ବାରବାଟି ଦୁର୍ଗ ନବୀକରଣ ପ୍ରସଙ୍ଗ: କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ସସ୍ମିତ ପାତ୍ର, ସୁବାସ ସିଂହ

ନୂଆଦିଲ୍ଲୀ : କଟକ ବାରବାଟି ଦୁର୍ଗର ନବୀକରଣ ପାଇଁ ବିଜେଡି ସାଂସଦ ଡ. ସସ୍ମିତ ପାତ୍ର ଓ ସୁବାସ ସିଂହ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜି. କିଷନ ରେଡ୍ଡୀଙ୍କୁ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସ୍ମାରକପତ୍ରରେ କଟକର ହଜାର ବର୍ଷର ଗର୍ବ ଓ ଗୌରବର ଐତିହ୍ୟକୁ ବହନ କରୁଥିବା ବାରବାଟି ଦୁର୍ଗର ନବୀକରଣ ଓ ଉନ୍ନତିକରଣ କାର୍ଯ୍ୟକୁ ଶୀଘ୍ର ତ୍ବରାନ୍ବିତ କରିବା ପାଇଁ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଛୋଟ ଓ ମଧ୍ୟମ ସହରଗୁଡିକ ପାଇଁ ସହରାଞ୍ଚଳ ଭିତ୍ତିଭୂମି ବିକାଶ ଯୋଜନା (ୟୁଆଇଡିଏସ୍‌ଏସ୍‌ଏମ୍‌ଟି) କାର୍ଯ୍ୟକ୍ରମ ଅଧୀନରେ ଏହି ପ୍ରକଳ୍ପର ନବୀକରଣ ଓ ସଂରକ୍ଷଣ ପାଇଁ ପଦକ୍ଷେପ ନେବାକୁ ଶ୍ରୀ ରେଡ୍ଡୀଙ୍କୁ ଏମାନେ ଅନୁରୋଧ କରିଛନ୍ତି। ୨୦୦୮ ଓ ୨୦୦୯ରେ ବାରବାଟି ଦୁର୍ଗର ନବୀକରଣ ଓ ଉନ୍ନତି ପାଇଁ କେନ୍ଦ୍ର ସରକାର ୟୁଆଇଡିଏସ୍‌ଏସ୍‌ଏମ୍‌ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ୧୭ କୋଟି ୨୫ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ। ଏହାକୁ ଏକ ସ୍ମାରକ ଭାବେ ସମଗ୍ର ଦେଶବାସୀଙ୍କୁ ଆକର୍ଷିତ କରିବା ପାଇଁ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍‌ଆଇ) ଜରିଆରେ କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।

କାର୍ଯ୍ୟକୁ ତ୍ବରାନ୍ନିତ କରିବା ପାଇଁ ଏଏସ୍‌ଆଇ ଏବଂ କଟକ ମହାନଗର ନିଗମ (ସିଏମ୍‌ସି)କୁ ଦ୍ବୟିତ୍ବ ଦିଆଯାଇଥିଲା। କଟକ ମହାନଗର ନିଗମ ଖାଇରୁ ପଙ୍କ ଉଦ୍ଧାର କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିବା ପରେ ପ୍ରାଚୀର ସଫା ହୋଇ ନଥିବାରୁ ଭିତ୍ତିଭୂମି ଓ ସୌନ୍ଦର୍ଯ୍ୟକରଣ କ୍ଷେତ୍ରର କାର୍ଯ୍ୟ ଆଗକୁ ବଢ଼ିପାରୁନାହିଁ। ଯାହାକୁ ଏଏସ୍‌ଆଇ ଅବହେଳା କରିଚାଲିଛି ବୋଲି ଦୁଇସାଂସଦ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଦାନ କରିଥିବା ସ୍ମାରକପତ୍ରରେ ଉଲ୍ଲେଖ କରିଛନ୍ତି।

ଏଏସ୍‌ଆଇ ପାଖରେ ୧୪ କୋଟିରୁ ଅଧିକ ଟଙ୍କା ଥିଲେ ମଧ୍ୟ ଏହି କାର୍ଯ୍ୟକୁ ତ୍ବରାନ୍ବିତ କରାଯାଉ ନଥିବା ନେଇ ଦୁଇ ସାଂସଦ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହି ଐତିହ୍ୟ ପ୍ରକଳ୍ପ ଏଏସ୍‌ଆଇ ଦ୍ବାରା ନିଷିଦ୍ଧାଚଳ ହୋଇଥିବାରୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକ‌ାର ଏହାର ଉନ୍ନତିକରଣ ପାଇଁ କୌଣସି ପଦକ୍ଷେପ ନେଇ ପାରୁନାହାନ୍ତି। ଏହି କାର୍ଯ୍ୟର ବିଳମ୍ବତାକୁ ଦୂର କରିବା ପାଇଁ ଦୁଇ ସାଂସଦ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।

ସମ୍ବନ୍ଧିତ ଖବର