ପୁଣି ପିଟିପିଟି ହତ୍ୟା

ଜୟପୁର: ଭିଡ଼ ହିଂସା ଥମିବାର ନାମ ନେଉନି। ନିକଟରେ ଭିଡ଼ହିଂସା ହେତୁ ଭାରତରେ ୩୧ ଜଣଙ୍କ ଜୀବନ ଯାଇଛି। ଏ ଦିଗରେ ସୁପ୍ରିମକୋର୍ଟ ଘୋର ଉଦ୍‌ବେଗ ପ୍ରକାଶ କରି ଲୋକମାନେ ଆଇନକୁ ନିଜ ହାତକୁ ନେଇପାରିବେ ନାହିଁ ବୋଲି କହିଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ପଡ଼ୁନାହିଁ। ଆଜି ରାଜସ୍ଥାନର ଅଲଓ୍ଵରରେ ଗାଈ ଚୋରା ଚାଲାଣ କରୁଥିବା ସନ୍ଦେହରେ ପୁଣି ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି। ହରିୟାଣାର କୋଲଗାଓଁ ବାସିନ୍ଦା ୨୮ ବର୍ଷୀୟ ଆକବର ଖାନ୍‌ ଗତକାଲି ରାତି ପ୍ରାୟ ୧.୩୦ ପାଖାପାଖି ସମୟରେ ରାମଗଡ଼ ତହସିଲ୍‌ ଅଧୀନସ୍ଥ ଲାଲଓ୍ଵଣ୍ଡି ଗ୍ରାମ ନିକଟସ୍ଥ ଜଙ୍ଗଲ ଅଞ୍ଚଳରେ ୨ଟି ଗାଈ ଧରି ଚାଲି ଚାଲି ଯାଉଥିଲେ। ତାଙ୍କ ସହ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଥିଲେ। କିନ୍ତୁ ଏହି ସମୟରେ ଲାଲଓ୍ଵଣ୍ଡି ଗ୍ରାମର କିଛି ଲୋକ ଖାନ୍‌ଙ୍କୁ ଗାଈ ଚୋରା ଚାଲାଣ କରୁଥିବା ସନ୍ଦେହ କରି ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ। ତେବେ ଖାନ୍‌ଙ୍କ ସହ ଥିବା ଅନ୍ୟ ଜଣେ ବ୍ୟକ୍ତି ଖସି ପଳାଇବାରେ ସକ୍ଷମ ହୋଇଥଲେ ମଧ୍ୟ ଖାନ୍‌ ବର୍ତ୍ତି ପାରିନଥିଲେ। ହିଂସ୍ର ଜନତା ଖାନ୍‌ଙ୍କୁ ଘଟଣାସ୍ଥଳରେ ହିଁ ପିଟିପିଟି ହତ୍ୟା କରିଛନ୍ତି।

କେନ୍ଦ୍ରମନ୍ତ୍ରୀଙ୍କ ବିବାଦୀୟ ବୟାନ
ମୋଦିଙ୍କ ଖ୍ୟାତି ବଢ଼ିଲେ, ହିଂସା ବି ବଢ଼ିବ
ନୂଆଦିଲ୍ଲୀ: ରାଜସ୍ଥାନରେ ଗୋ ଚାଲାଣ ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରାଯିବା ମାମଲା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଆଜି ମୋଦୀ ସରକାରଙ୍କ ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ଵାଲ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୋଜନା ଏବଂ ଏହାର ସଫଳ କାର୍ଯ୍ୟକାରିତା ଦେଖି ଏଭଳି ଘଟଣା ଅଧିକ ଘଟୁଛି। ମୋଦିଙ୍କ ସୁଖ୍ୟାତି ଯେତିକି ବଢ଼ିବ, ଏଭଳି ହିଂସା ସେତିକି ଅଧିକ ହେବ। ଏନ୍‌୍‌ଡିଏ ସରକାରଙ୍କୁ ବଦନାମ କରିବା ପାଇଁ ଏହା ଏକ ଯୋଜନାବଦ୍ଧ ଷଡ଼୍‍ଯନ୍ତ୍ର ବୋଲି ସେ କହିଛନ୍ତି।

ଭିଡ଼ ହିଂସା: ୩ ମାସରେ ଗଲାଣି ୩୨ ଜୀବନ
ଜୁଲାଇ୧, ୨୦୧୮(ମହାରାଷ୍ଟ୍ର): ମହାରାଷ୍ଟ୍ରର ଧୁଲେ ଜିଲ୍ଲାରେ ପିଲାଚୋରି ଅଭିଯୋଗରେ ୫ ଜଣଙ୍କୁ ପିଟିପିଟି ହତ୍ୟା।
ଜୁନ୍‌ ୨୮, ୨୦୧୮ (ତ୍ରିପୁରା): ତ୍ରିପୁରାରେ ପୃଥକ୍‌ ଘଟଣାରେ ୩ ଜଣଙ୍କୁ ପିଲାଚୋରି ଅଭିଯୋଗରେ ପିଟିପିଟି ହତ୍ୟା କରାଯାଇଥିଲା। ଅନ୍ୟ ଦୁଇ ଜଣ ମଧ୍ୟ ଗୁରୁତର ଆହତ ହୋଇଥିଲେ।
ଜୁନ୍‌ ୨୭, ୨୦୧୮ (ଗୁଜରାଟ୍‌): ଗୁଜରାଟ୍‌ରେ ପିଲାଚୋରି ଅଭିଯୋଗରେ ଭିଡ଼ ହିଂସା ହେତୁ ଜଣେ ୪୫ ବର୍ଷୀୟା ମହିଳାଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା। ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଥିଲେ।
ଜୁନ୍‌ ୧୩, ୨୦୧୮ (ପଶ୍ଚିମବଙ୍ଗ): ଜଣେ ଅଚିହ୍ନା ବ୍ୟକ୍ତିଙ୍କୁ ପିଲାଚୋର ଭାବି ପଶ୍ଚିମବଙ୍ଗର ମାଲ୍‌ଦା ଜିଲ୍ଲାରେ କିଛି ବିଶୃଙ୍ଖଳ ଜନତା ତାଙ୍କୁ ଏକ ବିଦ୍ୟୁତ ଖଣ୍ଟରେ ବାନ୍ଧି ପିଟିପିଟି ହତ୍ୟା କରିଥିଲେ।
ଜୁନ୍‌ ୮, ୨୦୧୮ (ଆସାମ୍‌): ଗୌହାଟିର ଦୁଇଜଣ ଯୁବକଙ୍କୁ ଆସାମ୍‌ର କର୍ବି ଆଙ୍ଗଲଙ୍ଗ୍‌ ଜିଲ୍ଲାରେ ପିଲାଚୋରି ଅଭିଯୋଗରେ ପିଟିପିଟି ହତ୍ୟା କରାଯାଇଥିଲା।
ଜୁନ୍‌ ୮,୨୦୧୮ (ମହାରାଷ୍ଟ୍ର) : ମହାରାଷ୍ଟ୍ରରେ ପିଲା ଚୋରି ଅଭିଯୋଗରେ ଚାନ୍ଦଗାଓଁ ଗ୍ରାମରେ ଦୁଇ ଜଣଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା। ଆହୁରି ୭ ଜଣ ଏଥିରେ ଆହତ ହୋଇଥିଲେ।
ମେ’ ୨୮, ୨୦୧୮(ଆନ୍ଧ୍ରପ୍ରଦେଶ): ଆନ୍ଧ୍ରପ୍ରଦେଶରେ ପିଲାଚୋରି ଅଭିଯୋଗରେ ପ୍ରାୟ ୫୦୦ ବିଶୃଙ୍ଖଳ ଜନତା ଜଣେ ୫୨ ବର୍ଷର କିନ୍ନରଙ୍କୁ ପିଟିପିଟି ହତ୍ୟା କରିଥିଲେ।
ମେ’ ୨୫, ୨୦୧୮ (କର୍ଣ୍ଣାଟକ): କର୍ଣ୍ଣାଟକରେ ଜଣେ ୨୬ ବର୍ଷୀୟ ଯୁବକଙ୍କୁ ଉତ୍ୟକ୍ତ ଜନତା ପିଲାଚୋରି ଅଭିଯୋଗରେ ପିଟିପିଟି ହତ୍ୟା କରିଥିଲେ।
ମେ’ ୨୪, ୨୦୧୮ (ତେଲେଙ୍ଗାନା): ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ଭିନ୍ନ ଭିନ୍ନ ଜିଲ୍ଲାରେ ଏହି ପିଲାଚୋରି ଗୁଜବ ହେତୁ ୪ ଜଣଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା। ଆହୁରି ଅନେକ ମଧ୍ୟ ଏହାଦ୍ୱାରା ଆହତ ହୋଇଥିଲେ।
ମେ’ ୧୦, ୨୦୧୮ (ତାମିଲନାଡ଼ୁ): ତାମିଲନାଡ଼ୁରେ ପିଲାଚୋରି ଅଭିଯୋଗରେ ୨୪ ଘଣ୍ଟା ମଧ୍ୟରେ ୨ ଜଣଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା।
ମେ’ ୧୮, ୨୦୧୭ (ଝାଡ଼ଖଣ୍ଡ): ଝାଡ଼ଖଣ୍ଡରେ ୯ ଦିନରେ ୮ ଜଣଙ୍କୁ ପିଲାଚୋରି ଅଭିଯୋଗରେ ପିଟିପିଟି ହତ୍ୟା କରାଯାଇଛି।

 

ସମ୍ବନ୍ଧିତ ଖବର