ପୁଣି ଏକ ପାକିସ୍ତାନୀ ସୁଡ଼ଙ୍ଗ ଠାବ: ୧୦ ଦିନରେ ଦ୍ବିତୀୟ, ୮ ବର୍ଷ ଧରି ସୁଡ଼ଙ୍ଗ ଦ୍ବାରା ଆତଙ୍କବାଦୀ ପଠାଉଥିଲା ପାକିସ୍ତାନ

ନୂଆଦିଲ୍ଲୀ : ଭାରତରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ପାକ୍‌ ସେନାର ଗୋଟିଏ ପରେ ଗୋଟିଏ କୁତ୍ସିତ ଯୋଜନା ସାମ୍ନାକୁ ଆସୁଛି। ଆଜି ଅନ୍ତର୍ଜାତୀୟ ସୀମା ନିକଟରେ ପୁଣି ଏକ ଭୂତଳ ସୁଡ଼ଙ୍ଗ ଠାବ କରିଛି ବିଏସଏଫ୍‌। ଭାରତକୁ ଆତଙ୍କବାଦୀ ଅନୁପ୍ରବେଶ କରାଇବା ପାଇଁ ପାକିସ୍ତାନୀ ସେନା ଓ ଗୁଇନ୍ଦା ସଂସ୍ଥା ଏହି ସୁଡ଼ଙ୍ଗ ବ୍ୟବହାର କରୁଥିବା ଜଣାପଡ଼ିଛି। ୧୦ ଦିନ ମଧ୍ୟରେ ଏଠାରେ ଦ୍ବିତୀୟ ସୁଡ଼ଙ୍ଗ ଠାବ ହୋଇଛି। କଠୁଆ ଜିଲ୍ଲାର ପନ୍‌ସର ସ୍ଥିତ ବିଏସ୍‌ଏଫ୍‌ ଆଉଟ୍‌ପୋଷ୍ଟ୍‌ ନିକଟରେ ବର୍ଡର ପୋଷ୍ଟ୍‌ ନମ୍ବର ୧୪ ଏବଂ ୧୫ ମଧ୍ୟରେ ଏହି ୩୦ ଫୁଟ୍‌ ଗଭୀର ସୁଡ଼ଙ୍ଗ ଚିହ୍ନଟ ହୋଇଛି। ଭାରତୀୟ ଗୁଇନ୍ଦା ସଂସ୍ଥାର ବିଶ୍ବାସ ଅନୁଯାୟୀ ସୁଡ଼ଙ୍ଗ ଠାବ ହୋଇଥିବା ସ୍ଥାନ ନିକଟରେ ଏକ ଆତଙ୍କବାଦୀଙ୍କ ତାଲିମ କେନ୍ଦ୍ର ରହିଛି। ଜଣେ ବରିଷ୍ଠ ବିଏସଏଫ୍‌ ଅଧିକାରୀ କହିଛନ୍ତି, ଏହି ସୁଡ଼ଙ୍ଗଟି ଖୁବ୍‌ ବଡ଼।

କାରଣ ସୁଡ଼ଙ୍ଗଟି ୬-୮ ବର୍ଷ ପୁରୁଣା ଲାଗୁଛି ଏବଂ ଦୀର୍ଘ ବର୍ଷ ଧରି ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ଏହାର ବ୍ୟବହାର କରାଯାଉଥିବା ଜଣାପଡ଼ିଛି। ପାକିସ୍ତାନ ଦ୍ବାରା ନିର୍ମାଣ ହୋଇଥିବା ସୁଡ଼ଙ୍ଗଗୁଡ଼ିକୁ ଚିହ୍ନଟ କରିବା ଖୁବ୍‌ ଗୁରୁତ୍ବପୂର୍ଣ୍ଣ। ଯେତେବେଳେ ଏଲ୍‌ଓସି ଅତିକ୍ରମ କରିବା କଷ୍ଟ ହେଉଛି ସେତେବେଳେ ପା‌କିସ୍ତାନୀ ଆତଙ୍କବାଦୀମାନେ ଏହି ସୁଡ଼ଙ୍ଗର ବ୍ୟବହାର କରୁଛନ୍ତି। ଆଜି ବିଏସଏଫ୍‌ ପକ୍ଷରୁ ପୁଞ୍ଚ୍‌ ଜିଲ୍ଲାରେ ଏକ ଆତଙ୍କବାଦୀଙ୍କ ଆଡ଼ା ସ୍ଥଳ ଉପରେ ଚଢ଼ଉ ହୋଇଛି ଏବଂ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି।

ସମ୍ବନ୍ଧିତ ଖବର