୨୦୧୭ରେ ଦର୍ଶକ ସେମାନଙ୍କର ଅଧିକାଂଶ ମନପସନ୍ଦ ନାୟକ, ନାୟିକାଙ୍କୁ ପରଦାରେ ଦେଖିବାକୁ ପାଇଛନ୍ତି । ହେଲେ ଏବର୍ଷ ଯେଉଁ ପପୁଲାର ଯୋଡିଙ୍କର ଗୋଟିଏ ବି ସିନେମା ରିଲିଜ୍ ହୋଇନାହିଁ ବା ସେଭଳି ସମ୍ଭାବନା ନାହିଁ, ଆସନ୍ତୁ ସେମାନଙ୍କ ଉପରେ ନଜର ପକାଇବା….
Sambad is now on WhatsApp
Join and get latest news updates delivered to you via WhatsApp
ଅନୁଭବ-ବର୍ଷା: ଓଲିଉଡର ରିଲ ଓ ରିୟଲ କପୁଲ୍ ଅନୁଭବ-ବର୍ଷା ପ୍ରିୟଦର୍ଶିନୀ ଙ୍କ ଯୋଡ଼ିକୁ ୨୦୧୭ରେ ଦର୍ଶକ ପରଦାରେ ଦେଖିବାରୁ ବଞ୍ଚିତ ହୋଇଛନ୍ତି । ଏହି ଯୋଡ଼ିକୁ ଗତ ବର୍ଷ ‘ଗୋଟେ ଶୁଆ ଗୋଟେ ଶାରୀ’ ରେ ଦେଖିବାକୁ ପାଇଥିଲେ , ହେଲେ ଏକାଠି ପରଦାକୁ ଆସିନାହାନ୍ତି ଏ ଦୁହେଁ । ୨୦୧୭ରେ ଅନୁଭବଙ୍କୁ ଯେଉଁ ଦୁଇଟି ସିନେମା ‘ଅଭୟ’ ଓ ‘କାବୁଲା ବାରବୁଲା-ସର୍ଚ୍ଚିଂ ଲୈଲା’ ରେ ଦେଖିବାକୁ ପାଇଛନ୍ତି ଦର୍ଶକ, ଉଭୟରେ ନାୟିକା ଥିଲେ ଏଲିନା ସାମନ୍ତରାୟ । ଅପରପକ୍ଷରେ ବର୍ଷା ପ୍ରିୟଦର୍ଶିନୀଙ୍କର ଏବର୍ଷ କେବଳ ଗୋଟିଏ ଓଡ଼ିଆ ଛବି ମୁକ୍ତିଲାଭ କରିଛି, ତାହା ହେଲା ‘ରୋମିଓ -ଜୁଲିଏଟ୍’ । ଏଥିରେ ଅରିନ୍ଦମ୍ଙ୍କ ବିପକ୍ଷରେ ନଜର ଆସିଥିଲେ ବର୍ଷା ।
ବାବୁଶାନ୍- ଝିଲିକ୍: ‘ଆଖିରେ ଆଖିେରେ’, ‘ ଲେଖୁ ଲେଖୁ ଲେଖି ଦେଲି’ ଓ ‘ ସୁପର ମିଛୁଆ’ ଭଳି ସୁପରହିଟ୍ ଫିଲ୍ମର ପପୁଲାର୍ ଯୋଡ଼ି ବାବୁସାନ୍ -ଝିଲିକଙ୍କୁ ଏବର୍ଷ ଗୋଟିଏ ବି ସିନେମାରେ ଦେଖିବାକୁ ମିଳି ନାହିଁ । ଗତବର୍ଷ ଏହି ଯୋଡିର ସିନେମା ‘ ଜବରଦସ୍ତ ପ୍ରେମିକ’ ରିଲିଜ୍ ହୋଇଥିଲା । କିନ୍ତୁ ଏବର୍ଷ ଉଭୟଙ୍କୁ ଏକାଠି ଦେଖିବାକୁ ପାଇନାହାନ୍ତି ଦର୍ଶକ ।
ସବ୍ୟସାଚୀ-ଅର୍ଚ୍ଚିତା: ଗତବର୍ଷ ତିନିତିନିଟା ଓଡ଼ିଆ ସିନେମାରେ ଏକାଠି ଅଭିନୟ କରିଥିବା ଓଲିଉଡର ଅନ୍ୟ ଏକ ଲୋକପ୍ରିୟ ଯୋଡ଼ି ସବ୍ୟସାଚୀ-ଅର୍ଚ୍ଚିତାଙ୍କୁ ୨୦୧୭ରେ ମିସ୍ କରିଛନ୍ତି ସିନେ ପ୍ରେମୀ । ସବ୍ୟସାଚୀ ‘ସୀତାରାମଙ୍କ ବାହାଘର କଳିଯୁଗରେ’ ଏ ବର୍ଷ ଆସିଛନ୍ତି ଓ ଅର୍ଚ୍ଚିତା ‘ ଜଷ୍ଟ ମୋହବତ୍ ’ ଏବଂ ‘ ଶିବା ନଟ୍ ଆଉଟ୍’ ରେ ନଜର ଆସିଛନ୍ତି ।
ବାବୁସାନ୍- ଏଲିନା- ୨୦୧୬ରେ ‘ ଲଭଷ୍ଟେସନ୍’ ଭଳି ବ୍ଲକବଷ୍ଟର ମୁଭି ଦେଖିଥିବା ଯୋଡ଼ି ବାବୁସାନ୍-ଏଲିନାଙ୍କୁ କୌଣସି ବି ସିନେମାରେ ଦେଖିବାକୁ ନ ପାଇ ଦର୍ଶକ ନିରାଶ ହୋଇଛନ୍ତି । ଏବର୍ଷ ବାବୁସାନ୍ଙ୍କୁ ଚାରିଟି ସିନେମାରେ ଦେଖିବାକୁ ମିଳିଛି । ଅପରପକ୍ଷରେ ଏଲିନାଙ୍କର ସିନେମା ସଂଖ୍ୟା ହେଉଛି ୩ । କିନ୍ତୁ କୌଣସି ଗୋଟିକରେ ବାବୁସାନଙ୍କ ଅପୋଜିଟରେ ନ ଥିଲେ ଏଲିନା ।
ଅରିନ୍ଦମ୍- ରୀୟା- ‘କ୍ରିମିନାଲ’ ଓ ‘କଳକୀ’ ଭଳି ସିନେମାରେ ଦର୍ଶକ ପସନ୍ଦ କରିଥିଲେ ଅରିନ୍ଦମ୍-ରୀୟାଙ୍କ ଯୋଡ଼ିକୁ । କିନ୍ତୁ ଏବର୍ଷ ଏହି ଯୋଡିଙ୍କର ଗୋଟିଏ ବି ସିନେମା ପରଦାକୁ ଆସି ନାହିଁ ।
ସୁନୀଲ କୁମାର- ଅନୁ ଚୌଧୁରୀ- ‘ ହରିଭାଇ ହାରେନା’, ତୁମକୁ ପାରୁନି ତ ଭୁଲି’ ଭଳି ହିଟ୍ ଫିଲ୍ମର ଲୋକପ୍ରିୟ ଯୋଡ଼ି ସୁନୀଲ କୁମାର -ଅନୁ ଚୌଧୁରୀଙ୍କୁ ଏବର୍ଷ କୌଣସି ଗୋଟିଏ ସିନେମାରେ ଦେଖିବାକୁ ପାଇ ନାହାନ୍ତି ଦର୍ଶକ । ଶେଷ ଥର ପାଇଁ ସୁନୀଲ ଓ ଅନୁଙ୍କୁ ‘ ମାୟା ’ ସିନେମାରେ ଏକାଠି ଦେଖିବାକୁ ପାଇଥିଲେ।