ଜୁକରବର୍ଗଙ୍କ ଗାଈ

ଏହାର କାରଣ ସ୍ପଷ୍ଟ; କାରଣ ସରାଗ ଏବଂ ସଯତ୍ନ ପ୍ରତିପାଳିତ ତାଙ୍କ ହତଭାଗ୍ୟ ଗାଈଗୁଡ଼ିକ ପରିଶେଷରେ ଚରମ ବିଶ୍ବାସଘାତର ସାମନା କରିବେ! ଅନେକ କହି ପାରନ୍ତି ଯେ ପଶୁ ମାଂସ ବ୍ୟବସାୟରେ ଏଭଳି ସ୍ଥିତି ଅତ୍ୟନ୍ତ ସ୍ବାଭାବିକ, ଯାହାକୁ ନେଇ ଭାବପ୍ରବଣ ହେବାର ଆବଶ୍ୟକତା ନାହିଁ। ତେଣୁ ତାଙ୍କୁ ଦରଦହୀନ ବୋଲି ଅଭିହିତ କରିବା ପାଇଁ ଆଉ ଏକ କାରଣକୁ ଆଗକୁ ଆଣିବାକୁ ହେବ, ଯାହା ଏହିଭଳି: ଜୁକରବର୍ଗଙ୍କ ଏହି ପ୍ରୟାସ ଅଚିରେ ଅନ୍ୟ ପ୍ରତିଦ୍ବନ୍ଦ୍ବୀଙ୍କୁ ମଧ୍ୟ ଜନ୍ମ ଦେବ ଏବଂ ଉତ୍କୃଷ୍ଟତମ ଗୋ-ମାଂସ ଯୋଗାଇବାର ତୀବ୍ର ପ୍ରତିଦ୍ବନ୍ଦ୍ବିତା ଅଧିକ ସବୁଜ ଗ୍ୟାସ ନିର୍ଗମନର କାରଣ ହେବ। ତେଣୁ ଗାଈମାନଙ୍କ ପ୍ରତି ଜୁକରବର୍ଗଙ୍କ ଦରଦହୀନତା ଠାରୁ ଯାହା ଅଧିକ ପ୍ରଗାଢ଼ ହେବ, ତାହା ହେଲା ଏହି ପୃଥିବୀ ପ୍ରତି ତାଙ୍କର ସଂବେଦନଶୂନ୍ୟତା ବା ପ୍ରକାରାନ୍ତରେ ଦରଦହୀନତା; ଏବଂ ଏ ପରିପ୍ରେକ୍ଷୀରେ ଗାଈମାନେ ତାଙ୍କର ଏଭଳି ଦାୟିତ୍ବଶୂନ୍ୟ ଓ ଦରଦହୀନ ଆଭିମୁଖ୍ୟର ସଂକେତ ହୋଇ ରହିବେ!

ଅନେକ ସମୟରେ ପ୍ରଶ୍ନ ଉଠିଥାଏ ଯେ ବିଶ୍ବ ଉତ୍ତପ୍ତୀକରଣ ଜନିତ ଜଳବାୟୁ ପରିବର୍ତ୍ତନକୁ ବିଶ୍ବ ଜନସଂଖ୍ୟାର ଏକ ବୃହଦାଂଶ ଏ ଯାବତ୍‌ ଯଥୋଚିତ ଗୁରୁତ୍ବ ପ୍ରଦାନ କରି ନାହାନ୍ତି କାହିଁକି; ଯଦିଓ ଏହି କାରଣରୁ ସୃଷ୍ଟ ଭୟାବହ ପ୍ରାକୃତିକ ବିପର୍ଯ୍ୟୟମାନ ଅନିବାର୍ଯ୍ୟ ବାସ୍ତବତା ସ୍ବରୂପ ନିୟମିତ ଭାବେ ଆବିର୍ଭୂତ ହେବାରେ ଲାଗିଛି? ଖୁବ୍‌ ସମ୍ଭବ ଯେ ଏଭଳି ପ୍ରଶ୍ନର ତତ୍‌କ୍ଷଣାତ୍‌ ଉତ୍ତରଟି ହେବ ବ୍ୟାପକ ଅଜ୍ଞତା ଏବଂ ସାମୂହିକ ସଚେତନତାର ଅଭାବ; ଯେଉଁଠି ‘ସମୂହ’ ବୋଇଲେ ମୁଖ୍ୟତଃ ନିମ୍ନ ବିତ୍ତ ଏବଂ ଶିକ୍ଷା‌ଦୀକ୍ଷାବିହୀନ ଜନସାଧାରଣଙ୍କୁ ବୁଝାଇଥାଏ! କିନ୍ତୁ କଥା ହେଲା, ଜଳବାୟୁ ପରିବର୍ତ୍ତନ ଭଳି ସଂଦର୍ଭକୁ ନିକଟରୁ ନିରୀକ୍ଷଣ କରୁଥିବା ବ୍ୟକ୍ତିମାନେ ଏଭଳି ଉତ୍ତର ପାଇବା କ୍ଷଣି ଓଲଟି ପଚାରନ୍ତି ଏଭଳି ଧାରଣା କ’ଣ ସତ? ଏଭଳି ଧାରଣାର ହେତୁ କ’ଣ?
ଏକ ସହଜ ଉପଲବ୍‌ଧ ଉଦାହରଣରୁ ଆଲୋଚନାକୁ ପ୍ରାରମ୍ଭ କରାଯାଉ। ଭାରତର ସର୍ବାଧିକ ବିତ୍ତଶାଳୀ ମୁକେଶ ଅମ୍ବାନୀଙ୍କ ଭବ୍ୟ ତଥା ଅକଳ୍ପନୀୟ ଭାବେ ବିଳାସପୂର୍ଣ୍ଣ ବାସଭବନ ‘ଆଣ୍ଟିଲିଆ’ରେ ଦୈନିକ ପ୍ରାୟ ୨୧,୦୦୦ ୟୁନିଟ୍‌ ପରିମିତ ବିଦ୍ୟୁତ୍‌ ଶକ୍ତି ବ୍ୟବହାର କରାଯାଇଥାଏ (ଗଲା ସେପ୍‌ଟେମ୍ବର ମାସର ବିଲ୍‌ ଆଧାର‌ରେ), ଯାହା ପ୍ରାୟ ୫୦୦୦ ଭାରତୀୟ ଗ୍ରାମୀଣ ପରିବାର ଦ୍ବାରା ପ୍ରତ୍ୟହ ବ୍ୟବହୃତ ବିଜୁଳି ଶକ୍ତି ସହିତ ସମାନ (କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ଦ୍ବାରା ପ୍ରଦତ୍ତ ତଥ୍ୟ ଆଧାରରେ)। ସୁତରାଂ, ଭାରତରେ ବିଜୁଳି ଶକ୍ତି ଉତ୍ପାଦନ ଲାଗି ଜୀବାଶ୍ମ ଇନ୍ଧନ ଉପଯୋଗର ପରିମାଣରେ ‘ଆଣ୍ଟିଲିଆ’ର ଏକକ ଅବଦାନ ବିଶେଷ ପ୍ରଣିଧାନଯୋଗ୍ୟ। ଏହା ସର୍ବଜନବିଦିତ ଯେ ଜୀବାଶ୍ମ ଇନ୍ଧନର ଦହନରୁ ଉତ୍ସର୍ଜିତ ଅଙ୍ଗାରକାମ୍ଳ ହେତୁ ବାୟୁମଣ୍ଡଳରେ କ୍ଷତିକାରକ ସବୁଜ ଗ୍ୟାସର ପରିମାଣ ବୃଦ୍ଧି ପାଇଥାଏ। ସୁତରାଂ, ଏହା ସ୍ପଷ୍ଟ ହୋଇ ନ ଥାଏ କି ସବୁଜ ଗ୍ୟାସ ପରିମାଣରେ ବୃଦ୍ଧି ଏବଂ ତଜ୍ଜନିତ ବିଶ୍ବ ଉତ୍ତପ୍ତୀକରଣରେ ନିମ୍ନ-ବିତ୍ତ ଗ୍ରାମୀଣ ଜନସାଧାରଣଙ୍କ ଭାରୀଦାରି ଅତ୍ୟନ୍ତ ନଗଣ୍ୟ, କିନ୍ତୁ ଲୋକ ଚକ୍ଷୁରେ ସେମାନେ ହିଁ ‘ଅଜ୍ଞ’ ଏବଂ ‘ସଚେତନତାଶୂନ୍ୟ’? ଏଥିରେ ସନ୍ଦେହ ନାହିଁ ଯେ ପୃଥିବୀର ସର୍ବତ୍ର ଧନୀକ ବା ସ୍ବଚ୍ଛଳ ବର୍ଗ ଅନୁସରଣ କରୁଥିବା ଉପଭୋଗ-କୈନ୍ଦ୍ରିକ ଜୀବନଶୈଳୀ, ସେମାନଙ୍କ କାର୍ଯ୍ୟ ଏବଂ ଅଭ୍ୟାସ ଇତ୍ୟାଦି ପ୍ରତ୍ୟକ୍ଷରେ ହେଉ ବା ପରୋକ୍ଷରେ ହେଉ ଅଧିକ ସବୁଜ ଗ୍ୟାସ ନିର୍ଗମନର କାରଣ ହୋଇଥାଏ। ତେଣୁ, ହୃଦ୍‌ବୋଧ କରି ହୋଇଥାଏ ଯେ ଜଳବାୟୁ ପରିବର୍ତ୍ତନ ଭଳି ପ୍ରସଙ୍ଗ ଏ ଯାବତ୍‌ ଯଥୋଚିତ ଗୁରୁତ୍ବ ଲାଭ କରି ପାରି ନ ଥିବା ପଛରେ ନିହିତ କାରଣ ‘ଅଜ୍ଞତା’ ବା ‘ସଚେତନଶୂନ୍ୟତା’ ନୁହେଁ; ବରଂ, ଧନୀକ ବା ସ୍ବଚ୍ଛଳ ବର୍ଗର ଉଚ୍ଚାଭିଳାଷ ବା ସ୍ବାର୍ଥ ସିଦ୍ଧିର କାମନା, ଯାହା ହୁଏତ ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ଉଦ୍ୟୋଗପତି ଡୋନାଲ୍‌ଡ ଟ୍ରଂପ୍‌ ଏବଂ ତାଙ୍କ ସହ ସହମତ ଅସଂଖ୍ୟ ଧନୀକଙ୍କ ଚକ୍ଷୁରେ ଜଳବାୟୁ ପରିବର୍ତ୍ତନକୁ ଏକ ଅବାନ୍ତର ଅପପ୍ରଚାର ଭଳି ପ୍ରତିଭାତ ହୋଇଥାଏ। ସାଂପ୍ରତିକ ପରିବେଶ ଚିନ୍ତନରେ ଏହା ଏକ ବିଡ଼ମ୍ବନା!
ଏହି ପୃଷ୍ଠଭୂମିରେ ଆଉ ଜଣେ ଧନୀକଙ୍କ ସହସା ଆବିର୍ଭାବ ଘଟିଛି, ଯିଏ ପୃଥିବୀର ଷଷ୍ଠ ସର୍ବାଧିକ ବିତ୍ତଶାଳୀ ଭାବେ ପରିଗଣିତ ଏବଂ ‘ଫେସବୁକ୍‌’ ଓ ‘ମେଟା’ର ପ୍ରତିଷ୍ଠାତା ରୂପେ ସୁପରିଚିତ ମାର୍କ ଜୁକରବର୍ଗ। ଜୁକରବର୍ଗ ଏବେ ଏକ ନୂଆ ନିଶା ଦ୍ବାରା ମୋହଗ୍ରସ୍ତ, ଯାହା ହେଲା ଗୋ-ପାଳନ। ଜୁକରବର୍ଗଙ୍କ ଏକାନ୍ତ ଇଚ୍ଛା ସେ ସେ ପୃଥିବୀକୁ ସର୍ବୋତ୍କୃଷ୍ଟ ‘ଗୋ ମାଂସ’ ଉପହାର ଦେବେ। ସୁତରାଂ, ସେ ପାଳନ କରିବେ ଶହ ଶହ ସଂଖ୍ୟାର ୱଗୁଏ (ଜାପାନୀ ମୂଳ) ଏବଂ ଆଙ୍ଗସ (ସ୍କଟଲାଣ୍ଡ ମୂଳ) ଭଳି ପୃଥିବୀର ଶ୍ରେଷ୍ଠତମ ଗାଈମାନ, ଯେଉଁମାନେ ଜୁକରବର୍ଗଙ୍କ ହଜାର ହଜାର ଏକର ବ୍ୟାପୀ ‘କୁଲାଉ’ ରୢଂଚ୍‌ରେ ବିଚରଣ କରି ଅତ୍ୟନ୍ତ ବିଳାସପୂର୍ଣ୍ଣ ଜୀବନ ବିତାଇବେ; ତାଙ୍କ ମାଲିକାନାରେ ଥିବା ଅତ୍ୟନ୍ତ ମନୋରମ ଦ୍ବୀପ ‘କାଉଆଇ’ରେ ଉତ୍ପାଦିତ ମାକାଡାମିଆ ନଟ୍‌ସ (ମଞ୍ଜି) ଖାଇ ଏବଂ ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପ୍ରସ୍ତୁତ ବିଅର ପାନ କରି ହୃଷ୍ଟପୁଷ୍ଟ ହେବେ ଏବଂ ବୟଃପ୍ରାପ୍ତ ହେବା ମାତ୍ରକେ କଂସେଇ ଖାନା ଦ୍ବାର ମଧ୍ୟ ଦେଇ ‘ଗୋ-ମାଂସ’ ଭକ୍ଷଣ ସକାଶେ ଆତୁରମାନଙ୍କ ଭୋଜନ ଥାଳିରେ ପହଞ୍ଚିବେ! କହିବା ବାହୁଲ୍ୟ ଯେ ଜୀବଦ୍ଦଶାରେ ଏହି ଗାଈଗୁଡ଼ିକ ଯେଉଁ ଆହାର ଓ ପାନୀୟ ଦ୍ବାରା ଆପ୍ୟାୟିତ ହେବେ, ତାହା କଦାଚିତ୍‌ କୌଣସି ଗୃହପାଳିତ ଗାଈ ଭାଗ୍ୟରେ ଜୁଟିଥାଏ! ପ୍ରକାଶ ଥାଉ କି ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡରେ ଉପଲବ୍‌ଧ ହେଉଥିବା ମାକାଡାମିଆ ମଞ୍ଜି (ବାଦାମ ଜାତୀୟ) ଅତ୍ୟନ୍ତ ପୁଷ୍ଟିକର, ଯାହାକୁ ଉତ୍ତମ ସ୍ବାସ୍ଥ୍ୟ ଲାଗି ଅନେକ ସ୍ବଚ୍ଛଳ ପରିବାର ସେମାନଙ୍କ ଖାଦ୍ୟର ଅଂଶ କରିବାକୁ ଚାହିଥାଆନ୍ତି। ଜୁକରବର୍ଗଙ୍କ ଆକଳନ ଅନୁସାରେ ପ୍ରତ୍ୟେକ ଗାଈ ସକାଶେ ବର୍ଷକୁ ପାଞ୍ଚ ହଜାରରୁ ଦଶ ହଜାର ପାଉଣ୍ଡ ଓଜନ ପରିମିତ ‘ମାକାଡାମିଆ’ ଅଟା ଆବଶ୍ୟକ ହେବ, ଯେଉଁଥି ଲାଗି ଜୁକରବର୍ଗଙ୍କ କେଇ ହଜାର ଏକର ପରିମିତ ଜମିରେ ମାକାଡାମିଆ ଗଛ ଲଗାଇବା କାର୍ଯ୍ୟ ଆରମ୍ଭ କରି ସାରିଲେଣି। ତେବେ ଏହାକୁ କେନ୍ଦ୍ର କରି ଯେଉଁ ବିବାଦଟି ସୃଷ୍ଟି ହୋଇଛି, ତାହା ହେଲା ଗୋ-ପାଳନ ଭଳି ଏକ ପରିବେଶ ଅହିତକର ପ୍ରକଳ୍ପରେ ଅପରିମେୟ ଧନ ବ୍ୟୟ କରିବାରେ ଜୁକରବର୍ଗଙ୍କ ଆଗ୍ରହ। ଉଲ୍ଲେଖଯୋଗ୍ୟ ଯେ ଗୋଟିଏ ପୂର୍ଣ୍ଣ ବୟଃପ୍ରାପ୍ତ ଗୋରୁ ଦିନକୁ ପ୍ରାୟ ଶହେ ଲିଟର ମିଥେନ ଗ୍ୟାସ ନିର୍ଗତ କରିଥାଏ। ‘ଆଵାର୍ ଵାର୍ଲଡ୍‌ ଇନ୍‌ ଡେଟାସ୍‌’ ଦ୍ବାରା ପ୍ରସ୍ତୁତ ଏକ ଆକଳନ ଅନୁସାରେ ସଂପ୍ରତି ଗୋ-ମାଂସ ବ୍ୟବସାୟ ଲାଗି ପ୍ରତିପାଳିତ ହେଉଥିବା ଗୋରୁଙ୍କ ସଂଖ୍ୟା ପ୍ରାୟ ୧.୫ ବିଲିଅନ ଯେଉଁମାନଙ୍କ ଠାରୁ ବାୟୁମଣ୍ଡଳକୁ ପ୍ରତି ବର୍ଷ ୨୩୧ ବିଲିଅନ ପାଉଣ୍ଡ ମିଥେନ ନିର୍ଗମନ ହୋଇଥାଏ, ଯାହାର ଅଂଶ ସମସ୍ତ ସବୁଜ ଗ୍ୟାସ ପରିମାଣର ପ୍ରାୟ ୪ ପ୍ରତିଶତ। ସୁତରାଂ, ଜୁକରବର୍ଗଙ୍କ ନୂଆ ନିଶା ଯେ ବିଶ୍ବ ଉତ୍ତପ୍ତୀକରଣକୁ ଆହୁରି ଉତ୍କଟ କରିବ, ତାହା କହିବା ବାହୁଲ୍ୟ। କିନ୍ତୁ ଜୁକରବର୍ଗଙ୍କ ଖିଆଲ ଯେଉଁ ବିପଦକୁ ଘନୀଭୂତ କରିବାକୁ ଯାଉଛି ସେ ନେଇ କ’ଣ ସେ ଅଜ୍ଞ ବା ଅସଚେତନ ଥିବେ? ତେଣୁ ଜୁକରବର୍ଗଙ୍କୁ କ’ଣ ଆମେ ଦାୟିତ୍ବହୀନ ଭାବେ ଅଭିହିତ କରିବା?
କିନ୍ତୁ, କେବଳ ଜଣେ ଦାୟିତ୍ବହୀନ ବେପରୁଆ ଧନୀ ତରୁଣ (୪୧ ବର୍ଷ ବୟସ୍କ) ଭାବେ ନୁହେଁ, ଜଣେ ଦରଦହୀନ ବ୍ୟକ୍ତି ଭାବେ ମଧ୍ୟ ଜୁକରବର୍ଗ ସମାଲୋଚିତ ହେବାରେ ଲାଗିଛନ୍ତି। ଏହାର କାରଣ ସ୍ପଷ୍ଟ; କାରଣ ସରାଗ ଏବଂ ସଯତ୍ନ ପ୍ରତିପାଳିତ ତାଙ୍କ ହତଭାଗ୍ୟ ଗାଈଗୁଡ଼ିକ ପରିଶେଷରେ ଚରମ ବିଶ୍ବାସଘାତର ସାମନା କରିବେ! ଅନେକ କହି ପାରନ୍ତି ଯେ ପଶୁ ମାଂସ ବ୍ୟବସାୟରେ ଏଭଳି ସ୍ଥିତି ଅତ୍ୟନ୍ତ ସ୍ବାଭାବିକ, ଯାହାକୁ ନେଇ ଭାବପ୍ରବଣ ହେବାର ଆବଶ୍ୟକତା ନାହିଁ। ତେଣୁ ତାଙ୍କୁ ଦରଦହୀନ ବୋଲି ଅଭିହିତ କରିବା ପାଇଁ ଆଉ ଏକ କାରଣକୁ ଆଗକୁ ଆଣିବାକୁ ହେବ, ଯାହା ଏହିଭଳି: ଜୁକରବର୍ଗଙ୍କ ଏହି ପ୍ରୟାସ ଅଚିରେ ଅନ୍ୟ ପ୍ରତିଦ୍ବନ୍ଦ୍ବୀଙ୍କୁ ମଧ୍ୟ ଜନ୍ମ ଦେବ ଏବଂ ଉତ୍କୃଷ୍ଟତମ ଗୋ-ମାଂସ ଯୋଗାଇବାର ତୀବ୍ର ପ୍ରତିଦ୍ବନ୍ଦ୍ବିତା ଅଧିକ ସବୁଜ ଗ୍ୟାସ ନିର୍ଗମନର କାରଣ ହେବ। ତେଣୁ ଗାଈମାନଙ୍କ ପ୍ରତି ଜୁକରବର୍ଗଙ୍କ ଦରଦହୀନତା ଠାରୁ ଯାହା ଅଧିକ ପ୍ରଗାଢ଼ ହେବ, ତାହା ହେଲା ଏହି ପୃଥିବୀ ପ୍ରତି ତାଙ୍କର ସଂବେଦନଶୂନ୍ୟତା ବା ପ୍ରକାରାନ୍ତରେ ଦରଦହୀନତା; ଏବଂ ଏ ପରିପ୍ରେକ୍ଷୀରେ ଗାଈମାନେ ତାଙ୍କର ଏଭଳି ଦାୟିତ୍ବଶୂନ୍ୟ ଓ ଦରଦହୀନ ଆଭିମୁଖ୍ୟର ସଂକେତ ହୋଇ ରହିବେ! ‘ଜଳବାୟୁ ପରିବର୍ତ୍ତନ’ ଭଳି ପ୍ରସଙ୍ଗ କାହିଁକି ଯଥୋଚିତ ଗୁରୁତ୍ବ ଲାଭ କରିପାରୁନାହିଁ, ତା’ର ଉତ୍ତର ଦେଲା ବେଳେ ଆମକୁ ହୁଏତ ଟିକିଏ ଅଟକିବାକୁ ହେବ!

ସମ୍ବନ୍ଧିତ ଖବର