ଓଡିଆ ପ୍ରଯୋଜକ ରାଜେଶ ମହାନ୍ତିଙ୍କୁ ମିଡ୍ ଡେ ସୋ’ବିଜ୍ ପୁରସ୍କାର

ଫିଲ୍ମ ଅନ୍ତଧ୍ୱର୍ନି ପାଇଁ ପାଇଲେ ଆଇକନିକ୍ ଡେବ୍ୟୁ ପ୍ରଡ୍ୟୁସର ଆୱାର୍ଡ

ଭୁବନେଶ୍ବର:ଓଡିଆ ପ୍ରଯୋଜକ ରାଜେଶ କୁମାର ମହାନ୍ତି ଜାତୀୟ ସ୍ତରର ଲୋକପ୍ରିୟ ଖବରକାଗଜ ‘ମିଡ୍ ଡେ’ ପକ୍ଷରୁ ‘ଆଇକନିକ୍ ଡେବ୍ୟୁ ପ୍ରଡ୍ୟୁସର ’ଭାବେ ସମ୍ମାନିତ ହୋଇଛନ୍ତି । ମୁମ୍ବାଇଠାରେ ଅନୁଷ୍ଠିତ ‘ମିଡ୍ ଡେ ସୋ ବିଜ୍’ର ବାର୍ଷିକ ଉତ୍ସବରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ମିଡ୍-ଡେ ସୋ’ ବିଜ୍ ପକ୍ଷରୁ ଏହି ପୁରସ୍କାର ପାଇବାରେ ସେ ହେଉଛନ୍ତି ପ୍ରଥମ ଓଡିଆ । ବହୁଚର୍ଚ୍ଚିତ ସିନେମା ‘ଅନ୍ତଧ୍ୱର୍ନି-ଦ ଇନର୍ ଭଏସ୍’ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି ।

୨୪-ଏଫ୍ପିଏସ୍ ପ୍ରଯୋଜନା ସଂସ୍ଥା ମାଧ୍ୟମରେ ଅନେକ ଗୁଡିଏ ସର୍ଟ ଫିଲ୍ମ ତଥା ଓବ୍ ଫିଲ୍ମ ନିର୍ମାଣ କରିବା ପରେ ମୁମ୍ବାଇରେ ଅବସ୍ଥାପିତ ରାଜେଶ ଫିଚର ଫିଲ୍ମ ନିର୍ମାଣ କ୍ଷେତ୍ରକୁ ପ୍ରବେଶ କରନ୍ତି । ତାଙ୍କ ଦ୍ୱାରା ନିର୍ମିତ ପ୍ରଥମ ଫିଚର ଫିଲ୍ମ ‘ଅନ୍ତଧ୍ୱର୍ନି’ ତାଙ୍କୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରରେ ସମ୍ମାନ ଓ ସ୍ୱୀକୃତି ଆଣିଦିଏ ଯାହାର ନିର୍ଦ୍ଦେଶନା ଦେଇଛନ୍ତି ସର୍ବାଧିକ ୯ଥର ରାଷ୍ଟ୍ରୀୟ ପୁରସ୍କାର ହାସଲ କରିଥିବା ନିର୍ଦ୍ଦେଶକ ଅପୂର୍ବ କିଶୋର ବୀର । ଚଳିତ ବର୍ଷ କାନ୍ସର ୭୨ତମ ସଂସ୍କରଣରେ ଏହା ପ୍ରଦର୍ଶିତ ହେବାର ଗୌରବ ଅର୍ଜନ କରିଥିଲା ଓ ଉଚ୍ଚ ପ୍ରଶଂସିତ ମଧ୍ୟ ହୋଇଥିଲା । ନାୟିକା ସ୍ୱପ୍ନା ପତିଙ୍କ ସମେତ ପ୍ରଯୋଜକ ରାଜେଶ କୁମାର ମହାନ୍ତି ଓ ନିଦେ୍ର୍ଦଶକ ଅପୂର୍ବ କିଶୋର ବୀରଙ୍କୁ କାନ୍ସର ରେଡ୍ କାର୍ପେଟରେ ଚାଲିବାର ସୌଭାଗ୍ୟ ମିଳିଥିଲା ।

ଏହି ପୁରସ୍କାର ସମ୍ପର୍କରେ ରାଜେଶ କୁହନ୍ତି, ‘ଏହି ପୁରସ୍କାର ପାଇ ମୁଁ ବେଶ୍ ଆନନ୍ଦିତ । ତେବେ ଏ ପୁରସ୍କାର କେବଳ ମୋର ନୁହେଁ, ପୂରା ଟିମର । ଅଭିନେତ୍ରୀ ସ୍ୱପ୍ନା ପତି, ନିର୍ଦ୍ଦେଶକ ଏ କେ ବୀର ଓ ତାଙ୍କର ପୂରା ଟିମ୍ । ଏହି ଅବସରରେ ସେମାନଙ୍କୁ ମୁଁ ଧନ୍ୟବାଦ ଦେବାକୁ ଚାହିଁବି । ଧନ୍ୟବାଦ ଦେବାକୁ ଚାହିଁବି ମିଡ୍ ଡେ ସୋ’ ବିଜର ସମସ୍ତ ଜୁରୀ ସଦସ୍ୟଙ୍କୁ, ସେମାନେ ମୋତେ ଏଥିପାଇଁ ହକଦାର ଭାବିଥିବାରୁ । ଏହି ପୁରସ୍କାର ମୋତେ ଭବିଷ୍ୟତରେ ଆହୁରି ଭଲ କାମ କରିବା ପାଇଁ ଉତ୍ସାହିତ କରିବ ।’


ଏହି ଉତ୍ସବରେ ବଲିଉଡର ବହୁ ନାମୀ କଳାକାର, ନିର୍ମାତା, ନିର୍ଦ୍ଦେଶକ ଓ କଳାକୁଶଳୀ ଯୋଗ ଦେଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ୧୯୭୯ରେ ପ୍ରକାଶନ ଆରମ୍ଭ କରିଥିବା ମିଡ୍ ଡେ’ ହେଉଛି ୪୦ବର୍ଷ ପୁରୁଣା ଏକ ଲୋକପ୍ରିୟ ଟାବଲଏଡ, ଯାହା ଏବେ ଜାଗରଣ ପ୍ରକାଶନ ଅଧୀନରେ ପ୍ରକାଶିତ ହେଉଛି ।

ସମ୍ବନ୍ଧିତ ଖବର