ବଲିଉଡରେ ପାଦ ଦେବେ ଦକ୍ଷିଣ ଭାରତର ଏହି ପ୍ରସିଦ୍ଧ ଅଭିନେତା, ରଣବୀର ସିଂହଙ୍କ ସହ ନଜର ଆସିବେ

ମୁମ୍ବାଇ: ଦକ୍ଷିଣ ଭାରତର ବହୁ ଲୋକପ୍ରିୟ କଳାକାର ହିନ୍ଦୀ ସିନେମାରେ ଅଭିନୟ କରିସାରିଛନ୍ତି । ଏମାନଙ୍କ ମଧ୍ୟରେ ଧନୁଷ, ରାମଚରଣ, ନାଗାର୍ଜୁନ, ଚିରଞ୍ଜିବୀ, କିଚ୍ଚା ସୁଦୀପ, ମୋହନଲାଲ୍ , ରାଣା ଦାଗୁବତୀ ଓ ପୃଥ୍ୱୀରାଜ୍‌ଙ୍କ ଭଳି ବହୁ ପ୍ରସିଦ୍ଧ କଳାକାରଙ୍କ ନାମ ଉଲ୍ଲେଖଯୋଗ୍ୟ। ଏମାନେ ସାଉଥ୍‌ ଇଣ୍ଡଷ୍ଟ୍ରିରେ ନିଜର ଅଭିନୟର ଜାଦୁ ଦେଖାଇବା ପରେ ହିନ୍ଦୀ ସିନେମାରେ ମଧ୍ୟ ଚର୍ଚ୍ଚିତ ହୋଇଛନ୍ତି ।

ଏବେ ଆଉଜଣେ ଦକ୍ଷିଣ ଭାରତର ସୁପରଷ୍ଟାର୍ ବି ବଲିଉଡରେ ପ୍ରବେଶ କରୁଥିବାର ଚର୍ଚ୍ଚା ଜୋର୍ ଧରିଛି। ସେ ହେଲେ ମହେଶ ବାବୁ। ବହୁ ବ୍ଲକବଷ୍ଟର୍ ସିନେମାର ନାୟକ ମହେଶ ୨୦୦୫ରେ ବଲିଉଡ ଅଭିନେତ୍ରୀ ନମ୍ରତା ଶିରୋଦ୍‌କରଙ୍କୁ ବିବାହ କରିବା ପରେ ସେ ବଲିଉଡରେ ପାଦ ଥାପିବେ ବୋଲି ଦୀର୍ଘ ଦିନ ଧରି ଚର୍ଚ୍ଚା ହେଉଥିଲା। ପୂର୍ବରୁ ମହେଶ ହିନ୍ଦୀ ସିନେମାରେ ଭଲ ଅଫର୍‌ ମିଳିଲେ କାମ କରିବେ ବୋଲି କହିଥିଲେ । ଏବେ ସେହି ସମୟ ଆସିଯାଇଥିବା କୁହାଯାଉଛି।

image source-deccan herald

ଏଇ ନିକଟରେ ଜଣାଶୁଣା ହିନ୍ଦୀ ଫିଲ୍ମ ନିର୍ମାତା ସାଜିଦ୍‌ ନାଦିଆଦ୍‌ୱାଲା ତେଲୁଗୁ ସୁପର୍‌ଷ୍ଟାର୍ ମହେଶ ବାବୁଙ୍କୁ ହିନ୍ଦୀ ଫିଲ୍ମରେ କାମ କରିବା ଲାଗି ଅଫର୍‌ ଦେଇଥିବା ଜଣାଯାଇଛି । ଏଥିରେ ବଲିଉଡ୍‌ ଅଭିନେତା ରଣବୀର ସିଂଙ୍କୁ ମଧ୍ୟ ସାଇନ୍‌ କରାଯାଇଥିବା ସୂଚନା ରହିଛି । ମହେଶ ଯେବେଠାରୁ ରଣବୀରଙ୍କ ସହ ଏକ ଥଣ୍ଡା ପାନୀୟର ବିଜ୍ଞାପନରେ ଏକାଠି ହୋଇଥିଲେ, ସେବେଠାରୁ ଦୁହିଁଙ୍କୁ ଏକାଠି ଫିଲ୍ମରେ ନେବା ଲାଗି ଚର୍ଚ୍ଚା ଜୋର୍‌ ଧରିଥିଲା । ମହେଶ ସାଜିଦ୍‌ଙ୍କ ଏହି ଅଫର୍‌କୁ ସ୍ବୀକାର କରିଥିବା କୁହାଯାଉଛି । ତେବେ ଏହାର ବିଧିବଦ୍ଧ ଘୋଷଣା ବାକି ରହିଛି।

ସମ୍ବନ୍ଧିତ ଖବର