ୟୁପିରେ ୩୦ ଲକ୍ଷ ବୁଥ୍‌ସ୍ତରୀୟ କର୍ମୀଙ୍କୁ ବିଜେପିର ଦୀପାବଳି ଉପହାର

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ତୃଣମୂଳ ସ୍ତରରେ ଦଳକୁ ମଜଭୁତ କରିବା ପାଇଁ ବିଜେପି ଅଣ୍ଟା ଭିଡ଼ିଛି। ୩୦ ଲକ୍ଷ ବୁଥ୍‌ସ୍ତରୀୟ କର୍ମୀଙ୍କ ନିକଟକୁ ଦୀପାବଳି ଉପହାର ପଠାଯାଇଛି। ୨୦୧୭ ବିଧାନସଭା ନିର୍ବାଚନରେ ବିଜେପିର ତତ୍କାଳୀନ କେନ୍ଦ୍ରୀୟ ଅଧ୍ୟକ୍ଷ ଅମିତ ଶାହ ବୁଥ୍‌ ପରିଚାଳନା ଉପରେ ଗୁରୁତ୍ବ ଦେଇଥିଲେ। ବୁଥ୍‌ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କ ଘରକୁ ଯାଇ ଭୋଜନ କରି ଏକ ପାରିବାରିକ ପରିବେଶ ସୃଷ୍ଟି କରିବାକୁ ଉଦ୍ୟମ କରିଥିଲେ। ରାଜ୍ୟର ପ୍ରତ୍ୟେକ ଅଞ୍ଚଳରେ ବୁଥ୍‌ସ୍ତରୀୟ ସଭାକୁ ସମ୍ବୋଧିତ କରିଥିଲେ ଶାହ।

ଏହି କ୍ରମରେ ଦଳ ବୁଥ୍‌ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କୁ ଦୀପାବଳି ଉପହାର ପଠାଇଛି। ଉପହାର ପ୍ୟାକେଟ୍‌ରେ ରହିଛି ତୋରଣ ଦ୍ବାର ଏବଂ ପଦ୍ମାକୃତି ଦୀପ। ମାଟିରେ ତିଆରି ଏହି ଦୀପ ବିଜେପିର ଦଳୀୟ ଚିହ୍ନ। ଶୁକ୍ରବାର କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଲକ୍ଷ୍ନୌ ଗସ୍ତରେ ଆସୁଛନ୍ତି। ସେଥିପାଇଁ ଏକ ସଭାର ଆୟୋଜନ କରାଯାଇଛି। ରାଜ୍ୟରେ ମୋଟ୍‌ ୧ ଲକ୍ଷ ୬୩ ହଜାର ବୁଥ୍‌ ରହିଛି। ବିଜେପି ଦେଢ଼ ଲକ୍ଷରୁ ଅଧିକ ବୁଥ୍‌ରେ ୨୦-୨୦ ସଦସ୍ୟ ବିଶିଷ୍ଟ କମିଟି ଗଠନ କରିଛି। ରାଜ୍ୟରେ ୩୦ ଲକ୍ଷରୁ ଅଧିକ ବୁଥ୍‌ସ୍ତରୀୟ କାର୍ଯ୍ୟକର୍ତ୍ତା ଅଛନ୍ତି।

ସମ୍ବନ୍ଧିତ ଖବର