କଥାଟିଏ ଯାଯାବର: ଗୂଢ଼ ଜ୍ଞାନ

ଜେନଗୁରୁ ନେନେଙ୍କ ପାଖରୁ ଗୂଢ଼ ଜ୍ଞାନ ଶିକ୍ଷା କରିବାକୁ ଜଣେ ଯୁବକ ପହଞ୍ଚିଲେ। ସେତିକି ବେଳକୁ ଗୁରୁ ବଗିଚାର ଗଛଗୁଡ଼ିକରେ ପାଣି ଦେବାର ଉପକ୍ରମ କରୁଥିଲେ। ତାଙ୍କ ପାଖରେ ଦୁଇଟି ପାଣି ଭରା ମାଠିଆ ଥିଲା। ଏତିକି ବେଳେ ଯୁବକ ସେଠାରେ ପହଞ୍ଚି ଗୁରୁଙ୍କୁ ଅଭିବାଦନ କରି ନିଜ ପରିଚୟ ଦେଇ କହିଲେ- ମହାଶୟ ମୁଁ ଆପଣଙ୍କ ଠାରୁ ଗୂଢ଼ ଜ୍ଞାନ ଶିକ୍ଷା କରିବାକୁ ଆସିଛି। କେବଳ ଆପଣ ହିଁ ତାହା ଦେଇପାରିବେ। ମୁଁ ଜାଣେ ଆପଣ ବାଛି ବାଛି ଶିଷ୍ୟ ଗ୍ରହଣ କରନ୍ତି। ସେଥି ଲାଗି ମୁଁ ପ୍ରଥମରୁ ମୋ ନିଜ ବିଷୟରେ କିଛି କହି ଦେବା ଉଚିତ ବୋଲି ଭାବୁଛି। ମୁଁ ବୁଦ୍ଧଙ୍କ ଜ୍ଞାନ ଓ ତତ୍ତ୍ବ ବାବଦରେ ବହୁତ କିଛି ପଢ଼ିଛି। ଆପଣ ମୋର ଜ୍ଞାନର ଗଭୀରତାକୁ ପରୀକ୍ଷା କରିପାରନ୍ତି।
ଗୁରୁ ଏହା ଶୁଣି ଯୁବକଙ୍କୁ କହିଲେ- ଏ ମାଠିଆର ପାଣି ସେ ମାଠିଆରେ ଢାଳ।
ଯୁବକ ତାହା କଲାରୁ ଯେଉଁ ମାଠିଆକୁ ପାଣି ଢଳାଗଲା, ତାହା ଉଛୁଳି ପଡ଼ିଲା।
ତା’ପରେ ନେନେ କହିଲେ- ଗୂଢ଼ ଜ୍ଞାନ ଦେଇ ଦେଲି। ଏବେ ତୁମେ ଯାଅ।
ଅଗତ୍ୟା ଯୁବକ ଆଉ କିଛି ନ କହି ଫେରିଲା। ବାଟରେ ସେ ନେନେଙ୍କ କଥା ଉପରେ ଅନେକ ଚିନ୍ତା କଲା। ହଠାତ୍ ତାର ମୁହଁ ଉଲ୍ଲସିତ ଦିଶିଲା। ସେ ନେନେଙ୍କ ପାଖକୁ ଦୌଡ଼ିଲା ଏବଂ କହିଲା- ମୋତେ ଜ୍ଞାନ ମିଳିଗଲା। ଆପଣ ଯାହା କହିଲେ ତାର ମର୍ମ ହେଲା ମୁଣ୍ଡ ଖା‌ଲି ନ କଲେ ଗୂଢ଼ ଜ୍ଞାନ ପଶିବ କେମିତି? ମୁଣ୍ଡରେ ତ ଜାଗା ନାହିଁ? ତାହା ହିଁ ତ ଗୂଢ଼ ଜ୍ଞାନ।

ସମ୍ବନ୍ଧିତ ଖବର