ବିବେକାନନ୍ଦଙ୍କ ଅନୁଭବ

କଥାଟିଏ-ଯାଯାବର

ରାମକୃଷ୍ଣ ପରମହ˚ସଙ୍କ ପାଖରେ ପହଞ୍ଚି ବିବେକାନନ୍ଦ ପଚାରିଲେ- ଈଶ୍ବର ଅଛନ୍ତି ବୋଲି କି ତର୍କ ଅଛି?
ସେ ଏହି ପ୍ରଶ୍ନ ସବୁ ଆସ୍ତିକଙ୍କୁ ପଚାରୁଥିଲେ ଓ ତର୍କରେ ସେମାନଙ୍କୁ ପରାସ୍ତ କରୁଥିଲେ।
ବିବେକାନନ୍ଦଙ୍କ ପ୍ରଶ୍ନ ଶୁଣି ରାମକୃଷ୍ଣ ପାଲଟା ପ୍ରଶ୍ନ କଲେ- ତୁ ଈଶ୍ବରଙ୍କୁ ଦେଖିବୁ? ଚିନ୍ତା କରି କହ ହଁ କି ନା?
ବିବେକାନନ୍ଦଙ୍କୁ କେହି ଏଭଳି କହି ନ ଥିଲେ। ଚିନ୍ତା କରିବା ଲାଗି ସେ ଗୋଟିଏ ଦିନ ନେଲେ। ପର ଦିନ ସେ କହିଲେ- ମୁଁ ପରମେଶ୍ବରଙ୍କୁ ଦେଖିବାକୁ ଚାହେଁ।
ରାମକୃଷ୍ଣ କହିଲେ- ବେଶ୍‌। ଯାତ୍ରା ଲାଗି ପ୍ରସ୍ତୁତ ହୁଅ। ଏ ବଡ଼ କଠିନ ଯାତ୍ରା। ତୁ ତର୍କପ୍ରିୟ। ତେଣୁ ତୋ ଲାଗି ଏ ଆହୁରି କଷ୍ଟକର। କାରଣ ପରମେଶ୍ବରଙ୍କୁ ଦେଖିବାକୁ ହେଲେ ତୋତେ ପ୍ରଥମେ ନିଜକୁ ଶୂନ୍ୟ କରିବାକୁ ହେବ, ନିଜକୁ ମିଳାଇ ଦେବାକୁ ହେବ, ତୋର ଅହ˚କାରକୁ ସ˚ପୂର୍ଣ୍ଣ ନିଃଶେଷ କରିବାକୁ ହେବ। ୟେ ଗୋଟିଏ ସାଧନା। ମୁଁ ଯାହା ଯାହା କହିଲି ସେ ସବୁ ହେଉଛି ପରମେଶ୍ବରଙ୍କୁ ଦେଖିବାର ବାଟ। ସେତକ ଦୂର ନ ହେଲେ ଈଶ୍ବରଙ୍କୁ ଦେଖି ପାରିବୁ ନାହିଁ।
ବିବେକାନନ୍ଦ ଚାଲିଗଲେ। ନିଜ ତର୍କ ଉପରେ ତାଙ୍କ ପ୍ରଗାଢ଼ ବିଶ୍ବାସ ଥିଲା। ତେଣୁ ରାମକୃଷ୍ଣଙ୍କୁ ଭୁଲ୍‌ ବୋଲି ପ୍ରମାଣ କରିବାକୁ ସେ ରାମକୃଷ୍ଣ କହିଥିବା କଥାକୁ ପୂରଣ କରିବାକୁ ପ୍ରାଣପଣେ ଉଦ୍ୟମ କଲେ। ତା’ ପରେ ଯାହା ହେଲା ତାହା ଅବର୍ଣ୍ଣନୀୟ। ସେ ଈଶ୍ବରଙ୍କ ସତ୍ତାକୁ ଅନୁଭବ କଲେ ଏବଂ ସେତେବେଳକୁ ତର୍କର ଉଚ୍ଚାଟ ବିଲୁପ୍ତ ହୋଇ ସାରିଥିଲା।

ସମ୍ବନ୍ଧିତ ଖବର