ସବୁବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଇଦ୍ରେ ସଲ୍ମାନ୍ ଖାଁ ବକ୍ସ୍ ଅଫିସ୍କୁ ଝଲମଲ କରିବାକୁ ଯାଉଛନ୍ତି। ସଲ୍ମାନ୍ଙ୍କ ଫିଲ୍ମ ତଥା ଚଳିତ ବର୍ଷର ଅନ୍ୟତମ ପ୍ରତୀକ୍ଷିତ ଫିଲ୍ମ ‘ରେସ୍ ୩’ ଏଇ ୧୫ ତାରିଖରେ ରିଲିଜ୍ ହେବାକୁ ଯାଉଛି। ‘ରେସ୍’ ସିରିଜ୍ର ଏ ତୃତୀୟ ଫିଲ୍ମରେ ପୂର୍ବ ଦୁଇଟି ଫିଲ୍ମ ଅପେକ୍ଷା ଅଧିକ ଆକର୍ଷଣୀୟ ଷ୍ଟାର୍କାଷ୍ଟ୍ ଅଛି। ଯାହା ଭିତରେ ସଲ୍ମାନ୍ଙ୍କ ସମେତ ଆହୁରି ଅଛନ୍ତି- ଜାକ୍ଲିନ୍ ଫର୍ଣ୍ଣାଣ୍ଡେଜ୍, ଅନୀଲ୍ କପୁର୍, ବବି ଦେଓଲ୍, ଡୈସି ଶାହ୍, ସକିବ୍ ସଲିମ୍ ଓ ଫେଡି ଦାରୁଓ୍ଵାଲା। କୋରିଓଗ୍ରାଫର୍ରୁ ଷ୍ଟାଇଲିସ୍ ହିଟ୍ ନିର୍ଦ୍ଦେଶକ ସାରିଥିବା ରେମୋ ଡି’ସୌଜା ଏହାର ନିର୍ଦ୍ଦେଶନା ଦେଇଛନ୍ତି। ରେମୋ ଏହାକୁ ଏକ ଷ୍ଟାଇଲିସ୍ ଆକ୍ସନ୍ଭରା ଫିଲ୍ମ କରିବାଲାଗି ସବୁପ୍ରକାର ଚେଷ୍ଟା କରିଛନ୍ତି। କୌଣସି ଦିଗରୁ ଫିଲ୍ମଟି ଯେମିତି ଅପରିପୂର୍ଣ୍ଣ ନ ଲାଗିବ, ସେ ଲକ୍ଷ୍ୟ ରଖିଛନ୍ତି। ତାଙ୍କୁ ଉଭୟ ସଲ୍ମାନ୍ ଓ ପ୍ରଯୋଜକ ରମେଶ ତୌରାନୀ ସବୁପ୍ରକାର ସହଯୋଗ ମଧ୍ୟ କରିଛନ୍ତି।
‘ରେସ୍ ୩’ର ସୁଟିଂ ମୁମ୍ବାଇ ସମେତ ଥାଇଲ୍ୟାଣ୍ଡ୍ ଓ ଆବୁ ଧାବିରେ କରା ଯାଇଛି। ଥାଇଲ୍ୟାଣ୍ଡ୍ର ଜଙ୍ଗଲ ଓ ଆବୁ ଧାବିର ମରୁଭୂମିରେ ଆକ୍ସନ୍ ଦୃଶ୍ୟର ସୁଟିଂ ହୋଇଛି। ଏଥିରେ ଦର୍ଶକମାନେ ବ୍ୟାଙ୍କକ୍ର ପ୍ରସିଦ୍ଧ ଭାସମାନ ବଜାର ବା ‘ଫ୍ଲୋଟିଂ ମାର୍କେଟ୍’ ଏବଂ ରୋଜ୍ ଗାର୍ଡେନ୍କୁ ଦେଖି ପାରିବେ, ଦେଖିବେ ମଧ୍ୟ କାଂଚନାବୁରି ପ୍ରଦେଶର ଘନ ଜଙ୍ଗଲକୁ। ଆବୁ ଧାବିର ଲିଓ୍ଵା ମରୁଭୂମିରେ ହୋଇଛି ‘ରେସ୍ ୩’ କ୍ଲାଇମାକ୍ସର ସୁଟିଂ। ସେଥିପାଇଁ ଫିଲ୍ମର ପୂରା ୟୁନିଟ୍ ସେଠାରେ ୫ ଦିନ ରହିଥିଲେ। ସେ ଭୟଙ୍କର ଭାବେ ଜଟିଳ ଦୃଶ୍ୟର ସୁଟିଂରେ ବହୁ ପରିମାଣରେ ବିସ୍ଫୋରକ ବ୍ୟବହାର ହୋଇଥିଲା। ସେଥିପାଇଁ ଆବୁ ଧାବିର ସେନା ସୁରକ୍ଷା ଯୋଗାଇ ଦେଇଥିଲା। ଗୋଟିଏ ଉଲ୍ଲେଖନୀୟ କଥା ହେଉଛି, ଏଥିରେ ଥିବା ସବୁ କଳାକାର ନିଜର ଷ୍ଟଣ୍ଟ୍ଗୁଡ଼ିକୁ ନିଜେ କରିଛନ୍ତି। ସେଥିପାଇଁ କୌଣସି ବଡିଡ଼ବଲ୍ଙ୍କ ସାହାଯ୍ୟ ନିଆ ଯାଇନାହିଁ। ଫିଲ୍ମର ସୁଟିଂ ପୂର୍ବରୁ ସେଥିପାଇଁ ସମସ୍ତଙ୍କୁ ରୀତିମତ ମାର୍ସାଲ୍ ଆର୍ଟ ପ୍ରଶିକ୍ଷଣ ଦିଆ ଯାଇଥିଲା।
ଏମିତି ଦେଖିଲେ, ‘ରେସ୍ ୩’ରେ ପୂର୍ବ ଦୁଇଟି ‘ରେସ୍’ ଫିଲ୍ମ ଅପେକ୍ଷା ଅଧିକ ଆକର୍ଷଣୀୟ ମସଲା ଅଛି। ଯେହେତୁ ସିରିଜ୍ର ପୂର୍ବ ଦୁଇଟି ଫିଲ୍ମ ସଫଳ ହୋଇଥିଲା, ‘ରେସ୍ ୩’ର ସଫଳତାକୁ ନେଇ କାହାରି ବିଶେଷ ସନ୍ଦେହ ନାହିଁ। ତେବେ ସେ ସଫଳତାଟି କେଉଁ ଧରଣର ହେବ, ତାହା ଫିଲ୍ମଟି ରିଲିଜ୍ ହେବାପରେ ହିଁ ଜଣା ପଡ଼ିବ।