ମହାରାଷ୍ଟ୍ରରେ ୧୫ ଦିନ ଜନତା କର୍ଫ୍ୟୁ: ଆଜିଠାରୁ ଲାଗୁ ହେବ, ମେ ୧ ପର୍ଯ୍ୟନ୍ତ ୧୪୪

ମୁମ୍ବାଇ: ମହାରାଷ୍ଟ୍ର କରୋନା ସଂକ୍ରମଣ ଅତି ସାଂଘାତିକ ସ୍ଥିତି ସୃଷ୍ଟି କରିଥିବାରୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଆଜି ୧୫ ଦିନ ପାଇଁ ରାଜ୍ୟରେ ଜନତା କର୍ଫ୍ୟୁ ଘୋଷଣା କରିଛନ୍ତି। ଆସନ୍ତାକାଲି ରାତି ୮ଟାରୁ ମେ ୧ ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ। ଏଥିପାଇଁ ରାଜ୍ୟରେ ଧାରା ୧୪୪ ଲାଗୁ କରାଯିବ। କେବଳ ଜରୁରୀ ପରିସ୍ଥିତିରେ ହିଁ ଲୋକେ ଘରୁ ବାହାରି ପାରିବେ। ଅତ୍ୟାବଶ୍ୟକ ତଥା ଜରୁରୀ ଉଦ୍ଦେଶ୍ୟରେ ହିଁ ଘରୋଇ ଯାନକୁ ଅନୁମତି ମିଳିବ। ସମସ୍ତ ହୋଟେଲ ଏବଂ ରେଷ୍ଟୁରାଣ୍ଟ ଗ୍ରାହକଙ୍କ ପାଇଁ ବନ୍ଦ ରହିବ, କିନ୍ତୁ ହୋମ୍‌ ଡେଲିଭରି ହୋଇପାରିବ।

ଇତିମଧ୍ୟରେ ରାଜ୍ୟର ସମସ୍ତ ପ୍ରମୁଖ ସହରାଞ୍ଚଳରେ ଶଯ୍ୟା ଏବଂ ଅକ୍ସିଜେନ୍‌ ଅଭାବ ଲାଗି ରହିଥିବାରୁ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି । ସେନା ସହାୟତାରେ ଏହି କାମ କରାଯିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି। ରାଜ୍ୟରେ ଲାଗୁ ହୋଇଥିବା କଠୋର କଟକଣା ପାଇଁ ଜନସାଧାରଣ ଅନେକ ଅସୁବିଧାର ସମ୍ମୁଖୀନ ହେଲେ ମଧ୍ୟ ଲୋକଙ୍କ ଜୀବନ ବଞ୍ଚାଇବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ‌ଲୋକେ ଘରୁ କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିବା ସହ ସମସ୍ତଙ୍କର ସହଯୋଗରେ ହିଁ ୧୫ ଦିନିଆ ଜନତା କର୍ଫ୍ୟୁ ସଫଳ ହୋଇପାରିବ ବୋଲି କହିଛନ୍ତି। ପୂର୍ବରୁ ସଂପୂର୍ଣ୍ଣ ଲକ୍‌ଡାଉନ୍‌କୁ ବିରୋଧ କରୁଥିବା ମହାରାଷ୍ଟ୍ର ବ୍ୟବସାୟୀ ସଂଘ ସରକାରଙ୍କ ‘ଜନତା କର୍ଫ୍ୟୁ’କୁ ସମର୍ଥନ କରିଛି।

ସମ୍ବନ୍ଧିତ ଖବର