ୟେମେନ ସାମରିକ ଶିବିରରେ କ୍ଷେପଣାସ୍ତ୍ର ମାଡ଼, ୯୦ ସୈନିକ ନିହତ

ଦୁବାଇ : ୟେମେନର ସାମରିକ କ୍ୟାମ୍ପ୍‌ ପରିସରରେ ଅବସ୍ଥିତ ଏକ ମସ୍‌ଜିଦ୍‌ରେ କ୍ଷେପଣାସ୍ତ୍ର ମାଡ଼ ଯୋଗୁଁ ୯୦ ଜଣ ସୈନିକ ନିହତ ହୋଇଛନ୍ତି ଏବଂ ୫୦ରୁ ଅଧିକ ଆହତ ହୋଇଛନ୍ତି।। ମାରିବ୍‌ରେ ହୋଇଥିବା ଏହି ଆକ୍ରମଣ ଇରାନ୍‌ ସମର୍ଥିତ ହାଇତି ବିଦ୍ରୋହୀ ସଂଗଠନ ଦ୍ବାରା କରାଯାଇଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ହାଇତି ଏବଂ ୟେମେନ ସରକାରଙ୍କ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତିର କିଛି ମାସ ପରେ ଗତକାଲି ଏହି ଆକ୍ରମଣ ହୋଇଥିଲା। ୟେମେନ ସରକାରଙ୍କୁ ସାଉଦି ଆବର ନେତୃତ୍ବରେ ମିଳିତ ସାମରିକ ମେଣ୍ଟର ସମର୍ଥନ ରହିଛି। ଏହି ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ପୂର୍ବରୁ ଲାଗି ରହିଥିବା ଉତ୍ତେଜନା ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି । ଆମେରିକା ଏବଂ ଇରାନ୍‌ ମଧ୍ୟରେ ଏବେ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଥିବା ବେଳେ ଇରାନ୍‌ ସମର୍ଥିତ ବିଦ୍ରୋହୀ ସଂଗଠନ ଦ୍ବାରା ଡ୍ରୋନ୍‌ ମାଧ୍ୟମରେ କ୍ଷେପଣାସ୍ତ୍ର ମାଡ଼ ଯୋଗୁଁ ପରିସ୍ଥିତି ଅଧିକ ଜଟିଳ ହୋଇଛି। ୟେମେନ ରାଷ୍ଟ୍ରପତି ଅବେଦର୍ବୋ ମନ୍‌ସୁର ହାଦି କହିଛନ୍ତି ଯେ ସୈନିକଙ୍କ ଉପରେ ଏଭଳି କାପୁରୁଷୋଚିତ ଆତଙ୍କବାଦୀ ଆକ୍ରମଣକୁ ବରଦାସ୍ତ କରାଯିବ ନାହିଁ। ଇରାନ୍‌ର କ୍ଷେପଣାସ୍ତ୍ରରେ ଏହି ଆକ୍ରମଣ ହୋଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର