ମା’ ଓ ପୁଅ

କଥାଟିଏ - ଯାଯାବର

ହଠାତ୍‌ ଶିକ୍ଷକଙ୍କ ଘରେ ପହଞ୍ଚିଲା ତାଙ୍କର ଜଣେ ପ୍ରିୟ ଛାତ୍ର। ଶିକ୍ଷକଙ୍କ ଆଗରେ ସେ କାନ୍ଦି ପକାଇଲା।

ଶିକ୍ଷକ ପଚାରିଲେ- କ’ଣ ହେଲା? ପିଲାଟି କହିଲା- ଘରେ ମା’ଙ୍କ ସହିତ ଝଗଡ଼ା କରି ପଳେଇ ଆସିଛି। ଆଉ ଘରକୁ ଯିବିନାହିଁ। ଶିକ୍ଷକ କହିଲେ- କିନ୍ତୁ କାହିଁକି?

ମୁଁ କିଛି ନ ଖାଇ ଖରାରେ ଖେଳୁଥିବାରୁ ମା’ ରାଗିଯାଇ ଗାଳି କଲେ। ମୁଁ ବି ରାଗିଗଲି ଏବ˚ ବଡ଼ ପାଟିରେ ଜବାବ ଦେଲି। ମା’ କହିଲେ- ଘରୁ ପଳା, ଆଉ ଘରକୁ ଆସିବୁ ନାହିଁ। ତେଣୁ, ଆଉ ଘରକୁ ଯିବି ନାହିଁ।

ଶିକ୍ଷକ କହିଲେ- ହେଲା, ଏବେ କହ ତୁ ଠିକ କାମ କରୁଥିଲୁ ନା ଭୁଲ୍‌ କାମ କରୁଥିଲୁ।

ପିଲାଟି ଟିକିଏ ରହିଯାଇ କହିଲା- ଅବଶ୍ୟ ମୁଁ ଠିକ କାମ କରିନାହିଁ। ନ ଖାଇ ନ ପିଇ ଖରାରେ ଖେଳିଲେ ମୋ ଦେହ ଖରାପ ହୁଅନ୍ତା।

ଶିକ୍ଷକ କହିଲେ- କେବଳ ସେତିକି ନୁହେଁ, ମା’ଙ୍କୁ ଜବାବ ଦେବା ବି ଆହୁରି ଖରାପ। ତାହା ବି ଭୁଲ୍‌।

ପିଲାଟି କହିଲା- ହଁ, ମୁଁ ତାହା ଏବେ ବୁଝୁଛି।

ଶିକ୍ଷକ କହିଲେ- ତୁ ଯାହା କରିଛୁ ସେଥି ଲାଗି ଅନୁତାପ କରୁଛୁ ତ?

ପିଲାଟି କିଛି ନ କହି କେବଳ ମୁଣ୍ତ ହଲାଇ ହଁ ବୋଲି କହିଲା।

ଶିକ୍ଷକ କହିଲେ- ତାହା ହେଲେ ତୁ ଏବେ ଘରକୁ ଯାଆ।

ପିଲାଟି କହିଲା- ମା’ କିନ୍ତୁ କହିଛନ୍ତି ଯେ ଘରକୁ ଆସିବୁ ନାହିଁ।

ଶିକ୍ଷକ ପିଲାଟିକୁ ପାଖକୁ ଟାଣି ନେଇ କହିଲେ- ତୁ କ’ଣ ଆଉ ଘରକୁ ଯାଉଛୁ କି? ତୁ ପରା ଅନୁତାପ କଲୁଣି। ତା’ ଅର୍ଥ ତୁ ବଦଳି ଯାଇଛୁ। ମା’ ଯାହାକୁ ଘରକୁ ନ ଆସିବା ଲାଗି କହିଥିଲେ, ତୁ ଆଉ ସେଇ ପିଲା ନୁହେଁ। ତୁ ଏବେ ଅଲଗା, ଭଲ ପିଲା।

ପିଲାଟି କଥାଟିର ମର୍ମ ବୁଝିଲା ଓ ଘରକୁ ଫେରିଲା। ଦେଖିଲା ମା’ ଘର ଦୁଆର ମୁହଁରେ ତାକୁ ହିଁ ଅପେକ୍ଷା କରି ଠିଆ ହୋଇଛନ୍ତି।

ସମ୍ବନ୍ଧିତ ଖବର