ବରଫ ଅତଡ଼ା ଖସି ୪ ଯବାନଙ୍କ ସମେତ ୬ ମୃତ

ନୂଆଦିଲ୍ଲୀ: ବିଶ୍ବର ଉଚ୍ଚତମ ଯୁଦ୍ଧକ୍ଷେତ୍ର ଭାବେ ପରିଚିତ ସିଆଚୀନ୍‌ରେ ବରଫ ଅତଡ଼ା‌ ଖସିବା ଯୋଗୁ ଭାରତୀୟ ସେନାର ୪ ଯବାନଙ୍କ ସହିତ ୨ ଜଣ ପୋର୍ଟରଙ୍କର ମୃତ୍ୟୁ ହୋଇଛି। ସୋମବାର ଅପରାହ୍ଣରେ ସୀଆଚୀନର ବିପଦପୂର୍ଣ୍ଣ ଉତ୍ତରାଞ୍ଚଳ ସା‌ଲଟୋରୋ ରିଜ୍‌ଠାରେ ଏହି ଅଘଟଣ ଘଟିଛି। ସୋମବାର ଅପରାହ୍ଣ ପ୍ରାୟ ୩ଟାରେ ବରଫ ଅତଡ଼ା ଧସିଥିଲା। ଫଳରେ ପାଟ୍ରୋଲିଂ କରୁଥିବା ଡୋଗ୍ରା ରେଜିମେଣ୍ଟର ୮ ଜଣ ବରଫ ଗଦା ତଳେ ରହି ଯାଇଥିଲେ। ତୁରନ୍ତ ସେନାର ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଯବାନମାନଙ୍କୁ ବରଫ ଅତଡ଼ା ତଳୁ ବାହାର କରାଯାଇ ହେଲିକପ୍ଟର ଯୋଗେ ନିକଟସ୍ଥ ସେନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ୪ ଜଣ ଯବାନଙ୍କ ସମେତ ୨ ଜଣ ପୋର୍ଟରଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି। ଅନ୍ୟ ଦୁଇ ଜଣ ଯବାନଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ବରଫ ତଳେ ଫସି ରହିଥିବା ଯବାନ ଓ ବ୍ୟକ୍ତିଙ୍କ ଶରୀରର ତାପମାତ୍ରା ଅତ୍ୟଧିକ କମି ଯିବାରୁ ସେମାନଙ୍କର ମୃତ୍ୟୁ ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ସିଆଚୀନ ଗ୍ଲାସିୟରରେ ୧୯୮୪ ମସିହାରୁ ଆଜି ପର୍ଯ୍ୟନ୍ତ ବରଫ ଅତଡ଼ା ଧସିବା ଯୋଗୁ ୩୫ ଜଣ ଅଧିକାରୀଙ୍କ ସମେତ ୧୦୦୦ରୁ ଅଧିକ ଯବାନଙ୍କ ଜୀବନ ଗଲାଣି।

ସମ୍ବନ୍ଧିତ ଖବର