ଫ୍ରାଇଡେ ରିଲିଜରେ ପରଦାକୁ ଆସିଲା ତିନିଟି ଫିଲ୍ମ, ବହୁଦିନ ପରେ ଫେରିଲେ ସଞ୍ଜୁ ବାବା

ମୁମ୍ବାଇ: ବଲିଉଡ୍ ବକ୍ସ ଅଫିସରେ ଜୋର୍ କା ଟକ୍କର୍ । ଫ୍ରାଇଡେ ରିଲିଜରେ ପରଦାକୁ ଆସିଲା ତିନୋଟି ଭିନ୍ନ ସ୍ୱାଦର ଚଳଚ୍ଚିତ୍ର । ରୋମାଣ୍ଟିକ – ଡ୍ରାମା ଫିଲ୍ମ ‘ପଲ୍ ପଲ୍ ଦିଲ୍ କେ ପାସ୍’, ପଲିଟିକାଲ୍ ଥ୍ରୀଲର୍ ଫିଲ୍ମ ‘ପ୍ରସ୍ଥାନମ୍’ ଏବଂ କମେଡି – ଡ୍ରାମା ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର୍’ ରିଲିଜ ହୋଇଛି । ଚଳଚ୍ଚିତ୍ର ‘ପଲ୍ ପଲ୍ ଦିଲ୍ କେ ପାସ୍’ ଜରିଆରେ ବଲିଉଡରେ ଡେବ୍ୟୁ କରିଛନ୍ତି କରଣ ଦେଓଲ୍ ଓ ସେହେର୍ ସାମ୍ବା । ସେହିପରି ପ୍ରସ୍ଥାନମ୍ ଜରିଆରେ ପ୍ରଯୋଜନା ମଇଦାନରେ ପାଦ ରଖିଛନ୍ତି ଅଭିନେତା ସଞ୍ଜୟ ଦତ୍ତ | ଚଳଚ୍ଚିତ୍ର ‘ପଲ୍ ପଲ୍ ଦିଲ୍ କେ ପାସ୍’ରେ ଜଣେ ଟ୍ରେକିଂ ଗାଇଡ୍ ଆଉ ତା’ର ପ୍ରେମ କାହାଣୀକୁ ନେଇ ସିନେମାର କାହାଣୀ ଗତିଶୀଳ ହୋଇଛି । ଫିଲ୍ମରେ ଟ୍ରେକିଂ ଗାଇଡ୍ ଭାବେ ଅଭିନେତା କରଣ ଦେଓଲଙ୍କୁ ଦେଖିବାକୁ ମିଳିଛି । ଆଉ ସିନେମାରେ କରଣଙ୍କ ବିପକ୍ଷରେ ନାୟିକା ଭାବେ ନବାଗତା ସୁନ୍ଦରୀ ସେହେର୍ ବାମ୍ବାଙ୍କୁ ଦେଖିବାକୁ ମିଳିଛି । ସନ୍ନି ଦେଓଲଙ୍କ ପ୍ରଯୋଜନାରେ ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ନିଜେ ସନ୍ନି ଦେଓଲ୍ । ଏହି ସିନେମା ଜରିଆରେ ସନ୍ନି ଦେଓଲ୍ ନିଜ ପୁଅ କରଣଙ୍କୁ ଲଞ୍ଚ କରିଛନ୍ତି ।

ସେହିପରି ଅଭିନେତା ସଂଜୟ ଦତ୍ତଙ୍କ ପ୍ରଯୋଜନାରେ ମୁକ୍ତିଲାଭ କଲା ପଲିଟିକାଲ୍ – ଥ୍ରୀଲର୍ ଫିଲ୍ମ ‘ପ୍ରସ୍ଥାନମ୍’ । ରାଜନୀତିକୁ ନେଇ କିପରି ଏକ ପରିବାର ନଷ୍ଟ ହୋଇଯାଏ ତାହାକୁ ନେଇ ଚଳଚ୍ଚିତ୍ରର କାହାଣୀ ଗତିଶୀଳ ହୋଇଛି । ବାପା ଆଗରେ ନିଜକୁ ଶ୍ରେଷ୍ଠ ଭାବେ ପରିଚିତ କରିବା ପାଇଁ ଦୁଇ ଭାଇ ପରସ୍ପରର ଶତ୍ରୁ ହୋଇ ଯାଆନ୍ତି । ସିନେମାରେ ସଂଜୟ ଦତ୍ତ, ବାପା ଭୂମିକାରେ ଅଭିନୟ କରିଥିବାବେଳେ, ଏଥିରେ ତାଙ୍କ ଦୁଇ ପୁଅ ଭାବେ ଅଲ୍ଲି ଫଜଲ୍ ଓ ସତ୍ୟଜୀତ ଦୁବେଙ୍କୁ ଦେଖିବାକୁ ମିଳିଛି । ଏମାନଙ୍କ ବ୍ୟତୀତ ମନିଷା କ୍ୱେରେଲା, ଜ୍ୟାକି ଶ୍ରଫ୍, ଚଙ୍କି ପାଣ୍ଡେ, ଅମୈରା ଦସ୍ତୁର୍ ଆଦି କଳାକାର ଅନ୍ୟ ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି । ସଂଜୟ ଦତ୍ତ ଓ ମାନ୍ୟତା ଦତ୍ତଙ୍କ ପ୍ରଯୋଜନାରେ ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ଦେବ୍ କଟ୍ଟା ।

ଏହି ୨ଟି ସିନେମା ବ୍ୟତୀତ କମେଡି – ଡ୍ରାମା ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର୍’ ପରଦାକୁ ଆସିଛି । ସିନେମାର କାହାଣୀ ଜୋୟା ନାମକ ଏକ ଝିଅକୁ ନେଇ ଗତିଶୀଳ ହୋଇଛି । ୧୯୮୩ ମସିହା ଭାରତ କ୍ରିକେଟ୍ ୱାର୍ଲ୍ଡ କପ୍ ଜିତିବା ଦିନ ଜୋୟାର ଜନ୍ମ ହୋଇଥାଏ । ଏଥିପାଇଁ ସେ ଭାରତୀୟ କ୍ରିକେଟ୍ ଟିମ୍ ପାଇଁ ଭାଗ୍ୟବତୀ ସାବ୍ୟସ୍ତ ହୁଏ । କ୍ରିକେଟର୍ ମାନେ ଜୋୟାକୁ ଜୋୟା ଦେବୀବୋଲି ଭାବନ୍ତି । ଏହାରି ଭିତରେ ଦଳର କ୍ୟାପ୍ଟେନ୍କୁ ଜୋୟା ଭଲ ପାଇବସେ । ଏମିତି ଏକ କାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ଚଳଚ୍ଚିତ୍ର ‘ଦ ଜୋୟା ଫ୍ୟାକ୍ଟର୍’ରେ ଜୋୟା ଚରିତ୍ରରେ ଅଭିନେତ୍ରୀ ସୋନମ୍ କପୁରଙ୍କୁ ଦେଖିବାକୁ ମିଳିଛି । ସେହିପରି ଭାରତୀୟ କ୍ରିକେଟ୍ ଟିମର ଅଧିନାୟକ ନିଖିଲ୍ ଖୋଡା ଚରିତ୍ରରେ ନଜର ଆସିଛନ୍ତି ସାଉଥ୍ ଅଭିନେତା ଡଲକର୍ ସଲମାନ୍ । ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ଅଭିଷେକ କପୁର୍ । ଫିଲ୍ମରେ ସଙ୍ଗୀତର ଭାର ତୁଲାଇଛନ୍ତି ଶଙ୍କର-ଏହସାନ୍-ଲୟ ।

ସମ୍ବନ୍ଧିତ ଖବର