‘ପର୍ ସିମନ୍’ ପାଇଁ କହିଲେ ଓଡ଼ିଶାର ଫଳ ଦୋକାନୀମାନେ ହଠାତ୍ କିଛି ବୁଝିପାରନ୍ତି ନାହିଁ। ହାତରେ ସଙ୍କେତ ଦେଲେ କହନ୍ତି, ଓଃ ରାମଫଳ। କେଉଁ ବିଜ୍ଞ ଅନୁବାଦକ ପର୍ ସିମନ୍ର ଓଡ଼ିଆ ଭାଷାନ୍ତର ରାମଫଳ କରିନାହାନ୍ତି। ଫଳ ବିକାଳିମାନେ ଓଡ଼ିଶା ବଜାରରେ ଆପାତତଃ ଏହି ନୂଆ ଫଳର ନାମ ଦେଇଛନ୍ତି ରାମଫଳ। ରାମ କେବଳ ଭଗବାନଙ୍କ ନାମ ନୁହେଁ; ସହଜରେ କହି ହେଉଥିବା ଓ ଲେଖି ହେଉଥିବା ଏକ ଶବ୍ଦ। ସେଥିପାଇଁ ସାରା ଭାରତରେ ଏବଂ ସେହି କ୍ରମରେ ଓଡ଼ିଶାରେ ମଧ୍ୟ ରାମନାମ କଥାକଥାକେ ଉଚ୍ଚାରିତ ହୁଏ। କେଉଁ ଅପରିଚିତ ଶବ୍ଦର ପ୍ରତିବଦଳରେ ରାମ ଶବ୍ଦ ଯୋଡ଼ି ଦିଆଯାଏ। ରାମନାମ ଯେ ଏକ ବିଚାର, ତାହା ଯେତେ ଗୁରୁତ୍ୱପୂର୍ଣ୍ଣ ନୁହେଁ, ତତୋଽଧିକ ଗୁରୁତ୍ୱପୂର୍ଣ୍ଣ ଏହି ଯେ ତାହା ଆମ ଆଚାରର ଅଂଶବିଶେଷ। ଦୁଃଖ ଯନ୍ତ୍ରଣା ବେଳେ ‘ହେ ରାମ’ ଆପେ ଆପେ ଆମ ମୁହଁରୁ ଉତୁରିପଡ଼େ ତ ଲଜ୍ଜାଜନକ ପରିସ୍ଥିତିରେ ‘ହାୟ ରାମ’ ସ୍ୱର ଝଂକୃତ ହେଉଥାଏ ଆମ ହୃଦୟତନ୍ତ୍ରୀରେ। ଅନେକ ବୃଦ୍ଧ ଓ ପ୍ରବୃଦ୍ଧମାନଙ୍କ ଗଣନା ‘ଏକ’ରୁ ନୁହେଁ ‘ରାମ’ରୁ ଆରମ୍ଭ ହୁଏ ଯେମିତି ରାମ, ଦୁଇ, ତିନି ଇତ୍ୟାଦି। ଆମ ଚାଷୀକୁଳ ‘ରାମଗାର’ ସହିତ ସୁସଂପର୍କିତ। କେତେବେଳେ କେମିତି କେଉଁ ଚାଷୀଭାଇଙ୍କୁ ପଚରାଗଲେ, ଚାଷବାସ କିପରି ଚାଲିଛି? ଉତ୍ତର ଆସେ, ବର୍ଷାର ଦେଖା ନାହିଁ, ବିଲରେ ରାମଗାର ବାଜି ନାହିଁ। ଅର୍ଥାତ୍ ମାଟିରେ ଲଙ୍ଗଳର ପ୍ରଥମ ଗାର ହିଁ ରାମଗାର। କିନ୍ତୁ ଶବ ଶୋଭାଯାତ୍ରାରେ ଯେଉଁ ରାମଧ୍ୱନି ତାହା ଧର୍ମୀୟ ଭାବନା ହୋଇଥିବାବେଳେ ‘ରାମରାଜ୍ୟ’ ଏକ ରାଜନୈତିକ ଦର୍ଶନ।
Sambad is now on WhatsApp
Join and get latest news updates delivered to you via WhatsApp
ଲୋକପ୍ରିୟ ଓଡ଼ିଆ କାବ୍ୟକବିତାର ପଦ୍ୟାଂଶ ତୁଣ୍ଡବାଇଦ ମାଧ୍ୟମରେ ପିଢ଼ିରୁ ପିଢ଼ିକୁ ପରିବ୍ୟାପ୍ତ। ବିଶେଷତଃ ଓଡ଼ିଆ ମହାଭାରତ, ଭାଗବତ ଓ ରାମାୟଣ ଆଦିର ପ୍ରାସଙ୍ଗିକ ଉଦ୍ଧୃତିରେ ଓଡ଼ିଶାବାସୀଙ୍କ ଦୈନନ୍ଦିନ କଥୋପକଥନ ଅଭିମନ୍ତ୍ରିତ। ‘ଗଙ୍ଗା କହିଲେ ଥିବି, ଗାଙ୍ଗୀ କହିଲେ ଯିବି’ ବା ‘କର୍ଣ୍ଣ ମଲେ ପାଞ୍ଚ, ଅର୍ଜୁନ ମଲେ ପାଞ୍ଚ’ ପରି ବାକ୍ୟାଂଶ ସାରଳା ମହାଭାରତରୁ ଆନୀତ। ସେହିପରି ‘କାଳର ବଶ ଏ ଜଗତ, ପ୍ରାଣୀଏ କାଳର ଆୟତ୍ତ’ ବା ‘ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ’ ଆଦି ଉକ୍ତି ଓଡ଼ିଆ ଭାଗବତରୁ ଉଦ୍ଧୃତ। ଓଡ଼ିଆ ରାମାୟଣର ଅନେକ ପଙ୍କ୍ତି ମଧ୍ୟ ଓଡ଼ିଆ ଜନଜୀବନରେ ଅନେକତ୍ର ସ୍ୱତଃ ବ୍ୟବହୃତ ହେଉଥିବା ପରିଦୃଷ୍ଟ ହୁଏ। ପରିବାର ପ୍ରତିପୋଷଣ ପାଇଁ ନିଜ ରୁଚି ବା ଯୋଗ୍ୟତା ଅନୁଯାୟୀ ଏକ ଅବଲମ୍ବନକୁ ଆପଣାର କରିବା ବେଶ୍ ସ୍ୱାଭାବିକ। ଜୀବିକା ବିନା ଜୀବନ କାହିଁ? ଏମନ୍ତ ଅବକାଶରେ ଲୋକମୁଖରେ ‘ବୃତ୍ତି ଏ ମୋ ପୋଷେ କୁଟୁମ୍ବ’ ପଙ୍କ୍ତିଟିର ପୁନରାବୃତ୍ତି ଘଟେ। ଏହି ପଙ୍କ୍ତିର ଚେର ଯାଇ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ‘ବୈଦେହୀଶ ବିଳାସ’ରେ ନିହିତ। ଗଙ୍ଗା ପାରି ହେବା ପାଇଁ ରାମଚନ୍ଦ୍ର ନାଉରିଆକୁ ଯେତେ ଡାକିଲେ ବି ସେ କାହିଁକି ବା ଶୁଣନ୍ତା? ଶ୍ରୀରାମଙ୍କ ପଦଧୂଳି ସ୍ପର୍ଶରେ ‘ପାଷାଣୀ’, ‘ରମଣୀ’ ପାଲଟିଥିବା ତ ସେ ସ୍ୱଚକ୍ଷୁରେ ଦେଖିଛି। ସେହି ପଦରେଣୁ ପଡ଼ି ‘ନଉକା’ ‘ନାୟିକା’ ପାଲଟିଗଲେ ତା’ ଭେଳା ବୁଡ଼ିଯିବ ଯେ? ସେ କୁଟୁମ୍ବ ପୋଷିବ କେମିତି? ଉପେନ୍ଦ୍ରଙ୍କ ଶବ୍ଦ କଞ୍ଜରେ ସେହି ବର୍ଣ୍ଣନା ଅପୂର୍ବ: “ବୃତ୍ତି ଏ ମୋ ପୋଷେ କୁଟୁମ୍ବ, ବସାଇ ନ ଦେବି ପାଦ ନ ଧୋଇ ନାବ।” ସେହି ଅପୂର୍ବ ବର୍ଣ୍ଣନା ଆଜି ବି ଅପୂର୍ବ ରୀତିରେ ଶୋଭାୟମାନ ଓଡ଼ିଶାର ଲୋକତୁଣ୍ଡରେ।
ଦୁଇ ବନ୍ଧୁ ଏକପ୍ରକାର ଦୁରବସ୍ଥା ମଧ୍ୟରେ ଗତି କରୁଥିଲେ ‘ବେନି ଜନେ ପଡ଼ିଛି ଏକ ଦଶା’ ପଦଟି ପ୍ରାୟତଃ ଉଚ୍ଚାରିତ ହୁଏ। ଏହାର ଆଧାର ମଧ୍ୟ ବୈଦେହୀଶ ବିଳାସ, ଯେଉଁଠି ଶ୍ରୀରାମ ଓ ସୁଗ୍ରୀବଙ୍କ ସମ୍ବାଦ ସମାହିତ: “ବୋଲେ ସୁଗ୍ରୀବେ ରାମ କ୍ଳେଶ ଭାଷା, ବେନି ଜନେ ପଡ଼ିଛି ଏକ ଦଶା।” ଓଡ଼ିଶାରେ ଆଜି ମଧ୍ୟ ବିବାହ କର୍ମରେ ରାମରୀତି ଅନୁସୃତ ହୁଏ। ବେଦୀରେ ବରକୁ ବରଣ କରିବା ସହଜ ସିନା, କନ୍ୟା ଆଗମନ କିନ୍ତୁ ହୁଏ ସର୍ବଦା ବିଳମ୍ବିତ। ମୁରବିମାନେ ତେଣୁ ‘କନ୍ୟାକୁ ଆଣ’, ‘କନ୍ୟାକୁ ଆଣ’ ବୋଲି ହୁରି କରନ୍ତି। ଏହି ଶବ୍ଦ ଦ୍ୱୟର ଆଲିଙ୍ଗନ ମଧ୍ୟ ବିତଳକୁ, ଅର୍ଥାତ୍ ଉପେନ୍ଦ୍ରଙ୍କ ରାମଚରିତକୁ: “ବିଭୁଷଣ ପୁଷ୍ପେ ଯା କାନ୍ତି ଜାଣ, ବିଭୂଷଣ କରି କନ୍ୟାକୁ ଆଣ। ବାରଣ ଶିରେ ପଦ ଦେଇ ଆସୁ, ବରଣ କରି ରାମ ମନ ତୋଷୁ।” ‘ବୈଦେହୀଶ ବିଳାସ’ର ବିପୁଳତା ପରି ବିଶ୍ୱନାଥ ଖୁଣ୍ଟିଆଙ୍କ ‘ବିଚିତ୍ର ରାମାୟଣ’ର ବୈଚିତ୍ର୍ୟ ମଧ୍ୟ ଓଡ଼ିଶାର ଲୋକମୁଖରେ ଅଦ୍ୟାପି ଗୁଞ୍ଜରିତ ହୁଏ। ଯଦି କୌଣସି ବ୍ୟକ୍ତି ଚିନ୍ତାମଗ୍ନ ହୋଇପଡ଼ନ୍ତି, ହୋଇପଡ଼ନ୍ତି ଭାବଗମ୍ଭୀର, ତେବେ ‘ହନୁ ମନେ ମନେ ଭାଳେ’ ପଦ୍ୟାଂଶ ସ୍ୱତଃପ୍ରବୃତ୍ତ ଭାବରେ ଅନେକଙ୍କ ତୁଣ୍ଡ ମଣ୍ଡନ କରେ। ଏହାର ଉତ୍ସ ବିଚିତ୍ର ରାମାୟଣ: “ଶିଂଶପା ବୃକ୍ଷର ଡାଳେ ହନୁ ମନେ ମନେ ଭାଳେ, ନିଶ୍ଚୟ ଜାନକୀ ଜନକ ନନ୍ଦିନୀ ଦେଖିଲଇଁ ବେନି ଡୋଳେ।” ପୁନଶ୍ଚ ‘ରାମବାଣ ଟାଣ’ ଉକ୍ତି ପ୍ରୟୋଗର ମଧ୍ୟ ପଟାନ୍ତର ନାହିଁ। ରାଜନୀତି ବା କୂଟନୀତି ସମ୍ପର୍କରେ ଆଲୋଚନା କରାଯିବା ସମୟରେ ଏହାର ଉଦ୍ଧୃତି ଅବା ଅବଶ୍ୟମ୍ଭାବୀ ହୋଇପଡ଼େ। ବିଚିତ୍ର ରାମାୟଣର ଏ ବିଭବ ଲୋକଗୀତରେ ରୂପାନ୍ତରିତ: “ରାମବାଣ ଟାଣ ଦେଖିଣ ରାବଣ ଲାଜ ଭୟରେ ପଳାଇଲା।” ରାମନାମରେ ଓଡ଼ିଶାର ପଲ୍ଲୀପାଟଣା ସଦା ମୁଖରିତ। ନାମଯଜ୍ଞ ହେଉଥିଲେ ‘ହରେ ରାମ ହରେ ରାମ ରାମ ରାମ ହରେ ହରେ’ ଧ୍ୱନିରେ ସକାଳ ଉଚ୍ଛନ୍ନ ହୁଏ ତ ନାଥଯୋଗୀମାନଙ୍କ ‘ଭଜୁ କି ନା ରାମନାମରେ କୁମର’ କାରୁଣ୍ୟରେ କେଉଁ ଅଳସ ଅପରାହ୍ଣରେ ଗାଁ ଦାଣ୍ଡର ଧୂଳି ଓ ଧୂମାଳ ସ୍ତବ୍ଧ ହୋଇଯାଏ। ସନ୍ଧ୍ୟାରେ ‘କାହିଁ ରାମ କାହିଁ ରାମ, ରାମ ପରି ରାଜା ନାହିଁ’ ସଂକୀର୍ତ୍ତନ ଶୁଭେ ତ ବିଳମ୍ବିତ ସନ୍ଧ୍ୟାରେ ରାମକାଠିଆର ତାଳେତାଳେ ନିନାଦିତ ହୁଏ “ହେ ବନଗିରି, ହେ ଲତାଗିରି, ମୋ କାନ୍ତ ଗଲେ ମୃଗ ମାରି।” ରାମକାଠିଆ ନ ହୋଇ ପାଲା ପରିବେଷିତ ହେଉଥିଲେ ବୟସ୍କ ଗାୟକଙ୍କ କଣ୍ଠରୁ ଝରିପଡୁଥାଏ, “ପସ୍ରବଣ ଶଇଳେ କଲେ ବସତି, ସୌମିତ୍ର ସଙ୍ଗେ ପ୍ରଭୁ ରାଘବପତି।”
ଓଡ଼ିଶାର ଗଗନ ପବନ ରାମରାଗିଣୀରେ ସଦା ଉଚ୍ଛଳ।
ମୋ: ୯୪୩୭୧୪୩୮୯୬