ବାରମ୍ବାର ଭୁଲ୍‌ କହି ବାଇଡେନ୍‌ ଉପହସିତ: କମଳା ହାରିସଙ୍କୁ ଫାଷ୍ଟ ଲେଡି କହିଲେ

ୱାସିଂଟନ: କଥାରେ ଅଛି ‘ମୁନେରପି ମତିଭ୍ରମଃ’, ଅର୍ଥାତ୍ ମୁନିମାନଙ୍କର ମଧ୍ୟ ମତିଭ୍ରମ ହୋଇଥାଏ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କର ତ ବୟସ ହେଲାଣି। ତେଣୁ ବେଳେ ବେଳେ ପାଟିରୁ ଭୁଲ୍ ଶବ୍ଦ ବାହାରିପଡ଼ୁଛି। ୭୯ ବର୍ଷ ବୟସ୍କ ବାଇଡେନ ସମାନ ବେତନ ଦିବସ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି କମଳା ହାରିସ୍‌ଙ୍କୁ ଫାଷ୍ଟ ଲେଡି କହି ଉପହସିତ ହୋଇଥିଲେ। ତେବେ ସଂଗେ ସଂଗେ ସେ ନିଜର ଭୁଲ୍ ବୁଝିପାରି ତାହାର ସଂଶୋଧନ କରିଥିଲେ। ବାଇଡେନଙ୍କ ଜିଭରୁ କଥା ଖସିଯିବା ଘଟଣା ଏହା ପ୍ରଥମ ନୁହେଁ। ବେଳେ ବେଳେ ତାଙ୍କର ଏମିତି ହୁଏ। ତୁଣ୍ଡରୁ କଥା ଖସିଯିବା ହେଉ ବା ଗ୍ଲାସ୍‌ଗୋ ସମ୍ମିଳନୀରେ ଶୋଇପଡ଼ିବା ଘଟଣାକୁ ନେଇ ରାଷ୍ଟ୍ରପତି ବାଇଡେନ ବାରମ୍ବାର ଗଣମାଧ୍ୟମର ଶିରୋନାମା ପାଲଟିଛନ୍ତି। ତାଙ୍କର ଏମିତି କେତେଗୁଡ଼ିଏ ଭୁଲ୍ ଭାଇରାଲ ହୋଇଛି। ସେଥିମଧ୍ୟରୁ କେତୋଟି ଏଠାରେ ଦିଆଗଲା:
ଅଶାଳୀନ ଭାଷା: ନିକଟରେ ମୁଦ୍ରାସ୍ଫୀତି ଉପରେ ଫକ୍ସ ନ୍ୟୁଜ୍‌ର ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବାଇଡେନ୍ କହିଥିଲେ, ‘ହ୍ବାଟ୍ ଏ ଷ୍ଟୁପିଡ୍ ସନ ଅଫ୍ ଏ ବିଚ୍!’ (ହିନ୍ଦୀରେ ଯାହାର ଅର୍ଥ: କମୀନା, ଦୁଷ୍ଟ, ବଦମାସ )
ରାଷ୍ଟ୍ରପତି ହାରିସ୍: ୨୦୨୧ ଶିଶିର ଉତ୍ସବ ଅବସରରେ ସାଉଥ୍ କରୋଲିନା ଷ୍ଟେଟ୍ ୟୁନିଭର୍ସିଟିରେ ଭାଷଣ ଦେବା ବେଳେ ସେ ଉପରାଷ୍ଟ୍ରପତି କମଳା ହାରିସଙ୍କୁ ରାଷ୍ଟ୍ରପତି ବୋଲି କହିଦେଇଥିଲେ। ସେ କହିଥିଲେ, ‘‘… ଏହି ଅବସରରେ ଏକଦା ସମ୍ଭ୍ରାନ୍ତ ହାୱାର୍ଡ ବିଶ୍ବବିଦ୍ୟାଳୟର ଛାତ୍ରୀ ଥିବା ରାଷ୍ଟ୍ରପତି ହାରିସ ଆପଣମାନଙ୍କୁ କିଛି କହିବେ।’’
୫୮ତମ ଜନ୍ମଦିବସ: ଇତିହାସରେ ସବୁଠାରୁ ବୟସ୍କ ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ୍ ତାଙ୍କର ୭୯ତମ ଜନ୍ମ ଦିବସ (୨୦ ନଭେମ୍ବର ୨୦୨୧)ରେ ସାମ୍ବାଦିକମାନଙ୍କ ସହ ଭାବବିନିମୟ ବେଳେ କହିଥିଲେ ଯେ ସେ ତାଙ୍କର ୫୮ତମ ଜନ୍ମ ଦିବସ ପାଳନ କରୁଛନ୍ତି।
ଲିବ୍ୟା ବଦଳରେ ସିରିୟା: ବାଇଡେନ ଗତବର୍ଷ ଜି୭ ଶିଖର ସମ୍ମିଳନୀ ପରେ ସାମ୍ବାଦିକ ସମ୍ମିଳନୀରେ ଲିବ୍ୟା ବିଷୟରେ କିଛି କହୁ କହୁ ଲିବ୍ୟା ବଦଳରେ ସିରିୟାର ନାମ ନେଇଥିଲେ।
ଢୁଳେଇ ପଡ଼ିବା: ସ୍କଟଲାଣ୍ଡର ଗ୍ଲା‌ସ୍‌ଗୋଠାରେ ଅନୁଷ୍ଠିତ କୋପ୍୨୬ ଜଳବାୟୁ ସମ୍ମିଳନୀର ଉଦ୍‌ଘାଟନୀ ଉତ୍ସବରେ ରାଷ୍ଟ୍ରପତି ବାଇଡେନ୍ ଶୋଇପଡ଼ିଥିଲେ।
ୟୁକ୍ରେନୀୟ ବଦଳରେ ଇରାନୀୟ: ୟୁକ୍ରେନ୍ ଉପରେ ଆକ୍ରମଣ କରିଥିବା ରୁଷିଆକୁ ସମାଲୋଚନା କରିବାକୁ ଯାଇ ବାଇଡେନ ମାର୍ଚ୍ଚ ୨ ତାରିଖରେ କହିଥିଲେ ଯେ, ପୁଟିନ କିବ୍‌କୁ ସୈନ୍ୟ ଓ କମାଣ ଦ୍ବାରା ଘେରିପାରନ୍ତି କିନ୍ତୁ ସେ କେବେ ବି ଇରାନୀୟମାନଙ୍କ ହୃଦୟ ଜିତିପାରିବେ ନାହିଁ।

ସମ୍ବନ୍ଧିତ ଖବର