଳ ଅବସର ଗ୍ରହଣ କରୁଥିବାରୁ ସେମାନେ ନିୟମିତ ଭାବରେ ଦେଶ ବିଦେଶରେ ବିଭିନ୍ନ ଘରୋଇ ସଂସ୍ଥାରେ ନିଯୁକ୍ତି ଗ୍ରହଣ କରିଥାନ୍ତି। କାତାର୍ ଘଟଣା ପରେ ବିଦେଶୀ କଂପାନିମାନେ ଯଦି ଭାରତୀୟ ସାମରିକ ଅଧିକାରୀମାନଙ୍କୁ ନିଯୁକ୍ତ କରିବାକୁ କୁଣ୍ଠିତ ହୁଅନ୍ତି, ‌ତାହା ହେବ ଏହି ଘଟଣାର ଏକ ଅତ୍ୟନ୍ତ ଅବାଂଛିତ ପରିଣାମ। କାତାର୍ ଘଟଣାରୁ ଶିକ୍ଷାଲାଭ କରି ଭାରତ ସରକାର ତେଣୁ ଅବସରପ୍ରାପ୍ତ ସେନାଧିକାରୀମାନଙ୍କର ନିଯୁକ୍ତି ଗ୍ରହଣ ସଂପର୍କିତ ସର୍ତ୍ତାବଳୀରେ ଆବଶ୍ୟକ ପରିବର୍ତ୍ତନ କରିବା ବୋଧହୁଏ ବର୍ତ୍ତମାନ ଜରୁରୀ ହୋଇପଡ଼ିଛି।