ସିନେମା ଅପେକ୍ଷା ଟିଭି ଧାରାବାହିକରେ କାମ କରିବାକୁ ପସନ୍ଦ କରନ୍ତି ଅଭିନେତ୍ରୀ ଦେବଲୀନା ଚାଟାର୍ଜୀ

ଏମିତି ଅନେକ କଳାକାର ଅଛନ୍ତି ଯିଏ ତଥାକଥିତ ସିନେ ଜଗତ୍‌ର ମାୟାନଗରୀରେ ପ୍ରଥମ ପଦାର୍ପଣ ପୂର୍ବକ ଆଶାତୀତ ପ୍ରଶଂସା ଓ ଖ୍ୟାତି ସାଉଁଟିବା ସତ୍ତ୍ବେ ଆଉ ଅଧିକ ସିନେମା କରିବାକୁ ପସନ୍ଦ କରିନଥା’ନ୍ତି। ତେବେ ସିନେମା ଅପେକ୍ଷା ଅପେକ୍ଷାକୃତ ଛୋଟ ମଞ୍ଚ ହେଉ ପଛକେ ଟିଭି ଧାରାବାହିକରେ ସେମାନଙ୍କୁ ଅଧିକ ସନ୍ତୋଷ ମିଳିଥାଏ ବୋଲି ସେମାନେ ସ୍ବୀକାର କରିଥା’ନ୍ତି। ସେଭଳି ଏକ କଳାକାର ହେଉଛନ୍ତି ଟିଭି ଅଭିନେତ୍ରୀ ଦେବଲୀନା ଚାଟାର୍ଜୀ ଯିଏ ଏକମାତ୍ର ବଙ୍ଗାଳୀ ସିନେମାରେ ଅଭିନୟ କରି ମଧ୍ୟ ଦର୍ଶକଙ୍କର ହୃଦ୍‌ସ୍ପନ୍ଦନ ସାଜି ପାରିଥିଲେ। ମାତ୍ର ଫିଲ୍ମ ଦୁନିଆରେ ଆଗକୁ ଆଉ ପାଦ ଦେବାକୁ ପସନ୍ଦ ନକରି ସେ ହିନ୍ଦୀ ଧାରାବାହିକରେ ନିଜକୁ ବାନ୍ଧି ରଖିଛନ୍ତି। ଏପରିକି ସେଥିରେ ହିଁ ତାଙ୍କ ଆତ୍ମସନ୍ତୁଷ୍ଟିର ଆତ୍ମକଥା ଭରି ରହିଛି ବୋଲି ଦେବଲୀନା ଇସାରା କରିଛନ୍ତି।

କୋଲକାତାରେ ଏକ ବଙ୍ଗାଳୀ ହିନ୍ଦୁ ପରିବାରରେ ୧୯୯୩ ମେ’ ୨୧ ତାରିଖରେ ଜନ୍ମିତ ଦେବଲୀନା ଅର୍ଥଶାସ୍ତ୍ରରେ ସ୍ନାତକ ଡିଗ୍ରି ହାସଲ କରିଛନ୍ତି। ପୂର୍ବରୁ କୌଣସି ପ୍ରକାର ଅଭିନୟ ଅଭିଜ୍ଞତା ନଥାଇ ମଧ୍ୟ ୨୦୧୧ରେ ବଙ୍ଗାଳୀ ଫିଲ୍ମ ‘ଆମି ଆଦୁ’ରେ ମୁଖ୍ୟ ନାୟିକା ଭୂମିକାରେ ଅଭିନୟ ପାଇଁ ତାଙ୍କୁ ସୁଯୋଗ ମିଳିଥିଲା। ଉକ୍ତ ସିନେମା ଶ୍ରେଷ୍ଠ ବଙ୍ଗାଳୀ ଚଳଚ୍ଚିତ୍ର ଭାବେ ୫୮ ତମ ଜାତୀୟ ଫିଲ୍ମ ପୁରସ୍କାର ଲାଭ କରିବା ସହ ଦେବଲୀନାଙ୍କ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଷ୍ଟାର ଜଲସା ସମ୍ମାନ ଆଣି ଦେଇଥିଲା।

ଏହାପରେ ଦର୍ଶକମାନେ ସ୍ବାଭାବିକ ଭାବେ ସେମାନଙ୍କ ପ୍ରିୟ ନାୟିକାଙ୍କଠାରୁ ଅଧିକରୁ ଅଧିକ ସିନେମା ଆଶା କରିଥିଲେ। ମାତ୍ର ଦେବଲୀନା ସେମାନଙ୍କୁ ନିରାଶ କରି ଟିଭି ଧାରାବାହିକ ମୁହାଁ ହୋଇଥିଲେ। ୨୦୧୨ରେ ଷ୍ଟାର ପ୍ଲସ୍‌ରେ ପ୍ରସାରିତ ‘ସାଜଦା ତେରେ ପ୍ୟାର ମେଁ’ ଧାରାବାହିକରେ ସେ ପ୍ରଥମ ପଦାର୍ପଣ କରି ଦର୍ଶକଙ୍କର ଏତେ ପ୍ରିୟପାତ୍ରୀ ସାଜିଗଲେ ଯେ ତାଙ୍କୁ ଆଉ ବିକଳ୍ପ ପନ୍ଥା ଚିନ୍ତା କରିବାକୁ ପଡ଼ିଲାନି। ପରେ ପରେ ‘ବାଳିକା ବଧୂ’ରେ ତାଙ୍କ ଅଭିନୟ ମଧ୍ୟ ଢେର ଆଦୃତି ଲାଭ କରିଥିଲା। ସେହିପରି ‘ସଂକଟମୋଚନ ମହାବଳୀ ହନୁମାନ’ରେ ତାଙ୍କର ସୀତା, ଋକ୍ମିଣୀ, ଲକ୍ଷ୍ମୀ, ବେଦମତି, ବିଶ୍ବମୋହିନୀ ଓ କାଳୀ ପରି ବହୁବିଧ ଅଭିନୟ ଦର୍ଶକଙ୍କୁ ଖୁବ୍‌ ମୁଗ୍ଧ କରିଥିଲା।

ପରେ ପରେ ‘ପ୍ୟାର ତୁନେ କ୍ୟା କିୟା’, ‘ହଲ୍ଲା ବୋଲ’, ‘ଶଶୁରାଲ୍‌ ସିମର କା’ ଓ ‘ସିୟା କେ ରାମ୍‌’ ପରି ଧାରାବାହିକରେ ତାଙ୍କର ଅଭିନୟ ନିଜ ପାଇଁ ଏକ ସୁରକ୍ଷିତ ସ୍ଥାନ ରଖିପାରିଥିଲା। ତେବେ ଷ୍ଟାର୍‌ପ୍ଲସ୍‌ରେ ୨୦୧୮ରୁ ୨୦୧୯ ଯାଏ ‘ୟେ ରିସ୍ତା କ୍ୟା କେହଲାତା ହୈ’ରେ ସେ ଗାୟତ୍ରୀ ଗୋଏଙ୍କା ଚରିତ୍ରରେ ଦେଖାଦେଇ ଅଭିନୟ ଜଗତ୍‌ରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ସେହିପରି ‘ଲାଲ୍‌ ଇସ୍କ’ ଓ ‘ବିଘ୍ନହର୍ତ୍ତା ଗଣେଶ’ ଧାରାବାହିକରେ ମଧ୍ୟ ଦେବଲୀନାଙ୍କୁ ଦର୍ଶକ ଖୁବ୍‌ ଗ୍ରହଣ କରିଥିଲେ। ଏପରି ଭାବେ ପୌରାଣିକ ହେଉ ବା ସମକାଳୀନ ସାମାଜିକ ଧାରାବାହିକ ହେଉ, ଭିନ୍ନ ଭିନ୍ନ ରୂପରେ ଦେବଲୀନା ନିଜର ପ୍ରଶଂସକମାନଙ୍କୁ ଆପ୍ୟାୟିତ କରିବାରେ ସକ୍ଷମ ହୋଇପାରିଛନ୍ତି।

ସମ୍ବନ୍ଧିତ ଖବର