ସଂଜୟ ଦତ୍ତଙ୍କ ଅସୁସ୍ଥତା ହେତୁ ଅନିଶ୍ଚିତତା ଭିତରକୁ ଠେଲି ହୋଇଗଲା ୭୩୫ କୋଟିର ଫିଲ୍ମ ପ୍ରକଳ୍ପ; ଚିନ୍ତାରେ ପ୍ରଯୋଜକ

ମୁମ୍ବାଇ:  ବଲିଉଡ୍‌ର ଦିଗ୍‌ଗଜ ଅଭିନେତା ସଂଜୟ ଦତ୍ତ କ୍ୟାନସର୍‌ରେ ପୀଡ଼ିତ ହୋଇଥିବା ଖବର ପଦାକୁ ଆସିବା ପରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ଚିନ୍ତା ବଢ଼ି ଯାଇଛି। ସେ କାମ କରିଥିବା ଓ ବାକି ଥିବା ଫିଲ୍ମର ଭବିଷ୍ୟତ ଏବେ ଏକ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ସୂଚନା ଅନୁଯାୟୀ, ସଞ୍ଜୟ ୭୩୫ କୋଟିର ପ୍ରକଳ୍ପରେ କାମ କରିଥିବା ବେ‌ଳେ ସଡ଼କ-୨, ତୋରବାଜ, ଭୂଜ ଫିଲ୍ମ ନିର୍ମାଣ କାମ ଶେଷ ହୋଇଯାଇଛି। ମାତ୍ର କେଜିଏଫ୍‌ ଚାପ୍ଟରର ସୁଟିଂ ୩ଦିନ ବାକି ଅଛି। ଶମଶେରାର ସୁଟିଂ ୪ରୁ ୬ଦିନ ବାକି ଅଛି। ପୃଥ୍ବୀରାଜର ସୁଟିଂ ମାତ୍ର ୪୦ ପ୍ରତିଶତ ସଂପୂର୍ଣ୍ଣ ହୋଇଛି। ସଡ଼କ-୨ ଫିଲ୍ମକୁ ମହେଶ ଭଟ୍ଟ ନିର୍ଦେଶନା ଦେଇଥିବା ବେଳେ ଆଲିଆ ଭଟ୍ଟ, ଆଦିତ୍ୟ ରୟ କପୁର, ପୂଜା ଭଟ୍ଟ ପ୍ରମୁଖ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି। ୪୦ କୋଟିରେ ଏହା ନିର୍ମିତ ହୋଇଥିବା ବେଳେ ଓଟିଟି ପ୍ଲାଟଫର୍ମ ଡିସ୍‌ନି ହଟ୍‌ଷ୍ଟାରରେ ଏହା ଅଗଷ୍ଟ ୨୮ରେ ମୁକ୍ତିଲାଭ କରିବାକୁ ଯାଉଛି।

ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କୁ ତୃତୀୟ ପର୍ଯ୍ୟାୟ ଫୁସ୍‌ଫୁସ୍‌ କର୍କଟ ହୋଇଥିବା ଜଣାପଡ଼ିବା ପରେ ସଞ୍ଜୟ ଏବେ ଚିକିତ୍ସା ପାଇଁ ଆମେରିକା ଯିବେ ବୋଲି ସୂଚନା ରହିଛି। ପୂର୍ବରୁ ସଞ୍ଜୟ ଏକ ଟ୍ବିଟ୍‌ କରି କହିଥିଲେ କି ସେ କିଛି ଦିନ ନିଜର ସ୍ବାସ୍ଥ୍ୟ ସମସ୍ୟା ପାଇଁ ଅଭିନୟରୁ ବିରତି ନେଉଛନ୍ତି। ପ୍ରଶଂସକମାନଙ୍କୁ ବିଚଳିତ ନହେବାକୁ କହିଥିଲେ ସଞ୍ଜୟ।

ସଞ୍ଜୟ ବୁଧବାର ଟ୍ବିଟ୍‌ କରି ଲେଖିଥିଲେ, ‘ନମସ୍କାର ବନ୍ଧୁଗଣ, ମୁଁ ମୋର ଚିକିତ୍ସା ପାଇଁ କାମରୁ ଅଳ୍ପ ସମୟ ପାଇଁ ବିରତି ନେଉଛି। ମୋ ପରିବାର ଏବଂ ବନ୍ଧୁମାନେ ମୋ ସାଥିରେ ଅଛନ୍ତି ଏବଂ ମୁଁ ମୋର ଶୁଭେଚ୍ଛୁମାନଙ୍କୁ ଅନୁରୋଧ କରୁଛି ଯେ ଚିନ୍ତା କରନ୍ତୁ ନାହିଁ କିମ୍ବା ଅନାବଶ୍ୟକ କଳ୍ପନା କରନ୍ତୁ ନାହିଁ । ଆପଣମାନଙ୍କ ପ୍ରେମ ଏବଂ ଶୁଭେଚ୍ଛା ସହିତ ମୁଁ ଶୀଘ୍ର ଫେରି ଆସିବି! ”

 

ସମ୍ବନ୍ଧିତ ଖବର