ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ‘ବେଟି ବଚାଓ-ବେଟି ପଢ଼ାଓ’ ଅଭିଯାନର ବ୍ରାଣ୍ଡ ଆମ୍ବାସଡର ପଦରୁ ହଟିଲେ ପରିଣୀତି

ମୁମ୍ବାଇ: ଏବେ ଦେଶରେ ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଥିବା ବେଳେ ଦିନକୁ ଦିନ ଏହା ବ୍ୟାପିବା ଆରମ୍ଭ ହୋଇଛି। ଏହା ସହ ଯଦି କୌଣସି କଳାକାର ଏହାକୁ ବିରୋଧ କରୁଛି, ତେବେ ତାଙ୍କୁ ତାଙ୍କ କାମରୁ ବାହାର କରାଯାଉଥିବା ଘଟଣା ମଧ୍ୟ ଦେଖିବାକୁ ମିଳିଛି। ପୂର୍ବରୁ ସାବଧାନ ଇଣ୍ଡିଆର ଉପସ୍ଥାପକ ସୁଶାନ୍ତ ସିଂହ ଏହି ଆଇନକୁ ବିରୋଧ କରି ଆନ୍ଦୋଳନରେ ସାମିଲ ହୋଇଥିବାରୁ ତାଙ୍କୁ ସୋ’ରୁ ବାହାର କରି ଦିଆଯାଇଥିଲା। ଏବେ ସେଭଳି କିଛି ଘଟିଛି ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ସହ।

ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ପରିଣୀତି ଏକ ଟୁଇଟ୍ କରିଥିଲେ। ଏହା ପରେ ତାଙ୍କୁ ବେଟି ବଚାଓ-ବେଟି ପଢ଼ାଓ ଅଭିଯାନର ବ୍ରାଣ୍ଡ ଆମ୍ବାସଡର ପଦରୁ ହଟାଇ ଦିଆଯାଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ପରିଣୀତି ହରିୟାଣାରେ ଚାଲୁଥିବା ବେଟି ବଚାଓ-ବେଟି ପଢ଼ାଓ ଅଭିଯାନର ବ୍ରାଣ୍ଡ ଆମ୍ବାସଡର ଥିଲେ। କିନ୍ତୁ ଡିସେମ୍ବର ୧୭ରେ ସେ ଯେଉଁ ଟୁଇଟ୍ କରିଥିଲେ, ତା’ ପରେ ତାଙ୍କୁ ଉକ୍ତ ପଦରୁ ହଟାଇ ଦିଆଯାଇଥିବା ଜଣାପଡ଼ିଛି।

ପରିଣୀତି କରିଥିବା ଟୁଇଟରେ ଲେଖାଯାଇଛି କି, ଯଦି ଦେଶର ନାଗରିକମାନେ ନିଜର ବିଚାର ରଖିବା ପରେ ତାଙ୍କ ସହ ସବୁବେଳେ ଏଭଳି ବ୍ୟବହାର କରାଯାଉଛି, ତେବେ ଆମ ଦେଶକୁ ଲୋକତାନ୍ତ୍ରିକ ଦେଶ ବୋଲି କହିବା ଛାଡ଼ି ଦେବା ଦରକାର। ନିଜ ମନର କଥା କହିବା ପରେ ଏଠାରେ ଲୋକଙ୍କୁ ମାଡ଼ ମରାଯାଉଛି। ଏହା ଅତ୍ୟନ୍ତ ଦୁଃଖଦାୟକ। ତାଙ୍କର ଏଭଳି ଟୁଇଟ୍ ପରେ ବେଟି ବଚାଓ-ବେଟି ପଢ଼ାଓ ଅଭିଯାନର ପ୍ରୋଜେକ୍ଟ ଡାଇରେକ୍ଟର ଯୋଗେନ୍ଦ୍ର ମଲିକ୍ ପରିଣୀତି ଏବେ ଆମର ବ୍ରାଣ୍ଡ ଆମ୍ବାସଡ଼ର ନଥିବା କହିଛନ୍ତି।

ସମ୍ବନ୍ଧିତ ଖବର