ରାଷ୍ଟ୍ର ଓ ସାହିତ୍ୟ

ହରପ୍ରସାଦ ଦାସ

ଅଳ୍ପ ଦିନ ତଳେ କେନ୍ଦ୍ରପଡ଼ାରେ ‘ଜୟ ଭାରତ’ ନାମକ ଏକ କ୍ଷୁଦ୍ର ନାଗରିକ ଅନୁଷ୍ଠାନ ଦ୍ବାରା ଆୟୋଜିତ ‘ରାଷ୍ଟ୍ରବାଦୀ କବିତା ପାଠୋତ୍ସବ ବିନା ଆଡ଼ମ୍ବରରେ ଅଳ୍ପ କିଛି ଶ୍ରୋତା ଓ ଅଳ୍ପ କେତେକ କବିଙ୍କ କବିତା ପାଠ ସହିତ ସଂପନ୍ନ ହୋଇଗଲା। କ୍ଷୁଦ୍ର ସ୍ଥାନୀୟ ଅନୁଷ୍ଠାନର ପ୍ରୟାସ ନା ମିଡିଅାର ମୁଖ୍ୟସ୍ରୋତରେ ଦୃଷ୍ଟି ଆକର୍ଷିତ କଲା ନା ସେ ସମା‌େରାହ ସାହିତ୍ୟିକଙ୍କ ପାଇଁ ଆଲୋଚନାର ବିଷୟ ହୋଇପାରିଲା! ହିନ୍ଦୀରେ ରାଷ୍ଟ୍ରକବି ଓ ରାଷ୍ଟ୍ରବାଦୀ କବିତାର ଗୋଟିଏ ଚଳନ୍ତି ପରଂପରା ଯତ୍ର-ତତ୍ର କ୍ରିୟାଶୀଳ ହୋଇ ରହିଚି, ସ୍ବାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଏଭଳି ସମାରୋହ ମଧ୍ୟ ଆୟୋଜିତ ହୁଏ। କିନ୍ତୁ ଇଏ ଗୋଟିଏ ପ୍ରଭାବଶାଳୀ ସାହିତ୍ୟିକ ପରଂପରରେ ପରିଣତ ହୋଇ ପାରିନାହିଁ। ରାଷ୍ଟ୍ରବାଦୀ ସାହିତ୍ୟର ପରଂପରାକୁ ଅଲଗା କରି ଦେଖିବାରେ ହିଁ ୟାର ବ୍ୟର୍ଥତା ବା ବିଫଳତା। କିନ୍ତୁ ସ୍ବାଧୀନତା ସଂଗ୍ରାମ କାଳର ଦେଶାତ୍ମବୋଧକ ସାହିତ୍ୟ, ଗୋଟିଏ ଅଲଗା ସାହିତ୍ୟ। ଏ ଦୁଇଟାରେ ଦୁଇଟି ଅଲଗା ଭଲ ପାଇବାର ଭାଷା। ଯେତେବେଳେ ସ୍ବାଧୀନତା ସଂଗ୍ରାମୀ ଓ ଜନତାଙ୍କୁ ପରାଧୀନ ଦେଶର ମୁକ୍ତି ଯୁଦ୍ଧରେ ପ୍ରାଣପାତ କରିବା ପାଇଁ ଉଦ୍ଦୀପନା ସୃଷ୍ଟି କରିବାର ଥାଏ, ସେତେବେଳେ ଦେଶର ପରଂପରା, ସ୍ବର୍ଣ୍ଣଭ ଅତୀତ, ଜଡ଼ ଜନତା ଓ ସ୍ବାର୍ଥୀ ମଣିଷଙ୍କୁ ଦେଶକୁ ଭଲ ପାଇବାର ଭାଷା ଶୁଣାଏ ସାହିତ୍ୟ। ଏ ଦେଶ ମୋ ନିଜର, ମୁଁ ୟାର ଅଂଶ, ଏ ମୋ ନିଜ ଆତ୍ମାର ଅଂଶ ବା ଏ ମୋର ମାଟି, ‌ଏ ମୋର ମା’ ଏ କଥା କହି ଆବେଗକୁ ଉନ୍ମାଦରେ ଓ ସମର୍ପଣକୁ ପ୍ରାଣପାତରେ ପରିଣତ କଲା ଯାଏଁ ଏ ବାଣୀ ସଂଗ୍ରାମ କାଳରେ ଯୋଦ୍ଧା ଓ ସାଧାରଣ ଜନତାଙ୍କ ତୁଣ୍ଡରେ ଭଲ। କିନ୍ତୁ ଯେତେବେଳେ ଲୋକ ସଂକଳ୍ପ ଦ୍ବାରା ସ୍ବାଧୀନତା ପ୍ରାପ୍ତ ଦେଶ ଏକ ରାଷ୍ଟ୍ରରେ ପରିଣତ ହୁଏ ସେତେବେଳେ ‘ଏ ଦେଶ ମୋର’ ଏକଥା କହି କାହାକୁ ଉଦ୍ଦୀପ୍ତ କରିବା ଆଉ ଲୋଡ଼ା ହୁଏନାହିଁ। ସେତେବେଳେ ଲୋଡ଼ା ହୁଏ ‘ରାଷ୍ଟ୍ରବୋଧ’ର ସାହିତ୍ୟ। ସ୍ମରଣରେ ରହୁ ଯେ ଦେଶକୁ ଭଲ ପାଇବା ଓ ରାଷ୍ଟ୍ରକୁ ଭଲପାଇବା ଦୁଇଟା ଏକା କଥା ନୁହନ୍ତି। ‌‘ଦେଶାତ୍ମବୋଧ’ ଓ ‘ରାଷ୍ଟ୍ରବୋଧ’ ଉଭୟ ପରସ୍ପର ଠାରୁ ଗୁଣାତ୍ମକ ମାନରେ ଦୁଇଟା ଅଲଗା କଥା। ଦେଶର ସ୍ବାଧୀନତା ପାଇଁ ଲଢ଼ିଲା ବେଳେ ଦେଶର ମୁକ୍ତି ପାଇଁ ସାହିତ୍ୟର ଭୂମିକା ଦେଶ ପ୍ରତି ଅନୁରକ୍ତି ସୃଷ୍ଟି କରିବା। ଏହା ମୁଖ୍ୟତଃ ଉଦ୍‌ବୋଧନ ମୂଳକ, ପ୍ରେରକ ସାହିତ୍ୟ। କିନ୍ତୁ ସ୍ବାଧୀନତା ପ୍ରାପ୍ତି ପରର ରାଷ୍ଟ୍ରବାଦୀ ସାହିତ୍ୟରେ ଆଉ ଆବାହନ ନ ଥାଏ କି ଉଦ୍‌ବୋଧନ ନ ଥାଏ। ଏହା ହୁଏ ରାଷ୍ଟ୍ରକୁ ନିଜର ଅସ୍ତିତ୍ବର, ଆସ୍ଥାର, ଲୟ ଓ ଧ୍ୟେୟର ପରିଣତ କରିବାର ସାହିତ୍ୟ; ଅର୍ଥାତ୍‌ ଇଏ ଦେଶରେ ଲେଖା ଯାଉଥିବା ସମସ୍ତ ସାହିତ୍ୟ ଭିତରେ ରାଷ୍ଟ୍ରକୁ ଏକାତ୍ମ ଓ ଅଂଗୀଭୂତ କରିବାର ସାହିତ୍ୟ। ଦେଶାତ୍ମବୋଧକ ସାହିତ୍ୟ ଯଦି ଉଦ୍‌ବୋଧନ ପାଇଁ, ତେବେ ରାଷ୍ଟ୍ରବୋଧର ସାହିତ୍ୟ ରାଷ୍ଟ୍ରକୁ ଏକ ଅଂଗୀକାରରେ ପରିଣତ ‌କରିବା ପାଇଁ। ଆହୁରି ଶଂକାମୁକ୍ତ ହୋଇ କହିଲେ ଗୋଟିଏ ସ୍ବାଧୀନ ଦେଶର ସମସ୍ତ ସାହିତ୍ୟ ରାଷ୍ଟ୍ରବାଦୀ ସାହିତ୍ୟ ଓ ଗୋଟିଏ ପରାଧୀନ ଦେଶର ସଂଗ୍ରାମୀ ସାହିତ୍ୟ ଦେଶାତ୍ମବୋଧକ ସାହିତ୍ୟ। ଏ ସଂଦର୍ଭରେ ସ୍ପଷ୍ଟତା ଆସିବା ଜରୁରୀ; କାରଣ, ଏବେ ବି ରାଷ୍ଟ୍ରବାଦୀ ସାହିତ୍ୟ କହିଲେ ଲେ‌ାକେ, ଏପରିକି ଲେଖକମାନେ ବୁଝୁଚନ୍ତି ଦେଶାତ୍ମବୋଧକ ସାହିତ୍ୟ। ଆବେଗିକ ବ୍ୟାପ୍ତିର ଆଲୋକରେ ଦେଖିଲେ ଜାତୀୟ ସଂଗ୍ରାମରେ ଝାସ ଦେବାର ଆହ୍ବାନ ଓ ‌ରାଷ୍ଟ୍ର ପତି ଅଂଗୀକାରବଦ୍ଧ ହେବାର ଆହ୍ବାନ ଏକା ପ୍ରକାରର ଉତ୍ତେଜନା ସୃଷ୍ଟି କରିପାରନ୍ତି, କିନ୍ତୁ ଠିକ୍‌ ଅର୍ଥରେ ସ୍ବାଧୀନ ଦେଶ ରାଷ୍ଟରେ ପରିଣତ ହେଲା ପରେ, ଯାହା କିଛି ଲେଖା ଯାଉଚି, ତାହା ରାଷ୍ଟ୍ରବାଦୀ ସାହିତ୍ୟ। ଏଭଳି କ’ଣ ହୋଇପାରେ ଯେ ଜଣେ ଦେଶକୁ ଭଲ ପାଏ, ଅଥଚ ରାଷ୍ଟ୍ରକୁ ଘୃଣା କରେ? ଏଭଳି କ’ଣ ହୋଇପାରେ ଯେ ଜଣେ ରାଷ୍ଟ୍ରଭକ୍ତ, କିନ୍ତୁ ଦେଶଦ୍ରୋହୀ? ଅସମ୍ଭବ! ଯେଉଁ କ୍ଷେତ୍ରରେ ଏଭଳି ବିକୃତି କେବେ ଦୃଶ୍ୟମାନ ହୁଏ ତାହା ଦେଶର ନାଗରିକଙ୍କ ପାଇଁ ଘୋର ଦୁଶ୍ଚିନ୍ତାର କାରଣ ହୋଇପାରେ। ଏଭଳି ବିବୃତିର କାରଣ ହୋଇପାରେ ଦେଶ ଓ ରାଷ୍ଟ୍ରକୁ ଅଲଗା କରି ବୁଝି ନ ପାରିବାର ଅଯୋଗ୍ୟତା ବା ଦେଶ ଓ ରାଷ୍ଟ୍ରକୁ ଏକାଠି ବୁଝି ନ ପାରିବାର ଅଶିକ୍ଷା ବା ସୁଚିନ୍ତିତ ଦ୍ରୋହାଚାର। ଏଭଳି ଦୁଶ୍ଚିନ୍ତା ନାଗରିକଙ୍କ ମୁଣ୍ଡରୁ ଯିବା ଦରକାର। ହଁ, କହିଦିଏଁ ଯେ ସାହିତ୍ୟ ଉଭୟ ଦେଶ ଓ ରାଷ୍ଟ୍ରର ମୁଖ। ଏ ମୁଖରୁ ଯେଉଁ ବାଣୀ ନିସୃତ ହୁଏ, ତାହା ଦେଶ ଓ ରାଷ୍ଟ୍ରର ଊର୍ଦ୍ଧ୍ବରେ କେବେ କେବେ ବିଶ୍ବ ବା ବ୍ରହ୍ମାଣ୍ଡର କଥା କହିପାରେ, କିନ୍ତୁ ଦେଶ ବା ରାଷ୍ଟ୍ରକୁ ନ୍ୟୂନ କରି ନୁହେଁ!

ଭାରତୀୟଙ୍କ ପାଇଁ ‘ରାଷ୍ଟ୍ର’ ସଂବିଧାନ-ସୃଷ୍ଟ ଏକ ରାଜନୈତିକ ଶବ୍ଦ ମାତ୍ର ନୁହେଁ। ରାଷ୍ଟ୍ର ଭାରତୀୟ ବାଙ୍ମୟର ଏକ ବିଧାନ। କହିପାରନ୍ତି ବୈଦିକ ସଂବିଧାନର ଏକ ବିଧାନ। ପ୍ରକୃତି, ପୁରୁଷ, ଜ୍ୟୋତିଷ୍କ, ପଂଚଭୂତ, ଧର୍ମ ଓ ରାଷ୍ଟ୍ର, ଏସବୁ ସେହି ସଂବିଧାନର ବିଧାନ। ଏମାନଙ୍କ ମଧ୍ୟରେ ସଂପର୍କ ‘ଅର୍ଗାନିକ୍‌’ ବା ‌େଜୖବ। ତା’ର ଆଲୋଚନାର କ୍ଷେତ୍ର ବ୍ୟାପ୍ତ ଓ ବିପୁଳ। ଏଠି ଏତିକି କହିଲେ ଯଥେଷ୍ଟ ହେବ ଯେ ବହୁ ପ୍ରାକୃତିକ ପ୍ରାଣଶକ୍ତି ଦ୍ବାରା ପରିଚାଳିତ ପ୍ରାକୃତିକ ଭୂଲୋକରେ ପ୍ରକୃତି ହିଁ ରାଷ୍ଟ୍ର ଓ ପ୍ରାକୃତିକ ଶକ୍ତିପୁଞ୍ଜ (ଇନ୍ଦ୍ର, ଅଗ୍ନି, ବରୁଣ, ମରୁତ୍‌, ଉଷା, ରାତ୍ରି ଆଦି) ରାଜା, ଶାସକ, ପାଳକ ବା ସୁରକ୍ଷା-ଦାତା। ଅନ୍ୟ ଭାବରେ କହି‌େଲ ରାଷ୍ଟ୍ର ବାଙ୍ମୟ, ଅଭିବ୍ୟକ୍ତି, ଅନୁଭବ ଓ ପ୍ରେରଣାର ଉତ୍ସ। ଏବେ ଆଉ ଯେଉଁ ରାଜନୈତିକ ରାଷ୍ଟ୍ରର ନିର୍ମାଣ କଲେ ତା’ର ନିର୍ମାତା ଆମ ସଂବିଧାନରେ ‘ଆମେ’ (ୱି ଦ’ ପିପ୍ଲ ଅଫ୍‌ ଇଣ୍ଡିଅା)। ତେଣୁ ରାଷ୍ଟ୍ରର ଅଭିବ୍ୟକ୍ତି ଆମର ଅଭିବ୍ୟକ୍ତି ଛଡ଼ା ଆଉ କ’ଣ ବା ହୋଇପାରେ? ସେହି ଅର୍ଥରେ ରାଷ୍ଟ୍ର ଅମୂର୍ତ (ଆବ୍‌ଷ୍ଟ୍ରାକ୍‌ଟ) ନୁହେଁ, ‌ଠୋସ୍‌, ନିଦା, କଂକ୍ରିଟ୍‌! ତେଣୁ ଭାରତୀୟ ରାଷ୍ଟ୍ର ୟୁରୋ-ଆମେରିକାନ୍‌ ରାଷ୍ଟ୍ର ନୁହେଁ। ୟୁରୋ-ଆମେରିକାନ୍‌ ରାଷ୍ଟ୍ରକୁ ନେଇ ‘ବାଦ’ (ବା ବିଚାରଧାରା)ର ଆରମ୍ଭ ଫରାସୀ ବିପ୍ଳବ ଠାରୁ (୧୭୮୯ରୁ ୧୭୯୯, ଏହି ଦଶ ବର୍ଷ), ଏକ ପ୍ରତିକ୍ରିୟାଶୀଳ ନାଗରିକ ଅଧିକାର ପ୍ରତିଷ୍ଠାର ରୋଷକୁ। ସେଇଠି ଭାରତୀୟ ରାଷ୍ଟ୍ରକୁ ନେଇ ଅନ୍ତତଃ ପାଞ୍ଚ ହଜାର ବର୍ଷର ବୈଦିକ ବିଚାରଧାରା ଏକ ଶାନ୍ତ, ପ୍ରାଜ୍ଞ, କୃତଜ୍ଞ ମାନବୀୟ ସନ୍ଧାନ। ତେଣୁ ଭାରତୀୟ ରାଷ୍ଟ୍ରବାଦ ଅଷ୍ଟାଦଶ ଶତାବ୍ଦୀର ଶେଷ ପାଦର ରକ୍ତପାତ ଓ କୋଳାହଳର ଉପଜ ନୁହେଁ, ପ୍ରାକୃତିକ ଅଧିକାରର ନମ୍ର ଓ ଶୁଭଙ୍କରୀ ହସ୍ତାନ୍ତରଣ। ଭାରତୀୟ ରାଷ୍ଟ୍ରବାଦ ଏକ ଚୈତନ୍ୟ-ରୂପୀ ଅଭିବ୍ୟକ୍ତି, ଏକ ଆକସ୍ମିକ ଲୋ‌େକାଦୟ ନୁହେଁ। ଭାରତୀୟ ସଂବିଧାନରେ ଯେଉଁ ‘ଲୋକେ’ ରାଷ୍ଟ୍ର ନିର୍ମାଣର ସଂକଳ୍ପ କଲେ, ସେମାନେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ସମସ୍ତ ଭାରତୀୟ। ତ୍ରିକାଳକୁ ଧରି ରଖିପାରେ ଗୋଟିଏ ରଜ୍ଜୁରେ କେବଳ ଚୈତନ୍ୟ। ଚୈତନ୍ୟର ତିନିଟି ରୂପ: ଗୋଟିଏ ଆତ୍ମୀକରଣ ବା ନିଜର କରିବାରେ, ଆଉ ଗୋଟିଏ ‘ବୋଧ’ରେ, ତୃତୀୟଟି ସଂକଳ୍ପରେ। ଆଶା କରୁଚି ଅନ୍ତତଃ ଏତିକି ସ୍ପଷ୍ଟ ହେଲା ଯେ ରାଷ୍ଟ୍ରବାଦ ଭାରତୀୟଙ୍କ ପାଇଁ ଏକ ପ୍ରତିକ୍ରିୟାଶୀଳ ନାଗରିକତା ନୁହେଁ, ସକାରାତ୍ମକ ଭାରତୀୟତା। ଏହା ଆମ ପାଇଁ ଏକ ଅସ୍ତିତ୍ବବାଚୀ ଉଦ୍‌ଘୋଷଣ।

ବିଶ୍ବରେ ପରିଲକ୍ଷିତ ରାଷ୍ଟ୍ରବାଦଗୁଡ଼ିକ ହେଲେ, ସାମ୍ରାଜ୍ୟବାଦୀ ରାଷ୍ଟ୍ରବାଦ, ସାଂପ୍ରଦାୟିକ ରାଷ୍ଟ୍ରବାଦ, ବୈଚାରିକ ରାଷ୍ଟ୍ରବାଦ ଓ ଭୌଗୋଳିକ ରାଷ୍ଟ୍ରବାଦ। ଏ ସବୁ ରାଷ୍ଟ୍ରବାଦ, ଏ ରାଜ୍ୟ ମୋର, ଏ ଗୋଷ୍ଠୀ ମୋର, ଏ ବିଚାରଧାରା ମୋର ଓ ଏ କ୍ଷେତ୍ର ମୋର; ଏହାରି ଦ୍ବାରା ପରିଚାଳିତ। ୟାର ଅସ୍ତ୍ର ହିଂସା। ସେଇଠି ଭାରତୀୟ ରାଷ୍ଟ୍ରବାଦ ସାମ୍ରାଜ୍ୟହୀନ, ସଂପ୍ରଦାୟହୀନ, ବିଚାରଧାରା ନିରପେକ୍ଷ, ବହୁଳତାବାଦୀ ଓ ପ୍ରାଣୀ ସଂରକ୍ଷକ। ପ୍ରକୃତିର ବିଧାନ ଭାବରେ ଇଏ ଆମ ସଂବିଧାନରେ ପ୍ରବେଶ କରିଚି ଓ ବିଶ୍ବରେ ଭାରତ ଏକମାତ୍ର ରାଷ୍ଟ୍ର, ଯାହାର ରାଷ୍ଟ୍ରବାଦ ସଭ୍ୟତାର ଅବଦାନ ଓ ପ୍ରକୃତିଗତ ଓ ଚୈତନ୍ୟରୂପୀ। ରାଜନୀତି ବିଜ୍ଞାନୀ ଓ ରାଜନେତାମାନେ ନ ଭାବନ୍ତୁ ଯେ ଭାରତୀୟତାର ମୂଳକୁ ଯାଇ ଭାରତୀୟ ରାଷ୍ଟ୍ରବାଦର ଅର୍ଥ କରିବା, ଗୋ‌େଟ ପରଂପରାବାଦୀ ଚିନ୍ତନ। ସେମାନେ ତାଙ୍କର ପାଠୁଆ ବିଦେଶୀ ଗୁରୁଙ୍କୁ ପଚାରନ୍ତୁ; ସେମାନେ ଅବଶ୍ୟ କହିବେ ଯେ ରାଜନୀତି ବିଜ୍ଞାନରେ ରାଷ୍ଟ୍ରର ବ୍ୟାଖ୍ୟା ଦୁର୍ବଳ ଓ ତାତ୍କାଳିକ, ୟାର ପୁନର୍ବିବେଚନ ଦରକାର। ମୁଁ ଏଠି ସେଇ ପୁନର୍ବିବେଚନ ହିଁ କରୁଚି। ତେବେ, ରାଷ୍ଟ୍ରବାଦୀ ସାହିତ୍ୟ କ’ଣ? ଅତି ସହଜ ଭାବରେ କହେଁ ରାଷ୍ଟ୍ରବାଦୀ ସାହିତ୍ୟ, ଭାରତୀୟଙ୍କ ଦ୍ବାରା ରଚିତ, ଭାରତର ସାହିତ୍ୟ। ତା’ ହେଲେ ବର୍ତ୍ତମାନ ଭାରତରେ ଲେଖା ଯାଉଥିବା ସାହିତ୍ୟ ଭାରତୀୟ ସାହିତ୍ୟ କି? କହିବାରେ ଦ୍ବିଧା ନାହିଁ ଯେ ଭାରତୀୟଙ୍କ ଦ୍ବାରା ଭାରତରେ ଲେଖା ଯାଉଥିବା ବର୍ତ୍ତମାନର ଭାରତୀୟ ସାହିତ୍ୟ ଏ ଯାବତ୍‌ ପୂର୍ଣ୍ଣ ଭାରତୀୟ ରୂପ ପାଇପାରିନାହିଁ। ଭାରତୀୟ ଆଧୁନିକ ଓ ୟୁରୋ-ଆମେରିକାନ୍‌ ଆକ୍ରାନ୍ତ ଉଗ୍ର ଆଧୁନିକ ଭାରତୀୟ ଲେଖକ କ୍ଷୁବ୍‌ଧ ହୋଇପାରନ୍ତି, କିନ୍ତୁ ଏ କଥା କ’ଣ ସତ୍ୟ ନୁହେଁ ଯେ ରାଷ୍ଟ୍ର ନିର୍ମାଣ ପରର ସାହିତ୍ୟ (ଅର୍ଥାତ୍‌ ୧୯୫୦ ପରର ସାହିତ୍ୟ), ତା’ ପୂର୍ବର ଭା‌ରତୀୟ ସାହିତ୍ୟର ନା ଉତ୍ତରଣ ନା କ୍ରମ ପ୍ରବାହ?
୧୯୫୦ରେ ଯେତେବେଳେ ଭାରତୀୟ ରାଷ୍ଟ୍ର ବିଶ୍ବର ରାଷ୍ଟ୍ର ସମୂହଙ୍କ ମଧ୍ୟରେ ଗୋଟିଏ ‌େ‌ହାଇ ଠିଆ ହେଲା, ସେତେବେଳେ ସେ ବିଶ୍ବକୁ ଭାରତ ଚିହ୍ନି ନ ଥିଲା। ଯେଉଁ ରାଜନୈତିକ ଭୂମି ଉପରେ ରାଷ୍ଟ୍ରମାନେ ଠିଆ ହୋଇଥିଲେ, ସେ ଭୂମି ଥିଲା ଦୁଇ ବିଶ୍ବଯୁଦ୍ଧ ପରର ନଷ୍ଟଭୂମି। ସେ ଅଜ୍ଞାତ ସମୟ ଥିଲା ନର ସଂହାର ପରର ଭୟ ଓ ଅନୁତାପର ସମୟ। ସେଇମାନେ ଅନୁତାପ କରୁଥିଲେ ଯେଉଁମାନେ ରାଷ୍ଟ୍ର ନାମରେ ଅସଂଖ୍ୟ ନର ସଂହାର କରିଥିଲେ। ସେଇମାନେ ବ‌ିବେକର ଦଂଶନରେ ବିକଳ ହେଉଥିଲେ, ଯେଉଁମାନେ ବିପୁଳ ନରସିଂହାରକୁ ରାଷ୍ଟ୍ରନୀତି ଭାବରେ ପ୍ରତିଷ୍ଠିତ କରିଥିଲେ। ସେଇମାନେ ଲଜ୍ଜିତ ଥିଲେ ଯେଉଁମାନେ ହିରୋସିମା ଓ ନାଗାସାକୀରେ ମାନବ ବିଧ୍ବଂସକ ବୋମାକୁ କୌତୂକିଆ ନାଁ ଦେଇ ହସିବାର ଆସ୍ପର୍ଦ୍ଧା କରିଥିଲେ। ବୋମା ଦୁଇଟିର ନାଁ ଥିଲା ମୋଟୁ (ଫ୍ୟାଟ୍‌ ମ୍ୟାନ୍‌) ଓ ଛୋଟୁ (ଦ’ ଲିଟ୍‌ଲ୍‌ ବୟ)! ୟାଙ୍କୁ ନୂଆ ବିଶ୍ବର ପ୍ରଭୁ ବୋଲି ମାନିବା ପାଇଁ ଭାରତୀୟ ସଭ୍ୟତାର ବିବେକ ପ୍ରସ୍ତୁତ ନ ଥିଲା; କିନ୍ତୁ ଭାରତୀୟ ରାଜନୀତି ଆଗରେ ବୈକଳ୍ପିକ ଆଦର୍ଶ ନ ଥିଲା, ଭାରତୀୟତାକୁ ଉଦ୍‌ଘୋଷିତ କରିବାର ସାମର୍ଥ୍ୟ ବା ବୌଦ୍ଧିକ ବିଚାର ନ ଥିଲା। ତେଣୁ ଭାରତ ବି ସାମିଲ ହୋଇଗଲା ହିଂସ୍ର, ଛଳ, ଅନୁତପ୍ତ, ମୂଲ୍ୟବୋଧହୀନ, ସଭ୍ୟତାହୀନ, ଉଚ୍ଛୃଙ୍ଖଳ ରାଷ୍ଟ୍ରମାନଙ୍କ ସମାରୋହରେ। କିନ୍ତୁ ନୂଆ ରାଷ୍ଟ୍ରର ଅଘୋଷିତ ବିବେକ ସଂକଟ ତ ଥିଲା! ଭାରତୀୟଙ୍କ ଆଗରେ ଶାସ୍ତ୍ର ତଥାପି ଥିଲା, ଭକ୍ତି ଥିଲା, ସମର୍ପଣ ଥିଲା, ନୀତି ଥିଲା, ପରିବାର ଥିଲା, ଶୁଭ ଦୃଷ୍ଟି ଥିଲା, ତ୍ୟାଗ ଥିଲା, ପରଂପରାର ଆକର୍ଷଣ ଥିଲା, ସ୍ମୃତି ଥିଲା। ଇଂରେଜମାନେ ଭାରତୀୟ ସଭ୍ୟତା ଓ ଲୋକଜୀବନର ନ୍ୟୂନତମ ଅବଶେଷକୁ ମାରି ପାରି ନ ଥିଲେ।
ଠିକ୍‌ ଏହି ସମୟରେ ବିଶ୍ବରେ ପ୍ରଚାରିତ ହେଲା ଇଂରେଜ-ଆମେରିକାନ୍‌ କବି ଟି.ଏସ୍‌. ଏଲିଅଟ୍‌ଙ୍କ ‘ୱେଷ୍ଟଲାଣ୍ଡ’ କବିତା ଗୁଚ୍ଛ ଓ ଆସିଲା ଉପନିବେଶ ମୁକ୍ତ ବିଶ୍ବର ସମୟ, ଶାନ୍ତିପାଠର ସମୟ, ସ୍ଥିତିବାଦର ସମୟ, ବିଟଲ୍‌ସ୍‌ଙ୍କ ସମୟ ଓ ଟେରେସ୍କୋଭାଙ୍କ ଅନ୍ତରୀକ୍ଷ ଉଡ଼ାଣର ସମୟ। କୁହାଗଲା ବିଶ୍ବର ପ୍ରଭୁ ଦେଶମାନେ ଯୁଦ୍ଧ ପରେ ଏବେ ଶାନ୍ତି ଚାହାନ୍ତି, ତାଙ୍କ ସାହିତ୍ୟରେ ‘ଶାନ୍ତିର ଆବାହନ’, ମଣିଷର ମହତ୍ତ୍ବାକାଂକ୍ଷା ଅନ୍ତରୀକ୍ଷ ସ୍ପର୍ଶ କରୁ। ଅପର ପକ୍ଷରେ ଆସିଲା ସ୍ଥିତିବାଦର ଦର୍ଶନ, ଯାହା ଅସ୍ବୀକାର କଲା ମଣିଷର ମାନବୀୟ ବିବେକକୁ ଓ ତର୍କ କଲା ଯେ ମଣିଷ ତା’ର ଅସ୍ତିତ୍ବ ପାଇଲା ପ୍ରଥମେ, ତା’ ପରେ ପାଇଲା ସାମାଜିକ ଚରିତ୍ର ବା ମାନବୀୟ ଗୁଣ। ସଂପୃକ୍ତି ନାହିଁ, ଆନୁଗତ୍ୟ ନାହିଁ, ସଂପର୍କ ନାହିଁ, ସ୍ମୃତି ନାହିଁ କି ନୀତି ନାହିଁ! ଉଦ୍‌ବାର୍ଯ୍ୟ ମଣିଷର ହିଂସ୍ର, ବିରକ୍ତିକର ସ୍ଥିତି ଓ ତା’ର ଅସଂଲଗ୍ନ ସଂସାରର ସାହିତ୍ୟ ପଶିଲା କ୍ୟାମ୍ପସରେ। ଏଲିଅଟ୍‌ଙ୍କ କବିତାରେ ଯାହା କିଛି ଆଶା ବଂଚିଥିଲା, ତାହା ଧ୍ବସ୍ତ ହୋଇଗଲା ୧୯୭୫ ଭିତରେ। ଉଦାରବାଦୀ ଶିକ୍ଷାନୁଷ୍ଠାନମାନେ ବୃତ୍ତିଧାରୀ ଓ ବିଚକ୍ଷଣ ଛାତ୍ରଙ୍କୁ ବୃତ୍ତି ଦେଇ ତାଙ୍କ ଅନୁଷ୍ଠାନରେ ପଢ଼ାଇ, ଭାରତୀୟ ଶିକ୍ଷାକୁ ସଂପୂର୍ଣ୍ଣ କରାୟତ୍ତ କରି ଅନୁଗତ ଭାରତୀୟଙ୍କ ଏକ ଆଧୁନିକ ମଧ୍ୟ-ବର୍ଗ ତିଆରି କଲେ। ଏମାନଙ୍କ ସାହିତ୍ୟରେ ଯାହାକୁ ଆଧୁନିକତା ବୋଲି କୁହାଗଲା, ତାହା ଥିଲା ଗୋଟେ ବିରାଟ ଖାଇ ଡେଇଁ ଏପଟରୁ ଯାଇ ଆର ପଟେ ପଡ଼ିବା ଭଳି ଘଟଣା। ଏଇ ‘ଖାଇ’ ହେଉଛି ଭାରତୀୟ ସାହିତ୍ୟର ଅନ୍ତଃସ୍ରାବୀ କ୍ଷତ! ଯେମିତି ରାଜନୈତିକ ପ୍ରଭୁତ୍ବର ବିଶ୍ବ ପାଇଁ ଭାରତର ସଭ୍ୟତା ପ୍ରସ୍ତୁତ ନ ଥିଲା, ସେହିପରି ସୃଜନଶୀଳ ସାହିତ୍ୟରେ ଆଧୁନିକତା ପାଇଁ ଭାରତୀୟ ମାନସିକତା ପ୍ରସ୍ତୁତ ନ ଥିଲା। ଗୋଟେ ଜବରଦସ୍ତ ବୌଦ୍ଧିକ ଆଟୋପ ଭାରତୀୟ ସାହିତ୍ୟ ଉପରେ ଆଣି ଥୋଇଦେଲେ ଉଦାରବାଦୀ ନୂଆ ମଧ୍ୟ-ବର୍ଗ। ରାଷ୍ଟ୍ରର ମାନ ଓ ପରିଚିତି ମଉଳି ଗଲା।
୧୯୭୫ର ଆପାତ କାଳର ପରିଣତି ଥିଲା ଯେ ଜନତା ରାଜନୀତିକୁ ସନ୍ଦେହ କଲା, ଦେଶ ଓ ରାଷ୍ଟ୍ର ଭିତର ପାର୍ଥକ୍ୟ ବିକଟ ହୋଇଗଲା, ଅଧିକାର ଓ ସ୍ବାଧୀନତାର ସୁରକ୍ଷା ଲୋକ ବିମର୍ଶରେ ପ୍ରବେଶ କଲା, ସାହିତ୍ୟ ରାଜନୀତି ସହିତ ପରିଚିତ ହେଲା। କିନ୍ତୁ ୧୯୭୫ରୁ ୧୯୯୦ ଭିତ‌େର ସାହିତ୍ୟ ମାଧ୍ୟମରେ ଭାରତୀୟ ସାହିତ୍ୟରେ ଭାରତୀୟ ଚିନ୍ତନ ଶୈଳୀ ବିକଶିତ କରିବାର କୌଣସି ପ୍ରୟାସ ହେଲା ନାହିଁ। ୧୯୯୧ର ଆର୍ଥିକ ଉଦାରୀକରଣ ଯେଉଁ ମୁକ୍ତ ବଜାର ଖୋଲି ଦେଲା, ସେ ବଜାରର ତିନିଟି ପରିଣତି ହେଲେ: ଶକ୍ତି-ସନ୍ତୁଳନରେ ପ୍ରଭୁତ୍ବର ପାଠ ବଦଳିଲା, ମହାପାଠ ବା ‘ମାଷ୍ଟର ଟେକ୍‌ସଟ’ଗୁଡ଼ିକ ଦୁର୍ବଳ ମନେ ହେଲେ ଓ ବିଶ୍ବୀକରଣର ‘ହେଜିମୋନିକ୍‌ ଆଜେଣ୍ଡା’ ବିଫଳ ହୋଇଗଲା। ଏମିତି କି ବୌଦ୍ଧିକ ବିଫଳତା ଓ ରାଜନୈତିକ ଦୁର୍ବଳତାରେ ଗ୍ରସ୍ତ ହୋଇ ୟୁରୋ-ଆମେରିକାନ୍‌ ରାଷ୍ଟ୍ରପୁଞ୍ଜ ବାସ୍ତବତାକୁ ପ୍ରତ୍ୟାଖ୍ୟାନ କରି ସବୁ ସତ୍ୟକୁ ବାରାନ୍ତ (ପୋଷ୍ଟ ମଡର୍ନ‌୍, ପୋଷ୍ଟ ଟ୍ରୁଥ୍‌, ପୋଷ୍ଟ ଫ୍ୟାକ୍‌ଟ, ପୋଷ୍ଟ ହିଷ୍ଟ୍ରି ଆଦି)ରେ ସ୍ଥାପିତ ‌କରିଦେଲେ। ଭାରତୀୟ ସାହିତ୍ୟରେ ଉଦାରବାଦୀ ବୌଦ୍ଧିକତା ତାହାରିି ଦ୍ବାରା ଆକ୍ରାନ୍ତ ହୋଇ ରାଷ୍ଟ୍ରକୁ ସନ୍ଦିଗ୍‌ଧ କରିଦେଲା। ଭାରତୀୟ ସାହିତ୍ୟ ଭାରତୀୟତା ହରାଇ ବିଚଳିତ ହୋଇଥିଲା ବେଳେ ଭାରତୀୟ ସଭ୍ୟତା ଓ ରାଷ୍ଟ୍ରର ପୁନର୍ପାଠ ହିଁ ଭାରତୀୟ ସାହିତ୍ୟକୁ ତାର ନିଜ ଆଧୁନିକତା ସହିତ ପରିଚିତ କରାଇଛି।
ସଭ୍ୟତା, ମାଟି, ପ୍ରକୃତି, ପରଂପରା, ଶାସ୍ତ୍ର, ଲୋକ ଜୀବନ, ଜାତୀୟ ସ୍ମୃତି, ଧର୍ମ, ବହୁଳତାବାଦ, ବିଶ୍ବଦୃଷ୍ଟି, ସମତା, ସ୍ଥାନୀୟତା, ପ୍ରେମ, କ୍ଷମା ଓ ଶାନ୍ତିର ଆଧୁନିକ ଅଭିବ୍ୟକ୍ତି ସାହିତ୍ୟ ହିଁ ନିର୍ମାଣ କରିବ। ମହାଦେଶର ମହାଗାଥା ତଥା ଦୁର୍ବଳ, ପରାଜିତ ଓ ରାଷ୍ଟ୍ର ନିର୍ମାତା ଶେଷ ଲୋକଟିର ଅଶ୍ରୁ ବିନ୍ଦୁ ହେବ ରାଷ୍ଟ୍ରକୁ ସାହିତ୍ୟର ଅବଦାନ। ଭାରତୀୟତା ହିଁ ହେବ ଭାରତୀୟ ରାଷ୍ଟ୍ରବାଦ। ସାହିତ୍ୟ ହେବ ତା’ର ଅଭିବ୍ୟକ୍ତି। ରାଷ୍ଟ୍ର ତା’ର ନିଜ କଥା ତା’ର ନିଜ ମୁଖରୁ ଶୁଣିବ ନିଶ୍ଚୟ ଦିନେ ନା ଦିନେ। ସେଇ ହେବ ଭାରତୀୟ ରାଷ୍ଟ୍ରର ଶିଳ୍ପରେ ଆତ୍ମାର ପ୍ରତିଷ୍ଠା, ଯେତେବେଳେ ଭାରତୀୟ ସାହିତ୍ୟିକ ବିଶ୍ବକୁ କହିବ ମୋ ଆଧୁନିକତା ମୋ’ର, ତମେ ତମ ନିଜ ଆଧୁନିକତାକୁ ସମ୍ଭାଳ!
ମୋ:୯୪୩୭୦୩୯୮୫୮

ସମ୍ବନ୍ଧିତ ଖବର