ରାଫେଲ ରାୟର ପୁନଃ ସମୀକ୍ଷା ଆବେଦନ: ଶୁଣାଣି ଶେଷ, ରାୟ ସଂରକ୍ଷିତ

ଅପରାଧିକ ତଦନ୍ତ ପାଇଁ ପ୍ରଶାନ୍ତ ଭୂଷଣଙ୍କ ଯୁକ୍ତି, ଚୋରି ଦସ୍ତାବିଜ ଆଧାରରେ ବିଭ୍ରାନ୍ତି ସୃଷ୍ଟି କରାଯାଉଛି: ସରକାର
ନୂଆଦିଲ୍ଲୀ: ରାଫେଲ ଯୁଦ୍ଧ ବିମାନ ଚୁକ୍ତି ସଂକ୍ରାନ୍ତ ସୁପ୍ରିମ୍‌ କୋର୍ଟ ରାୟର ପୁନଃ ସମୀକ୍ଷା ପାଇଁ ହୋଇଥିବା ଆବେଦନ ଉପରେ ଆଜି ଶୁଣାଣି ଶେଷ ହୋଇଛି ଏବଂ ଏ ବାବଦ ରାୟକୁ କୋର୍ଟ ସଂରକ୍ଷିତ ରଖିଛନ୍ତି। ପ୍ରଧାନବିଚାରପତି ରଂଜନ ଗୋଗଇ, ବିଚାରପତି ସଂଜୟ କିଶନ କୌଲ ଏବଂ କେ.ଏମ୍‌. ଯୋଶେଫଙ୍କ ଖଣ୍ଡପୀଠ ଫ୍ରାନ୍ସରୁ ୩୬ଟି ରାଫେଲ ଯୁଦ୍ଧ ବିମାନ କ୍ରୟ ଚୁକ୍ତି ମାମଲାରେ ୧୪ ଡିସେମ୍ବର ୨୦୧୮ରେ ଦେଇଥିବା ରାୟର ପୁନର୍ବିଚାର ପାଇଁ ଦାଏର ହୋଇଥିବା ଆବେଦନ ଉପରେ ଆଜି ଶୁଣାଣି ହୋଇଥିଲା। ଆବେଦନକାରୀ ପକ୍ଷ ପ୍ରାୟ ଦୁଇ ଘଣ୍ଟା ଧରି ସେମାନଙ୍କ ଯୁକ୍ତ ରଖିଥିଲେ। ତେବେ ଖଣ୍ଡପୀଠ ଏ ବାବଦ ଶୁଣାଣି ଶେଷ କରିବା ସହ ରାୟ ସଂରକ୍ଷିତ ରଖିଛନ୍ତି। ପୁନର୍ବିଚାର ମାମଲାରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ କହିଥିଲେ ଯେ ରାଫେଲ ଚୁକ୍ତି ସଂକ୍ରାନ୍ତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସରକାର ଅଦାଲତଙ୍କୁ ଦେଇନାହାନ୍ତି ଏବଂ ଏହି ମାମଲାରେ ଅପରାଧିକ ଯାଞ୍ଚ ଜରୁରୀ ହୋଇପଡ଼ିଛି। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ରାଫେଲ ଚୁକ୍ତି ନେଇ ସମାନ୍ତରାଳ ଆଲୋଚନା ଚାଲିଥିଲା ଏବଂ ନୀତି ବିରୁଦ୍ଧ ଥିଲା ବୋଲି ଭୂଷଣ କହିବା ସହ ଜୋର୍‌ଦାର ଆପତ୍ତି ଉଠାଇଥିଲେ। ଏହାକୁ ଅପରାଧିକ ଦିଗରୁ ବିଚାରକୁ ନେବା ଉଚିତ ବୋଲି ସେ ଦର୍ଶାଇଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଟର୍ଣ୍ଣି ଜେନେରାଲ କେ କେ ବେଣୁଗେପାଳ ପୁନର୍ବିଚାର ଆଦେନକୁ ବିରୋଧ କରି କହିଥିଲେ ଯେ ମୂଳ ଆବେଦନରେ ଯେଉଁ ଅଭିଯୋଗ ଉଠାଯାଇଥିଲା, ସେହି ସମାନ ଅଭିଯୋଗ ପୁନର୍ବିଚାର ଆବେଦନରେ ରଖି ବିଭ୍ରାନ୍ତି ସୃଷ୍ଟି କରିବାକୁ ପ୍ରୟାସ ହେଉଛି । ଆବେଦନକାରୀମାନେ ଚୋରି ହୋଇଥିବା ଦସ୍ତାବିଜ ଆଧାରରେ ପୁନର୍ବିଚାର ଚାହୁଛନ୍ତି ଏବଂ ଏହା ଦେଶ ସ୍ବାର୍ଥରେ ନୁହେଁ ବୋଲି ସେ କହିଥିଲେ। ଦେଶର ଅତ୍ୟନ୍ତ ସମ୍ବେଦନଶୀଳ ପ୍ରତିରକ୍ଷା ଚୁକ୍ତିକୁ କୌଣସି ଫ୍ଲାଏଓଭର କିମ୍ବା ବନ୍ଧ ନିର୍ମାଣ ଠିକା ଭଳି ଦେଖାଯାଇ ପାରିବ ନାହିଁ। ଦୁଇ ଦେଶର ସରକାରଙ୍କ ମଧ୍ୟରେ ସଂପନ୍ନ ହୋଇଥିବା ରାଫେଲ ଚୁକ୍ତିକୁ ନେଇ ଅଯଥା ବିବାଦ ସୃଷ୍ଟି କରାଯାଉଥିବାରୁ ଏଭଳି ଆବେଦନକୁ ଖାରଜ କରିବା ପାଇଁ ବେଣୁଗୋପାଳ ଯୁକ୍ତି ଦର୍ଶାଇଥିଲେ।

ସମ୍ବନ୍ଧିତ ଖବର