ବହୁବଚନ: ଓଡ଼ିଆ ଜାତୀୟତାର ଜାତକ

ବିଜୟ ନାୟକ

ଉତ୍କଳ ସମ୍ମିଳନୀ ଓଡ଼ିଆ ଜାତୀୟତାର ପହିଲି ପୁଲକ ଏବଂ ଏହାର ଆଦ୍ୟ ଅଧିବେଶନ ଓଡ଼ିଆ ଜାତୀୟ ଜୀବନର ଆଦ୍ୟ ସମାବେଶ। ଗୋଟିଏ ଜାତିର ଅସ୍ତିତ୍ୱ ବିନା ତା’ର ଅସ୍ମିତା କ’ଣ ପ୍ରମୂର୍ତ୍ତ ହୋଇପାରେ? ବ୍ରିଟିଶ ଶାସନ କାଳରେ ତିନିଟି ମହାପ୍ରଦେଶର ଉପାଙ୍ଗ ହୋଇ ରହିଥିବାରୁ ଓଡ଼ିଶା ଥିଲା ଏକ ଅଜ୍ଞାତ ଅଞ୍ଚଳ। ଅଶିକ୍ଷା, ବୁଭୁକ୍ଷା ଓ ବିପର୍ଯ୍ୟୟ ଥିଲା ଏହି ଭୂଖଣ୍ଡର ଭୂଷଣ। ଓଡ଼ିଶା ପ୍ରତି ଶାସକୀୟ ଅବହେଳା ଏବଂ ଓଡ଼ିଶାବାସୀଙ୍କ ଅଧିକାର ପ୍ରତି ଉପେକ୍ଷାର ପ୍ରତିକାର ପାଇଁ ଜାତିପ୍ରାଣ ମଧୁସୂଦନଙ୍କ ନେତୃତ୍ୱରେ ଗଠିତ ହୋଇଥିଲା ଉତ୍କଳ ସମ୍ମିଳନୀ।
ଦୁଇଟି ବିପର୍ଯ୍ୟୟର ଜରାୟୁରୁ ଓଡ଼ିଆ ନବଜାଗରଣ ଜନ୍ମଲାଭ କରିଥିଲା। ଗୋଟିଏ ୧୮୬୬ ମସିହାର ନଅଙ୍କ ଦୁର୍ଭିକ୍ଷ ତ ଅନ୍ୟଟି ୧୮୬୮ ମସିହାର ଭାଷାବିଲୋପ ଚକ୍ରାନ୍ତ। ତେବେ ଓଡ଼ିଆ ଜାତିର ସେନାପତି ଫକୀରମୋହନ ଏବଂ ଉତ୍କଳ ଦୀପିକାର ସମ୍ପାଦକ କର୍ମବୀର ଗୌରୀଶଙ୍କର ଭାଷା-ସୁରକ୍ଷା ମାଧ୍ୟମରେ ଓଡ଼ିଆ ଜାତୀୟତାକୁ ଜୀବନ୍ୟାସ ଦେଇଥିଲେ। ମଧୁସୂଦନ କଲିକତାରୁ କଟକ ଫେରିଲା ପରେ ଅସ୍ପଷ୍ଟ ଓଡ଼ିଆ ଜାତୀୟତାକୁ ପ୍ରାଞ୍ଜଳ କରିବାକୁ ପ୍ରୟାସ କରିଥିଲେ।
ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକ ଶାସନାଧୀନ କରିବା ପାଇଁ ବିକ୍ଷିପ୍ତ ସ୍ୱର ଏଥି ପୂର୍ବରୁ ଅବଶ୍ୟ ଶୁଭୁଥିଲା ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ। ୧୮୭୦ ମସିହାରେ ଉତ୍କଳ ଦୀପିକା ଏବଂ ୧୮୭୧ ମସିହାରେ ଗଞ୍ଜାମ ଉତ୍କଳ ସଭା ଏ ଦିଗରେ ପ୍ରାଥମିକ ପ୍ରୟାସ ଆରମ୍ଭ କରିଥିଲେ। ୧୮୭୫ ମସିହାରେ ବାଲେଶ୍ୱରର ରାଜା ଶ୍ୟାମାନନ୍ଦ ଦେବ ଓଡ଼ିଆ ଅଞ୍ଚଳର ମିଶ୍ରଣ ପାଇଁ ବଙ୍ଗ ସରକାରଙ୍କୁ ଏକ ପ୍ରାର୍ଥନାପତ୍ର ପ୍ରଦାନ କରିଥିଲେ। ୧୯୦୨ ମସିହାରେ ତାଙ୍କ ସୁପୁତ୍ର ରାଜା ବୈକୁଣ୍ଠନାଥ ଦେବ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ର କରିବା ପାଇଁ ଭାରତର ବଡ଼ଲାଟ୍‌ଙ୍କୁ ଏକ ଲକ୍ଷ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ପ୍ରେରଣ କରିଥିଲେ। ସେହି ବର୍ଷ ସମ୍ବଲପୁରକୁ ଓଡ଼ିଶା ଡିଭିଜନ୍‌ରେ ମିଶାଇବା ନିମନ୍ତେ ବଳଭଦ୍ର ସୁପକାର, ମହନ୍ତ ବିହାରୀ ଦାସ, ଶ୍ରୀପତି ମିଶ୍ର ଓ ଧରଣୀଧର ମିଶ୍ର ପ୍ରମୁଖ ଉଦ୍ୟମ କରିଥିଲେ। ଶ୍ରୀପତି ମିଶ୍ର ଲର୍ଡ କର୍ଜନଙ୍କୁ ସାକ୍ଷାତ କରିବା ପାଇଁ ସିମଳା ମଧ୍ୟ ଯାଇଥିଲେ। ପୁନଶ୍ଚ ୧୯୦୩ ମସିହା ଅପ୍ରେଲ ମାସରେ ଖଲ୍ଲିକୋଟ ରାଜାଙ୍କ ପୃଷ୍ଠପୋଷକତାରେ ଗଠିତ ଗଞ୍ଜାମ ଜାତୀୟ ସମିତି ପକ୍ଷରୁ ଓଡ଼ିଆ ଅଞ୍ଚଳ ସମୂହର ମିଶ୍ରଣ ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ସେହି ମାସ କଟକରେ ମଧୁବାବୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ‘ଉତ୍କଳ ସଭା’ରେ ଓଡ଼ିଆ ଭାଷାଭାଷୀମାନଙ୍କ ପାଇଁ ଗୋଟିଏ ଶାସନ ବ୍ୟବସ୍ଥା ପ୍ରଚଳନ ନିମନ୍ତେ ପ୍ରସ୍ତାବ ପାରିତ ହୋଇଥିଲା।
ମଧୁସୂଦନ ଉପଲବ୍ଧି କଲେ ଯେ ଏହିସବୁ ସ୍ୱର ଏତେ କ୍ଷୀଣ ଯେ ତାହା ଓଡ଼ିଶା ବାହାରେ କାହା କାନରେ ବାଜୁନାହିଁ। ଓଡ଼ିଶାର ସମସ୍ୟା ବିଷୟରେ କଂଗ୍ରେସ ମଞ୍ଚରେ ଆଲୋଚନା କରିବା ପାଇଁ ସେ ଆଗ୍ରହ ପ୍ରକାଶ କଲେ। ଜାତୀୟ କଂଗ୍ରେସ ପକ୍ଷରୁ କଲିକତାରେ ଅନୁଷ୍ଠିତ ଦ୍ୱିତୀୟ ଅଧିବେଶନ ଏବଂ ମାନ୍ଦ୍ରାଜରେ ଅନୁଷ୍ଠିତ ତୃତୀୟ ଅଧିବେଶନରେ ଓଡ଼ିଶା ପ୍ରସଙ୍ଗ ପକାଇବାକୁ ଚାହିଁଥିଲେ ମଧ୍ୟ ସେଥିରେ ସଫଳ ହୋଇପାରି ନଥିଲେ ମଧୁବାବୁ। ନିଜ ମନକଥା ବନ୍ଧୁ ସୁରେନ୍ଦ୍ରନାଥ ବାନାର୍ଜୀଙ୍କୁ ଜଣାଇବା ପାଇଁ ସେ ଇଚ୍ଛାପ୍ରକାଶ କରିଥିଲେ। ମଧୁବାଳା ଶୈଳବାଳା ଲେଖିଛନ୍ତି ଯେ ମଧୁବାବୁ ୧୯୦୨ ମସିହା ଖ୍ରୀଷ୍ଟମାସ ସପ୍ତାହରେ କଲିକତାର ଗ୍ରାଣ୍ଡ୍ ହୋଟେଲରେ ସୁରେନ୍ଦ୍ରନାଥ ବାନାର୍ଜୀଙ୍କୁ ସାକ୍ଷାତ କରି ଅବହେଳିତ ଓଡ଼ିଆ ଅଞ୍ଚଳକୁ ଏକତ୍ରିତ କରିବା ପାଇଁ କଂଗ୍ରେସ ଆଗଭର ହେଉ ବୋଲି ପ୍ରସ୍ତାବ ଦେଇଥିଲେ। ଆଞ୍ଚଳିକ ପ୍ରସଙ୍ଗ ଜାତୀୟ ମଞ୍ଚରେ ଆଲୋଚିତ ହୋଇପାରିବ ନାହିଁ, ଏହା ବାନାର୍ଜୀ କହିବାରୁ ମଧୁବାବୁ ବିକଳ୍ପ ଚିନ୍ତା କଲେ ଏବଂ ସେହି ବିକଳ୍ପ ଚିନ୍ତାର ଫଳଶ୍ରୁତି ହିଁ ଉତ୍କଳ ସମ୍ମିଳନୀ। ତେବେ ଖୁବ୍ ସମ୍ଭବତଃ ‘ଉତ୍କଳ ସମ୍ମିଳନୀ’ ହିଁ ଭାରତର ପ୍ରଥମ ଆଞ୍ଚଳିକ ‘ସାମାଜିକ ଓ ରାଜନୈତିକ ସଙ୍ଗଠନ’।
କଟକସ୍ଥିତ କନିକା କୋଠିରେ ଏକାଧିକ ବୈଠକ ବସିବା ପରେ ସମ୍ମିଳନୀର ଆଭିମୁଖ୍ୟ, ଅଧିବେଶନ ଓ ଅତିଥି ଚୟନ ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। କନିକା ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ ସଭାସମିତି ଆୟୋଜନ କ୍ଷେତ୍ରରେ ବିଶେଷ ଭୂମିକା ନିର୍ବାହ କରିଥିଲେ। ବାମଣ୍ଡାର ସଂସ୍କୃତିପ୍ରେମୀ ରାଜା ସାର୍ ବାସୁଦେବ ସୁଢ଼ଳଦେବଙ୍କୁ ସମ୍ମିଳନୀର ସଭାପତି ଭାବରେ ମନୋନୟନ କରାଯାଇଥିଲା। ତାଙ୍କର ଆକସ୍ମିକ ବିୟୋଗ ହେବାରୁ ମଧୁବାବୁଙ୍କ ଅନୁରୋଧ କ୍ରମେ ମୟୂରଭଞ୍ଜର ଉତ୍କଳ-ହିତୈଷୀ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ସଭାରେ ପୌରୋହିତ୍ୟ କରିବା ପାଇଁ ସମ୍ମତି ପ୍ରଦାନ କରିଥିଲେ। ତାଙ୍କ ସଭାପତିତ୍ୱରେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ଅନୁଷ୍ଠିତ ହୋଇଥିଲା କଟକ ସ୍ଥିତ ଇଦ୍‌ଗା ମୈଦାନରେ ୧୯୦୩ ମସିହା ଡିସେମ୍ବର ମାସ ୩୦ ଓ ୩୧ ତାରିଖରେ। ସଭାରେ ‘ଅମୃତ ବଜାର ପତ୍ରିକା’ର ସମ୍ପାଦକ ବାବୁ ମୋତିଲାଲ ଘୋଷ ଏବଂ ଓଡ଼ିଶା କମିଶନର କେ.ଜି. ଗୁପ୍ତ ଉପସ୍ଥିତ ଥିଲେ। ରଜାପ୍ରଜା, ରୟତ ଜମିଦାର ଏବଂ ଶିଷ୍ଟବିଶିଷ୍ଟମାନଙ୍କର ଏହା ଥିଲା ଏକ ଅପୂର୍ବ ସଙ୍ଗମ।
ସେହି ବର୍ଷ ପ୍ରାୟ ଏକା ସମୟରେ କଟକରେ ଉତ୍କଳ ସମ୍ମିଳନୀର ଅଧିବେଶନ ଏବଂ ମାନ୍ଦ୍ରାଜରେ ଜାତୀୟ କଂଗ୍ରେସର ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଉତ୍କଳ ସମ୍ମିଳନୀ ଅଧିବେଶନରେ ଆଞ୍ଚଳିକ ଆଶା, ଆକାଂକ୍ଷା, ଅସ୍ମିତା ଓ ଅଭୀପ୍‌ସା ଭିତ୍ତିରେ ବିଭିନ୍ନ ମହାପ୍ରଦେଶରେ ଥିବା ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣର ସ୍ୱର ଶୁଭୁଥିବାବେଳେ ମାନ୍ଦ୍ରାଜରେ ଲାଲମୋହନ ଘୋଷଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କଂଗ୍ରେସ ଅଧିବେଶନରେ ମହାପ୍ରଦେଶଗୁଡ଼ିକର ପୁନର୍ବିନ୍ୟାସ ସମ୍ପର୍କିତ ପ୍ରସ୍ତାବକୁ ବିରୋଧ କରାଯାଉଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୧୯୨୧ ମସିହା ପର୍ଯ୍ୟନ୍ତ ଓଡ଼ିଶାର ପ୍ରାଦେଶିକ କଂଗ୍ରେସ କମିଟି ଗଠିତ ହୋଇପାରି ନଥିଲା। ମହାତ୍ମା ଗାନ୍ଧୀଙ୍କ ମାର୍ଗଦର୍ଶନରେ ସେହିବର୍ଷ ଉତ୍କଳ ପ୍ରାଦେଶିକ କଂଗ୍ରେସ କମିଟି ଗଠିତ ହୋଇଥିଲା, ଯାହାର ପ୍ରଥମ ସଭାପତି ପଦ ମଣ୍ଡନ କରିଥିଲେ ପଣ୍ଡିତ ଗୋପବନ୍ଧୁ। ସେଥିପାଇଁ ସେ ଲେଖିଥିଲେ, “ଭାରତ ଜାତୀୟ ମହାସମ୍ମିଳନେ, ନ ବସେ ଉତ୍କଳ ସ୍ୱତନ୍ତ୍ର ଆସନେ। ଗାନ୍ଧୀ ଭଗୀରଥ ନିଜ ପୁଣ୍ୟ ବଳେ, ଆଣିଲେ ଅସଙ୍ଗ ଜାହ୍ନବୀ ଉତ୍କଳେ।”
ମୋ: ୯୪୩୭୧୪୩୮୯୬

ସମ୍ବନ୍ଧିତ ଖବର